Unknown

 

 

 

 

 

 

 

 

 

 

 

ଲୁଚକାଳି

ଭାଗୀରଥି ନେପାକ

 

ଜିତୁ ଭାଇ !

କିଏ ?

ଚିହ୍ନି ପାରୁନା ?

ଜିତେନ୍ଦ୍ର ପଛକୁ ଫେରି ଚାହିଁଲା, ବିନିତା ଛଳ ଛଳ ହୋଇ ହସୁଛି । ତାର ସୁନ୍ଦର ମୁହଁରେ ସେ ହସ ଧାରକ ଅତି ସୁନ୍ଦର ଦେଖାଯାଉଛି । ବିବାହିତ ନବବଧୂ ପରି ବେଶ ହୋଇଛି । ଏଇ ନାଗଫେଣିଆ ବେଣୀର କେତକୀ ସ୍ତାବକକୁ ସଜାଇବାରେ ତାକୁ ଅତିକମ୍‌ରେ ଘଣ୍ଟାଏ ଲାଗିଥିବ ।

କେମିତି ଚିହ୍ନିବି ଯେ ? ଦର୍ପଣ ଦେଖିଲେ ତୁ ନିଜକୁ ନିଜେ ତ ଚିହ୍ନି ପାରିବୁ ନାହିଁ ।

ବିନିତା ପୁଣିଥରେ ହସିଦେଲା ସିନା, ହସିଲା ପରେ ଲାଜରେ ମୋଡ଼ି ହୋଇଗଲା । ସତରେ ସେ କଣ ଏତେ ସୁନ୍ଦର ଦିଶୁଛି ?

ଦୁହେଁ ନୀରବ ହେଲେ । ନିଥର ଗଛ ଡ଼ାଳରେ ଦୁଇଟା ବଣୁଆ ପକ୍ଷୀ ଖୁମ୍ପା ଖୁମ୍ପି ହେଉଥାନ୍ତି ।

ବାହାଘର ଯୋଗ ପଡ଼ିଲା କିଲୋ ? ଜିତେନ୍ଦ୍ର ପରିହାସ କଲା ।

କେଜାଣି....ତୁମର କଣ ଜଣା ନଥିବଯେ !

ମୁଁ ଆଉ ଜାଣିବି କେମିତି ଯେ ? ତୋର ତୁ ବାହା ହୋଇ ଚାଲି ଯିବୁ, ମୁଁ ଖାଲି ଚାହିଁ ରହିଥିବି ।

ଏ କଣ କହୁଛ ଜିତୁ ଭାଇ ? ତୁମ ବ୍ୟତୀତ ଆଉ କାହାରି କଥା ଭାବିବା ମୋ’ପକ୍ଷରେ ଏକାନ୍ତ ଅସମ୍ଭବ । ତୁମେ ହିଁ ତ ମୋର ଅବଲମ୍ବନ । ବିନା ସହାୟତାରେ ଲତା କି କେବେ ବଢ଼ିପାରେ ଜିତୁଭାଇ ?

କାହିଁକି ? ନିର୍ମୂଳି ଲତା ଦେଖିନୁ ? ଚାହୁଁ ଚାହୁଁ ଗଛ ଉପରକୁ ଉଠିଯାଏ ।

ମୋର ମୂଳ ଅଛି ଜିତୁ ଭାଇ ! ମୁଁ ନିର୍ମୂଳି ଲତା ନୁହେଁ । ବିନୁ ଉତ୍ତର ଦେଇ ଅଭିମାନ କରୁଥିଲା । ମୁହଁ ମୋଡ଼ି ଆକାଶର ଆଉ ଗୋଟିଏ ଦିଗରୁ ଦେଖିଲା ।

ଜିତେନ୍ଦ୍ର ତାର ଅଭିମାନ ଭାଙ୍ଗିବାକୁ ପାଖେଇ ଗଲା । ବିନିତାର ପିଠିରେ ନିଜ ପିଠିକୁ ପିଠୋଇ ଦେଇ ଝୁଲିବାକୁ ଲାଗିଲା ।

ବିନିତାର ଅଭିମାନ ଭାଙ୍ଗିବାପରେ ସେ ଟିକିଏ ଘୁଂଚିଯାଇ ଜିତେନ୍ଦ୍ରକୁ ଖାଲି ଭୂଇଁଟାରେ ଗଡ଼ୁଥିବାର ଦେଖି ତାଳିମାରି ହସିଲା ।

ଜିତେନ୍ଦ୍ର ଛିଡ଼ାହୋଇ ବିନିତାକୁ କାଖପାଖରୁ ଭିଡ଼ିଧରି ପଚାରିଲା, କୁଆଡ଼େ ଯିବୁ ଶୁଣେ-?

ବିନିତା ସେଇଠି ବସି ପଡ଼ି ନିଜକୁ ଜିତେନ୍ଦ୍ରର କୋଳରେ ଲତାଇ ଦେଲା ।

ଜିତେନ୍ଦ୍ରର କୋଳ ଉପରେ ବିନିତା ଫୁଟିଲା ଫୁଲଟିଏ ପରି ଶୋଇ ଯାଇଛି । ତାରି କେଶର ହାଲୁକା ସୁବାସ ଜିତେନ୍ଦ୍ରର ନାକ ପାଖକୁ ଆସି ଫେରି ଯାଉଛି ।

ଜିତୁ ଭାଇ ! ବିନୁ ମଦ ଅଳସ କଣ୍ଠରେ ଡ଼ାକିଲା ।

 

କଅଣ ? ଜିତେନ୍ଦ୍ର ମଠେଇ ମଠେଇ ଉତ୍ତର ଦେଲା ।

 

ତୁମେ ତ ମୋର ଭାରୀ ଖରାପ ଭାବୁଥିବ ?

 

କାହିଁକି କିଲୋ–ହଠାତ୍‌ ଏ ପ୍ରଶ୍ନ କଲୁଯେ ?

 

କିଛି ନାହିଁଯେ....ତେବେ...

 

ତେବେ କଣ ?

 

ଏମିତି କହିଦେଲି ।

 

ବିନା କାରଣରେ ?

 

ସବୁ କଥାର କଣ କାରଣ ଥାଏ ଜିତୁଭାଇ ?

 

ନିଶ୍ଚୟ !

 

ଆଚ୍ଛା ଜିତୁ ଭାଇ ! ଜଣେ ଜଣକୁ ଭଲପାଏ କାହିଁକି ? ଭଲ ପାଇବା କଣ ଭୁଲ କଥା-?

 

ଜିତୁ ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ନ ପାରି ପଚାରିଲା, ଭଲ ପାଇବା ଭୁଲ ବୋଲି କିଏ କହୁଚି ବିନୁ !

ତେବେ ମୋର ସାଥିସାଙ୍ଗ ଏମିତି ବଲ ବଲ କରି ଅନାଉଛନ୍ତି କାହିଁକି ? ସତେ ଯେମିତି ମୁଁ ଅଚିହ୍ନା ଝିଅଟିଏ ।

 

ସେ କଥା ନୁହେ ବିନୁ !

 

ତେବେ ?

 

ତୁ ସୁନ୍ଦର ବୋଲି । ସୁନ୍ଦର ଜିନିଷକୁ ସମସ୍ତଙ୍କର ଲୋଭ କିନା ! ବିଶେଷ କରି ତୋର ଏଇ ସରଳିଆ ମୁହଁ ଖଣ୍ଡକ.....

 

ମୋ ମୁହଁ କଣ ଜିତୁଭାଇ ?

 

ମୁହଁ ତ ନୁହେ, ସୂର୍ଯ୍ୟମୁଖୀ ଫୁଲଟିଏ । ପୁନେଇ ଆକାଶର କଳଙ୍କରହିତ ଚନ୍ଦ୍ରମା । ମନ ଭିତରେ ମଦ ଢାଳି ଦିଏ । ଅଜଣା ରଜ୍ଜୁରେ ବଶୀଭୂତ କରେ । ତୋତେ ଦେଖିଲେ କଣ ଲାଗେ ଜାଣୁ ?

 

କଣ ଲାଗେ ଜିତୁ ଭାଇ ?

 

ଯାଦୁକରକୁ କହି ଏଡ଼ିକି ଟିକିଏ କରି ଦିଅନ୍ତି । ହାତ ମୁଠାରେ ସବୁବେଳେ ମୁଠାଏ ରଖିଥାନ୍ତି । କ୍ଳାନ୍ତ ଲାଗିଲେ ତନ୍ତ୍ରକରି ତୋତେ ପୂର୍ବାବସ୍ଥାକୁ ଫେରାଇ ଆଣି କଥାବାର୍ତ୍ତା କରୁ କରୁ ସବୁକ୍ଳାନ୍ତି ଭୁଲି ଯାଆନ୍ତି ।

 

କରୁନ ! କିଏ ତୁମର ମନା କଲା ଯେ ?

 

ବିନୁ ଗେଲେଇ ହୋଇ ଜିତେନ୍ଦ୍ରର କାନ୍ଧ ଉପରେ ତାର କଅଁଳ ବେକଟାକୁ ଲତାଇ ଦେଲା । ବିନୁ ଉତ୍ତେଜିତା ହୋଇ ପଡ଼ିଛି । ତା’ ନାକର ଗରମ ନିଶ୍ୱାସ ବାଜୁଛି କାନ ପାଖରେ । ତାରି ମାଉଁସିଆ ଛାତିଟା ଥରି ଉଠୁଛି । ବିନୁର ଗାଲ ଦିଟା କି ନରମ ! ସତେ ଯେମିତି ଫୁଲ ମୁଠାଏ । ଜିତେନ୍ଦ୍ରର ଦେହଟା ଯାକ ଝିମେଇ ଗଲା । ତା’ ପକ୍ଷରେ ଆଉ ନୀରବ ରହିବା ଅସମ୍ଭବ । ସେ ଉଠି ଛିଡ଼ା ହେଲା । ବିନୁକୁ ବି’ ଉଠାଇ ଦେଲା ।

 

ବିନୁ ସ୍ଥାଣୁ ପାଲଟି ଯାଇଛି । ସେ ନିର୍ବାକ ହୋଇ ଅନାଇ ରହିଛି ଜିତେନ୍ଦ୍ରର ଉତ୍ତେଜିତ ମୁହଁଙ୍କୁ । ଜିତେନ୍ଦ୍ରର ସାନ୍ନିଧ୍ୟର ଆପଣକୁ ଦୂରେଇ ରଖିବାର ଚେଷ୍ଟା ନ କରି ତାର ସେହି ଲାଲ ଗାଲ ଦି’ଟାକୁ ଜିତେନ୍ଦ୍ରର ଛାତି ଭିତରେ ଲୁଚାଇ ରଖିଲା ।

 

ତୋଟା ଉହାଡ଼ରୁ ରହି, ରହି କୋଇଲି କଣ୍ଠ ଶୁଭୁଛି । ପବନରେ ଅନାମିକା ଫୁଲର ଗନ୍ଧ ମିଶିଛି ।

 

ବିନିତାର ଦେହ ଗନ୍ଧ କି ଆରାମ ଦାୟକ ।

 

ଜିତେନ୍ଦ୍ର ବିନିତାକୁ ଆଲିଙ୍ଗନ କରି ବାରମ୍ବାର ଚୁମ୍ବନ କଲା । ବିନିତା ସେ ଚୁମ୍ବନର ଦେଉ ଦେଉ କହିଲା, ତୁମେ ବଡ଼ ଦୁଷ୍ଟ ଜିତୁଭାଇ ।

 

ଜିତେନ୍ଦ୍ର ବାସୁଦେବ ପୁରରୁ ଫେରିଲା ବେଳେ ବିନିତାର ଏହି ଆରାମପ୍ରଦ ଅନୁଭୂତିକି ସଙ୍ଗରେ ନେଇ ଫେରି ଆସିଲା ।

 

ସୁଦୀର୍ଘ ପନ୍ଦର ଦିନ ହେଲା ବିନିତା ଚିଠି ଦେଇ ନାହିଁ । ଦୁଇ ଦୁଇଟା ଉତ୍ତର ପାଇଲା ପରେ ବି’ ସେ ଏମିତି ନୀରବ ହେଲା କାହିଁକି ?

 

ତିତେନ୍ଦ୍ର ଚାରିଆଡ଼କୁ ନଜର ରଖି ଟେବୁଲ ଡ଼୍ରୟର ଭିତରୁ ବିନିତାର ଛୋଟ ଛବିଟିକୁ ବାହାର କଲା । ଛବି ଭିତରେ ବିନିତା ହସୁଛି । ସେ ସବୁଦିନ ସେମିତି ହସେ । ହସି ହସି ଅନେକ କଥା କହେ । ଯାହା ବୁଝି ହୁଏ ନାହିଁକି ଶୁଣିହୁଏ ନାହିଁ ।

 

ଏ ଛବିଟା ଗଲା କଥା ସବୁ ମନେ ପକାଇ ଦେଉଛି । ଦେହ ଅଳସରେ ଭାଙ୍ଗି ପଡ଼ୁଛି । ବିନୁ କଥା ମନେ ପକାଇଲେ ଆଖିକୁ ହଠାତ୍‌ ନିଦ ଆସିବ କେମିତି?

 

ଅତୀତର ସୃତିକୁ ମୁହଁ ଉପରେ ଚାଦର କରି ଘୋଡ଼ାଇ ରଖି ଜିତେନ୍ଦ୍ର ଆଖି ବୁଜିଲା ।

 

ଭଉଣୀର ନଣନ୍ଦ ହିସାବରେ ବିନିତା ପ୍ରଥମେ ପ୍ରଥମେ ପରିହାସ କରୁଥିଲା । ସେ ପରିହାସରେ ଲାଜ ମିଶିଥିଲା । କ୍ରମେ ଲାଜତକ ପୋଛିହୋଇ ଯାଇ ଖାଲି ହେଲା ନିରୋଳା ପରିହାସ । ପରିହାସ ପୁଣି ଉଭୟଙ୍କ ଅଜ୍ଞାତରେ ପ୍ରେମ ପରିଣିତ ହେଲା ।

 

ଜିତେନ୍ଦ୍ରର ସ୍ପଷ୍ଟ ମନେ ଅଛି ସେ ଦିନର କଥା....

 

ଭଉଣୀଙ୍କୁ ଛାଡ଼ିଦେଇ ଗାଁକୁ ଫେରି ଆସିବାକୁ ଭାବୁଛି, ବିନିତା ହଠାତ୍ ପହୁଞ୍ଚି ଅନୁରୋଧ କଲା, ଆଜି ଦିନଟା ରହି ଯାଅନା ଜିତୁଭାଇ !

 

ଅନୁରୋଧ ତ ନୁହେଁ ଆଦେଶ ।

 

କାହିଁକି ?

 

କାଲି ପହିଲି ରଜ । ମୋ ପାଇଁ ଫୁଲ ଆଣି ଦେବନି ?

 

ତୋର ଗୋଟେ ଫୁଲ କଣ ହେବ ମ ? ତୁ ତ ନିଜେ ଗୋଟିଏ ଫୁଲ ।

 

ନା, ଜିତୁ ଭାଇ, ମୋ ରାଣ ତୁମେ ଆଜି ଯାଅନି ।

 

ବେଶୀଦିନ ପାଇଁ ଦେହଘଷା ହେଲେ ମନର ମୋହ ଭାଙ୍ଗି ଯାଏ ଯେ....

 

ମିଛକଥା । ତୁମକୁ ଦେଖୁଥିଲା ଯାଏ ପ୍ରାଣ ହସୁଥାଏ । ନ ଦେଖିଲେ ମନଟା ମରି ମରି ଯାଏ ।

 

କେତେଦିନ ରଖି ପାରିବୁ ?

 

ଜନମାବଧି । ଆର ଜନମରେ ପୁଣି ଥରେ ବିନୁ ହୋଇ ଖୋଜିବି ।

 

ଚିହ୍ନି ପାରିବୁ ?

 

କଣ କହିଲା ? ତୁମେ କଥା ଭାଷା, ଚାଲି ଚଳନ କେଉଁଟା ମୋତେ ଅଛପା ଅଛି ଯେ-? ତୁମ ମୁହଁ, ତୁମ ଦେହ, ଦେହର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ମୋର ମୁହ ଆଗରେ । ଚିହ୍ନି ପାରିବି ନାହିଁ । ଯୋଉଠି ଥିଲେବି’ ହାତ ଧରି ଭିଡ଼ି ଆଣିବି । ପୁଣି ଥରେ ହସି ଖେଳି ଏକାଠି ରହିବା ।

 

ସେତିକିବେଳେ ତୋ’ ମାଆ ଆସି ଜୋର କରି ତୋତେ ମୋ ହାତରେ ଭିଡ଼ି ନେବେ । ତୋର ପରିଶ୍ରମ ବ୍ୟର୍ଥ ହବ । ମୁଁ ବି ସେମିତି ଏକାକୀ ରହିଯିବି ।

 

ନାଁ ଜିତୁଭାଇ । ମା ରାଜି ହେବେ ।

 

ରାଜି ହେବେ ସତରେ ? କେମିତି ଜାଣିଲୁ ?

 

ବାଃରେ, ମୁଁ ଝିଅ ହୋଇ ମୋ ମାର କଥା ଜାଣି ପାରିବି ନାହିଁ ! ରାଜି ନ ହେଲେ ଗୋଡ଼ତଳେ ପଡ଼ି ରାଜି କରାଇବି ।

 

ନ ମାନିଲେ ?

 

ମୁଁ ବି ମାନିବ ନାହିଁ । ନ ଖାଇ, ନ ପିଇ ଶୋଇବି ।

 

ନ ଶୁଶିଲେ ।

 

ତୁମେ ବି’ କଣ ଶୁଣିବ ନାହିଁ ଜିତୁ ଭାଇ ? ଡ଼ାକିଲେ ପାଖକୁ ଆସିବ ନାହିଁ ? ହାତ ଧରାଧରି ହୋଇ ଆମର ଆମେ ଚାଲିଯିବା ।

 

କେଉଁଠିକି?

 

ବହୁତ ଦୁରକୁ । ପୃଥିବୀକୁ ରାତି ଅଧରେ ପାର ହୋଇ ଯାଇ ଆଉ ଗୋଟାଏ ପୃଥିବୀକି ଚାଲିଯିବା । ସେଇଠି ଆକଟ କରିବାକୁ କେହି ନଥିବେ । ମନା କରିବାକୁ କେହି ଆସିବେ ନାହିଁ । ଖାଲି ରହିବା ତୁମେ ଆଉ ମୁଁ । ତୁମେ ମୋତେ ଦେଖୁଥିବ, ଆଉ ମୁଁ ତୁମକୁ ଦେଖୁଥିବି । ଏ ଘରର କଥା, ଏ ଦୁନିଆ କଥା ଭୁଲିଯିବା ।

 

ତୁ କଣ ମୋତେ ଏତେ ଭଲ ପାଉ ବିନୁ ?

 

ବିନୁ ମୁହଁ ପୋତି ଦେଲା । ତା ଥରିବା ଓଠରୁ ଟୋପା ଟୋପା ହୋଇ ଲାଲିଆ ଲାଜ ଝରୁଥାଏ । ଶିଉଳି ଫୁଲ ଖରା ଖାଇ ଝାଉଁଳି ପଡ଼ିଲା ପରି ଆଖିଦିଟା ତଳକୁ ନଇଁ ଯାଇଥାଏ ।

 

ବିନୁ ଉତ୍ତର ନ ଦେଇ ତୁନି ପଡ଼ିଛି ।

 

ଛବି ଭିତରେ ବିନୁ ସେହି ପରିଚିତ କଅଁଳ, ହସ ହସୁଛି । ଆଖି ଦିଟା ବି’ ସେହି ହସିଲା ହସିଲା । ଗାଲରେ ରକତ ସବୁ ଭଉଁରୀ କାଟୁଛି । ସେ ଦିନ ସେ ଫଟୋ ନେଲାବେଳେ ତାକୁ ଚାହିଁ ଏମିତି ଖଲଖଲ ହୋଇ ହସି ଉଠୁଥିଲା । ପୁରୀ ବଡ଼ଦାଣ୍ଡର ଅଭିଜ୍ଞ ଫଟୋଗ୍ରାଫର ତା ହସିଲା ମୁହଁକୁ ଦେଖି ଆଖି ଫେରାଇ କହିଲା, ଆପଣ ବି ଆସୁ ନାହାନ୍ତି ବାବୁ । ଏକା ସାଙ୍ଗରେ ଦି’ ଜଣକୁ ଫଟୋ କରିଦେବି । ଚମତ୍କାର ଦେଖାଯିବ ।

 

ଆସନା ଜିତୁ ଭାଇ, ! ତୁମେ ବାଁ କଡ଼କୁ ଛିଡ଼ାହେବ ଆଉ ମୁଁ ଡ଼ାହାଣ କଡ଼େ । ଆସ ।

 

ଆଜି ଥାଉ । ଆଉ କେବେ ମିଶାମିଶି ହୋଇ ଫଟୋ ନେବା । ତୋର ଫଟୋଟା ଆଜି ଉଠୁ ।

 

ସେହି ହସ, ସେହି ନୀରବ ନିଥର ଆହ୍ୱାନ ।

 

ବିନୁ ଚିଠି ଦେଲା ନାହିଁ ।

 

ବିନୁର କଣ ଦେହ ବ୍ୟସ୍ତ । ଆଃ, କଣ ଗୁଡ଼ାଏ ସେ ଭାବି ଯାଉଛି ? ବିନୁ ଚିଠି ନ ଦେଉ ପଛକେ ସୁସ୍ଥ ଥାଉ ।

 

ଜିତେନ୍ଦ୍ର ! ପାଖଘରୁ ପାଟି ଶୁଭୁଛି ।

 

ଜିତେନ୍ଦ୍ର ଉତ୍ତର ଦେଇ ପାରିଲା ନାହିଁ । ବିନୁର ଉତ୍ତର ନ ଦେବା କଥାଟାହିଁ ତାକୁ ଅନ୍ୟମନସ୍କ କରି ଦେଇଥାଏ । ତାର ମନ ଗଢ଼ା କଳ୍ପନାକୁ ସେ ଡ଼ରି ଯାଉଥାଏ ଯେମିତି ।

 

ମାଆ ଆଉଥରେ ଡ଼ାକୁଛନ୍ତି । ସବୁଦିନିଆ ସ୍ନେହ ମିଶା କଅଁଳ କଅଁଳ ଡାକ । ଶୀତଦିନିଆ ପହିଲା ଖରା ପରି ଅତି ମୁଲାୟମ । ଭୟ କରିବାର କାରଣ ନାହିଁ ।

 

କଣ ମାଆ ?

 

ଆରେ ବାସୁଦେବପୁର ଟିକିଏ ଯାଅନ୍ତୁ ନାହିଁ ? ଏଇନେ ତୋର କାମଧାମ କିଛିନାହିଁ ? ବୁଲାବୁଲି କରି ଫେରି ଆସନ୍ତୁ ।

 

ମା’ଙ୍କର ସ୍ନେହକଥା ବୋଧହୁଏ ମନେ ପଡ଼ୁଛି । ଚିଠିପତ୍ର ନ ଆସିଲେ ସେ ଏମିତି ହୁଅନ୍ତି । ଜିତେନ୍ଦ୍ର ମାଆ ମନରେ ଏହି ଦରଦ ଟିକକ ଜାଣି ପାରୁଥିଲା । ପଚାରିଲା, କାହିଁକି ମା ?

 

ପିଲାଟା କଣ ହେଲା ସେଇଠି, ଜାଣି ପାରିଲି ନାହିଁ । ଦେଖା ଚାହା କରି ଫେରି ଆସନ୍ତୁ-

 

ତାଙ୍କ ଆଖିରେ ସ୍ନେହଲତା ସବୁଦିନେ ପିଲା । ସନ୍ତାନର ଜନନୀ ହେଲେବି’ ଜନନୀ ଆଗରେ କଅଁଳା ପିଲାଟିଏ । ସତେ ଯେମିତି ଧୂଳିଘରର ଛୋଟ ଛୋଟ ଝିଅପୁଅଙ୍କ ପରି ଦେହ ପ୍ରତି ଅଜାଗ୍ରତ ଥାଇ ଚଳୁଛି । ତା’ ପାଇଁ ମାଆର ଆକଟ ଦରକାର ।

 

ଜିତେନ୍ଦ୍ର ସଙ୍ଗେ ସଙ୍ଗେ ରାଜି ହୋଇ ପ୍ରସ୍ତୁତ ହେଲା ।

 

ବାସୁଦେବପୁର ଆକର୍ଷଣକୁ ତା’ ପକ୍ଷରେ ଆଡ଼େଇ ଦେବାର ନୁହେଁ । ତାର ସ୍ୱପ୍ନ, ତାର କଳ୍ପନା ସେଇଠି ସାକ୍ଷାତ ସ୍ୱରୂପ ନେଇ ଛିଡ଼ା ହୋଇଛି । ଦୂରରେ ଥାଇ ବି ପାଖକୁ ଲାଗି ଆସି ଡାକୁଛି ।

 

ଜିତେନ୍ଦ୍ରକୁ ଦୀର୍ଘ ବାରମାଇଲ ରାସ୍ତା ସାଇକେଲରେ ଯିବାକୁ ହେବ । ଚଲା ବାଟରେ ଅନେକ ଚିହ୍ନା ଅଚିହ୍ନା ମୁହଁ । ଟିକକ ପାଇଁ ଦେଖା ଦେଇ ନିଜ କାମରେ ବାଟ କାଟି ଚାଲି ଯାଉଛନ୍ତି-। ଚିହ୍ନାଲୋକ ଟିକିଏ ହସି ଦେଉଛି । ଅଚିହ୍ନା ଲୋକ ଆଖିରେ ଅଜଣା ପ୍ରଶ୍ନ ନେଇ ଅନାଇ ରହୁଛି । ନିଛାଟିଆ ରାସ୍ତାର ଦୁଇକଡ଼େ ବୁଦୁବୁଦିଆ ବଣ । ଆମ୍ବତୋଟାର ଗହନ ଛାଇ ତଳେ ପଲ ପଲ ମାଙ୍କଡ଼ । କଥା ହେବାକୁ କେହି ନାହିଁ ।

 

କିନ୍ତୁ ଜିତେନ୍ଦ୍ରକୁ ଟିକିଏ ବି’ ନିଃସଙ୍ଗ ଜଣାପଡ଼ୁ ନାହିଁ । ତାରି ମନ ସାଙ୍ଗରେ ସେ ଚୁପଚାପ କଥାଭାଷା ହେଉଛି । ମନ ଭିତରର କଳ୍ପନା ସଙ୍ଗେ ଖେଳୁଛି । ବିନିତା ହସିଲା ମୁହଁରେ ଡାକୁଛି । ଅଳେସେଇ ଅଳସେଇ ଅନାଉଛି ।

 

ନିଃସଙ୍ଗ ଯାତ୍ରା ସାଥି ବିନିତା ତାରି ପାଖେ ଚାଲିଛି । ବାଟ ଜଣା ପଡ଼ୁନାହିଁ । ସତେକି’ ମନପବନ ଡଙ୍ଗା ଆହୁଲା ଧରିଛି ।

 

ବାସୁଦେବପୁରରେ ପହୁଞ୍ଚିଲା ବେଳକୁ ବେଳ ନଇଁ ଗଲାଣି । ନୁଆଣିଆ ଖରା ଧାସରେ ଚଲାବାଟ ସୁନା ପାଲଟି ଯାଇଛି । ଗଛର କୋଟି କୋଟି ପତ୍ର ଅବୀର ସାନ କରୁଛନ୍ତି । ବିଶ୍ୱର ରନ୍ଧ୍ରେ ରନ୍ଧ୍ରେ ଉତ୍ତେଜନା ଜମାଟ ବାନ୍ଧ ଯାଇଛି । ଏହି ନୁଆଣିଆ ଖରାରେ ବିନୁ କେମିତି ଦେଖାଯାଉଥିବ ?

 

ସ୍ନେହ ଜିତେନ୍ଦ୍ର ଆଗରେ ଗୌଣ ହୋଇ ରହି ଯାଇଛି ।

 

କିଏ ଜିତୁ ଭାଇ ? ଏତେଦିନକେ ମନେ ପଡ଼ିଲା ନାଁ ? ସ୍ନେହ ଅଭିମାନ କରି ପଚାରିଲା ।

 

ସବୁଦିନେ ସେ ଅଭିମାନ କରେ, ପ୍ରକୃତିଟା ତାର ସେମିତି ।

 

ବିନୁର ମା’ କୃତକୃତ୍ୟ ହୋଇ କହିଲେ, ଆସିଲ ବାପ ! ଭଲ କଲ । ସ୍ନେହ ତୁମକୁ ମନେ ପକାଉଥିଲା । ଦି’ ଦିନ ହେବ ଅଗଣାରେ ଚାଉଳ ବିଞ୍ଚୁଥିଲା ।

 

ବିନିତା ଭିତରେ ଅଗଣାରେ ଥିଲା । ଜିତେନ୍ଦ୍ରର ପାଟି ଶୁଣି ଧାଇଁ ଆସୁ ଆସୁ ମଝି ବାଟରେ ଅଟକିଗଲା । ଆଖିରେ ଆଖି ମିଶି ଯବା ପରେ, ଅଳ୍ପ ହସି ମୁହଁ ପୋତିଦେଲା । ତା ମୁହଁରେ କୁହୁକ ଥିଲା ।

 

ଜିତୁ ଭାଇ ପାଇଁ ଚା’ କରଲୋ ବିନୁ ! ମା ଆକଟ କଲେ । ସେ ପରା ସରବତ ଖାଅନ୍ତି-! ବିନୁ ମନେ ପକାଇ ଦେଲା ।

 

ଜିତେନ୍ଦ୍ର ଚା’ ଖାଏ କି ସରବତ ଖାଏ ବିନିତା ସେ କଥା ମନେ ରଖିଛି । ସେ ଲେମ୍ବୁ ଚିପୁଡ଼ି ସରବତ କଲା ।

 

ଚିନି ଅଳପ ହେଲାକି ? ସରବତ ଗ୍ଳାସଟାକୁ ବଢ଼ାଇ ଦେଉ ଦେଉ ବିନିତା ପ୍ରଶ୍ନ କଲା ।

 

ନ ପଡ଼ିଥିଲେ ବି’ ଚଳିଥାନ୍ତା ।

 

କେମିତି ?

 

ତୁମର ହାତର ସ୍ପର୍ଶ ହିଁ ଅନେକ । ଏଇ ହାତ ଦିଟା ନା....ଜିତେନ୍ଦ୍ର ବିନିତାର ହାତ ଧରିଲା ।

 

ଛାଡ଼ ମଁ.....

 

କଣ ଛାଡ଼ିବା ପାଇଁ ଧରିଛି ଯେ ଛାଡ଼ିଦେବି ?

 

କଣ କରିବି ଶୁଣେଁ ?

 

ସବୁଦିନେ ଏମିତି ଧରିଥିବି ।

 

କିଏ ଦେଖିବ !

 

ଦେଖୁ..... ଜିତେନ୍ଦ୍ର ଆଉ ଟିକିଏ ଚିପିଦେଲା ସେ ହାତକୁ ।

 

ଆଃ.......ଆଃ.....

 

କଣ ହେଲାକି ବିନୁ ? ସ୍ନେହ ବ୍ୟସ୍ତ ହୋଇ ସେ ଘରକୁ ପଶି ଆସିଲା ।

 

ସ୍ନେହକୁ ଦେଖି ଜିତେନ୍ଦ୍ର ଅତର୍ଚ୍ଛରେ ହାତ ଦି’ଟା ଛାଡ଼ି ଦେଲା ।

 

ସ୍ନେହ ସବୁ ଦେଖିଲା । କିନ୍ତୁ କିଛି କହିଲା ନାହିଁ । ବିନୁ ମୁହଁକୁ କେମିତି ଏକ ଭଙ୍ଗିରେ ନିମିଷକ ପାଇଁ ଚାହିଁନେଇ ହସିଦେଲା । ପଚାରିଲା, କଣ ଝୁଣ୍ଟି ପଡ଼ିଲ ?

 

ହିଁ ଭାଉଜ ! ସେହି ଦ୍ୱାରା ବନ୍ଧଟା କାଣିନଖରେ ବାଜିଗଲା ଯେ–ବିନୁ କଥା ଲୁଚାଇଲା-

 

ଦେଖି ଚାହିଁ ଚାଲ ବିନୁ ! ସେ ଘରର ଦ୍ୱାରବନ୍ଧ ସବୁଠୁ ଟିକିଏ ଉଚ୍ଚ । ଜାଗ୍ରତରେ ନ ଚାଲିଲେ ପଡ଼ି ଯିବାର ଭୟ ।

 

ବିନୁ ଏ କଥାର ବ୍ୟଙ୍ଗ ବୁଝିଲା । କିଛି ନ କହି ଜିତେନ୍ଦ୍ର ମୁହଁକୁ ଚାହୁଁଥିଲା । ଜିତେନ୍ଦ୍ର ସାନ ଭଉଣୀର ଏ ମନ୍ତବ୍ୟ ଶୁଣି ଅଳ୍ପ ହସିଦେଲା ।

 

କୋଉଠି ପଡ଼ିଲୁ ବିନୁ, ମାଆ ଆସି ପଚାରିଲେ ।

 

ପଡ଼ିନାହିଁ ମା ! ଝୁଣ୍ଟି ହେଲି ।

 

ସେ ଘରକୁ କାହିଁକି ଯାଉଥିଲୁ ଶୁଣେ ?

 

ଜିତୁ ଭାଇ ପାଇଁ ସରବତ ଆଣି ଦେଉଥିଲି ପରା !

 

ଝିଅ ବଅସମତା ହେଉଛି । ତଳକୁ ଚାହିଁ ବାଟ ଚାଲୁନି । ମା ଗରଗର ହୋଇ ଚାଲିଗଲେ ।

 

ମା ସବୁଦିନ ଏମିତି । ଅତିଥି ଅଭ୍ୟାଗତ ମାନନ୍ତି ନାହିଁ । କହିଲା ବେଳେ ଯାହା ତୁଣ୍ଡରେ ପଡ଼ିଲା ବକି ଯାଆନ୍ତି । ଟିକିଏ ହେଲେ ଜଗାରଖା ନାହିଁ ।

 

ବିନୁ ମାଆଙ୍କର ମନ୍ତବ୍ୟ ଶୁଣି ମର୍ମାହତ ହେଲା । କହିଲା, ଦେଖିଲ ! ତମ ପାଇଁ କେମିତି ଭାଗବତ ଅଧ୍ୟାୟେ ସରିଗଲା । ମୁଁ କରୁଛି ଛାଡ଼ିଦିଅ, ମାନିଲ ନାହିଁ । ଶୁଣିଲତ ? ମାଆ ଏଇନେ ଆହୁରି ବକିବ ?

 

ମୋ ପାଇଁ ଏତକ ସହି ପାରିବ ନାହିଁ ବିନୁ ?

 

ବିନୁ ଜିତେନ୍ଦ୍ର ମୁହକୁ ଚାହିଁଲା । ସେ ମୁହଁରେ ଖାଲି ଅନୁରୋଧର ବାର୍ତ୍ତା । ଆଖି ଡ଼ୋଳା ଦୁଇଟା ଓସାରି ଯାଇଛି । ବିନୁଭାଇଙ୍କ ଏହି ଆବେଗଭରା ଚାହାଣୀ ଖୁବ୍‌ ଭଲ ଲାଗେ ।

 

ମୁଁ ସେମିତି କହିଦେଲି ମ ! ରାଗିବ ନାହିଁ । ବିନୁ ହସି ହସି ଫେରିଗଲା । ତା ଚାଲିରେ ଅଭିସାରିକା ବନ ହଂସୀର ଛନ୍ଦ ଥିଲା ।

 

ଜିତେନ୍ଦ୍ର ପଥକ୍ଳାନ୍ତିରେ ଶୋଇ ପଡ଼ିଲା ।

 

ଶୋଇବା ଭିତରେ ବି’ ବିନିତା ବାଦ ଯାଇନି । ସେ ସପନ ହୋଇ ଫେରି ଆସିଛି ଜିତୁ ପାଖକୁ । ଜିତେନ୍ଦ୍ର ବିନୁ ସାଙ୍ଗରେ କେତେ କଥା ହେଉଥାଏ ।

 

କାହାର କଅଁଳ କଅଁଳ ହାତର ଉଷୁମ ସ୍ପର୍ଶ ପାଇ ତାର ନିଦ ଭାଙ୍ଗିଲା । ନିଦୁଆ ଆଖିରେ ଦେଖିଲା ବିନୁ ଛାତି ପାଖରେ ବସି ତାର ଅଲରା ମୁଣ୍ଡକୁ ସଜାଡ଼ି ଦେଉଛି ।

 

ବିନୁର ସ୍ପର୍ଶରେ ମହୁଆ ମଦର ନିଶା ଅଛି । ତା ହାତ ବାଜି ଦେହସାରା ସଲସଲ ହେଉଛି । ବିନୁର ସ୍ପର୍ଶ କେତେ ଆରାମପ୍ରଦ ସତରେ ।

 

ସେ ନିଦୁଆ ଆଖିରେ କଣେଇ କଣେଇ ଦେଖିଲା ବିନିତା ଅପୂର୍ବ ବେଶ ହୋଇଛି । ତାରି ଦେହରୁ ମୁହଁରୁ ନବପରିଣିତ ବଧୂର କାନ୍ତି ଝରୁଛି । ଟିକକ୍‌ଆଗର ଅସଜଡ଼ା ବିନୁ ସେ ନୁହେ-। ସତେ ଯେମିତି ବାସର ରାତିର ରୂପକନ୍ୟା । ଗହଳ କେଶର ବହଳ ବେଣୀରେ ପ୍ଳାଷ୍ଟିକ୍‌ଫୁଲ ଖଞ୍ଜିଛି । ଅତରଭିଜା ରିବନରେ ପଦ୍ମଫୁଲ ଫୁଟାଇଛି । ଫିନି ଫିନି ଶାଢୀ ଖଣ୍ଡେ ପିନ୍ଧି ସେ ଅଳସରେ ଭାଙ୍ଗି ପଡ଼ୁଛି ଯେମିତି ।

 

ଏଇ ବିନୁ ଜିତେନ୍ଦ୍ର ଆଖିରେ ସବୁଦିନ ନୂଆ ଦିଶେ । ତା ଆଖିରେ ବିନିତା ଶାଶ୍ୱତ ଯୌବନା । ସେ ହସି ଜାଣେ । କଥା କହି ମନ ମୋହିନିଏ ।

 

ମୋହିନୀ ବିନୁର ଶରୀରରେ ମୁଠା ମୁଠା ମାଂସ । ତାର ସ୍ଫୀତ ନିତମ୍ବରେ ମଳୟ ଭଉଁରୀ କାଟେ । ତାର କଟା ଚିବୁକରେ ବସନ୍ତି । ବସନ୍ତ କବିତା ଲେଖେ । ନାରୀ ତ ନୁହେଁ, ଲହୁଣୀ କୋମଳ ପରୀଟିଏ ।

 

ବିନିତା ବିମୁଗୁଧ୍‌ ଚାହାଣୀରେ ତାରି ମୁହଁକୁ ଅନାଇଲେ ବେଳେ ସେ ଆଖି ବୁଜିଦେଲା-

 

ନିକାଞ୍ଚନ ଘରର ପଲଙ୍କ ଉପରେ ଦୁଇଟା ଅବିବାହିତ ତରୁଣ ତରୁଣୀ । ଆଖିରେ ଆଖିରେ ମୌସୁମୀର ବିମୁକ୍ତ ଝଡ଼ି । ଆଦିମ ମନ ଭିତରେ ଜୁଆରିଆ କଳ୍ପନା ଫଣା ଟେକି ଦଂଶନ କରୁଛି । ତାରି ଉତ୍କଟ ଦଂଶନରେ ଗୋଡ଼ହାତ ଅଳସେଇ ଗଲାଣି ।

 

ଏ–ଉଠ ! ବିନୁ ଜିତେନ୍ଦ୍ରର ବେକ ଧରି ହଲାଇ ଦେଲା ।

 

ଜିତେନ୍ଦ୍ର ଶୋଇଲା ପରି ଅଭିନୟ କରି ହାତଟାକୁ ବିନିତାର କୋଳ ଉପରେ ଲତାଇ ଦେଲା ।

 

ବିନିତାର ମାଂସଭରା କୋଳ ଉଷୁମ ଲାଗୁଛି । ତିତେନ୍ଦ୍ରର ହାତ ଥରି ଥରି ଉଠୁଥିଲା ।

 

କହିଲି ପରା–ଉଠ ! ବିନିତା ଜିତେନ୍ଦ୍ରକକୁ ଏଥର ଜୋର କରି ହଲାଇ ଦେଲା ।

 

ଉଠୁଛିଁ । ଜିତେନ୍ଦ୍ର ବିନିତାର ବେକ ତଳକୁ ହାତ ନେଇ ଉଠିବାକୁ ଚେଷ୍ଟା କଲା ।

 

ବିନିତାର ଅପ୍ରସ୍ତୁତ ଥିଲା । ଜିତେନ୍ଦ୍ରର ଦେହଭାରକୁ ସମ୍ଭାଳି ନ ପାରି ପଲଙ୍କ ଉପରେ ଅଜାଡ଼ି ହୋଇଗଲା ।

 

ଦୁହେଁ ନୀରବ, ନିର୍ବାକ ହୋଇ ପରସ୍ପରର ସ୍ପର୍ଶକୁ ଅନୁଭବ କରିବାକୁ ଲାଗିଲେ । ଜିତେନ୍ଦ୍ର ବିନିତାର ଦେହ ଗନ୍ଧରେ ମାତାଲ ହୋଇ ତାରି ଉନ୍ନତ କାନ୍ଧ ଊପରେ ନିଜର ଲୋଭିଲା ଓଠକୁ ଜଡ଼ାଇ ଦେଲା ।

 

ଆରେ–କିଏ ଆସୁଥିବ ! ଦିନ ଭିଡ଼ି ମୋଡ଼ି ହୋଇ ନିଜର ଅନିଚ୍ଛା ସତ୍ୱେ ଛିଡ଼ା ହେଲା । ସେ ହାତ ଉଠାଇଲା ବେଳେ ଛାତିର ଲୁଗା ତଳେ ଖସି ପଡ଼ିଲା । ଗୋଲାପୀ ବ୍ଳାଉଜ ଉପରେ ଉବୁକି ଉଠୁଛି ବିନିତାର ନିଘଞ୍ଚ ଯୌବନଶ୍ରୀ ।

 

କଣ ଉଠିଲେ ? ସ୍ନେହ କବାଟ ସେପଟୁ ପ୍ରଶ୍ନ କଲା ।

 

ଉଠୁଛିଁ ସ୍ନେହ ! ଓଃ, ଭାରି କ୍ଳାନ୍ତି !

 

ଖାଇଦିଅ । ଶୋଇପଡ଼ିବି ଯେ କେହି ଉଠାଇବେ ନାହିଁ । ସେତିକିବେଳୁ ସରବତ ଗ୍ଳାସଟେ ଖାଲି ପିଇଥିଲ । ଭୋକ କରିଲାଣି । ତୁମେ ଉଠାଇ ସଙ୍ଗରେ ନେଇ ଆସି ବିନୁ ! ସ୍ନେହ ତାଗିଦ କରି ଫେରିଗଲା ।

 

ଏଥର ଉଠିବନା ? ବିନୁ ଆଲୁଳାୟିତ ବେଶବାସକୁ ସଜାଡ଼ି ନେଉ ନେଉ ପଚାରିଦେଲା ।

 

ନା, ଏକନେ ଉଠିବିନି’ ।

 

ଡାକିବି ଭାଉଜଙ୍କୁ ?

 

ନା–

 

ତେବେ ?

 

ତୁମେ ଉଠାଇ ଦିଅ ।

 

ମୁଁ ପାରିବି ନାହିଁ ।

 

ତେବେ ମୁଁ ଶୋଇଲି ।

 

ମୋତେ କଣ ଭୋକ କରିବ ?

 

ନ କଲେ ନାହିଁ । ମୋର ମୁଁ ଶୋଇଲି ।

 

ଆଚ୍ଛା ବାବା ! ଉଠ ଏଥର । ବିନୁତାର ଥରିଲା ହାତ ଦି’ଟାକୁ ବଢ଼ାଇ ଦେଲା ।

 

ଜିତେନ୍ଦ୍ର ତା ହାତ ଧରି ଛିଡ଼ା ହୋଇ ବିନିତାର କାନ୍ଧରେ ହାତ ଦେଲା ।

 

ନା–ଥାଉ ।

 

କଣ ହେଲା ?

 

ମନକୁ ପଚାରୁନା–

 

ତୁମେ କୁହ ।

 

ବିଭାହେଲା ପରେ କହିବି ।

 

ତା ଆଉ କୁହନ୍ତ ନାହିଁନା ? ଜିତେନ୍ଦ୍ର ବିନିତାର ଦେହ ଛାଡ଼ି ପଛେଇ ପଛେଇ ଚାଲିଲା ।

 

କେତେ ରାତି ହେଲା ଜାଣିଛୁ ? ସ୍ନେହ ଜିତେନ୍ଦ୍ରକୁ ପଚାରିଲା ।

 

ଏତେବାଟ ଆସିଛନ୍ତି । କ୍ଳାନ୍ତିରୁ ନିଦ ଆସିଗଲା । ବିନିତାର ମା ଜିତେନ୍ଦ୍ରର ପଟ ନେଇ କହିଲେ ।

 

ସେ ସବୁଦିନ ମୁହଁସଞ୍ଜରେ ଶୁଅନ୍ତି ମା ! ସ୍ନେହ ତା’ ଶାଶୁ ଆଗରେ ଅଭିଯୋଗ କଲା ।

 

ଜିତେନ୍ଦ୍ର ଚୁପ୍‌ହୋଇ ଭାତଥାଳୀ ପାଖରେ ବସିଲା ।

 

ପାଖରେ ବସି ବିନିତା ପଙ୍ଖା କରୁଥାଏ ।

 

ବିନିତାର ମା ଦୂରେଇ ବସି ଘରର ଭଲମନ୍ଦ ବଖାଣୁ ଥାନ୍ତି । ଜିତେନ୍ଦ୍ର ପାଖକୁ ତା ବାପ ଖବର ପଚାରୁ ଥାଆନ୍ତି ।

 

ସେ ଦିନ ବୁଧବାର ।

 

ନିତିଦିନିଆ ବୁଧବାରଟିଏ । ମାସକ ଭିତରେ ଚାରିଥର ଆସି ଫେରିଯାଏ । କେତେ ବୁଧବାର ଆଖି ଆଗରେ ଚାଲିଯାଉଛି । କିନ୍ତୁ ବାସୁଦେବପୁରର ସେହି ବୁଧବାରଟି ଜିତେନ୍ଦ୍ରର ସବୁ ଦିନକୁ ମନେଥିବ ।

 

ବୁଧବାର ଦିନର ବଡ଼ି ସକାଳୁ ବିନିତା ଯେଉଁ ତରୁଣୀ ଝିଅଟିକୁ ସାଥିରେ ନେଇ ଆସି ଜିତେନ୍ଦ୍ର ସାଙ୍ଗରେ ପରିଚିତ କରାଇଦେଲା ତା’ ନାଁ ସଲୀଳା । ସଲୀଳାର ତରଙ୍ଗ ତରଙ୍ଗ ଚାହାଣୀ ଜିତେନ୍ଦ୍ରର ମନଗହନରେ ସୀତ୍କାର ବୁଣିଦେଲା । ତନ୍ୱୀ ସଲୀଳା ଅସାମାନ୍ୟ ସୁନ୍ଦରୀ । ତାର କଥା କହିବା ଭଙ୍ଗୀରେ ଆଲସ୍ୟ ଅଜାଡ଼ି ହୋଇଯାଏ । ପ୍ରତିଟି ଶବ୍ଦ ଭିତରୁ ଗୋଟାଏ ଗୋଟାଏ ନୂତନ ଅର୍ଥ ବାହାରେ ।

 

ବିନିତାର ପ୍ରଧାନ ସାଥି ଏହି ସଲୀଳା । ସଲୀଳାକୁ ପରିଚିତ କରାଇ ଦେବା ପରେ ବିନିତା ସନ୍ତୋଷ ଅନୁଭବ କରୁଥିଲା । କାମର ବାହାନା କରି ସେ ଆଖିମାରି ଆଉ ଗୋଟାଏ ଘରକୁ ଚାଲିଗଲା ।

 

ସଲୀଳା ସୁଯୋଗ ଅପେକ୍ଷାରେ ଥିଲା । ସେ ଜିତେନ୍ଦ୍ର ପାଖକୁ ପ୍ରେମିକା ହୋଇ ଆସିନାହିଁ । ତେଣୁ ଏକାକିନୀ ଅବସ୍ଥାରେ ଥିଲା ବେଳେ ବେଶ୍‌ ସଂଯତ ଓ ଶିଷ୍ଟ ହୋଇ ବସିଲା । ଶାଢ଼ୀକୁ ଦେହ ଉପରେ ସମାନ ଭାବରେ ସଳଖାଇ ଦେଇ ସତେ ଯେମିତି ତାରି ମନର ସମସ୍ତ ଦୁର୍ବଳତାକୁ ଘୋଡ଼ାଇ ଦେଲା ।

 

ଦୁହେଁ ନିର୍ବିାକ ହୋଇ ଦୂରେଇ ବସିଥାନ୍ତି । ଉଭୟେ ନୀରବ । ଟିକକ ପୂର୍ବର ପ୍ରଗଳ୍‍ଭତା ନାହିଁ । ମୁହଁରେ ଅଲକ୍ଷ୍ୟରେ ଥାଇ କିଏ ଲଗାମ ବାନ୍ଧି ଦେଇଛି ଯେମିତି ।

 

ବିନିତା ଆଢୁଆଳରୁ ନଜର ରଖିଥାଏ । ଏହି ମୃତ୍ୟୁ ଶୀତଳ ନିର୍ଜ୍ଜିନତା ଅସହ୍ୟ ହେବାରୁ ସେ ଆଉ ଥରେ ଫେରି ଆସିଲା ସେ ଦୁହିଁଙ୍କ ମଝିକି ।

 

ବିନିତାକୁ ଦେଖି ସଲୀଳାର ସାହସ ଫେରି ଆସିଲା । ସେ ଛିଡ଼ା ହୋଇ କହିଲା, ଯାଉଛି ଲୋ ବିନୁ, ଅନେକ ବେଳ ହେଲାଣି ।

 

ବିନତା ହସି ହସି ତାକୁ ବିଦାୟ ଦେଲା । ଅଧ ବାଟରେ ପଚାରିଲା କଣ ହେଲା ?

 

ପାରିଲା ନାହିଁ ବିନୁ ! ସାହାସ କୁଳେଇଲା ନାହିଁ । ସଲୀଳା ଉତ୍ତର ଦେଲା ।

 

କିନ୍ତୁ ହସିଲା ପଛରେ କେତେ ଟାଣ ଦେଖାଉଥିଲୁ । ଏବେ ସାମନାକୁ ଆସି ଜିଭ ଲେଉଟାଇ ପାରିନାହିଁ । ପରୀକ୍ଷକ ହେବାର ଦୁର୍ଦ୍ଦାନ୍ତ ଅଭିଳାଷ ନିମିଷକ ଭିତରେ ବଦଳି ଗଲା ।

 

କିନ୍ତୁ ଫେରି ଆସିବା ପରେ ଜିତେନ୍ଦ୍ର ପଚାରିଲା, ସେ କିଏ କି ବିନୁ,

 

କହିଲି ପରା ସେ ମୋ’ ସାଙ୍ଗ ବୋଲି ।

 

କାହିଁକି ଆସିଥିଲା ?

 

ତୁମେ ସଙ୍ଗେ ଚିହ୍ନାପରିଚୟ ହୋଇ କଥାବାର୍ତ୍ତା କରିବାକୁ ।

 

କାହିଁ, କଥାବାର୍ତ୍ତା ତ କଲା ନାହିଁ ?

 

ତୁମକୁ ଡରିଲା ।

 

ଡରିବାର କାରଣ ?

 

କି ବିଶ୍ୱାସ ଅଛି ପୁରୁଷ ଜାତିକୁ ? କେତେ କଥା କହିବେ, କିନ୍ତୁ କଲା ବେଳକୁ ଫାଙ୍କା । ଟିକିଏ ସୁବିଧା ପାଇଲେ ସବୁ ଉଜାଡ଼ିଦେଇ ଛାରଖାର କରିଯିବେ । ସୁବିଧା ନ ଦେଇ ନୀରବ ରହିବାକୁ ଉଚିତ ମନେ କଲା ସଲୀଳା ।

 

କିନ୍ତୁ ମୋର ମନେ ହେଲା, କିଛି ପଚାରିବାକୁ ବସିଥିଲା ବୋଲି...

 

କେମିତି ଜାଣିଲ ?

 

ନାରୀର ନିଃଶ୍ୱାସରୁ ତାର ଅନ୍ତର କଥା ବାରି ହୁଏ । ତା ଚାହାଣୀରୁ ମନର କଥା ପଢ଼ିହୁଏ । ତାର ସେ ତରଙ୍ଗ ତରଙ୍ଗ ଢଙ୍ଗରୁ ମୋର ଅନୁମାନ ହେଲା ସେ କଣ ପଚାରିବ ବୋଲି । କିନ୍ତୁ ଶେଷ ପର୍ଯ୍ୟନ୍ତ ପାରିଲା ନାହିଁ । ତେଣୁ ଫେରିଗଲା ।

 

ତୁମକୁ ଆଉ ପାରି ହବନି ଜିତୁ ଭାଇ ! ତୁମେ ଦେବୀ ସାଧିଛ । ସେ ଆସିଥିଲା ଏଇୟା ପଚରିବାକୁ ଯେ ତୁମେ.....

 

କୁହ ବିନୁ ?

 

ଆଜି ନୁହେଁ ।

 

କେବେ ।

 

କାଲିକି ।

 

କାଲିକି କାହିଁକି ?

 

କାଲିକି ପୁନେଇ ପଡ଼ୁଛି । ମା ଆରସାହିକୀ ଓଷା କରିବାକୁ ଯିବେ । ବାପା ତ ନଥିବେ-। ଭାଉଜଙ୍କୁ କହି ଛାତ ଉପରକୁ ଚାଲିଯିବା । ଚନ୍ଦ୍ରକିରଣ ପଡ଼ିଥିବା....ଥଣ୍ଡା ପବନ ବୁହୁଥିବ । ଆଉ ମୁଁ ତୁମର ଜବାବ ଦେବି ।

 

ଦୁଷ୍ଟ ! ଜିତେନ୍ଦ୍ର ବିନିତାର କଅଁଳ ଗାଲକୁ ଆଉଁସି ଦେଇ ଏକ ତୀକ୍ଷଣ୍‌ କଟାକ୍ଷ ହାଣିଲା-

 

ମୁଁ ନା ତୁମେ ?

 

ତୁମେ ।

 

ମୁଁ କୁମାରୀ । ମୋର ନିଜତ୍ୱ ନାହିଁ । ତୁମେ ମୋତେ ଯାହା । ଶିଖାଇଲ ଶିଖିଲି । ଯାହା କହିଲା ଶୁଣିଲି ।

 

ନ ଶୁଣିଲେ ବି’ତ ଶାସନ ନାହିଁ ।

 

ତୁମର ଅଭିମାନ ହିଁ ପକ୍ଷରେ ଶାସନ ଜିତୁ ଭାଇ । ବେଳେବେଳେ ରାଗି ଯାଇ କଥା ନ କହିଲେ ମୋର କଣ ହୁଏ ଜାଣ ?

 

କଣ ହୁଏ ?

 

ହୃଦୟ ଭିତରଟା ପୋଡ଼ି ଯାଏ, ଜଳି ଯାଏ । ଭାବେ ଯେଉଁ ସ୍ୱପ୍ନ ହାତ ବଢ଼ାଇ ଭିଡ଼ି ଆଣୁଛି, ସେ ଯଦି ଅଭିମାନ କରି କରଛଡ଼ା ଦିଏ, ହେଲେ ଜୀବନ ବ୍ୟର୍ଥ ହେବ । ନାରୀ ଜନମରେ ଆଉ ତ କିଛି କରି ହୁଏ ନାହିଁ । ଯଦି ଗୋଟାଏ ଜୀବନକୁ ହସାଇ ନ ପାରିଲି, ଗୋଟାଏ ମୁହଁରେ ତୃପ୍ତିର ମଧୁ ଦେଇ ନ ପାରିଲି ଜୀବନଟା ଖାଲି ବୃଥା ।

 

ଆଚ୍ଛା, ମୁଁ ଚାଲିଯିବା ପରେ ?

 

ସେଇଆ ଭାବୁଛିଁ ଜିତୁ ଭାଇ ? ଭାବୁଛି ତୁମେ ଚାଲ ଯିବ ପରେ କଣ ହେବ । ଦେହ ମୋର ଏଇଠି ରହିଲେ ବି ମନ ଯାଇ ତୁମର ଦେହ ଭିତରେ ମିଶିଥିବ । ସେଇଠି ସେ ଯାଇ ତୁମେ ଦେହ ଭିତରର ପ୍ରତ୍ୟେକ ଅନ୍ଧି ସନ୍ଧିକୁ ଦରାଣ୍ଡି ଖୋଜୁଥିବ ତୁମର ଦରଦୀ ମନଟା ପାଇବାକୁ । ସେ ତୁମର ସାଙ୍ଗରେ ନେଇ ଆସିଲା ଯାଇ ଫେରିବ । ଆଉ ମୁଁ ? ଏଇଠି ଏହି ଓଦା ଜହ୍ନକୁ ଚାହିଁ ତୁମରି ମୁହଁକୁ ମନେ ପକାଉ ଥିବି ।

 

ଜିତେନ୍ଦ୍ର ବିଭୋଳ ହୋଇ ଚାହିଁଥିଲା ରୂପବତୀ ବିନିତାର ସୁସ୍ଥ ସୁନ୍ଦର ମୁହଁଟିକୁ । ତା’ ମୁହଁରେ ପ୍ରସନ୍ନତାର ନିଛକ ଛଟା ଆପଣା ଛାଏଁ ଉଠୁଥିଲା ।

 

ଗୋଟିଏ ତରୁଣୀ କନ୍ୟାର ଜୀବନର ବା ଆଉ କି ଆଶା ଅଛି ? ତାର ଜନ୍ମ ନିଜକୁ ଜାଳିଦେଇ ଆଉ ଜଣକ ମୁହଁରେ ତୃପ୍ତି ଫୁଟାଇବାକୁ, ନିଜର ନିଃଶେଷ କରି ଆଉ ଗୋଟାଏ ପରିବାରରେ ନିଜର ଝରା ଜୀବନର ଇତିହାସ ଲେଖିବାକୁ । ଗ୍ରହଣ କରିବା ଅପେକ୍ଷା ଦାନକରିବାକୁ ସେ ଭଲପାଏ । ନିଜେ ପରାଜୟ ସ୍ୱୀକାର କରି ଆଉ ଜଣକ ମୁହଁରେ ବିଜୟୀର ହସ ଦେଖିବାକୁ ଲଳାୟିତା ହୁଏ ସେ ଏକ ସର୍ବତ୍ୟାଗୀ ଜୀବନର ପାଣ୍ଡୁଲିପି ।

 

ବିନିତା ତାର କୁମାରୀ ଜୀବନରେ ଅସଜଡ଼ା ସ୍ୱପ୍ନ ଦେଖୁଥିଲା । ନିଜ କଳ୍ପନାରୁ ରଂଗ ଆଣି, ଆଉ ଗୋଟିଏ ଜୀବନକୁ ଚିତ୍ର କରୁଥିଲା । ସେ ନିଜର ଅସରନ୍ତି ଭାବନାକୁ ଭାଷା ଛାଣି ଭବିଷ୍ୟତର ମିଳନାତ୍ମକ କବିତା ଲେଖୁଥିଲା । ସେ କବିତାକୁ ଗୁଣୁ ଗୁଣୁ କରି ପଢ଼ି ତୃପ୍ତି ନ ହୋଇ ଆଉ ଗୋଟାଏ ଆଗ୍ରହୀ ପାଠକକୁ ଶୁଣାଉ ଥିଲା ।

 

ଜିତେନ୍ଦ୍ର ପରମ ଆଗ୍ରହରେ ଅନାଇ ରହିଥିଲା । ସେ ଲକ୍ଷ୍ୟ କରୁଥିଲା ଗୋଟାଏ କୁମାରୀ ଜୀବନ ଦୁରାଶ ବଣରେ ଆଶା–ଲତାଟିଏ କେମିତି ଜନ୍ମ ନିଏ । ସେ ଆଶା–ଲତା ଆଶ୍ୱାସନାର ପାଣି ପବନ ପାଇଲେ କେମିତି ପଲ୍ଲବିତ ହୋଇ ଶାଖା ପ୍ରଶାଖା ମେଲାଇ ଦିଏ ! ସେ ଚାହେ ସୂର୍ଯ୍ୟ ତାକୁ ଟିକିଏ ଆଲୋକ ଦେଉ । ଚନ୍ଦ୍ର ଟିକିଏ ଶୀତଳ ସ୍ପର୍ଶ ଦେଇ ଭଲମନ୍ଦ ପଚାରୁ । ତାହାହିଁ ତାର କୁମାରୀ ଜୀବନ ଲତିକାର ସର୍ବ ପ୍ରଧାନ ପ୍ରାପ୍ତି ।

 

ବିନିତା ପ୍ରତ୍ୟେକ କଥାର ଉତ୍ତର ଦେଲା ପରେ ଭାବିଲା, ସେ ଅନେକ କଥା କହି ଯାଇଛି । ଆବଶ୍ୟକ ଅନାବଶ୍ୟକ କିଛି ହେଲେ ଚିନ୍ତା କରିନାହିଁ । ଏତର ସେ ନୀରବ ରହିଲା ।

 

ଜିତେନ୍ଦ୍ରକୁ ବିନିତାର ଭାବନାବୋଳା ମୁହଁ ଖଣ୍ଡକ ବି ଚମତ୍କାର ଦେଖା ଯାଉଥିଲା । ତଥାପି ସେ ବିନିତା ମୁହଁରୁ ଆହୁରି କିଛି ଶୁଣିବାକୁ ଇଚ୍ଛା କରୁଥିଲା । କହିଲା, ଆମର ଯଦି ବିବାହ ନ ହୁଏ ?

 

ବିନିତା ଚମକି ପଡ଼ିଲା ପରି ଛାତିରେ ଛେପ ମାରି ପଚାରିଲା, କଣ କହିଲ ? ଆମର ବିବାହ ହେବନି ? ଦେବତା ଏତେ ନିଷ୍ଠୁର ନୁହନ୍ତି ଜିତୁ ଭାଇ ! ମୋର ବିଶ୍ୱାସ ସେ ଆମର କଥା ଶୁଣିବେ । ଆମକୁ ଏକାଠି କରିବେ । ଆମର ଜନ୍ମ ପରସ୍ପରଠାରୁ ଦୂରେଇ ରହିବା ପାଇଁ ନୁହେଁ ଜିତୁ ଭାଇ ! ଏକାଠି ରହିବା ପାଇଁ, ମୋର ମନେ ହୁଏ । ଆମେ ପୁର୍ବଜନ୍ମରେ ତାହାହିଁ ଥିଲେ । ଆଉ ସେଇଥି ପାଇଁ ଖାଲି ତୁମେ ଆମର ପରିଚୟ ହୋଇଛି ଏ ଜନ୍ମରେ । ଏ ଜନ୍ମର ଇତିହାସକୁ ଦୁହେଁ ମିଶି ଲେଖିବା ଜିତୁ ଭାଇ ! ତୁମେ ଡ଼ାକିବ, ମୁଁ ଶ୍ରୁତ ଲିଖନ ଲେଖିବା ପରି ଲେଖିଯିବି ।

 

ଯଦି ଆଉ ଗୋଟାଏ ଅଜ୍ଞାତ ଲେଖକ ଜୀବନକୁ ଆଗରୁ ଲିପିବନ୍ଧ କରିନେବ ?

 

ତାର ଲେଖ, ଲେଖା ହେବ ନାହିଁ ଯେ, ହେବ ଗୋଟିଏ ନିରାଟ ଫାଙ୍କି । ଗୋଟିଏ ନିର୍ବୋଧ ଭୁଲ । ଆମେ ଆଉ ଥରେ ଆମରି କଥାକୁ ଲେଖିବା । ସେ କଳ୍ପନାରେ ଲେଖିଥିବ, ଆମେ ଆମର ଅନୁଭୂତିରୁ ଲେଖିବା । ତା’ ବହି ହେବ ଅନ୍ତଃସାରଶୂନ୍ୟଏକ ପାଷାଣ ଲିପି । ଆଉ ଆମର ହେବ ପ୍ରାଣବନ୍ତ, ସବୁଜ କବିତା ।

 

ଜିତେନ୍ଦ୍ର ଓ ବିନିତାର କଥାବାର୍ତ୍ତା ହେବାକୁ ଆଉ କିଛି ନଥିଲା । ସେମାନେ ଅତି ପାଖରେ ଲଗା ଲଗି ହୋଇ ବସି ପରସ୍ପରର ହର୍ଷୋତ୍‌ଫୁଲ୍ଲ ମୁହଁକୁ ଅନାଇଥିଲେ । ଆଖି ଡ଼ୋଳାରେ ସେମାନେ କୋଟିଏ ଯୁଗର ଅବ୍ୟକ୍ତ, ଅନନ୍ତ ଅଭିଳାଷକୁ ହିଁ ବ୍ୟକ୍ତି କରୁଥିଲେ । ଚାହାଣୀ ମାଧ୍ୟମରେ ସେମାନେ ମିଶି ଯାଇଥିଲେ । ଦୁଇଟା ଛାତିର ସ୍ପନ୍ଦନ ବଢି ବଢି ଚାଲିଥିଲା । ଦୁଇଟା ଛାତିର ସ୍ପନ୍ଦନ ବଢ଼ି ବଢ଼ି ଚାଲିଥିଲା । ଦୁଇଟା ତୃଷିତ ଓଷ୍ଠ ଥରି ଥରି ଉଠୁଥିଲା । ସେମାନେ ଜାଗରଣର ଅଦ୍ଭୁତ ସ୍ୱପ୍ନ ଦେଖୁଥିଲେ । ସୁଖ ଆଉ ସମ୍ଭୋଗର ସ୍ୱପ୍ନ ! ସୌଭାଗ୍ୟ ଲୀଳାୟିତ ଛନ୍ଦରେ କୁରୁକି ଉଠୁଥିଲା । କାନରେ ବାଜୁଥିଲା ଅପୂର୍ବ ମିଳନର ମୁରଲୀ ସ୍ୱନ । ଦୁଇଟା ସ୍ପର୍ଶକାତର କୁମାର, କୁମାରୀ ଅସଂଖ୍ୟ ଉତ୍ତେଜନାକୁ ଛାତି ଭିତରେ ଲୁଚାଇ ଅନାଗତ ଭବିଷ୍ୟତର ଶୁଭ ଆବାହନୀ ଗାଉଥିଲେ ।

 

ସେ ସ୍ୱପ୍ନ, ସେ କଳ୍ପନାର ଜୀବନ୍ତ ସମାଧି ହେଲା ମାଆଙ୍କର ଡାକରେ ।

 

ଜିତେନ୍ଦ୍ର ଅପରାଧୀଟିଏ ଭଳି ଆଗରେ ଆଗରେ ଓହ୍ଳାଇ ବୁଲି ବାହାରିଗଲା । ସେ ଯିବ ପରେ ଡରି ଡରି ଓହ୍ଳାଇ ଆସୁଛି ବିନିତା ।

 

ବିନୁ ! ଏ ବିନୁ !

 

କଣ ମା ?

 

ଏଣେ ଆ କହୁଛିଁ ।

 

ବିନୁ ମାଅର ଏହି ଅସ୍ୱାଭାବିକ ସ୍ୱର ପ୍ରତି ଲକ୍ଷ୍ୟକଲା । ମାଆ ଅସମ୍ଭବ ଭାବେ ରାଗି ଯାଇଛନ୍ତି । ମୁହଁ ରଙ୍ଗା ପଡ଼ି ଯାଉଛି ।

 

ମା’ଙ୍କର ଇଏ ପ୍ରଥମ ରାଗ ନହେଁ । ସେ ବେଳେବେଳେ ତୁଚ୍ଛା କଥାରେ ଚିଡ଼ି ଯାଆନ୍ତି । ଥରଟିଏ ଚିଡ଼ିଗଲେ ଆଉ ରକ୍ଷା ନାହିଁ । ମାନ ସମ୍ମାନ ପ୍ରତି ନଜର ନଥାଏ । ମାଆଙ୍କର ଏହି ଉଗ୍ର ବେଶ ଦେଖିଲେ ଭୟ ଲାଗେ । କାହିଁକି ସେ ଏତେ ରାଗି ଯାଆନ୍ତି ବୁଝି ହୁଏନା ।

 

ବିନୁ ଚମକି ଚମକି, ଚାରି ଦିଗକୁ ନଜର ରଖି ପାଦ ପକାଉ ଥାଏ । ତାରି ମୁହଁର ହସିଲା ରଂଗ ଟିକକ ଫିକା ପଡ଼ି ଯାଇଥାଏ ।

 

ଅନାଗତ ଆଶଙ୍କାର ଝଡ଼ ତାରି ସୁନ୍ଦର ଆଖି ଦିଟାକୁ ଅସୁନ୍ଦର କରି ଦେଇଥାଏ ।

 

ମାଆଙ୍କର ସାମନା ସାମନି କାନ୍ଥକୁ ଢେରା ଦେଇ ଛିଡ଼ା ହୋଇଥାଏ ସ୍ନେହ । ପାଷାଣୀ କନ୍ୟା ପରି ନୀରବ, ନିଶ୍ଚଳ । ଦେହରୁ ପ୍ରାଣଟିକକ କିଏ ଯେମିତି ଛଡ଼ାଇ ନେଇ ଯାଇଛି ।

 

ବିନୁର ଗୋଡ଼ ହାତ ଥରି ଥରି ଉଠୁଛି । ସେ ପୋଷା ବିଲେଇ ଛୁଆ ପରି କନ କନ ହୋଇ ଛିଡ଼ା ହେଲା ।

 

ତୋର ଏ ବେହେଡ଼ା ଢଙ୍ଗ ମୋର ମୋଟେ ପସନ୍ଦ ଆସୁନି’ ବିନୁ ।

 

କଣ କଲି ମା ? ବିନୁ ଦୋଷୀଟିଏ ପରି ପଚାରିଦେଲା ।

 

ମନକୁ ପଚାରୁନୁ ?

 

ଏ ସବୁ କଣ କହୁଛ ?

 

ମୁଁ ସବୁ ଜାଣେ ଲୋ, ସବୁ ଜାଣେ । ବୁଝିବି ଅବୁଝା ରହିବାର ଛଳନା କରୁଥିଲି । ଭାବିଥିଲି, ତୁ ଆପେ ଆପେ ତୋର ନିଜ ଭୁଲ ବୁଝିପାରି ଅପବାଦ ପଙ୍କରୁ ଓହ୍ଳାଇ ଆସିବୁ । କିନ୍ତୁ ନା, ସେ ଭାବନାରେ ମୋର ଭୁଲଥିଲା ।

 

କଣ ହେଲା ମା ?

 

କଣ ହେଇନି କହ ? କାହାର ମୁହଁ ପାଇ ତୁ ଏମିତି ହେଉଛି ଶୁଣେ ? ବାପ ବଢ଼ାଇ ଦେଉଛି ନାଁ ? ମୁଁ ଦେଖି ନେବି । କିନ୍ତୁ ମନେ ରଖ, ତୁ ମୋରି ଝିଅ । ପ୍ରଥମେ ମୋରି କଥା ହିଁ ତୋତେ ଶୁଣିବାକୁ ପଡ଼ିବ । ଶୁଣିବୁ ତ ?

ବିନୁ କିଛି ହେଲେ ବୁଝିପାରୁ ନଥାଏ । ସେ ନୀରବ ରହିଲା ।

 

 

କଣ ଶୁଣିବୁନି ? ବେଶ୍‌ ଦେଖି ନେଉଛି ।

 

କିନ୍ତୁ ମୋର ଦୋଷ...........

 

ହିଁ ହିଁ, ତୋର ଦୋଷ । ମୋ ଭାଗ୍ୟର ଦୋଷ । କାହାକୁ କଣ କହିବି ? ଗାଁ ସାରା ସେଇ କଥା ହିଁ ଚର୍ଚ୍ଚା ଚାଲିଛି । ଦିନ କେଇଟା ପରେ କାନ ଦି’କାନ ହୋଇ ସାରା ଅଂଚଳକୁ ବ୍ୟାପି ଯିବ । ତା’ ପରେ ମୋ’ ଅବସ୍ଥା କଣ ହେବ ଜାଣୁ ? କାନ୍ଦି କାନ୍ଦି ଦିନ ଅଣ୍ଟିବ ନାହିଁ ।

 

ତୁ କାନ୍ଦିବୁ ? କାହିଁକି ?

 

କାନ୍ଦିବି ନାହିଁ ଆଉ କଣ ହସିବି ? ଝିଅର ସୋହାଗ ଦେଖ ! ପଚାରୁଛି କାହିଁକି କାନ୍ଦିବି ? ଜନମ ସାରା କୁଆଁରୀ ରହିଲେ କୋଉ ମା ହସେ ଯେ, ମୁଁ ହସିବି କହିଲୁ ।

 

ଓଃ ଏଇ କଥା ? ବୀନୁ କଥାଟିକୁ ହାଲୁକା କରିନେବାକୁ ଚେଷ୍ଟା କରୁଥିଲା ।

 

ଖାଲି ସେତିକି ନୁହେ ବିନୁ, ଆହୁରି କଥା ଅଛି । ତୋର ଏ ଭାବଭଙ୍ଗୀ ଦେଖିଲେ ଦୁଆର କେହି ମାଡ଼ିବେ ନାହିଁ । ଶତ୍ରୁ ନାକରେ ଲୁଗା ଦେଇ ହସିବେ ଏ ଘରର ମାନମର୍ଯ୍ୟାଦା ସବୁ ସୁଅ ମୁହଁରେ ଭାସିଯିବ । ସେଇଥିପାଇଁ କହୁଛି, ଜଗି ରଖି ଚଳ । ବଢ଼ିଲା ଝିଅର ମହତ ବଂଚାଇ ଚାଲ ବୁଲ କର । ମନେ ରଖିଥା, କୁଆଁରୀ ଝିଅ, ନିଜେ ଭଲ ଥିଲେ, ଦୁନିଆ ଭଲ । ଟିକିଏ ଖସିଗଲେ ଜୀବନ ଗଲା । ଏଇ ଜିତେନ୍ଦ୍ର ସଙ୍ଗେ ଏଭଳି ଭାବରେ ମିଳାମିଶା କରିବାଟାକୁ ମୁଁ ମୋଟେ ପସନ୍ଦ କରୁନି ।

 

ତୁ ସେମିତି କାହିଁକି କହୁନି ମା ? ବିନିତାର ଆଖିରୁ ଅଗ୍ନି ବର୍ଷା ହେଉଥିଲା । ସେ କଥା କହି ପାରିଲା ନାହିଁ ।

 

ଖାଲି ମୁଁ କଣ କହୁଛି ବିନୁ ? ଗାଁ ସାରା ହୁରି ପଡ଼ିଛି । ଜିତେନ୍ଦ୍ର ବିଷୟରେ ଏ ଗାଁ ସଭିଏ ଜାଣନ୍ତି । ସେ ଦୁଶ୍ଚରିତ୍ର, ସେ.......

 

ଏ ବୃଥା ଅପବାଦ କାହିଁକି ଦେଉଛି ମାଆ ? ସ୍ନେହ କ୍ଷୀଣ ପ୍ରତିବାଦ କଲା ।

 

ଝିଅପିଲା ହୋଇ ପୁରୁଷ ପୁଅର ମନ ତୁ କେଉଁଠି ବୁଝିବୁ ଲୋ ସ୍ନେହ ! ଘର ପାଖରୁ ଦୂରରେ ରହିଲେ ସେ ସବୁବେଳେ ଗୋଡ଼ ଖସାଏ ।

 

ତଥାପି ସେ ମୋର ଭାଇ ଏକା ରକ୍ତ ବାଣ୍ଟି ଦି’ଭାଗ ହୋଇଛି ।

 

ସେହି ରକ୍ତ ପୁଣି ଦି’ଭାଗ କରି ଦେଇଛି ସ୍ନେହ ! ତହିଁରୁ ଗୋଟିଏ ଭାଗ ସୃଷ୍ଟି କରିଛି ଗୋଟିଏ ଚରିତ୍ରହୀନ ସନ୍ତାନ ।

 

ସ୍ନେହ ଆଗରେ ଭାଇର ଅପମାନ ଅସହ୍ୟ ହେଲା । ସେ କଇଁ କଇଁ ହୋଇ କାନ୍ଦି ଉଠୁଥିଲା ।

 

କଣ ହେଇଛି ବିନୁ ? ଘର ଭିତରେ ଅଶାନ୍ତି କଥା କହୁଛି ଯେ ! ବିନୁର ବାପା ଆସି ପ୍ରଶ୍ନ କଲେ ।

 

ଆରମ୍ଭ ମାତ୍ର । ପ୍ରଳୟ ହେବ ପ୍ରଳୟ !

 

ବ୍ୟାପରଟା କଣ ବିନି ବଉ ?

 

ଅବ୍ୟାପାର ।

 

ଜିତେନ୍ଦ୍ର କଣ ଚାଲିଗଲା ?

 

ଚାଲି ଯାଇଛି କେଉଁଠି ? ଚାଲିଯାଇଥିଲେ ତ କଥା ତୁଟିଯାଇ ଥାନ୍ତା । କଳି ଭିଆଇବାକୁ ସେ ବସିଛି ।

 

କଣ ଜିତେନ୍ଦ୍ର କିଛି କହିଲା ?

 

ସେ କହିବ କଣ ? ଲୋକେ କହୁଛନ୍ତି । ତା କଥା କାହାରିକୁ ଅଜଣା ନାହିଁ ।

 

କଣ କହୁଛନ୍ତି ?

 

ଜିତେନ୍ଦ୍ର ଚରିତ୍ରହୀନ ? ତା’ ପଛରେ ଅନେକ କଥା ଅଛି ।

 

ଆଉ ତୁମେ ସେ ପରକଥାକୁ ବିଶ୍ୱାସ କରୁଚି ବିନି ବଉ ?

 

ଅବିଶ୍ୱାସ କରିବାର କିଛି କାରଣ ଅଛି ? ଜଣେ ନୁହଁ କି ଦି’ଜଣ ନୁହଁ । ସମୁଦାୟ ଗାଆଁ ଟା.....

 

ତୁମେ ନିଜ ଆଖିରେ କିଛି ଦେଖିଛ ?

 

ମୋର କି ଗରଜ ପଡ଼ିଛି କହିଲ ? ଯାହା ଶୁଣିଲି ସେଇ ଯଥେଷ୍ଟ ।

 

ସେ ଶୁଣିବା କଥା କହି ବୃଥାରେ ଜଣକୁ ଦୋଷୀ କରନା କହୁଛି । ଜିତେନ୍ଦ୍ର ପାଠ ପଢ଼ି ଶିକ୍ଷିତ ହୋଇଛି । ନା,ନା, ବିନି ବଉ, ତୁମେ ଜାଣି ଶୁଣି ବିନିତାର ସୌଭାଗ୍ୟକୁ ପାଦରେ ଦଳି ଦିଅନା । ପରିଣାମ ବଡ଼ ସାଂଘାତିକ ହେବ ।

 

ମୁଁ ସେ ସବୁ କିଛି ହେଲେ ଶୁଣିବାକୁ ଚାହେଁନା । ଏ ଘରେ ରହୁ ଜିତେନ୍ଦ୍ର । ନ ହେଲେ ମୁଁ । ଝିଅ ମୋର ।

 

ବିନିତାର ବାପା ମୁଣ୍ଡରେ ହାତ ଦେଇ ବସିଲେ । ଏଇନେ ନିଆଁ ଜଳୁଛି–ସେ ଲିଭିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର । ପଦେ କଥା କହି ବସିଲେ ଜଳନ୍ତା ନିଆଁରେ ଧୂପ ଦେଲା ପରି ଧୂ ଧୂ ହେବ ।

 

ବିନିତା କରୁଣ ଆଖିରେ ମା ମୁହଁକୁ ଚାହିଁଲା । ଛାତି ଭିତର କଲିଜାକୁ ହାତୁଡ଼ିରେ କିଏ ଯେମିତି ପିଟି ଯାଇଛି । ସେ ପ୍ରତିବାଦ କରିବାକୁ ଚାହୁଁଥିଲା । କିନ୍ତୁ ବାପ ମାଙ୍କ ଆଗରେ. ଜୋର କରି କିଛି କହି ପାରିଲା ନାହିଁ । ତାର ସକଳ ଡ଼ୋଳା ଯେମିତି କହୁଥିଲା, ଏତେ କଥା ଯଦି ମନ ଭିତରେ ଥିଲା, ତେବେ ତୁମେ ମୋତେ ଅବାଧ ମିଳାମିଶାର ସୁଯୋଗ ଦେଉଥିଲ କାହିଁକି ? ମୁଁ ମୋର ମନ ଓ ପ୍ରାଣ ତାଙ୍କରି ପାଖରେ ବନ୍ଧା ଦେଇ ସାରିଛିଁ । ମୁକୁଳିବାର ରାସ୍ତା ନାହିଁ ।

 

ବିନିତାର ମା ସବୁ ଦେଖି, ସବୁ ଶୁଣି ନ ଜାଣିଲେ ପରି ଦୁମ୍‌ଦୁମ୍‌ହୋଇ ଚାଲିଗଲେ । ସେ ଜଣାଇ ଦେବାକୁ ଚାହିୁଁ ଥିଲେ ଯେ, ସେ ଯାହା କରିଛନ୍ତି ନିର୍ଭୁଲ । ଶେଷ ପର୍ଯ୍ୟନ୍ତ ତାଙ୍କର କଥାରେ ଅଟଳ ରହିବେ ।

 

ସେ ବେଳେବେଳେ ଅନୁରୋଧ କରନ୍ତି । ସମୟ ଦେଖି କୌଣସି କଥା ହାସଲ କରିବାକୁ ଅଭିଯୋଗ ବା ଅଭିମାନ କରନ୍ତି । କିନ୍ତୁ ଆଜି ହଠାତ୍‌ଆହ୍ୱାନ ଦେଇଛନ୍ତି ।

 

ଏହାର ପରିଣତି ବିଷୟରେ କେହିହେଲେ କିଛି ବିଚାର କରିପାରୁ ନ ଥିଲେ ।

 

ସକାଳର କଉତୁକିଆ ବୁଧବାର ପେଟରେ କପଟ ନେଇ ଆସିଥିଲା–ଶେଷକୁ ବାସୁଦେବପୁରର ସେହି ସ୍ନେହ ଛଳଛଳ ପରିବାରଟି ଭିତରେ ନିଆଁ ଲଗାଇ ଚାଲିଗଲା ।

 

ନିଆଁ କୁହୁଳି କୁହୁଳି ଜଳୁଥିଲା ।

 

ନିଆଁ ଧାସରେ ବିନିତା ଆଉ ତାର ବାପ ଡହଳ ବିକଳ ହେଉଛନ୍ତି । ଆଖି ଆଗରେ ସୁନ୍ଦର ସଂସାର ହୁତାଶନ ହୋଇ ଜଳୁଛି । ଅଥଚ ଲିଭାଇ ଦେବାକୁ ସାହାସ ଆସୁନାହିଁ ।

 

ବିନିତାର ବାପା ଭାବୁଥିଲେ, ନିଆଁ ଆପଣ ଛାଏଁ ଲିଭିଗଲା ପରେ ଯାହା ଛାଡ଼ିଦେଇ ଯାଇଥିବ, ତାକୁଇ ନେଇ ନୁଆ ଦୁନିଆ ଗଢ଼ିବେ । ଏଈଲେ ସେମିତି ଜଳୁ । ଲିଭାଇବାକୁ ଚେଷ୍ଟା କରିବ ଅର୍ଥ ଦହଗଞ୍ଜ ହେବା ।

 

ବିନିତା ପ୍ରଣୟବିଧୁରା କପୋତୀଟିଏ ଛୋଟ ଛୋଟ ଆଖିରେ ମିଟି ମିଟି କରି ଚାହିୁଁ ଥିଲା । ବାପ, ମାଆ କାହାକୁ ହେବ ବୁଝିପାରୁ ନଥିଲା । ଆଶା ଓ ଭରସାର ଦୁଇଟା ସୁସ୍ଥ, ସବଳ ପରି ନିଆଁ ଧାସରେ ଝୁରି ଝୁରି ହେଉଥିଲା ।

 

ଆଉ ସ୍ନେହ ? ଭାଇ ଏଘରୁ ଗୋଡ଼ କାଢ଼ି ଚାଲିଯିବା ପରେ ଭାବୁଥିଲା, ସେ ଆଉ ଫେରିବେ ନାହିଁ । ସହାନୁଭୂତିରେ ସେ ଫାଟି ପଡ଼ୁଥାଏ । ଆଖିରେ ନିଃସହାୟ ହରିଣୀର ବ୍ୟସ୍ତ ବିକଳ ଆଶ୍ରୁ ।

 

ଛଅଟି ଆଖିର ଅଶ୍ରୁ, ଧୁମ୍ର କୁଣ୍ଡଳୀ ହୋଇ ଆକାଶ ଉପରକୁ ଉଡୁଛି । ସେହି ଧୁମ୍ର କୁଣ୍ଡଳୀକୁ ବିଜୟୀ ଆଖିରେ ଚାହୁଛନ୍ତି ବିନିତାର ମାଆ ! ଘରର କୀର୍ତ୍ତୀ । ବିନିତାର ଲୁହବୋଳା ମୁହଁକୁ ଚାହିଁ ଆଶ୍ୱାସନାର ବାଣୀ ଶୁଣାଇବା ପରିବର୍ତ୍ତେ ଆକଟ କରି କହିଥିଲେ, ଗୋଟିଏ ଦୁଷ୍ଟ, ଚରିତ୍ରହୀନ, ଅବାଧ୍ୟ ଯୁବକକୁ ମୋର ଜାମାତା ହେବାର ସୁଯୋଗ ଦେବି ନାହିଁ ବିନିତା ! ମୁଁ ସେହି କଳଙ୍କର ବୋଝକୁ ମୁଣ୍ଡ ଉପରକୁ ଆଣି ଲଦି ପାରିବି ନାହିଁ । ତୋର ଏ ଅରଣ୍ୟ ରୋଦନର ମାନେ ହୁଏନା !

 

ବିନିତା ପଚାରୁଥାନ୍ତା, ଜନମ କରି ସାରିବା ପରେ ମୋତେ ହତ୍ୟା କଲୁନି କାହିଁକି ମାଆ-?-ଏ ସୃଷ୍ଟିର ଆଲୋକ ଦେଖିବା ପୂର୍ବରୁ ବିଦାୟ ନେଇଥାନ୍ତି । କାହାକୁ ପରିଚୟ ଦେଇ ଆତ୍ମ ସମର୍ପଣ କରିବା ପୂର୍ବରୁ ଆଖିବୁଜି ଦେଇ ଥାଆନ୍ତି । ଏ ଜୀବନ ନ ଥାନ୍ତା କି ଜୀବନର ଜଞ୍ଜାଳ ଆଉ ନ ଥାନ୍ତା । ମୁଁ ଭଲ ପାଇଥାନ୍ତି ମଣିଷକୁ ନୁହେ, ଶୂନ୍ୟକୁ । କାରଣ ମହାଶୂନ୍ୟରେ ହିଁ ମୋର ଅସ୍ତିତ୍ୱ ମିଶିଯାଇଥାନ୍ତି ।

 

ବିନିତା ଅଶ୍ରୁଳ ଚାହାଣିରେ ମୌନ ହୋଇ ବସିଥିବା ବାପାଙ୍କ ମୁହଁକୁ ଚାହିଁଲା । ସେ ତାଙ୍କଠାରୁ ଆଶ୍ୱାସନା ଚାହୁଁଥିଲା । ଜିତୁ ଭାଇଙ୍କୁ ପୁଅ ପରି ଭଲ ପାଅନ୍ତି । କଥାବାର୍ତ୍ତାରେ ଆଦର ମିଶିଥାଏ । ସମ୍ବୋଧନରେ ସୁମଧୁର ଆତ୍ମାର ପରିଚୟ ମିଳେ ।

 

ବିନିତାର ମା ସବୁ ଦେଖି, ସବୁ ଶୁଣି ନ ଜାଣିଲା ପରି ଦୁମ୍‌ଦୁମ୍‌ହୋଇ ଚାଲିଗଲେ । ସେ ଜଣାଇ ଦେବାକୁ ଚାହୁଁଥିଲେ ଯେ ସେ ଯାହା କରିଛନ୍ତି ନିର୍ଭୁଲ । ଶେଷ ପର୍ଯ୍ୟନ୍ତ ତାଙ୍କର କଥାରେ ଅଟଳ ରହିବେ ।

 

ସେ ବେଳେବେଳେ ଅନୁରୋଧ କରନ୍ତି । ସମୟ ଦେଖି କୌଣସି କଥା ହାସଲ କରିବାକୁ ଅଭିଯୋଗ ବା ଅଭିମାନ କରନ୍ତି । କିନ୍ତୁ ଆଜି ହଠାତ୍‌ ଆହ୍ୱାନ ଦେଇଛନ୍ତି ।

 

ଏହାର ପରିଣତି ବିଷୟରେ କେହିହେଲେ କିଛି ବିଚାର କରି ପାରୁ ନ ଥିଲେ ।

 

ସକାଳର କଉତୁକିଆ ବୁଧବାର ପେଟରେ କପଟ ନେଇ ଆସିଥିଲା–ଶେଷକୁ ବାସୁଦେବପୁରର ସେହି ସ୍ନେହ ଛଳଛଳ ପରିବାରଟି ଭିତରେ ନିଆଁ ଲଗାଇ ଚାଲିଗଲା ।

 

ନିଆଁ କୁହୁଳି କୁହୁଳି ଜଳୁଥିଲା ।

 

ନିଆଁ ଧାସରେ ବିନିତା ଆଉ ତାର ବାପ ଡହଳ ବିକଳ ହେଉଛନ୍ତି । ଆଖି ଆଗରେ ସୁନ୍ଦର ସଂସାର ହୁତାଶନ ହୋଇ ଜଳୁଛି । ଅଥଚ ଲିଭାଇ ଦେବାକୁ ସାହସ ଆସୁନାହିଁ ।

 

ବିନିତାର ବାପା ଭାବୁଥିଲେ, ନିଆଁ ଆପଣା ଛାଏଁ ଲିଭିଗଲା ପରେ ଯାହା ଛାଡ଼ିଦେଇ ଯାଇଥିବ, ତାକୁଇ ନେଇ ନୂଆ ଦୁନିଆ ଗଢ଼ିବେ । ଏଇଲେ ସେମିତି ଜଳୁ । ଲିଭାଇବାକୁ ଚେଷ୍ଟା କରିବା ଅର୍ଥ ଦହଗଞ୍ଜ ହେବା ।

 

ବିନିତା ପ୍ରଣୟବିଧୁରା କପୋତୀଟିଏ ପରି ଛୋଟ ଛୋଟ ଆଖିରେ ମିଟି ମିଟି କରି ଚାହୁଁ ଥିଲା । ବାପ, ମାଆ କାହାକୁ ହେଲେ ବୁଝିପାରୁ ନଥିଲା । ଆଶା ଓ ଭରସାର ଦୁଇଟି ସୁସ୍ଥ, ସବଳ ପର ନିଆଁ ଧାସରେ ଝୁରୁ ଝୁରୁ ହେଉଥିଲା ।

 

ଆଉ ସ୍ନେହ ? ଭାଇ ଏଘରୁ ଗୋଡ଼ କାଢ଼ି ଚାଲିଯିବା ପରେ ଭାବୁଥିଲା, ସେ ଆଉ ଫେରିବେ ନାହିଁ । ସହାନୁଭୂତିରେ ସେ ଫାଟି ପଡ଼ୁଥାଏ । ଆଖିରେ ନିଃସହାୟ ହରିଣୀର ବ୍ୟସ୍ତ ବିକଳ ଅଶ୍ରୁ !

 

ଛଅଟି ଆଖିର ଅଶ୍ରୁ, ଧୂମ୍ର କୁଣ୍ଡଳୀ ହୋଇ ଆକାଶ ଉପରକୁ ଉଠୁଛି । ସେହି ଧୂମ୍ର କୁଣ୍ଡଳୀକୁ ବିଜୟୀ ଆଖିରେ ଚାହୁଛନ୍ତି ବିନିତାର ମାଆ ! ଘରର କର୍ତ୍ତ୍ରୀ । ବିନିତାର ଲୁହବୋଳା ମୁହଁକୁ ଚାହିଁ ଆଶ୍ୱାସନାର ବାଣୀ ଶୁଣାଇବା ପରିବର୍ତ୍ତେ ଆକଟ କରି କହିଥିଲେ, ଗୋଟିଏ ଦୃଷ୍ଟ, ଚରିତ୍ରହୀନ, ଅବାଧ୍ୟ ଯୁବକକୁ ମୋର ଜାମାତା ହେବାର ସୁଯୋଗ ଦେବି ନାହିଁ ବିନିତା ! ମୁଁ ସେହି କଳଙ୍କର ବୋଝକୁ ମୁଣ୍ଡ ଉପରକୁ ଆଣି ଲଦି ପାରିବି ନାହିଁ । ତୋର ଏ ଅରଣ୍ୟ ରୋଦନର ମାନେ ହୁଏନା !

 

ବିନିତା ପଚାରିଥାନ୍ତା, ଜନମ କରି ସାରିବା ପରେ ମୋତେ ହତ୍ୟା କଲୁନି କାହିଁକି ମାଆ ? ଏ ସୃଷ୍ଟିର ଆଲୋକ ଦେଖିବା ପୂର୍ବରୁ ବିଦାୟ ନେଇଥାନ୍ତି । କାହାକୁ ପରିଚୟ ଦେଇ ଆତ୍ମସମର୍ପଣ କରିବା ପୂର୍ବରୁ ଆଖିବୁଜି ଦେଇ ଥାଆନ୍ତି । ଏ ଜୀବନ ନ ଥାନ୍ତା କି ଜୀବନର ଜଞ୍ଜାଳ ଆଉ ନ ଥାନ୍ତା । ମୁଁ ଭଲ ପାଇଥାନ୍ତି ମଣିଷକୁ ନୁହେଁ, ଶୂନ୍ୟକୁ । କାରଣ ମହାଶୂନ୍ୟରେ ହିଁ ମୋର ଅସ୍ତିତ୍ୱ ମିଶିଯାଇଥାନ୍ତା ।

 

ବିନିତା ଅଶ୍ରୁଳ ଚାହାଣିରେ ମୌନ ହୋଇ ବସିଥିବା ବାପାଙ୍କ ମୁହଁକୁ ଚାହିଁଲା । ସେ ତାଙ୍କଠାରୁ ଆଶ୍ୱାସନା ଚାହୁଁଥିଲା । ଜିତୁଭାଇଙ୍କୁ ପୁଅ ପରି ଭଲ ପାଆନ୍ତି । କଥାବାର୍ତ୍ତାରେ ଆଦର ମିଶିଥାଏ । ସମ୍ୱୋଧନରେ ସୁମଧୁର ଆତ୍ମାର ପରିଚୟ ମିଳେ । ଜିତୁଭାଇଙ୍କର ପ୍ରତ୍ୟେକ କୃତିତ୍ୱକୁ ସେ ସମ୍ମାନ ଦିଅନ୍ତି । ଏଇନେ କଣ ଆଡ଼େଇ ହୋଇଯିବେ ? ପଦେ କିଛି କହିପାରିବେ ନି ?

 

ବାପା କିଛି କହିଲେ ନାହିଁ । ସତେ ଯେମିତି କାଠ ପିତ୍ତଳର ନିର୍ବାକ ବିଗ୍ରହଟିଏ । ମା ଏ ଘରେ ସବୁ କିଛି । ବାପ କଣ୍ଢେଇ ଖେଳଣା । ଚାହିଁଲେ ନାଚିଲେ । କହିଲେ ହସିଲେ । ନିଜ ଇଚ୍ଛାରେ କିଛି ହୁଏ ନାହିଁ ।

 

ଅନେକ ଦିନ ହେଲା ଜିତୁଭାଇ ଉତ୍ତର ଦେଇ ନାହାନ୍ତି । ଦି’ ଦି’ ଟା ଚିଠି ପାଇଲା ପରେ ବି’ ସେ ମଉନ ହୋଇ ରହିଛନ୍ତି । ଆଉ କଣ ସତରେ ସେ ଲେଖିବେ ନାହିଁ ?

 

ବିନିତା ଅର୍ଥହୀନ ଭାବରେ ଖୋଲା ଆାକାଶକୁ ଚାହିଁଲା । ପଶ୍ଚିମ ଦିଗରୁ ମେଘ ଉଠୁଛି-। ଟିକକ ପରେ ସମସ୍ତ ଆକାଶକୁ ନିଜର କଳା କିଟି ମିଟି ପଣତରେ ଘୋଡ଼ାଇ ଦେବ । ବିଜୁଳି ମାରିବ । ଘଡ଼ଘଡ଼ି ବି’ ହେବ । ସେ ପୁଣି କଟିଯିବ । କଳା ଦେହକୁ କାଟି କାଟି ଝଡ଼ି ପଡ଼ିବ ମୁକ୍ତାପରି କିରଣ, କିନ୍ତୁ ତା’ ଜୀବନରେ ଏହି ବିଛାଇ ଦେଇଥିବା ବିପଦର ମେଘ ? ଏ ମେଘ ସତରେ କଣ କଟିବ ?

 

ଜିତୁ ଭାଇଙ୍କର ସ୍ନେହବୋଳା ହସ ହସ ମୁହଁଟି ଆଖି ଆଗରେ ନାଚି ଯାଉଛି । କାନରେ ଶୁଭୁଛି ତାଙ୍କର ସେହି ମଧୁରିଆ ହସ ଖଣ୍ଡକ । ଆଖିରେ ତାଙ୍କର ମମତାର ଉଜାଣି ବହେ । ତାକୁ ଦେଖିଲେ କୋଟିନିଧି ପାଇଲା ପରି ତନ୍ମୟ ହୋଇ ଉଠନ୍ତି । ସେ ତାକୁ ଜୀବନ ଦେଇ ଭଲ ପାଆନ୍ତି ।

 

ମାଆ କହେ ଜିତେନ୍ଦ୍ରବାବୁ ଦୁଶ୍ଚରିତ୍ର ।

 

ଜିତେନ୍ଦ୍ରବାବୁ ଚେଷ୍ଟା କଲେ ବି’ କଣ ଦୁଶ୍ଚରିତ୍ର ହୋଇ ପାରିବେ ? ସେହି ସ୍ନେହବୋଳା ଆଖିରେ ଖାଲି ଅଛି ବିନୁ ପ୍ରତି ଅକଳନ ଆଦର । ମମତା ଭିଜା ମନ ଭିତରେ ବିନୁର ଏକ ପ୍ରତିଷ୍ଠିତ ଆସନ ଅଛି । ଏମିତି ମନ, ଏମିତି ସ୍ନେହ ନେଇ କିଏ କଣ ଅନ୍ୟାୟରେ ପାଦ ପକାଇପାରେ ?

 

ମାଆର ମନ୍ତବ୍ୟରେ ଅନେକ ଭୁଲ ରହିଯାଇଛି । ସେ ବୟସର ଅଗଣନ ଅନୁଭୁତି ଭିତରେ ଭଲମନ୍ଦ ବାଛିବାର ଦକ୍ଷତା ପାଇନାହିଁ । ତାଠୁ କଣ ଜିତୁ ଭାଇଙ୍କୁ ସେ ଅଧିକା ଚିହ୍ନେ ? ତାହାଠୁ କଣ କେହିହେଲେ ଏଇ ଜିତୁ ଭାଇଙ୍କୁ ବେଶୀ ଚିହ୍ନି ପାରିବେ ?

 

ଜିତୁ ଭାଇ ସବୁଦିନେ ତାର ହୋଇ ରହିଥିଲେ । ଏବେ ବି’ ସେ ଦାବୀ ଜଣାଇବାର ଅଧିକାର ସେ ପାଇଛି । ଜିତୁଭାଇଙ୍କର ଆଦର, ସ୍ନେହ ଏ ଜନ୍ମରେ ଭୁଲିବାର ନୁହେଁ । ସେ ସବୁଦିନ ମନେ ଥିବ । ସବୁଦିନ ମନେ ପଡ଼ୁଥିବ । ଜିତୁ ଭାଇଙ୍କ ସଙ୍ଗରେ ଯେଉଁ କେତୋଟି ଦିନ ଆନନ୍ଦ, ଉଲ୍ଲାସରେ କଟିଗଲା, ସେହି କେତେଦିନ ହିଁ ତାରି କୁମାରୀ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି । ତାରି ଅନୁଭବ ଭିତରେ ସେହି ପ୍ରାପ୍ତିର ପରିଚ୍ଛେଦ କେଇଟିହିଁ ଉଲ୍ଲେଖଯୋଗ୍ୟ । ତାକୁ ଛାଡ଼ିଦେଲେ ଆଉ କିଛି ମନେ ପକାଇଲା ପରି ନାହିଁ ।

 

ବିନିତା ପ୍ରତିଦିନ ସକାଳ ପାହିଲେ ଦିନ ଗଣେ । ଜିତୁଭାଇଙ୍କ ସଙ୍ଗେ ସାକ୍ଷାତ ହୋଇଥିବା ଶେଷ ଦିନଟିକୁହିଁ ବେଶୀ କରି ମନେ ପକାଏ ।

 

ଜିତୁଭାଇ କଣ ତାରି କଥା ଏତେ ଭାବୁଥିବେ ?

 

ମାଆଙ୍କର ଅବାଂଛିତ ବ୍ୟବହାରରେ ମନ ତାଙ୍କର ନଇଁ ଯାଇଥିବ । ହୁଏତ ସେ ଅନୁତାପ କରୁଥିବେ ।

 

ଏହି ସ୍ନେହ ଭାଉଜକୁ ଦେଖିଲେ ମନେ ପଡ଼ନ୍ତି ଜିତୁଭାଇ । ସ୍ନେହ ଭାଉଜ, ଆଉ ଜିତୁଭାଇ ! ପିଠୁଆ ଉଠୁଆ ଭାଇ ଭଉଣୀ ! ଗୋଟିଏ ନାହି ଦି’ଖଣ୍ଡ । ଗୋଟିଏ ରକ୍ତ ଦି’ଭାଗ । ସ୍ନେହ ଭାଉଜଙ୍କ କଣ୍ଠସ୍ୱର ବି ସେମିତି କଅଁଳ, କଅଁଳ–ମିଠା, ମିଠା । ତାଙ୍କ ସ୍ପର୍ଶରେ ଜିତୁଭାଇଙ୍କର ସ୍ନେହ ମିଶିଛି । ଭାଉଜଙ୍କୁ କୁଣ୍ଢେଇ ଧରି ଗେଲ କରିବାକୁ ମନ ହୁଏ ।

 

ବିନୁ ଭାଉଜଙ୍କ ସ୍ନେହ ସ୍ପର୍ଶରେ ଆପଣା ଛାଏଁ ଲୋଟିଯାଏ । ସେ ସ୍ନେହକୁ ଭାଉଜ ଭାବରେ ଯେତିକି ଭଲ ପାଏ, ଜିତୁଭାଇଙ୍କ ପିଠି ଭଉଣୀ ଭାବରେ ସେତିକି ସମ୍ମାନ ଦିଏ । ସତେ ଯେମିତି ଜିତୁଭାଇ ସ୍ନେହର ଆଖିରେ ତାକୁ ଅନାଇଥାନ୍ତି ।

 

ଜିତୁଭାଇ ଗାଁରୁ ବିଦାୟ ନେଇ ଚାଲିଗଲା ବେଳେ ସେ କିଛି ହେଲେ କହି ପାରିଲା ନାହିଁ । ସେହି ଭାଉଜ ଲୁହଝରା ଆଖିରେ ବିଦାୟ ଦେଉଥିଲା ବେଳେ ସେ ବି କାନ୍ଦିଥିଲା । ଅନ୍ୟଥର ପରି ଭାଉଜକୁ ଚିଡ଼ାଇ ଚିଡ଼ାଇ ସେ ହସାଇ ପାରିନାହିଁ । ତାଙ୍କ ଆଖିରୁ ଲୁହ ପୋଛିବାକୁ ତାର ବି ଇଚ୍ଛା ହେଲାନାହିଁ । ଓଲଟି ଭାଉଜ ଆସି ବୁଝାଇଲେ । କହୁଥିଲେ, ସେମିତି ହୁଏ ଗୋ ବିନୁ-! ଝିଅ ହୋଇ ଆମେ ସବୁ ସହିନେବା ଉଚିତ ! ଆମେ ନ ସହିବା ତ ସହିବ ଆଉ କିଏ ? ଛିଃ ତମେ କାନ୍ଦନା ବିନୁ ! ଦମ୍ଭ ଧର ! ଭାଗ୍ୟ ଲେଉଟିଲେ ସବୁ ପୁଣି ବଦଳି ଯିବ ଯେ !

 

ଏ ଭାଗ୍ୟ କଣ ଲେଉଟିବ ଭାଉଜ ? ବିନୁ ପଚାରିଲା ।

 

ଶଗଡ଼ ଚକ ତଳ ଉପର ! କେତେବେଳେ ଦୁଃଖ ଯୋଗ ତ କେତେବେଳେ ସୁଖ ଯୋଗ । ସବୁକଥା କଣ ସବୁବେଳେ ଘଟେ ?

 

ଏମିତି ହେବ ବୋଲି ମୁଁ କେବେହେଲେ କଳ୍ପନା କରି ନ ଥିଲି !

 

କିଏ କାହିଁକି କରିବ ଯେ ? ମଣିଷ ସବୁବେଳେ ଭଲଟାକୁହିଁ ବେଶୀ ଭାବେ । ସେ ଆଶାବାଦୀ କି ନା ? କିନ୍ତୁ ସମସ୍ତ ସତର୍କତା ସତ୍ୱେ, ବାଟ ଖୋଜି ନୈରାଶ୍ୟରେ ପାଦ ଶବଦ ଶୁଭେ-। ସେ ଆଉ ପ୍ରସ୍ତୁତ ହୋ ପାରେ ନାହିଁ ବିନୁ ! ଯାହା ଯୋଗ ଥାଏ, ତାହାହିଁ ହୁଏ ।

 

ବିନୁ ଓ ସ୍ନେହ ସେହି ଗୋଟାଏ କଥାକୁ ଅଲଗା ଅଲଗା କରି ଭାବନ୍ତି । କିନ୍ତୁ ଦୁହିଁଙ୍କ ଭିତରେ ଝଡ଼ ଆସି ଯେଉଁ ଜୁଆର ତୋଳେ, ତାହା କମେ ନାହିଁ କି ଥମେ ନାହିଁ । ଦୁଇଟି ତରୁଣୀ ପ୍ରାଣ ଅନୁଶୋଚନାରେ ଥରି ଥରି ଉଠେ । ଛାତି ତଳର କ୍ଷତି ବଢ଼ି ବଢ଼ି ଯାଏ । କୂଳ ଉଛୁଳା କୋହ ବହେ ।

 

ଦିନେ ମାଇ ସଂଜରେ ବାସୁଦେବପୁରକୁ ଅତିଥି ଆସିଲେ ।

 

ଦୁଇଜଣ ଅଚିହ୍ନା ବିଦେଶୀ ଅତିଥି । ସେ ଦୁହିଁଙ୍କ ଭିତରେ ବୟସର ସେତେ ବେଶୀ ପାର୍ଥକ୍ୟ ନଥିଲା । କିନ୍ତୁ ଚାଲି ଚଳନରେ ସେମାନଙ୍କ ବିପରୀତଗାମୀ ମନର ସୁସ୍ପଷ୍ଟ ଛାୟା ପ୍ରତିଫଳିତ ହେଉଥିଲା ।

 

ଜଣକ ଆଖିରେ ମଳୟର ଚଞ୍ଚଳତା ଥାଏ । ମୁହଁରେ ସବୁଜ ବନାନୀର ଆକର୍ଷଣ ଥାଏ-। ତା’ ମନ ଛନ ଛନ ହୋଇ ଆଗକୁ ଆଗକୁ ଛୁଟିଥାଏ ।

 

ଆର ଜଣକ ପରୀକ୍ଷକ ଦୃଷ୍ଟିରେ ସବୁଟିକୁ ନଜର ଦେଉଥାନ୍ତି । ଭଲ ଅପେକ୍ଷା ଭୁଲ ଉପରେହିଁ ବେଶ ଦୃଷ୍ଟି । ମୁହଁରେ ବୟସର ଅଭିଜ୍ଞତା ଲେଖି ହୋଇଥାଏ । ଛନ ଛନିଆ ତରୁଣ ମନକୁ ହାତ ଓସାରି ଅଟକାଇ ଦେଇଥାନ୍ତି ।

 

ସେମାନେ ଆସିବା ପରେ ପରେ ବାସୁଦେବପୁର ଅନ୍ଧାର ଦେଖାଗଲା । ବିନିତା ଘର ସାମନାରେ ହୋଇଛନ୍ତି କି ନାହିଁ, ପଶ୍ଚିମ ଆକାଶରୁ କଳାହାଣ୍ଡିଆ ମେଘ ପରି କିଟିମିଟି ଅନ୍ଧାର ମେଞ୍ଚା ମେଞ୍ଚା ହୋଇ ଭାସିବାକୁ ଲାଗିଲା । ମୁହଁକୁ ମୁହଁ ବାରି ହେଲାନାହିଁ ।

 

ବିନିତାର ମା ଦୀପ ଜାଳି ସେମାନଙ୍କୁ ସ୍ୱାଗତ କଲେ । ପରେ ବିନିତାର ବାପ ବାହାରୁ ବୁଲି ବୁଲି ଫେରିବା ପରେ ଅତିଥିମାନଙ୍କ ସଙ୍ଗେ କଥାବାର୍ତ୍ତାରେ ବୁଡ଼ିଗଲେ ।

 

ବିନିତା ଓ ସଲୀଳା ଚାହାଣୀରେ ଆଶ୍ଚର୍ଯ୍ୟ ମିଶାଇ ଏହି ନୂତନ ଅତିଥିମାନଙ୍କୁ ଚାହିଁଲେ-। ସେମାନଙ୍କ ଛୋଟ ଛୋଟ ଆଖିଟିମାନ ବିସ୍ମୟରେ ହଠାତ୍‌ବଡ଼ ବଡ଼ ହୋଇ ଯାଇ ପରସ୍ପରକୁ ପ୍ରଶ୍ନ କରୁଥିଲେ, ’’କିଏ ସେ ଏମାନେ ? କାହିଁକି ଆସିଛନ୍ତି ?’’

 

ବିନିତାକୁ ଆକଟ କରୁଥିଲେ ମାଆ । ଟିକିଏ ସାବଧାନ ହୋଇ ଚଳ ! ମୁଣ୍ଡରେ ଓଢଣା ପକା ! ଆଜି ଦିନଟା ଟିକିଏ ବୁଲାଚଲା କରନା କହୁଛିଁ ।

 

କାହିଁକି, ଆଜି କଣ ହେଇଛି କି ମାଉସି ? ସଲୀଳା ପ୍ରଶ୍ନକଲା ।

 

ସେମାନେ ସବୁ ଆସିଛନ୍ତି ନାଁ, ସେଇଥି ସକାଶେ କହୁଥିଲି ।

 

ସେମାନେ ସବୁ ଆସିଛନ୍ତି ତ ଆସିଥାନ୍ତୁ । ଆମର ତହିଁକି କଣ ଅଛି । ବିନିତା ବିରକ୍ତ ହୋଇ ଉତ୍ତର ଦେଲା ।

 

ସେମିତି ଅଘରୀ କଥା କହନା ଲୋ ! ସେମାନେ ସବୁ ଶୁଣିଲେ କଣ ଭାବିବେ କହିଲୁ-? ମୋ’ ସୁନାଟା ପରା ! ମୋ କଥା ରଖ !!

 

ବିନିତାକୁ କଣ ଦେଖିବାକୁ ଆସିଛନ୍ତି ମାଉସି ? ସଲୀଳା ପ୍ରଶ୍ନ କଲା ।

 

ହଁଲୋ ମା, ସେଇଆ । ବଡ଼ ଘରର ପିଲା ବଡ଼ ସହରରେ କୋଠା । କେତେ ପାଠ ପଢ଼ିଛି । ଏମିତି ପାତ୍ର ଛାଡ଼ିଦେଲେ ଆଉ କି ମିଳେ ?

 

କିନ୍ତୁ ମାଉସି ! ବିନିତା ପାଇଁ କୁଆଡ଼େ କଥା ଠିକ୍‌ହୋଇଛି ! ଗୋଟିଏ ଝିଅକୁ ଆଉ କେତେଠାରେ ଦେବେକି ? ବିନିତାକୁ ଜିତେନ୍ଦ୍ର ବାବୁ ପରା ବାହାହେବେ ?

 

ହୋଇଥାନ୍ତେ, ଏବେ ହେବେ ନାହିଁ । ସମ୍ୱନ୍ଧ ଭାଙ୍ଗିଗଲା ।

 

ଏଡ଼େ ସୁନ୍ଦର ସମ୍ୱନ୍ଧକୁ କି ଏ ଭାଙ୍ଗିଲା ମାଉସି ! ଭାଙ୍ଗି ଦେଇ ଭଲ କରିନାହିଁ ।

 

ବୁଝି ବିଚାରି ସେ ସମ୍ୱନ୍ଧକୁ ମୁଁ ଭାଙ୍ଗି ଦେଇଛିଁ ।

 

ତୁମେ ମାଉସୀ ?

 

ହଁ–ମୁଁ । ବଦଳ ବାହାଘରେ ସବୁବେଳେ କନ୍ଦଳ । ତାପରେ ?

 

ତା ପରେ କଣ ମାଉସି ?

 

ନାଁ କିଛି ନୁହେଁ ।

 

ମୁଁ କଣ କହୁଥିଲି କି, ଜିତୁଭାଇ ଖୁବ୍‌ଭଲ ମଣିଷ ।

 

କଣ ୟା’ଚାଇ ଭଲ ? ବିନିତାର ମା ବିଜୟ ବାବୁଙ୍କ ଆଡ଼କୁ ହାତ ବଢ଼ାଇ ଦେଖାଇ ଦେଉ ଦେଉ କହୁଥିଲେ, ରଜାପିଲା ପରି ରୂପ । ରୂପ ଯେମିତି... ।

 

ତଥାପି.....ସଲୀଳା ପ୍ରତିବାଦ କରିବାକୁ ଚାହୁଁଥିଲା ।

 

ତଥାପି କଣ ଲୋ ? କହିବୁ ଯଦି ଜିତେନ୍ଦ୍ର ପାଇଁ ତୋତେ ଠିକଣା କରାଇ ଦେବି । କଣ ରାଜି ?

 

ସଲୀଳା କାନ୍ଦୁରି ମାନ୍ଦୁରି ହୋଇ ନିଜ ଘରକୁ ପଳାଇଲା । ଭାବୁଥିଲା, ଭଲ କହିଲେ ଯଦି ଖରାପ ଅର୍ଥ ବାହାରେ ନୀରବ ରହିବା ସବୁଠୁ ଭଲ ।

 

ଏ କଣ ଭଲ ହେଲା ମା ? ବିନିତା ଲୁହ ଛଳ ଛଳ ଆଖିରେ ପଚାରିଲା । ଏହି ଗୋଟିଏ ପ୍ରଶ୍ନରେ ତାରି ମନର ସମସ୍ତ ଆନ୍ତର୍ଦାହ ଜମାଟ ବାନ୍ଧିଥିଲା । ସେ ପ୍ରଶ୍ନ କରିନି ଯେ ପ୍ରତିବାଦ ଜଣାଇଛି ।

 

ଖୁବ୍‌ଭଲ ! ମାଆ ତମ ତମ ହୋଇ ଚାଲିଗଲେ ।

 

ବିନିତା ବାଧ୍ୟ ହୋଇ ଅତିଥିମାନଙ୍କ ନିକଟକୁ ଗଲା । ତାର ମୁହଁରେ ଲାଜ ନ ଥାଏ କି ସମ୍ଭ୍ରମ ନ ଥାଏ । ପଦ ଛନ୍ଦରେ ବିରାଟ ପ୍ରତିରୋଧର ଯତିପାତ ହେଉଥାଏ । ଥରଟିଏ ପାଇଁ ଯାଇ, ମୁହୂର୍ତ୍ତକ ସକାଶେ ଛିଡ଼ା ହୋଇ, ବିଜୁଳୀ ପରି ଚାଲି ଆସିଲା । ସେ ବିଜୟ ବାବୁଙ୍କୁ ଭବିଷ୍ୟତ ପତ୍ନୀତ୍ୱର କାମନା କରି ଅନାଇ ନାହିଁ ।

 

କିନ୍ତୁ ବିଜୟବାବୁ ? ଭବିଷ୍ୟତର ସୁନେଲୀ କଳ୍ପନାରେ ସେ ମସଗୁଲ ଥିଲେ । ବିନିତାର ଅନିନ୍ଦ୍ୟ ରୂପଲାବଣ୍ୟ ତାଙ୍କର ରୂପ ଲୋଭୀ ଆଖିରେ ଆଲୋଡ଼ନର ମାୟାଜାଲ ବୁଣିଥିଲା । ସେ ଗୋଟା ପଣେ ଥରି ଉଠୁଥିଲେ ।

 

ବିନିତାର ମା ବିଜୟବାବୁଙ୍କ କକେଇ ମୁହଁରୁ ସ୍ୱୀକୃତି ଶୁଣି ଆନନ୍ଦରେ ଫାଟି ପଡ଼ୁଥିଲେ-। ସେ ଆସନ୍ନ ବିବାହ ଲଗ୍ନ ପାଇଁ ପ୍ରସ୍ତୁତ ହେଇଥିଲେ ।

 

ବିନିତାର ବାପା ଆନନ୍ଦ ହେଲେ ନାହିଁ କି ଦୁଃଖ କଲେ ନାହିଁ । ବିନିତା ମୁହଁକୁ ଚାହିଁବାକୁ ସେ ମୋଟେ ହେଲେ ଚେଷ୍ଟା କରି ନାହାନ୍ତି ।

 

ବିନିତା ପଥର ପାଲଟି ଯାଇଥିଲା ।

 

ଜିତାନ୍ଦ୍ରର ତୁହାଇ ତୁହାଇ ମନେ ପଡ଼ୁଛି ବିନୁ କଥା !

 

ବିନୁକଥା ଭୁଲିଯିବାକୁ ଯେତେ କରି ମନ କଲେବି ଭୁଲି ହେଉନାହିଁ । ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ପରି ଏହି ଶରୀର ଭିତରେ ନିଜ ଆସ୍ଥାନ ବାଛି ନେଇଛି । ସତେ ଯେମିତି ସେ ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ । ତାରି ବିନା ଏ ମନ, ଏ ଶରୀର ପଙ୍ଗୁ ହୋଇଯିବ ।

 

ଜିତେନ୍ଦ୍ର ଆକସ୍ମିକ ଭାବରେ ଡ୍ରୟର ଖୋଲି ବିନୁର ସେହି ହସିଲା ଛବିଟିକୁ ବାହାର କଲା । ଦୁନିଆକୁ ଉପହାସ କଲା ପରି ଛବିଟି ଛଳ ଛଳ ହୋଇ ହସୁଛି । ଅତୀତକୁ ବା ଅତୀତର ମନମରା ସ୍ମୃ୍ତକୁ ସେ ଖାତିରି କରୁନାହିଁ । ସତେ ଯେମିତି କହି ଯାଉଛି, ଦୁନିଆକୁ ମୁଁ ଡରେଁ ନାହିଁ । ଜିତୁ ଭାଇ ! ଆଉ ତୁମେ ଡରୁଛ ? ଆସ, ସାଙ୍ଗ ହୋ ହସିବା ! ଏ ଜୀବନକୁ ହସି ଖେଳି ବିତାଇ ଦେବା । ବାହାର ଦୁନିଆ ଭୁଲି ବୁଝି ମୁଣ୍ଡ ପୋତି ନେବ । ମୁଁ ନାରୀଟିଏ ହୋଇ ସାହସ ହରାଉ ନାହିଁ । ଆଉ ତୁମେ ପୁରୁଷ ପିଲା ହୋଇ ଫିକର କରୁଛ ?

 

ଛବିଟି ଧୂଳିରେ ପୋତି ହୋଇ ଆସିଲା । ଜିତେନ୍ଦ୍ର ଇଚ୍ଛା କରୁଥିଲା ତାକୁ ସଫାକରି ପୋଛି ଟେବୁଲ ଉପରେ ରଖିବ । କିନ୍ତୁ ନା’ ସେ ତାକୁ ପୋଛିବ ବ କାହିଁକି ? ତାରି ପାଇଁ ଅପମାନ ପାଇ ବାସୁଦେବପୁରରୁ ଫେରି ଆସିଛି । ପୁରୁଷ ପିଲା ହୋଇ କଣ ନିଜର ଟିକିଏ ଆତ୍ମମର୍ଯ୍ୟାଦା ନାହିଁ । ସେ ସେମିତି ଧୂଳିରେ ପୋତି ନିଶ୍ଚିହ୍ନ ହୋଇଯାଉ ।

 

କିନ୍ତୁ ଛାତିର କେଉଁ ଅଜଣା ଉହାଡ଼ରୁ ଛପିଲା ସ୍ନେହ ଟିକକ ଆତ୍ମପ୍ରକାଶ କଲା । ସେ ରୁମାଲ ନେଇ ଛବିଟିକୁ ପୋଛି ଦେବାକୁ ଯାଉଛି, ସେଇଟି ହାତରୁ ଖସିପଡ଼ି ଭୁଇଁ ଉପରେ ଛେଚି ହେଲା !

 

ଜିତେନ୍ଦ୍ରର ମନ ପାପ ଛୁଉଁଛି । ବିନିତାର କିଛି ଅମଙ୍ଗଳ ହୋଇ ନାହିଁ ତ ? ଆପଣା ଚିନ୍ତାରେ ପୁଣି ସେ ହସି ଉଠିଲା । କେତେଶୀଘ୍ର ଅଦୃଷ୍ଟବାଦୀ ହୋଇ ପଡୁଛି ? ସବୁବେଳେ ପାପ କଥା ଭାବିବା ଏଇ ମନର ଏକ ଦୁର୍ବଳତା । ସେ ଦୀର୍ଘ ନଶ୍ୱାସ ନେଇ ଚୌକି ଉପରେ ଭରା ଦେଲା-

 

ଜିତେନ୍ଦ୍ର ! ଆର ଘରୁ ପାଟି ଶୁଭୁଛି ।

 

ସେ ଡାକରେ ଯେମିତି ଅସ୍ୱାଭାବିକ ଚାଞ୍ଚଲ୍ୟ ମିଶିଛି । ମଣିଷ ଅଶୁଭ କଥା କହିଲା ବେଳେ କିମ୍ୱା ଚିନ୍ତା କଲାବେଳେ ଯେମିତି ଧିମେଇ ଧିମେଇ ଯାଏ, ଠିକ୍‌ସେମିତି ଏକ ଅସ୍ପଷ୍ଟ ସାଙ୍କେତିକ ବୋଳି ହୋଇଛି ।

 

ଜିତେନ୍ଦ୍ର ନିଜ ଭାବନାକୁ ଡରୁଥିଲା ।

 

ମାଆା ଆଉଥରେ ଡାକିଲେ, ଜିତେନ୍ଦ୍ର ! ମାଆଙ୍କର ସବୁଦିନିଆ କଅଁଳ ଡାକ । ସ୍ନେହରେ ଗୋଟାପଣେ ବୁଡି ଯାଇଛି । ଭୟ କରିବାର କିଛି ନାହିଁ ।

 

କଣ ମାଆ ?

 

ଆରେ ଶୁଣିଲୁଣି ? ମାଆ ବ୍ୟସ୍ତ ହୋଇ ତାରି ଘର ଆଡ଼କୁ ମାଡ଼ି ଆସୁ ଆସୁ କହୁଛନ୍ତି-। ବିନୁର ବାହାଘର ହେଉଛି ।

 

ବିନୁର ବାହାଘର ! କେବେ ମା ? ଜିତେନ୍ଦ୍ରର ଆଖିରେ ବିସ୍ମୟର ପାହାଡ଼ ଥିଲା । ସେ ଦୁର୍ବଳ ହୋଇ ପଡ଼ୁଥିଲା ।

 

ଏଇ ଫଗୁଣ ଲଗ୍ନରେ । ଭୁବନେଶ୍ୱରର କୋଉ ବିଜୟ ସଙ୍ଗରେ ବାହାଘର ହେଉଛି । ଆମକୁ ନିମନ୍ତ୍ରଣ କରିଛନ୍ତି । ବାପାତ ନାହାନ୍ତି । ତୋତେ ଯିବାକୁ ହେବ ।

 

ଜିତେନ୍ଦ୍ର ଆଉ କିଛି ହେଲେ ଶୁଣିପାରୁ ନ ଥିଲା । ଘରଭିତରୁ ଏକା ନିଃଶ୍ୱାସରେ ବାହାରିଗଲା ।

 

ଜିତେନ୍ଦ୍ରର ମା ଦେଖିଲେ, ସେ ଦୁଃଖ କରି ଚାଲିଯାଉଛି । ପାଦ ଦୁଇଟି ବେଛନ୍ଦ ଭାବରେ ପଡ଼ୁଛି, ଭୁମିକମ୍ପରେ ବସୁନ୍ଧରା ଯେମିତି ଦୋହଲି ଉଠେ, ଜିତେନ୍ଦ୍ରର ସମୁଦାୟ ଶରୀର ସେମିତି ଥରି ଥରି ଉଠୁଛି । ଜିତେନ୍ଦ୍ର ମସ୍ତବଡ ଧକ୍‌କା ପାଇଛି । ତା ଚାହାଣୀରେ, ତା କଥାରେ ସେହି ପ୍ରଚ୍ଛନ୍ନ ବେଦନା ସୁସ୍ପଷ୍ଟ ।

 

କାହିଁକି ସେମାନେ ଜିତେନ୍ଦ୍ର ହାତରୁ ବିନିତାକୁ ଛଡ଼ାଇ ନେଲେ ।

 

ବିନୁ ଆଉ ଜିତେନ୍ଦ୍ର ! ସେମାନେ ଏକା ସାଙ୍ଗରେ ଛିଡ଼ା ହୋଇଥିଲେ ଲକ୍ଷ୍ମୀ ନାରାୟଣ ପରି ଦେଖାଯାନ୍ତି । ତାଙ୍କ ଖୁସି ଗପ ଶୁଣିଲେ ଚାତି ଭିତରଟା କୁରୁଳି ଉଠେ । ମନେହୁଏ ସତେକି ଦୁଇଟି ବନ କପୋତ କପୋତୀ ମନ ଖୁସିରେ ଡାଳ ଉପରେ ବସି ଖୁମ୍ପାଖୁମ୍ପି ହେଉଛନ୍ତି । ଥଣ୍ଟକୁ ଥଣ୍ଟ ଲଗାଇ ସୁଖଦୁଃଖ ହେଉଛନ୍ତି ।

 

ନିରୀହ କପୋତୀକୁ ସରଳ କପୋତର ପକ୍ଷତଳୁ କିଏ ଛଡ଼ାଇ ନେଲା ?

 

କିଏ ସେହି ଅନୁଦାର ମଣିଷ ?

 

ବିନୁର ବାପା ରାଜି ଥିଲେ । ମାଆ ବି’ ଅରାଜି ନ ଥିଲେ । କଣ ହୋଇପାରେ କାରଣଟା ? ସେମାନେ କହିଥିଲେ ଏହି ଫଗୁଣ ଲଗ୍ନରେ କଣ ବିଭାଘରଟା ଠିକଣା ହୋଇପାରି ନ ଥାନ୍ତା ? ସବୁ କଥା ଜାଣିଶୁଣି କିଏସେ ଏହି ଘରଭଙ୍ଗା କାମ କଲା ?

 

ଜିତେନ୍ଦ୍ରର ମନ ଭଲ ନାହିଁ । ଗୋଟିଏ ଜାଗାରେ ମଉନ ହୋଇ ବସିଛି, ନ ହେଲେ ବିଛିଣାରେ ଶୋଇ ଶୋଇ ଭାବୁଛି । ସବୁ କଥା ଗୋଟି ଗୋଟି ହୋଇ ମନେ ପଡ଼ୁଛି । ଯାହା କିଛି ଭୁଲି ହୋଇ ଯାଇଥିଲା, ସିଏ ବି’ ସ୍ୱରୂପ ଧରି ଛିଡ଼ା ହେଉଛି ।

 

ଦୁଆରେ କେନ୍ଦୁରା ବଜାର ଯୋଗୀ ଭିଖାରୀଟିଏ ଗୀତ ଗାଉଛି ।

 

ଜିତେନ୍ଦ୍ର ଅନ୍ୟମନସ୍କ ଭାବରେ ସେହି ଗୀତଟିକୁ ଶୁଣୁ ଶୁଣୁ ଆତ୍ମବିସ୍ମୃତ ହେଲା ।

 

ଏ ଜୀବନ ସହସ୍ର କବିତାର ଆଧାର । ସେ କବିତାକୁ ମଣିଷ କଲମ କାଳିରେ ଲଖିନି । ଦେବତାର ଇଚ୍ଛା ନେଇ ସେ ଆତ୍ମପ୍ରକାଶ କରେ । ପ୍ରତ୍ୟେକ କବିତାରେ ଦେବତା ତାର ଅଦୃଷ୍ଟ ଆଉ ଅସ୍ପଷ୍ଟ ଅଭିଳାସକୁ ବ୍ୟକ୍ତ କରେ । ସେ କବିତା କେବଳ ଦୁଃଖର ନୁହେ, କି ସୁଖର ନୁହେ । ସୁଖ ଦୁଃଖର ମିଶାମିଶି । ହସ ଅଛି, ଅଶ୍ରୁ ବି ଅଛି ।

 

ହସ ଓ ଅଶ୍ରୁ ! ଏ ଦୁହେଁ ମଣିଷର ଶରୀର ଓ ଶରୀରର ଛାଇ ଉଭୟେ ଉଭୟଙ୍କ ଦେହରେ ଓତଃପ୍ରୋତ ଭାବରେ ଜଡ଼ିତ । ଅଙ୍ଗାଙ୍ଗୀ ଭାବରେ ସଂଶ୍ଳିଷ୍ଟ । ଜୀବନରୂପୀ ଆଲୋକ ଥିବାଯାଏ ଦୁହେଁ ଦୁହିଁଙ୍କୁ ଛାଡ଼ି ପାରନ୍ତି ନାହିଁ । ଅନ୍ଧାର ଭିତରେ ମଣିଷର ଛାଇ ଲୁଚିଯାଏ । ମରଣ ଭିତରେ ମଣିଷ ସେମିତି ହଜିଯାଏ ।

 

ଜୀବନ କବିତାରେ ଦୁଃଖ ନ ଥିଲେ କି ଅଶ୍ରୁ ନ ଥିଲେ ସେ ଶ୍ରୁତିମଧୁର ହୋଇପାରେ ନାହିଁ । ଜୀବନ ଭିତରେ ଯଦି ଦୁଃଖ ଆସିଥାଏ, ସେ କେବଳ ସୁଖର ବାଟ କଢ଼ାଇବା ପାଇଁ । ସୁଖ ଶୋଇଛି । ଦୁଃଖ ଚାଲିଗଲେ ସେ ପୁଣି ଉଠି ଚାଲିବ ।

 

ଦୁଃଖ ଆସିଥିଲେ ସୁଖ କଥା ଭାବି ସଂଶୟକୁ ତ୍ୟାଗକର ।

 

ଜିତେନ୍ଦ୍ରର ମନ ଆକାଶରୁ ଚିନ୍ତା ବାଦଲ କଟି ଆସିଲା ।

 

ସେଦିନ ସେ ଚିଠି ପାଇଲା । ବିନୁ ଓ ସ୍ନେହ ଚିଠି ଦେଇଛନ୍ତି ।

 

ବିନୁ ପୁଣି ଚିଠି ଦେଇଛି ?

 

ତୁମେ ଆସିବ ଜିତୁ ଭାଇ ! ଯଦି ବିନୁକୁ କେବେ ଭଲ ପାଇ ଥାଅ, ତାହାହେଲେ ତୁମେ ନିଶ୍ଚୟ ଆସିବ । ନ ଆସିଲେ ଭାବିବି, ଦୁନିଆରେ ସ୍ନେହ ନାହିଁ, ସୁହାଗ ନାହିଁ, ଖାଲି ଅଛି କୁଢ଼କୁଢ଼ ପ୍ରତାରଣା । ତୁମକୁ ଦେଖିବାକୁ ମୁଁ ବିଶେଷ ଉତ୍କଣ୍ଠିତ ହୋଇ ପଡ଼ିଛି । ମୋର ମନ ଭିତରେ ଝଡ଼ ଉଠିଛି । ଅନୁଶୋଚନାରେ ଏଇ ଅଦରକାରୀ ପ୍ରାଣଟା ଜଳି ଜଳି ଯାଉଛି । ସତେ ତୁମେ ନିରାଶ କରିବ ଜିତୁ ଭାଇ ! ଶେଷଥର ପାଇଁ ଦେଖି ନେବି । ତାପରେ ମରିବି କି ବଞ୍ଚିବି କିଏ ଜାଣେ ? କଥା ରଖି ଦୁଆରେ ଛିଡ଼ାହେଲେ ଭାବିବି, ମୁଁ ଏ ସଂସାରରେ ଏକାକିନୀ ନୁହେଁ, ମୋର ଜିତୁ ଭାଇ ଅଛନ୍ତି । ମୋର ସବୁ ଅଛି ।

 

ଜିତେନ୍ଦ୍ର ସବୁ ଅପମାନକୁ ଆଡ଼େଇ ଦେଇ ବାସୁଦେବପୁର ଯିବାକୁ ପ୍ରସ୍ତୁତ ହେଲା ।

 

ମାଆ ଖୁସି ହେଲେ । ଭାବିଲେ, ଜିତେନ୍ଦ୍ର ବଜ୍ରପାତକୁ ସମ୍ୱାଳି ନେଇଛି । ଜିତେନ୍ଦ୍ର ପାଇଁ ସମକକ୍ଷ ପାତ୍ରୀ ଖୋଜିବାକୁ ଜଣା ଅଜଣା ଅନେକ ଝିଅଙ୍କ କଥା ଭାବି ବସିଲେ ।

 

ବିନୁ ବାହାଘର ସଜ ପିନ୍ଧି ଅପୂର୍ବ ଦେଖା ଯାଉଛି । କିନ୍ତୁ ସେହି ଅପୂର୍ବ ସାଜସଜ୍ଜାରେ ବି’ କେଉଁଠି ତ୍ରୁଟି ରହି ଯାଇଛି । ସମସ୍ତ ସାବଧାନତା ସତ୍ୱେ, ଜଣାପଡ଼ିଛି ବିନୁ ଯେମିତି ପ୍ଳାଷ୍ଟିକ କଣ୍ଢେଇଟିଏ ! ଯେତେ ସୁନ୍ଦର ଦେଖାଗଲେ କଣ ହେବ ଜୀବନ ନାହିଁ ।

 

ବିନୁ ଆଗପରି ଲାଜ ସଂକୋଚ ଛାଡ଼ି ଜିତେନ୍ଦ୍ର ପାଖରେ ଛିଡ଼ା ହେଲା । ଦେହକୁ ଦେହ ଲଗାଇ ବସିଲା । ତାକୁ ଦେଖି ହସିବାକୁ ବି’ ଚେଷ୍ଟା କଲା ।

ଏହି ଅଦ୍ଭୁତ ତରୁଣୀଟିକୁ ଦେଖି ଜିତେନ୍ଦ୍ର ବିସ୍ମିତି ହେଲା ।

ସେଦିନ ରାତିର କଥା । ଜିତେନ୍ଦ୍ର ଖଟ ଉପରେ ଆଖିବୁଜି ପଡ଼ିଥାଏ । ବିନୁ ସୁବିଧା ଦେଖି ଘର ଭିତରକୁ ପଶି କବାଟ ଆଉଜାଇ ଦେଲା ।

ଜିତେନ୍ଦ୍ରର ମନ ଭିତରେ ଅଭିମାନ ସମୁଦ୍ର ଲହଡ଼ା ଭାଙ୍ଗୁଥାଏ । ସେ ବିନୁକୁ ଅଳ୍ପ କଣେଇ ଚାହିଁ ଆଖି ବୁଜିଦେଲା । ଚେଇଁ ଶୋଇ ବି ଅଚେତ ହେଲାପରି ପଡ଼ି ରହିଲା ।

ବିନୁ ଧୀରେ ଯାଇ ଜିତେନ୍ଦ୍ରର ଛାତି ପାଖରେ ବସିଲା । ତା’ ପରେ କପାଳ ଉପରେ ହାତ ରଖି ଜର ଅଛି କି ନାହିଁ ପରୀକ୍ଷା କଲା ।

ବିନୁର ଏହି ଥରିଲା ପାପୁଲି ଦି’ଟା କି ନରମ ଲାଗୁଛି ! ଜିତେନ୍ଦ୍ରର ପଛକଥା ସବୁ ମନେ ପଡ଼ୁଛି ବିନୁ ପ୍ରତି ଦୁର୍ବଳତା ଜାଗି ଉଠୁଛି । ସେ କଡ଼ ଲେଉଟାଇ ନେଲା ।

ବିନୁ କିନ୍ତୁ ଆଉଥରେ ବୁଲି ଯାଇ ପୁଣି ତାର ସାମନାସାମନି ବସିଲା । ସେ ଆସ୍ତେ ଆସ୍ତେ ମୁଣ୍ଡ ଟିପି ଦେଉଥିଲା । ଜିତେନ୍ଦ୍ରର ଅଲରା କେଶକୁ ସୁନ୍ଥା ପାଖରୁ ସମାନ ଦୁଇ ଭାଗ କରି ସାଜି ଦେଉଥିଲା ।

ଆଉଥରେ କାହିଁକି ଆସିଲ ବିନୁ ? ଜିତେନ୍ଦ୍ର ପ୍ରଶ୍ନ କଲା ।

କଣ ଭୁଲ କଲି ?

ଭୁଲ ନୁହେତ ଆଉ କଣ ? ସକାଳ ପାହିଲେ ବାହାହବ ! ରାତି ଅଧରେ ପରପୁରୁଷ ପାଖରେ ମିଶିବା କଣ ଭଲକଥା ।

ପରପୁରୁଷ କିଏ ଜିତୁ ଭାଇ ?

ଯାହାକୁ ବାହା କରୁନା–ଯେ ସ୍ୱାମୀ ନୁହେ ।

କିନ୍ତୁ ମୋର ବାହାଘର ଯେ ସରି ଯାଇଛି ଜିତୁ ଭାଇ !

କେବେ ?

ମନେ ନାହିଁ ? ତୁମର ଏତେ ଭୁଲା ମନ ? ସେଦିନ ପରା ତୁମରି ଛାତିରେ ମୁଣ୍ଡ ରଖି ଶପଥ କରିଥିଲି ମୁଁ ତୁମର ବୋଲି । ଚିହ୍ନି ପାରୁନା ?

ପରିହାସ କରୁଛ ବିନୁ ?

ପରିହାସ ? କାହାକୁ ?

ଶପଥକୁ ହୁଡ଼ିଯାଇ ଏହି ଅଭିନୟ ଦେଖାଇବା କଣ ଭଲ ବୋଲି ମନେ କରୁଛ ? ପାପ ପୁଣ୍ୟର ତ ପୁଣି ସୀମାରେଖା ଅଛି ?

ଶପଥ ମୁଁ ହୁଡ଼ିନାହିଁ ଜିତୁଭାଇ ! ଏ ଦୁନିଆ କହିଲେ କହୁ ପଛକେ ତୁମେ କୁହନାହିଁ । ତୁମର ଏ ଉପହାସକୁ ସହି ପାରିବିନି ଜିତୁ ଭାଇ ! ବିଷଖାଇ ମରିଯିବି । ପାପ ପୁଣ୍ୟର ବିଚାର ମୁଁ ରଖି ନାହିଁ । ମୋର ସରଳ ମନରେ ଯାହାକୁ ପ୍ରଥମେ ସ୍ୱାମୀ ବୋଲି ଧରି ନେଇଛିଁ, ସିଏ ହେବ ମୋର ପ୍ରକୃତ ସ୍ୱାମୀ । ବଳତ୍କାର କରି ଯାହାକୁ ମୋରି ହାତ ବଢ଼ାଇ ଦିଆ ଯାଉଛି, ସେ ମୋ ପକ୍ଷରେ ପ୍ରକୃତ ପରପୁରୁଷ ! ତୁମେହିଁ ମୋର ଦେହ କାନନରେ ପ୍ରଥମ ବସନ୍ତ ହୋଇ ଦେଖା ଦେଇଥିଲ । ମୋରି ଅଙ୍ଗଲତାରେ ସ୍ନେହ ଜଳ ସିଞ୍ଚି ପ୍ରଥମ ଫୁଲ ଫୁଟାଇଥିଲ । ମୁଁ ନିଜକୁ ପ୍ରଥମ କରି ଅନୁଭବ କରିଥିଲି ତୁମରି ମୁହଁରେ । ମୋରି ଓଠରେ ତୁମେହିଁ ଫୁଟାଇଥିଲ ପରିପୂର୍ଣ୍ଣତାର ହସ-। ମନ ଭିତରେ କଳ୍ପନାର ଫସଲ କରି ତୁମେହିଁ ତାକୁ ସମ୍ପାଦି ଥିଲ । ଏ ଦେହ, ଏ ଯୌବନ ତୁମରି ସାନ୍ନିଧ୍ୟ ପାଇ ବିମୁଗ୍‌ଧ ହୋଇଥିଲା ଜୀବନର ପହିଲି ସକାଳରେ । ସେ ପ୍ରଥମ ପରିଚୟ କଥା ଭୁଲି ନାହିଁ । ଜୀବନାବଧି ମନେ ପଡ଼ୁଥିବ ଜିତୁଭାଇ । ତୁମେହିଁ ମୋର ମନର ମଣିଷ ! ଏ ଦେହ ଆଡ଼େଇ ହୋଇଗଲେ ବି’ ମନଟି ବଂଧା ପଡ଼ିବ ତୁମରି ପାଖରେ ।

ଜିତେନ୍ଦ୍ରର ଅଜ୍ଞାତସାରରେ ଆଖି ଦିଟା ସଜଳ ହୋଇ ଉଠିଲା । ବିନିତା ବି’ କାନ୍ଦୁଥିଲା । ଜିତେନ୍ଦ୍ରର ଛାତି ଭିତରେ ସେ କଅଁଳ ପିଲାପରି କଇଁ କଇଁ ହୋଇ କାନ୍ଦି ଉଠୁଥିଲା ।

ସେମାନଙ୍କ କାନ୍ଦ ଶୁଣି ବିନିତାର ମା ଅବରୁଦ୍ଧ କବାଟ ଫାଙ୍କାରୁ କଣେଇ ଚାହିଁଲେ ।

ଏତେ ଦିନକେ ପାଷାଣ ହୃଦୟ ତରଳିଲା । ତାଙ୍କରି ଦି’ ଆଖିରୁ ଦି’ ଧାର ସମବେଦନାର ଲୁହ ଝରି ପଡ଼ିଲା । କିନ୍ତୁ ଆଉ ଉପାୟ ନାହିଁ । ସକାଳ ପାହିଲେ ବିନୁ ବିଦାୟ ନେବ । ମାଆକୁ ଅଭିଶାପ ଦେଇ ସେ ଚାଲିଯିବ । ଉପାୟକୁ ହାତ ମୁଠାରୁ ଛାଡ଼ିଦେଇ ଏବେ ଅନୁତାପ କରୁଥିଲେ ।

ବିନୁ ଜିତେନ୍ଦ୍ରର ପଦଧୂଳି ନେଇ ସେ ଘରୁ ବିଦାୟ ନେଲା ।

ତହିଁ ଆରଦିନ ବେଳ ଦି’ ଘଡ଼ିକୁ ଝିଅ ବିଦାୟ ନେବ ।

ଜିତେନ୍ଦ୍ର ନିଜ ହାତର ସାଦା ମୁଦିଟି ଫିଟାଇ ବିନତା ଆଙ୍ଗୁଠିରେ ଗଳାଇ ଦେଲା । ବିନିତା ସେ ମୁଦିକୁ କପାଳରେ ଲଗାଇ ଚୁମ୍ୱନ କଲା । ବର୍ଷା ଆହୁରି ଛାଡ଼ି ନାହିଁ । ରହି ରହି ଅଜାଡ଼ି ଦେଉଛି । ବିନୁକୁ ପାଲିଙ୍କିରେ ବସାଇ ଯିଏ ଯେମିତି ଫେରି ଆସିଲେ । ବର୍ଷାର ଅବିଶ୍ରାନ୍ତ ଝର ମୁହଁରେ ଜିତେନ୍ଦ୍ର ସେମିତି ଛିଡ଼ା ହୋଇ ବିନୁକୁ ବୁଝାଉଥାଏ ।

ବିନୁର ଆଖିରେ ଅସରନ୍ତି ଲୁହ ଧାର ।

 

ସବାରି ଉପରୁ ଲୁହଭରା ଆଖିରେ ଅନାଇ ରହିଥାଏ ବିନିତା ! ସେହି ବର୍ଷଣ ମେଘ ତଳେ ଅସହାୟ ଭାବରେ ଛିଡ଼ାହୋଇ ଏଇ ଦୂରେଇ ଯାଉଥିବା ବିନିତାକୁ ଲକ୍ଷ୍ୟ ରଖିଥାଏ ଜିତେନ୍ଦ୍ର-

 

ତାଙ୍କର ଅତୀତକୁ, ଅତୀତର ସବୁଜ ସ୍ମୃତିକୁ ବହୁଦୂରେ ଛାଡ଼ିଦେଇ ପାଲିଙ୍କି ଅଜଣା ସଂସାରକୁ ମୁହାଁଇ ଥାଏ ।

 

ବିନିତା ପର ହୋଇଗଲା । ଆଜିଠୁ ସେ ହେଲା ବିଜୟର ପତ୍ନୀ । ବାସୁଦେବପୁରରେ କିଛିଦିନ ପାଇଁ ଅତିଥି ହୋଇଥିଲା । ଜିତେନ୍ଦ୍ର ସଙ୍ଗରେ କିଛିଦିନ ସାଙ୍ଗ ହୋଇ ଖେଳିଥିଲା । ସେ ସବୁର ମମତା ତୁଟାଇ, ସ୍ନେହ ଶିକୁଳୀ ଛିଣ୍ଡାଇ ବିନୁ ଉଡ଼ି ଉଡ଼ିକା ଚାଲିଗଲା ।

 

ବିନିତା ଚାଲିଗଲା । ସେ ଛାଡ଼ି ଦେଇଗଲା କେତୋଟି ଜୀର୍ଣ୍ଣ ଅତୀତର ଚିର ଉଜ୍ଜ୍ୱଳ ଅନୁଭୂତି । ଅନୁଭୂତିର ଅବୀର ମାଖି ଜିତେନ୍ଦ୍ର ଭାବୁଥିଲା ସେ ଏକାକୀ ହୋଇ ରହିନାହିଁ । ତାରି ଅତି ପାଖରେ ଛିଡ଼ା ହୋଇଛି କୁମାରୀ ବିନିତା । ଯୌବନକୁ ସାର୍ଥକ କରି କଳନାଦରେ ହସି ଉଠୁଛି-। କିନ୍ତୁ ଏ ସବୁ କାହିଁକି ? ପକ୍ଷୀ ଉଡ଼ଗଲା ପରେ ଖାଲି ପିଞ୍ଜରାକୁ ଚାହିଁଲେ କଣ ମନ ତୃପ୍ତ ହେବ ? ନଈ ଶୁଖିଗଲା ପରେ ଶୁଷ୍କ ଶଯ୍ୟାକୁ ହାତ ବଢ଼ାଇଲେ ସେ କଣ ତୃଷା ମେଣ୍ଟାଇବ ?

 

ଆଉ ଗୋଟିଏ ପକ୍ଷୀ ସେ ଖୋଜିବ । ଅଶୁଖା ନଈର ସନ୍ଧାନ କରି, ତାରି ତଟ ଉପରେ ବସିବ । ଯାହା ଚାଲିଗଲା, ସେ ଯାଇଛି । ଯାହା ଆସିବ, ତାହାହିଁ ତାର କାମ୍ୟ ।

 

ଜିତେନ୍ଦ୍ର କାନ୍ଦୁରା ମୁହଁରେ ହସିବାକୁ ଚେଷ୍ଟା କଲା ।

 

ବାସର ରାତିର ମଧୁଶଯ୍ୟା ଉପରେ ବସି ବିନିତା ଆକାଶ ପାତାଳ ଭାବୁଥିଲା । ଛାତି ତାର ଥରି ଥରି ଉଠୁଥିଲା । କୁମାରୀ ଜୀବନରେ ଯେଉଁ କେତୋଟି କଳ୍ପନାର ଫୁଲ ଫୁଟିଥିଲା, ତାହା ଅବେଳରେ ମଉଳି ଯାଇଛି । ଏଇ ଦେହ, ଏଇ ମନ ! କିନ୍ତୁ ଦେହ ଭିତରେ ତନ୍ୱୀ ଜୀବନର ଭାବପ୍ରବଣତା ନାହିଁ । ମନ ଭିତରେ ମଉସୁମୀର ସ୍ନିଗ୍‌ଧତା ନାହିଁ । ସବୁ ସରି ଯାଇଛି । ଯାହା ରହି ଯାଇଛି ସେ ବିନିତାର ପ୍ରକୃତ ରୂପ ନୁହେଁ । କେବଳ ଛାଞ୍ଚଟିଏ । ଆଉ ସେହି ଛାଞ୍ଚଟିହିଁ ବିନିତା ! ଅଜୟ ବାବୁଙ୍କର ଧର୍ମପତ୍ନୀ !

 

ବିଜୟ ବାବୁ କଣେଇ କଣେଇ ଚାହୁଁଛନ୍ତି । ଆଖିରେ ତାଙ୍କର କାମନାର ଝଡ଼ ଉଠିଛି । ବାସନାର ଲେଲୀହାନ ଶିଖା ସ୍ପର୍ଶ କରୁଛି ବିନିତାର ପ୍ରତ୍ୟେକ ଅବୟବକୁ । ମନ ଭ୍ରମର ପୁଷ୍ପିତା ଲତା ପାଖରେ ଅଳି କରୁଛି ଯେମିତି । ଗୁଣୁ ଗୁଣୁ ହୋଇ କହୁଛି, ମୋତେ ଦୟା ଦିଅ, ଅନୁମତି ଦିଅ !

 

ନିଝୁମ୍‍ ରାତିର ସବୁତକ ଆଳସ୍ୟ ଯେମିତି ଗଦା ହୋଇଛି ଏହି ଫୁଲଶେଯ ଉପରେ !

 

ଅଳକାପୁରୀର ଅଳିଅଳ ରାଜଜେମା ନିଃଶବ୍ଦ ରାତ୍ରିର ନିର୍ଜନ ପଲଙ୍କରେ ଶୋଇ ଶୋଇ ସ୍ୱପ୍ନ ଦେଖୁଥିବ ।

 

ରୂପ କନ୍ୟା ‘ମଦାଳସା’ ରାତ୍ରିର ଏହି ଦ୍ୱିତୀୟ ପ୍ରହରରେ ଚେଇଁ ବସି ଅଳସରେ ମୋଡ଼ି ମୋଡ଼ି ହୋଇ ପୁଣିଥରେ ଶୋଇବାକୁ ଚେଷ୍ଟା କରୁଥିବ ।

 

ବନସ୍ତରେ କେଉଁ ଏକ ଚପଳ ମତି କନ୍ଧ ଝିଅ କଦମ୍ୱ ମୂଳର ବଂଶୀ ଶୁଣି ଅଣନିଃଶ୍ୱାସୀ ହୋଇ ଧାଉଁଥିବ ! !

 

ବିନିତା ଆଉ ବିଜୟବାବୁ ବାସର ରାତିର ଆଶୀର୍ବାଦକୁ ଅପେକ୍ଷା କରିଛନ୍ତି । କନ୍ଦର୍ପ କାମ ଧନୁରେ ଗୁଣ ଦେଉଛି । ରତି କଣେଇ କଣେଇ ହସୁଛି ।

 

ବିନିତା ଆଉ ବିଜୟବାବୁ ଶୋଇ ପାରି ନାହାନ୍ତି । ଉଭୟଙ୍କ ଆଖିରୁ ନିଦ କିଏ ଛଡ଼ାଇ ନେଇଛି । ସ୍ୱପ୍ନସୁନ୍ଦର କଳ୍ପନା ଆଖିରେ ପାଣି ମାରି କହିଛି, ଶୋଇ ଯାଅନା ! ଆକାଶର ସେହି ସଂଯୋଗ ତାରାଟି ଉଇଁଲେ ମନସ୍କାମନା ପୂର୍ଣ୍ଣ ହେବ । ଏଇନେ ପ୍ରତୀକ୍ଷ ର ପାଳି ପଡ଼ିଛି ।

 

ବିନିତା ଏତେ ପାଖରେ ଥାଇବି’ ବିଜୟବାବୁଙ୍କର ମନେ ହେଉଛି ସେ ଅନେକ ଦୂରରେ-। ଭିଡ଼ି ଆଣିବାକୁ ମନ କଲେ ହାତ ଅଙ୍ଗୁଳି ଥରୁଛି ।

 

ଆଉ ବିନିତା ? ବିଜୟବାବୁଙ୍କ ସମସ୍ତ ଶ୍ରଦ୍ଧାକୁ ଉପହାସ କରି କାନ୍ଦି ଉଠୁଛି । ଏ ବାସର ରାତି ସତେ ଯେମିତି ତାରି ଜୀବନର ମୂର୍ତ୍ତିମନ୍ତ ଅଭିଶାପ । କିନ୍ତୁ ତାର ଏହି ନୀରବ, ବିକଳ କ୍ରନ୍ଦନ ବିଜୟବାବୁଙ୍କ କାନରେ ପଡ଼ୁନାହିଁ । ସେ ଖାଲି ଅପେକ୍ଷା କରିଛନ୍ତି ତାଙ୍କର ପ୍ରାଣାଧିକ ପତ୍ନୀର ପହିଲି ହସ ଦେଖିବାକୁ । ଅତି ପାଖକୁ ମୁହଁ ନେଇ ସେ ଏକାଗ୍ର ଭାବରେ ଚାହିଁବେ ପ୍ରିୟତମା ବିନିତାର ସରମ ଢଙ୍କା ଚାହାଣୀ । ଓଢ଼ଣା ଭିତରେ ସେ ଏଇ ହସିଲା ଚନ୍ଦ୍ର ପରି ସୁନ୍ଦର ଦେଖାଯାଉଥିବ । ତାର ମସୃଣ ଅଙ୍ଗ ପ୍ରତ୍ୟଙ୍ଗରେ ଫୁଟିଲା ଫୁଲର କାନ୍ତି ଥିବ । ବର୍ତ୍ତୁଳ ବକ୍ଷର ପ୍ରତିଟି ଲୋମକୂପରେ ରୋମାଞ୍ଚର ଶତ କଦମ୍ୱ ଫୁଟିଥିବ । ଦ୍ୱୀପଶିଖାର ଆଲୋକ ପରାଜୟ ସ୍ୱୀକାର କରିବ ତାର ବିବସ୍ତ୍ର ଦେହର ରୂପ ସମ୍ଭାରରେ । ବିଜୟବାବୁ ନିଜ ଭାବନାରେ ନିଜେ ବୁଡ଼ି ଯାଇଥିଲେ । ଶରୀରର ପ୍ରତ୍ୟେକଟି ଶିରାପ୍ରଶିରାରେ ବିଜୁଳୀ ଖେଳୁଥିଲା ।

 

କିନ୍ତୁ ନବବଧୂ ବିନିତା ? ତାର ବାରମ୍ୱାର ମନେ ପଡ଼ୁଛି ଜିତେନ୍ଦ୍ର କଥା । ବାସର ରାତିର ଏହି ଆଡ଼ମ୍ୱରବହୁଳ ସାଜସଜ୍ଜା ତାରି ମନ ଭିତରେ ଶିହରଣ ସୃଷ୍ଟି କରୁନାହିଁ । ସେ ଖାଲି ମନେ ମନେ ଖୋଜି ହେଉଛି ଅତୀତକୁ । ଯେଉଁଠି ଜିତୁଭାଇଙ୍କୁ ସେ ହଜାଇ ଦେଲା ।

 

ବିଜୟବାବୁ ଅସ୍ଥିର ହୋଇ ଉଠିଲେ । ବାସର ରାତିର ଚନ୍ଦ୍ର କି ସୁନ୍ଦର ସତରେ ! ଦେହ ଓ ପ୍ରାଣ ଏକାକାର ହୋଇ ଉପଭୋଗ କରୁଛନ୍ତି ଏହି ଫୁଲ ବିଂଛା ଜୋଛନାକୁ । ପଶ୍ଚିମା ପବନରେ ଅପରାଜିତାର ସୁଗନ୍ଧ ମିଶିଛି । ଆଜିର ଏ ରାତି, ଏ ଚନ୍ଦ୍ର, ଏ ପବନ କି ଚମତ୍କାର ! ଚନ୍ଦ୍ରର ସ୍ୱପ୍ନିଳ, ଉତ୍ତେଜନାଦାୟକ ଅଂଶଟି ଯେମିତି ଅଟକି ଯାଇଛି ପୁଷ୍ପବତୀ ବିନିତା ଦେହରେ !

 

ବିଜୟବାବୁ ଉତ୍ତେଜନାରେ ଗୋଟାପଣେ ବୁଡ଼ିଯାଇଛନ୍ତି । ସେ ଏକାଗ୍ରଭାବରେ ମୌନବତୀ ବିନିତାକୁ ଚାହିଁଲେ । ବିନିତାର ଅନାବୃତ ଅଂଗରୁ ଲାବଣ୍ୟର ଝର ଫିଟୁଛି । ସ୍ନିଗ୍‌ଧ, ରୁଚିର ବେଣୀ ସଜ୍ଜରୁ ମଦିର ଗନ୍ଧ ବହୁଛି । ଏ ସୁଗନ୍ଧ, ଏ ଲାବଣ୍ୟକୁ ହାତ ବଢ଼ାଇ ତୋଳି ଆଣିବାକୁ ହେବ ! ଶିରାରେ, ଶିରାରେ ସମ୍ଭୋଗର ଯେଉଁ ଦୂରନ୍ତ ଝଡ଼ ଉଠୁଚି, ତାର ଏକମାତ୍ର ସମାଧାନ ଏହି ବିନିତା !

 

ବିନିତା ଅଭିମାନ କରିଛି ବୋଧହୁଏ । ଅଭିମାନିନୀ ବିନିତା କି ସୁନ୍ଦର ଦେଖାଯାଉଛି ! ତାରି ଏଇ ନାରୀସୁଲଭ ଅଭିମାନକୁ ଆୟତ୍ତ କରିବାକୁ ହେବ । ଅଭିମାନ ଭାଙ୍ଗିବାକୁ ଅନୁରୋଧ କରିବାକୁ ହେବ ।

 

ବିନିତାର ଅଭିମାନ ଭାଙ୍ଗିଲେ ସେ ବେକ ଭାଙ୍ଗି ଚହିଁବ । ଫୁଲର ପହିଲି ହସ ପରି ତା’ ଚାହାଣୀରେ ଜୀବନ ଥିବ । ଆନତ, ଅନାୟତ୍ତ ଆଖି ଡୋଳାରୁ ଲାଜର ଲାଲିଆ ଅସରା ଝରୁଥିବ । ଗୋଲାପୀ ଅଧରଯୁଗଳ ଉତ୍ତେଜନାରେ ଥରି ଥରି ଉଠୁଥିବ ।

 

ବିନୁ ! ବିଜୟବାବୁ ଅସ୍ପଷ୍ଟ କଣ୍ଠରେ ଡାକିଲେ । ପ୍ରିୟତମାକୁ ଏଇ ସର୍ବପ୍ରଥମ ସମ୍ୱୋଧନ । ଏଇ ନାମରେ ନାମିତ ହେବ ବିନିତା । ସମୟପ୍ରବାହରେ ସବୁ ଲୁଚିଗଲେବି’ ପହିଲି ସମ୍ୱୋଧନର ଅନୁଭୂତି ଟିକିଏ ଦରଦ ହୋଇ ରହିଥିବ ।

 

ଠିକ୍‌ଏମିତି ଭାବରେ ଡାକନ୍ତି ଜିତୁଭାଇ । ସ୍ନେହ ଓ ସୋହାଗ ଝିରି ଝିରି ହୋଇ ଝରୁଥାଏ ।

 

ବିନୁ ! ଆଉଥରେ ଡାକୁଛନ୍ତି ବିଜୟବାବୁ । କଣ୍ଠରେ ଅଧୈର୍ଯ୍ୟ ମନୋଭାବ । ସତେ ଯେମିତି ଅସହାୟ ପକ୍ଷୀଶାବକଟିଏ ଶରୀରପାଦପରେ ସାମାନ୍ୟ ଆଶ୍ରୟ ମାଗୁଛି । ଟିକିଏ ସହାନୁଭୂତି ସକାଶେ ହାତ ବଢାଉଛି ।

 

ନା, ସେ ଅସ୍ୱୀକାର କରିବ । ଏହି ବିଭ୍ରାନ୍ତ ପୁରୁଷକୁ ଅତୀତର ସବୁକଥା ଖୋଲି କହିବ-। ସବୁକଥା ଜାଣି ସାରିଲା ପରେ କଣ ସେ ଆବଦ୍ଧ ପଞ୍ଜୁରୀକୁ ଖୋଲି ଦେବନି’ ? ସେ ମୁକ୍ତି ଚାହେଁ । ମୁକ୍ତ ହେଲେ ପର ଝାଡ଼ି ଝାଡ଼ି ଜିତୁଭାଇ ପାଖକୁ ଚାଲିଯିବ, ଆଉ କହିବ, ମୁଁ ଫେରି ଆସିଲି ଜିତୁଭାଇ ! ତୁମରି ଭରସାରେ ଛୁଟି ଆସିଛିଁ । ଆମର ନିର୍ମଳ ପ୍ରେମର ଜୟ ହେଲା । ଏଥର ତୁମର ପାଦ ତଳେ ଟିକିଏ ସ୍ଥାନ ଦିଅ !

 

କିନ୍ତୁ ଏ ସମାଜ ? ସମାଜର ସଂସ୍କାର ? ? ବାପ ମା କଣ ଭାବିବେ ? ଜିତୁଭାଇ କଣ ଗ୍ରହଣ କରିବେ ତାକୁ ? ଯଦି ନ ହୁଏ ? ସକାଳ ପାହିଲେ ଏହି ରୋମାଞ୍ଚକର ବାର୍ତ୍ତାଟି ପ୍ରତ୍ୟେତ ପରିବାରକୁ ପହୁଞ୍ଚିଯିବ । ଦଳ ଦଳ, ପୁଂଜା ପୁଂଜା ହୋଇ ତାରି କଥା ପକାଇବେ । ରକ୍ତମୁହାଁ ଛଞ୍ଚାଣ ପରି ତାରି ଚରିତ୍ର, ଜିତୁଭାଇଙ୍କ ପ୍ରେମ ଓ ଏହି ବିଜୟବାବୁଙ୍କ ଭବିଷ୍ୟତକୁ ପୁଳା ପୁଳା କରି ଖାଇ ଯିବେ । ଆଲୋଚନାର ଆଧାର ହେବ ସେ ଆଉ ତାର ବାପ ମା ।

 

ବିଜୟବାବୁ ପାଖେଇ ପାଖେଇ ଆସୁଛନ୍ତି ।

 

ତୁ ଯା ବିନୁ ! ମୁଁ ହାରିଗଲି । ତୁ ସୁଖରେ ଘର ସଂସାର କଲେ ଶୁଣି ଖୁସିହେବି । ଜିତୁଭାଇ ପାଲିଙ୍କି ପାଖରେ ଛିଡ଼ାହୋଇ ଆଶୀର୍ବାଦ କରୁଥିଲେ ।

 

ମୁଁ କଣ କରିବି ଜିତୁଭାଇ ?

 

ଝିଅଟିଏ ତୁ । କଣ ଆଉ କରିବୁ ? ଘରର ସଂସାରକୁ ହସାଇବା ଭାର ତୋରି ଉପରେ-। ଚାହିଁଲେ ସେ ହସିବ, ନ ଚାହିଁଲେ ଧୂଳିସାତ୍‌ହେବ । ମୁଁ କିନ୍ତୁ ଚାହେଁ, ପରିବାରର ସବୁ ଲୋକ ସୁଖୀ ହୁଅନ୍ତୁ । ତୁ ସବୁତକ ଭୁଲି ଆଉ ଗୋଟିଏ ନୂଆ ଜନ୍ମ ନେ ।

 

କିନ୍ତୁ ଆମର ଅତୀତ ?

 

ଅତୀତକୁ ଭୁଲି ଯିବୁ ।

 

ଆଉ ତୁମେ ?

 

ମୁଁ ବି ।

 

ପାରିବ ?

 

ଚେଷ୍ଟା କରିବି ।

 

ପାରିବ ନାହିଁ ଜିତୁଭାଇ ! କଦାପି ପାରିବ ନାହିଁ । ଶୋଇ ପଡ଼ିଲେ ଆଖିର ସପନ ହୋଇ ସେ ଆସିବ । ଚେତା ଥିଲା ଯାଏ ମନର ଛାଇ ହୋଇ ବୁଲୁଥିବ । ଜୀବନର ଏତେ ବଡ଼ କଥା କଣ ଏତେ ସହଜରେ ଭୁଲିହୁଏ ?

 

ତୁ’ କିନ୍ତୁ ଭୁଲିଯିବୁ ବିନୁ । ମନେ ପକାଇ ଲାଭ ନାହିଁ ।

 

ମୁଁ ବି ପାରିବି ନାହିଁ । ସେ ଯେ ମନ ଗହନର ଗହୀର ଗାର । ଭାବନା ସେଇଠି ଅଟକି ଯାଏ ।

 

ସେ ଗାରକୁ ନିଜ ହାତରେ ପୋଛି ସମାନ କରିଦେବୁ ।

 

ସେ କଣ ପୋଛି ହେବ ? କଣ ପାଣିଗାର କି ପବନ ଗାର ହୋଇଛି ?

 

ଜିତୁଭାଇ ଦମ୍ଭଧରି ଛିଡ଼ା ହୋଇ ପାରିଲେ ନାହିଁ । ତା ମୁହଁକୁ ଚାହିଁବାକୁ ସତେ ଯେମିତି ତାଙ୍କର ସାହସ ହେଉ ନଥିଲା । ସେହି ଝିପି ଝିପି ବରଷା ଭିତରେ ସେ ମିଳାଇ ଗଲେ । ତା ଆଖିର ଲୁହକୁ ଆଉ ଦେଖି ନାହାନ୍ତି । ତା’ ହୃଦୟର ଦରଦକୁ ଆଉ ପଢ଼ିନାହାନ୍ତି ।

 

ଜିତୁଭାଇ କହୁଥିଲେ, ସେ ସୁଖରେ ସଂସାର କରିବ । ପରର ପରିବାରକୁ ଆପଣାର କରି ହସାଇବ ।

 

ବିନୁ ! ...ସେହି ଅଳସ ଅଳସ ଡାକ । ଆଦର ବୋଳା କଣ୍ଠ ।

 

ବିନୁ ଆଖିର ଅମାନିଆ ଲୁହ ସବୁ ନୀରବରେ ପୋଛି ନେଇ ବିଜୟବାବୁ ମୁହଁକୁ ଚାହିଁଲା । ଆଖି ଆଗରେ ଅସ୍ପଷ୍ଟ ଦେଖାଗଲା ଜିତୁଭାଇଙ୍କ ମୁହଁ । ବିଜୟବାବୁ ଓଠରେ ଓଠ ମିଳାଇ ସତେ ଯେମିତି କହୁଛନ୍ତି, ପାଖକୁ ଆ ବିନୁ ! ଆହୁରି ପାଖକୁ ଘୁଂଚି ବ’ । ସାଥି ହୋଇ ଶାଶ୍ୱତ ଆନନ୍ଦକୁ ଅନୁଭବ କର । ତାହାହିଁ ଅନନ୍ତ ସୃଷ୍ଟିର ଭାଷା ।

 

ବିନୁର ମନେ ହେଲା ସେ ସତେ ଯେମିତି ଘିଅଭିଜା ସଳିତାଟିଏ । ନିଆଁରେ ଲାଗିଲେ ଜଳିବା ତାର ଧର୍ମ । ତା’ ବ୍ୟତୀତ ଆଉ କିଛି ନୁହେଁ ।

 

ଏଇ ବିଜୟବାବୁ ଶେଷକୁ ବିଜୟୀ ହେଲେ ।

 

ବିନୁ ବିଜୟବାବୁଙ୍କ ବାହୁବଳୟରେ ବନ୍ଦିନୀ ହୋଇ ପରାଜୟ ସ୍ୱୀକାର କଲା । ତାର ଅଭିମାନ, ଅଭିଯୋଗ ସବୁ ପାଣି ଫୋଟକା ପରି ଉଭେଇ ଗଲା । କାମନାଗ୍ନିର ଇନ୍ଧନ ହୋଇ ବିନୁ ଦିକି ଦିକି ହୋଇ ଜଳି ଉଠୁଛି । ଶରୀରର ଉତ୍ତାପ ଦେଇ ବିଜୟବାବୁଙ୍କୁ ଉଷ୍ଣ କରିଛି ।

 

ଏହାହିଁ ଛଇଳୀ ନାରୀର ଅସଲ ରୂପ ! ସବୁ କରି ପାଶୋରି ଯାଏ । ସବୁ ମନେ ରଖି, ଭୁଲି ଯାଇଛି ବୋଲି କହେ । ତା ମନରେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଉଇଁଛି । ବାହାର ଦୁନିଆକୁ ବିଭିନ୍ନ ସମୟ ଓ ଅବସ୍ଥାରେ କେବଳ ଗୋଟିଏ ଗୋଟିଏ ରଂଗ ଦିଶେ । ଏ ଘଡ଼ିର ରଂଗ ଆର ଘଡ଼ିକୁ ନାହିଁ । ଲାଲ ବଦଳି ନୀଳିଆ ହେଲାଣି ତ ଆର ମୁହୁର୍ତ୍ତରେ ନେଳୀ ବଦଳରେ ଦିଶୁଛି ସବୁଜ ରଂଗ-। ସବୁତକ ସୁନ୍ଦର ଦିଶେ । ଛଇଳୀ ତରୁଣୀର ସବୁବେଳେ ଜୟ ହୁଏ ।

 

ବିଜୟବାବୁ ଭାବୁଥିଲେ ସେ ଜୟ କରିଛନ୍ତି । ପରମ ଆଗ୍ରହରେ ବିନିତାର ଲହଣୀକୋମଳ ଅଂଗଳତାକୁ ଆଶ୍ଳେଷ କରି ତାର ପଦ୍ମଫୁଲ ଦୁଧ ଅଳତା ମିଶା ଗାଲ ଦି’ଟାକୁ ବାରମ୍ୱାର ଚୁମ୍ୱନ କରୁଥିଲେ ।

 

ବିନିତା ମନ୍ଦାର ପରି ଲାଜ ପଡ଼ି ଯାଇଥିଲା ।

 

ନିଝୁମ, ନିଶୂନ ବାସର ରାତିର ଅଂଧକାର ବି’ ପରିହାସ କରି ହସି ଉଠୁଥିଲା ।

 

ବିନିତା ଦୁଇଭାଗ ହୋଇ ଯାଇଛି ।

 

ଶରୀର ଓ ମନ, ଭିତରେ ବାହାର ହୋଇ ଦୁଇଭାଗ ! ସେ ଖାଲି ବିଜୟବାବୁଙ୍କର ପତ୍ନୀ ନୁହେଁ । ଜିତେନ୍ଦ୍ରର ପ୍ରେମିକା ବି’ ।

 

ପତ୍ନୀ ଭାବରେ ପ୍ରେମ କରେ, ହସେ, ବୁଲେ, ମଉଜ କରେ ଅଥଚ ରାତି ଅଧରେ ନିଦ ଭାଙ୍ଗିଗଲେ କାହାରି ମୁହଁକୁ ନ ଚାହିଁ ଭାବେ ଜିତେନ୍ଦ୍ର କଥା । ଗଲା କଥା ଗୋଟି ଗୋଟି ହୋଇ ମନେ ପଡ଼େ । ଜିତୁଭାଇଙ୍କ ଅନାବିଳ ପ୍ରେମ ସ୍ମୃ୍ତ ବିରହିଣୀ ବିନିତା ଆଖିରେ ଲୁହ ଭରେ ।

 

ଜିତୁଭାଇ ଆହୁରି ବାହା କରି ନାହାନ୍ତି । ସେ କଣ କେବେହେଲେ ବାହା କରିବେ ନାହିଁ-? ଉଭୟେ ଦିନେ ପ୍ରତିଜ୍ଞା କରିଥିଲେ ପରସ୍ପରକୁ ବିବାହ କରିବେ । ବିବାହିତ ଜୀବନର ସୁଖଦୁଃଖକୁ ସମାନ ଭାବରେ ବାଣ୍ଟି ଉପଭୋଗ କରିବେ । ସେ ପ୍ରତିଜ୍ଞା ରହିଲା ନାହିଁ । ମାଆର ନିଷ୍ଠୁର ଅଭିଳାଷକୁ ସମ୍ମାନ ଦେଖାଇ ପରଘରୀ ହେବାକୁ ପଡ଼ିଲା ।

 

ଜିତୁଭାଇ ଏବେ ସେହି ସ୍ମୃତିର ଚାଦର ଘୋଡ଼ାଇ ହୋଇ ନିଜ ମନର ବିବାହ କଳ୍ପନାକୁ ଲୁଚାଇ ରଖିଛନ୍ତି । ବସନ୍ତର ଉନ୍ମାଦ ପବନ, ଶରତର ଶୁଭ୍ର ସତେଜ ସକାଳ, ଶୀତର ସୁଦୀର୍ଘ କଳାରାତି ତାଙ୍କ ନିର୍ଜନ ମନ ଭିତରେ କୌଣସି ଆଲୋଡ଼ନ ସୃଷ୍ଟି କରି ନାହିଁ । ଆଖି ଆଗରେ ପରନ୍ତା ଯୌବନର ଝରିଲା ରୂପକୁ ଦେଖୁଛନ୍ତି । କାହିଁକି ତାଙ୍କର ବୈରାଗ୍ୟ ? ଏ ବିଡ଼ମ୍ୱନାର ଉତ୍ତର ଦେବ କି, ?

 

ବିନିତା ନିଜ ଦେହକୁ ମୁହଁକୁ ଚାହେଁ । ଜିତୁଭାଇଙ୍କ ଅନୁପସ୍ଥିତିରେ ବି’ ସେ ବଂଚିଛି । ଯାହା ଦିନେ ନିତାନ୍ତ ଅସମ୍ଭବ ମନେ ହେଉଥିଲା, ଆଜି ସତ୍ୟରେ ପରିଣତ ହୋଇଛି । ଭରା ଛାତି ଥରି ଉଠୁ ନାହିଁ କି’ ଲୋହିତ ଅଧର ନିସ୍ତେଜ ପଡ଼ୁନାହିଁ । ଯୌବନ ଜିତୁଭାଇଙ୍କୁ ଅପେକ୍ଷା ରଖିନାହିଁ-। କିନ୍ତୁ ଜିତୁଭାଇ ନିଜ ବୟସର ଆହ୍ୱାନକୁ ଆଡ଼େଇ ଦେଉଛନ୍ତି କାହିଁକି ?

 

ବିନିତା ଗୀତ ଗାଇବା ଛାଡ଼ି ଦେଇଛି । ସତେ ଯେମିତି ଜିତୁଭାଇ ସକାଶେ ଏତକ ତ୍ୟାଗ କରିଛି । ତାଙ୍କୁ ସବୁଦିନକୁ ମନେ ରଖିବା ପାଇଁ ନିଜ କଣ୍ଠର ଗୀତ କେଇପଦ ବନ୍ଧାଦେଇଛି । କାହାପାଇଁ ବା’ ଗାଇବ ? କିଏ ସେ ବୁଝିବ ମନ ଗହନର ବାର୍ତ୍ତା ? ଜିତୁଭାଇ ଗୀତ ଶୁଣି ମୁଗ୍‌ଧ ହେଉଥିଲେ । ଗାଉଥିବା ଯାଏ ପଲକ ନପକାଇ ଏକ ଧ୍ୟାନରେ ଶୁଣୁଥାନ୍ତି । ମନେ ହୁଏ ସେ ଗୀତ ଶୁଣୁ ନାହାନ୍ତି ଯେ ପିଇ ଯାଉଛନ୍ତି । ଛୋଟ ଛୋଟ ଆଖି ପତାରେ ଅଳସ ଜମି ଜମି ଆସେ । ମୁଖମଣ୍ଡଳରେ ମଳୟ ଅଟକି ଯାଏ । ଆଖି ଡୋଳାରୁ ସ୍ୱପ୍ନ ଝରେ । ଥରିଲା ଓଠରେ ଉତ୍ତେଜନା ଜମି ଆସେ । ସେ ଚକିତ ପତଙ୍ଗ ପରି ଅନଳ ସ୍ନାନ କରୁଥାନ୍ତି ।

 

ତାଙ୍କର ଏହି ଅଳସ ମୁହଁକୁ ଦେଖିବାକୁ ଖୁବ୍‌ଭଲ ଲାଗେ ।

 

ବିନିତା ଉତ୍ସାହ ପାଇ ଆହୁରି ଗାଏ । ତାର କୋକିଳ କଣ୍ଠ ବାୟୁମଣ୍ଡଳରେ ତରଙ୍ଗ ସୃଷ୍ଟି କରେ । ଜିତୁ ଭାଇ ଉତ୍ତେଜନାର ଭାର ସମ୍ଭାଳି ପାରନ୍ତିନି’ । ସେ ଢୁଳେଇ ପଡ଼ନ୍ତି ବିନିତାର ପୁଷ୍ପିତ ଦେହଲତା ଉପରେ । ଥରିଲା ହାତରେ ଜିତୁଭାଇଙ୍କୁ ଉଠାଇ ଆଣି ବିନିତା ନିଜ ଇଚ୍ଛାରେ କଅଁଳ କୋଳ ଉପରେ ରଖେ । ତାଙ୍କର ଆଲୁଳାୟିତ କେଶକୁ ସଜାଡ଼ୁ ସଜାଡ଼ୁ ସେ ଗୁଣୁ ଗୁଣୁ କରି ଗୁଡ଼ାଏ ଗୀତ ଗାଏ । ଜିତୁଭାଇଙ୍କ ନାକପୁଡ଼ା ଫୁଲି ଫୁଲି ଯାଏ । କପାଳର ରେଖା କୁଂଚିତ ହୋଇ ଉଠେ । ବିନିତା ନିଜର ଏହି ଅଲୌକିକ ସାଫଲ୍ୟରେ ଉତ୍ସାହିତ ହୁଏ ।

ଗୀତରେ ସେ ନିଜ ମନକୁ ଜିତୁଭାଇଙ୍କ ଆଗରେ ଖୋଲି ପକାଏ । ମନରେ ଏଡ଼ିକି ଟିକିଏ ସଙ୍କୋଚ ନାହିଁ । ନିଜକୁ ପ୍ରକାଶ କରିବାରେ ଯେମିତି ପରମ ଆନନ୍ଦ ନିହିତି ଅଛି ।

ଆଜି ଗୀତ ଗାଇଲେ ତା’ କଣ୍ଠରୁ ଯେଉଁ ଭାଷା ଝରନ୍ତା, ସେ ତ’ ଆଗର ପରି ଆନନ୍ଦଦାୟକ ହୁଅନ୍ତା ନାହିଁ ! ସେ ହୁଅନ୍ତା ତା’ ମନର ଛୋଟ ବଡ଼ ଅନେକ ଅଭିଯୋଗ । ବିଜୟବାବୁଙ୍କ ଉପରେ ତା’ ମନର ସବୁ ଦ୍ୱନ୍ଦ ଅଜାଡ଼ି ହୋଇ ପଡ଼ନ୍ତା । ବିଜୟବାବୁ କଣ ଖୁସି ହୋଇ ପାରନ୍ତେ ? ଏମିତି ନୀରବ, ନିଥର ରହିବା ଭଲ । ପଥର ପରି ପଡ଼ିରହି ଦୁଃଖସୁଖର ସହସ୍ର ଜଂଜାଳକୁ ସହି ହେବ ।

ଏହି ପଥର ହେବାରେହିଁ ଆଜି ଆନନ୍ଦ !

ବିଜୟବାବୁ କ୍ଷୁଣ୍ଣ ମନରେ ତାପସୀ ବିନିତାକୁ ଚାହାନ୍ତି । ତାଙ୍କର ସଂସାର ଭିତରେ ଥାଇବି’ କୌଣସିଟିରେ ସଂପୃକ୍ତା ନୁହେଁ । ଚିନ୍ତାମଗ୍ନା ବିନିତାକୁ ହସାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ପରାଜୟହିଁ ପ୍ରାପ୍ତି ହୁଏ । ବିନିତା ହସ ଖୁସି ପରିବାରର ପ୍ରବାହ ସଙ୍ଗେ ନିଜକୁ ମିଶାଇ ପାରେନା । ଆଷାଢ଼ ମାସର ପୂରନ୍ତା ନଈରେ ଗୋଳିଆ ପାଣିତକ ଯେମିତି ବାଛି ହୋଇ କଡ଼େଇ ରହେ, ବିନିତା ନିଜର ବ୍ୟକ୍ତଗତ ଚିନ୍ତାକୁ ସାଙ୍ଗରେ ଧରି ପରିବାରର ଅନ୍ୟାନ୍ୟମାନଙ୍କ ଆଗରେ ସେମିତି ଛଡ଼େଇ ରହେ । ସେ ହସି ପାରେନା କି ଖୁସି ହୋଇ ପାରେନା । ସତେ ଯେମିତି ତାଙ୍କ ସଂସାରର ଏକ ଯାନ୍ତ୍ରିକ ଅଂଗଟିଏ ସେ ।

ବିଜୟବାବୁ ବ୍ୟସ୍ତ ହୁଅନ୍ତି । ନିଜ ପତ୍ନୀର ଜଟିଳ ମୁହଁକୁ ଚାହିଁଲେ ତାଙ୍କର ମନେ ହୁଏ, ସେ ସତେ ଯେମିତି ସ୍ୱାମୀ ହେବା ସକାଶେ ଅନୁପଯୁକ୍ତ । ଏ ଦାୟିତ୍ୱ ତୁଲାଇବାର ଶକ୍ତି ତାଙ୍କର ନାହିଁ । ସେଇଥିପାଇଁ ସ୍ୱତନ୍ତ୍ର ଶିକ୍ଷା ଦରକାର ।

ପୁରୁଷ ଜୀବନର ଆର ଅଧକ ପତ୍ନୀ । ବାହାରେ ତାର ପରିଚୟ ଅଲଗା ହେଲେ ବି’ ଘର ଭିତରେ ଗୃହସ୍ଥ । ବିଭାପରେ ବାପ ମା ଛଡ଼ାଇ ଛଡ଼ାଇ ରହୁଛନ୍ତି । ଅଧିକାଂଶ ସମୟ ଭୁବନେଶ୍ୱରରେ ନ ରହି ଚାଷ ଗାଁରେ ରହୁଛନ୍ତି । ଅବଶିଷ୍ଟ ଜୀବନକୁ ଶାନ୍ତିରେ କଟାଇବାକୁ ଚାହାନ୍ତି । ତାଙ୍କୁ ଜଞ୍ଜାଳ ଭିତରକୁ ଭିଡ଼ି ଆଣିବା ଉଚିତ ହେବନାହିଁ । ଏ ପରିବାରକୁ ସେ ନିଜେହିଁ ସମ୍ଭାଳିବେ ।

ବିଜୟ ବାବୁଙ୍କର ମନେ ହୁଏ ଏ ପରିବାରର ଛୋଟ ବଡ଼ ସମସ୍ତ ଦାୟିତ୍ୱ ତୁଳନାରେ ବିନିତାର ଏକମାତ୍ର ଦାୟିତ୍ୱହିଁ ସର୍ବାଧିକ ।

ବିଜୟ ବାବୁ ବିନିତାକୁ ପାଖରେ ବସାଇ ଜୀବନର ଛୋଟବଡ଼ ଅନେକ ଘଟଣା କହନ୍ତି-। ତାଙ୍କର ଧାରଣା, ଜଞ୍ଜାଳରୁ ଦୂରେଇ ରଖି ଅନ୍ୟ କୌଣସି ଆକର୍ଷଣ ସଙ୍ଗେ ବିନିତାକୁ ପରିଚୟ କରାଇ ଦେଲେ ହୁଏତ ସେ ଭାବିଲା କଥା ଭୁଲିଯିବ । ହସ ପରିହାସର କଥା କହିଲା ବେଳେ ବାଧ୍ୟ ହୋଇ ହସିବାକୁ ଚେଷ୍ଟା କରେ । କିନ୍ତୁ ତା’ ହସରେ ଜୀବନ ନ ଥାଏ । ସେ ଏକ କରୁଣ, ପାଶୁଳ ହସ । ତା ହସ ଗ୍ରନ୍ଥିରେ କଳଙ୍କ ଲାଗି ଯାଇଛି । ତା’ ମନ ଭିତରେ ଏମିତି ଏକ କାରଣ ରହିଛି, ଯାହା ଫଳରେ ସେ ହସିପାରେ ନାହିଁ ।

ବିନିତାର କଣ ହୋଇଛି ?

ପ୍ରଥମ ଦର୍ଶନ ବେଳେ ସେ ଏମିତି ନ ଥିଲା ।

ଆଜି ସବୁ ଅଛି, ଅଥଚ କିଛି ନାହିଁ । ତା ପାଦରୁ ବନ ଝରଣାର ଚପଳ ଛନ୍ଦ କିଏ ଛଡ଼ାଇ ନେଲା । ମୁଖମଣ୍ଡଳରୁ ମନଟଣା ମାଧୁର୍ଯ୍ୟ କିଏ ଚୋରାଇ ନେଲା । ଆଖିର ସେହି ତରଙ୍ଗ ତରଙ୍ଗ ଚାହାଣୀକୁ କିଏ ଲୁଚାଇ ରଖିଲା ।

 

ବିନିତାକୁ ଦେଖିଲେ ଦୟା ଆସୁଛି, ତଥାପି ତାକୁ ଖୁସି ରଖିବାକୁ ହେବ । ହାତ ଧରି ବାହା ହୋଇଛନ୍ତି ଯେତେବେଳେ ସବୁ ଦାୟିତ୍ୱ ତାଙ୍କର । ତାକୁ ଖୁସି ରଖିଲେ ଯାଇ ଘର ସୁନ୍ଦର ଦିଶିବ ।

 

ବିନିତାକୁ ପଚାରିଲେ କିଛି କହେ ନାହିଁ । କଥାଟାକୁ ହାଲୁକା କରି ଦେବାକୁ ଫିକାଶିଆ ହସ ହସେ । ବେଶୀ ପଚାରିଲେ ବିଜୟ ବାବୁଙ୍କ ମୁହଁକୁ ଜଳ ଜଳ କରି ଅନାଏ । ନିସ୍ତେଜ ଆଖି ଡୋଳାରେ ଅଭିମାନ ନ ଥାଏ କି ଅଭିଯୋଗ ନ ଥାଏ । ଖାଲି ଥାଏ କ୍ଳାନ୍ତିର ଶୈଳୀ । ସେ ଆଖି ସତେ ଯେମିତି କହୁଥାଏ, ମତେ ପଚାରୁଛ ସିନା ମୁଁ ଉତ୍ତର ଦେଲେ ସହି ପାରିବ ? ତାଠୁଁ ବରଂ ମୁଁ ଯେମିତି ଅଛି ସେମିତି ଗ୍ରହଣ କର । ମୋରି ଭାବନାରେ ମୋତେ ଏକାକିନୀ ଛାଡ଼ି ଦିଅ ।

 

ବିଜୟ ବାବୁ କିଛି ଭାବି ପାରନ୍ତି ନାହିଁ । କିନ୍ତୁ ବିନିତାକୁ ସୁଖୀ କରାଇବା ଚେଷ୍ଟା ତ୍ୟାଗ କରନ୍ତି ନାହିଁ । ତାଙ୍କର ସରଳ ନିଷ୍କପଟ ମନ ବିନିତାକୁ ସନ୍ଦେହ କରିପାରେ ନାହିଁ । ତାଙ୍କ ଆଖିରେ ଏ ଦୁନିଆ ସୁନ୍ଦର । ପ୍ରତ୍ୟେକ ସ୍ତ୍ରୀ ପୁରୁଷ ନିଷ୍କଳଙ୍କ । ସନ୍ଦେହ କଲେ ପାପ ହୁଏ !

 

ଅନେକ ଦିନ ପରେ ବିନିତା ହସିଲା । ସନ୍ତାନର ମୁହଁ ଚାହିଁ ସେ ଛଳ ଛଳ ହୋଇ ହସି ଉଠିଲା । ପାହାଡ଼ିଆ ନଦୀରେ ବର୍ଷା ହେଲେ ହଠାତ୍‌ ବଢ଼ିଯିବା ପରି ନବଜାତ ଶିଶୁଟିକୁ ଦେଖି ସେ ସେମିତି ଫୁଲି ଉଠିଲା ।

 

ବିଜୟ ବାବୁ ହସନ୍ତ ବିନିତାକୁ ଦେଖି ଅତ୍ୟନ୍ତ ଖୁସି ଥିଲେ । ପିତା ହେବାର ସୌଭାଗ୍ୟକୁ ଯେତିକି ଉପଭୋଗ କରି ନ ଥିଲେ ବିନିତାର ହସିଲା ମୁହଁର ଲାବଣ୍ୟକୁ ସେତିକି ଉପଭୋଗ କଲେ ।

 

ପରିବାରର ସାଧାରଣ ପ୍ରବାହ ଫେରି ଆସିଲା । ସୁଖ ଓ ଶାନ୍ତିରେ ଘର ଉଛୁଳି ଉଠିଲା-। ସଭିଏଁ ଭାବିଲେ ଝଡ଼ କମିଗଲା । ପୁଣି ଥରେ ଆନନ୍ଦର କଳ ଗୁଞ୍ଜନରେ ପରିବାରର ବିନଷ୍ଟ ସ୍ୱାସ୍ଥ୍ୟ ଫେରି ଆସିଲା ।

 

ବିନିତା ଭୁଲିଗଲା ଯେ ସେ ଦିନେ କୁମାରୀ ଥିଲା । କୁମାରୀ ଜୀବନରେ ଦିନେ ଜିତୁ ଭାଇର ଜୁଆରିଆ ହସର ପଦଚିହ୍ନ ପଡ଼ିଥିଲା ! ସେ କେବଳ ସନ୍ତାନର ସୁଗଠିତ ଅବୟବରେ ନିଜ ରକ୍ତମାଂସର ସ୍ୱାକ୍ଷରକୁ ସ୍ନେହୀ ଚକ୍ଷୁରେ ଚିହ୍ନୁଥିଲା ।

 

ବାସୁଦେବପୁର ପଛରେ ପଡ଼ି ରହିଲା । ବାସୁଦେବପୁରର ରୂପକୁ ବି’ କଅଁଳା ପିଲାର ଛାଇ ଢାଙ୍କିଦେଲା ।

 

ବିନିତାକୁ ଦେଖିଲେ ଏଇଆ ମନେ ହେଲା ଯେ ସେ ସବୁବେଳେ ସନ୍ତାନର ମାତା ଥିଲା-। ତାର ଅତୀତ ନାହିଁ କି ଭବିଷ୍ୟତ ନାହିଁ । ସବୁବେଳେ ସେ ଆଉ ତାର ପୁଅ ! ପୁଅର ଦେହ ମୁହଁ ଫୁଟିଲା ଫୁଲ ପରି । କଅଁଳ ଛନ ଛନ ଗାଲରେ ଗୋଲାପ ଫୁଲର ରଂଗ ! ଏଇ ଦେହକୁ ବିନିତା ସୃଷ୍ଟି କରିଛି । ନିଜ ଦେହର ରଂଗ ଚିପୁଡ଼ି ପିଲାର ଦେହରେ ବୋଳି ଦେଇଛି ।

 

ନବଜାତ ଶିଶୁଟିକୁ ଦେଖି ଯିବାକୁ ସମସ୍ତେ ଆସିଲେ । ଜନସମାଗମରେ ଘର ଉଛୁଳି ଉଠିଲା । ଅନେକ ଉପହାର, ଅସଂଖ୍ୟ ପ୍ରକାର ଆଶୀର୍ବାଦ ପାଇଲା ବିନିତାର ଟିକି ପୁଅ । ପୁଅର ଟେକରେ ତା’ ମନ ଟେକି ହୋଇ ଯାଇଛି । ସେ ହସୁଛି, ଖେଳୁଛି, ଗୀତ ଗାଉଛି । ତାର ବଦଳା ରୂପକୁ ଦେଖି ବିଜୟ ବାବୁଙ୍କ ମନର ଝଡ଼ କମିଯାଇଛି ।

 

ବିଜୟବାବୁ ତୃପ୍ତ ଆଖିରେ ସନ୍ତାନକୁ ଦେଖୁ ଦେଖୁ ନିଜକୁ ହଜାଇ ଦେଇଥିଲେ ତାରି ଭିତରେ । ସେବି’ ଟିକି ପିଲାଟିଏ ପରି ଛୋଟ ପୁଅ ସଙ୍ଗରେ ଖେଳିଲେ । ଏହି ଶିଶୁଟିହିଁ ତ ସବୁ ! ଘରର ଶିରୀକୁ ସିଏ ଫେରାଇ ଆଣିଛି । ତାକୁ କେନ୍ଦ୍ର କରି ଏ ଘରେ ଆନନ୍ଦର ଜୁଆର ଉଠିଛି । ବିଶେଷ କରି ତାରି ଆଗମନ ବିନିତାର ବିନଷ୍ଟ ଛନ୍ଦକୁ ଫେରାଇ ଆଣି ପାରିଛି । ତାହାହିଁ ତାଙ୍କର ଲକ୍ଷ୍ୟ ଥିଲା ।

 

ବିନିତା ବି ପୁଅ ମୁହଁରୁ ଆଖି ବୁଲାଇ ବିଜୟ ବାବୁଙ୍କ ମୁଗ୍‌ଧ ମୁହଁକୁ ଚାହିଁଲା । ତା’ ଆଖିରେ ବସନ୍ତ–ଉତ୍ସବର ଆନନ୍ଦ ଥିଲା । ବର୍ଷଣ ଆଷାଢ଼ର ଆହ୍ୱାନ ଥିଲା । ମୁହଁରେ ଆଦିମ ମନର ଫୁଲ ଫୁଟିଥିଲା । ବିଜୟବାବୁ ବିହ୍ୱଳ ହୋଇ ବିନିତାକୁ ଆଲିଙ୍ଗନ କଲେ । ବିଲୋକ ଚାହାଣୀରେ ଶରୀରର ପ୍ରତ୍ୟେକ ଅଂଶକୁ ନିରେଖି ନେଉ ନେଉ ଭାବୁଥିଲେ, ଏହାହିଁ ତାଙ୍କର କଳ୍ପନାର ବିନିତା । ୟାକୁହିଁ ଦେଖି ସେ ପାଗଳ ହୋଇଥିଲେ ପ୍ରଥମ ଦର୍ଶନରେ । ପ୍ରଲୁବ୍‌ଧ ହୋଇ ବିବାହ ବେଦୀରେ ବସିଥିଲେ ।

 

ଇତିପୂର୍ବରୁ ଯେଉଁ ବିନିତାକୁ ଦେଖୁଥିଲେ ସେ ଅସଲ ବିନିତା ନୁହେଁ । ବିନିତାର ଛାଇ । ବିନିତା ବୋଲି ଚିହ୍ନାଇ ହୋଇ ପତ୍ନୀତ୍ୱ ଦାବୀ କରୁଥିଲା !

 

ବିନିତା କଣ ସବୁଦିନ ଏମିତି ରହିବ !

 

ଶୁଭଖବର ଶୁଣି ଗାଁରୁ ଏକମୁହାଁ ହୋଇ ଧାଇଁ ଆସିଲେ ସ୍ନେହ ଭାଉଜ ।

 

ସ୍ନେହ ଭାଉଜ ଟିକି ପିଲାଟିକ ଦେଖି ଆନନ୍ଦରେ ବୁଡ଼ି ଯାଉଥିଲେ ଯେମିତି । ତାର ଟିକି ଟିକି ପାଦକୁ ଧରି ଚୁମ୍ୱନ ଦେଉ ଦେଉ ପଚାରିଲେ, ଜିତେନ୍ଦ୍ର ଭାଇ କଣ ଆସିଲେ କି ବିନୁ ?

 

ଜିତୁଭାଇ ! ବିନିତା ସେ ନାଆଁଟି ଶୁଣି ଚମକି ପଡ଼ିଲା । ସତରେ ଯେମିତି ଅଦିନିଆ ଚଡ଼କ ପଡ଼ିଛି ଖୁମ୍ୱ ଉପରେ ।

 

ହଁ, ହଁ । ତୁମର ଜିତୁଭାଇ, ଆଉ ମୋର ଜିତେନ୍ଦ୍ର ଭାଇ । ଏଇ ଭୁବନେଶ୍ୱରରେ ଚାକିରୀ କରୁଛନ୍ତି । ତୁମେ କଣ ତାଙ୍କୁ କେବେ ଦେଖି ନାହଁ ? ତାଙ୍କର ଦେହପା’ କଥା ପଚାରୁଥିଲି ।

 

ତୁମେ ସତ କହୁଛ ଭାଉଜ ?

 

ସ୍ନେହ ବିନୁ ମୁହଁକୁ ଚାହିଁ ଅନେକ କିଛି ବୁଝିପାରିଲା । ନାରୀ ହୋଇ ନାରୀ ମନର ଗୁପତ କଥା ଠଉରାଇବାରେ ଭୁଲ ହୁଏ ନାହିଁ । ତାର ମନେ ହେଲା ଏ ପ୍ରଶ୍ନ କରି ସେ ଯେମିତି ଏକ ମସ୍ତବଡ଼ ଭୁଲ କରି ପକାଇଛି । ରହି ରହି କହିଲା, ଚାକିରୀ କରୁଥିଲେତ ! ଏବେ କେଜାଣି ଆଉ କୋଉଠିକି ବଦଳି ହୋଇ ଯାଇଥିବେ । ସରକାରୀ ଚାକିରୀଆ ପରା !

 

ସେ ଏଇଠି କେବେ ଥିଲେ ଭାଉଜ ? କେତେଦିନ ଥିଲେ କହିପାରିବ ? ବିନିତାର ପ୍ରଶ୍ନରେ ଅନେକ ଉତ୍ସାହ ଥିଲା ।

 

ନୂଆରେ ଚାକିରୀ ମିଳିଥିଲା ଭୁବନେଶ୍ୱରରେ । ବାପାଙ୍କ ଚିଠିରୁ ଜାଣିଲି ଗତ ଛ’ମାସ ହେଲା ଏଇଠି ଥିଲେ ।

 

ସେ କୋଉଠି ଥାଆନ୍ତି ଭାଉଜ ?

 

ମୁଁ କେମିତି କହିବି କହିଲ ?

 

ଛ’ ମାସ ହେଲା ସେ ବି’ ଆସିଛି ଭୁବନେଶ୍ୱରକୁ । ଗାଁରେ ତାର ଏହି ବେଖାପିଆ ମନ ଦେଖି ଶାଶୁ ଶ୍ୱଶୁର ବିଜୟବାବୁଙ୍କ ସଙ୍ଗରେ ପଠାଇଦେଲେ । ସ୍ୱାମୀ ସଙ୍ଗରେ ରହିଲେ ମନ ବଦଳିଯିବ ବୋଲି ସେମାନଙ୍କ ଧାରଣା ।

 

ବିନିତାର ମୁହଁରୁ ରଙ୍ଗ ବଦଳିଗଲା । ଓଠ ଥରି ଉଠିଲା । ଟିକକ ଆଗରୁ ପ୍ରଗଳ୍‍ଭା ବିନିତା ପୁଣି ଥରେ ନୀରବ ହୋଇଗଲା । କହିଲା, ତାଙ୍କୁ ମୁଁ ଏ ଛ’ ମାସ ଭିତରେ ଥରଟିଏ ବି ଦେଖିନି ଭାଉଜ ! ଦେଖିଲେ ପଚାରିବି......

 

କଣ ପଚାରିବ ବିନୁ ?

 

Unknown

ବିନୁ କହିଥାନ୍ତା, ପଚାରିବି ସେ କାହିଁକି ଏମିତି ହେଲେ । ଯେଉଁ ବିନିତାକୁ ସୁଖୀ ରଖିବାକୁ ସହସ୍ର ଦୁଃଖ ବି ବରଣ କରୁଥିଲେ, ତାକୁ ଏତେଦିନ ଧରି ନ ଦେଖି ସେ ରହି ପାରିଲେ କେମିତି । ତାଙ୍କୁ ଆଖି ପୂରାଇ ଦେଖିବାକୁ କେତେ ସେ ନ ଚାହିଛି ! ବିବାହ ପଞ୍ଜୁରୀରେ ବାନ୍ଧିହୋଇ କେତେ ରାତି କାନ୍ଦିଛି । କିନ୍ତୁ ଦେଖି ପାରି ନାହିଁ । ତା ଆଖିରେ ବିଶ୍ୱାସର ଦିହୁଡ଼ି ଜାଳି ଦିନପରେ ଦିନ ପ୍ରତୀକ୍ଷା କରିଛି । ଆଖିରୁ ବେଦନାର ଲୁହ ଗଡ଼ାଇ ଅପେକ୍ଷା କରିଛି ଜିତୁ ଭାଇ ଆସି ନିଜ ହାତରେ ପୋଛିଦେବେ ବୋଲି । କିନ୍ତୁ ଜିତୁ ଭାଇ ଶେଷ ପର୍ଯ୍ୟନ୍ତ ଆସି ନାହାନ୍ତି । ତାଙ୍କର ସ୍ମୃତି ନେଇ ଛିଡ଼ା ହୋଇଥିବା ସପନ ସଙ୍ଗେ ବି ବାଦ ସାଧିଛନ୍ତି ! ନିଜ ଛବିକୁ ତରତର ହୋଇ ଲିଭାଇ ଦେଇଛନ୍ତି ! ଏ ସବୁ କାହିଁକି ?

 

କଣ ପଚାରିବ କହିଲ ନାହିଁ ଯେ ବିନୁ ? ସ୍ନେହ ଭାଉଜ ଉତ୍ତର ମାଗୁଛନ୍ତି ।

 

ପଚାରିବି, ସେ କାହିଁକି ଆସିଲେ ନାହିଁ ବୋଲି ?

 

ବାୟାଣୀଟା ! ସେ କୋଉ ମୁହଁରେ ଆସି ଛିଡ଼ା ହେବେ କହିଲ । ଘରର ବୋହୂ ତୁମେ ! ପରିବାରର ସମ୍ମାନ । ବିଜୟ ବାବୁ ତାଙ୍କୁ କଣ ଭାବିବେ ?

 

ବିଭା ହେଲି ବୋଲି କାହା ସାଙ୍ଗରେ କଣ କଥାବାର୍ତ୍ତା କରି ପାରିବି ନାହିଁ ? କେହି କିଛି ଭାବିବେ ନାହିଁ । ଦେଖା ହେଉ ଦେଖିବ, ସମସ୍ତଙ୍କ ସାମନାରେ ଏଇ ଘରକୁ ଭିଡ଼ି ଭିଡ଼ି ଆଣି ପଚାରିବି, ସେ ଏଇଠି ରହି ଆମ ଘରକୁ ଆସିଲେ ନାହିଁ କାହିଁକି ?

 

ଆଉ ଗୋଟିଏ କଥା ପଚାରି ପାରିବ ବିନୁ ?

 

କି କଥା ?

 

ପଚାରିବ ସେ ବିବାହ କରୁନାହାନ୍ତି କାହିଁକି ? କେତେଦିନ ଧରି ଏମିତି ବସିବେ ? କେବେ ବିବାହ କରିବେ ?

 

ବିନିତା ସ୍ନେହ ଭାଉଜ ମୁହଁକୁ ଚାହିଁଲା ।

 

ସ୍ନେହ ଭାଉଜଙ୍କ ଆଖିରେ ଲୁହ ଛଳ ଛଳ ହେଉଥିଲା ।

 

ନୂଆ ରାଜଧାନୀର ନବନିର୍ମିତ ବିଳାସୀ କୋଠାବାଡ଼ି ଆଗରେ ପୁରୁଣା ଭୁବନେଶ୍ୱର ମୁହଁମାଡ଼ି ଶୋଇଥାଏ । ସର୍ବାଧୁନିକ, ସୁସଜ୍ଜିତ ସରକାରୀ ଘର ଭିତରେ ଅନେକ ଅୟସରେ ଚଳିଲେ ବି ପୁରୁଣା ଭୁବନେଶ୍ୱରର ଆକର୍ଷଣକୁ ଏଡ଼ି ହୁଏନାହିଁ । ମନେ ହୁଏ ସତେ ଯେମିତି ସେଇଠି ପ୍ରାଣ ଅଛି, ପ୍ରାଣର ସ୍ୱଭାବ ସୁଲଭ ଚାଞ୍ଚଲ୍ୟ ଅଛି, ସର୍ବୋପରି ପୃଥିବୀପ୍ରସିଦ୍ଧ ଲିଙ୍ଗରାଜ ଦେଉଳର ଆହ୍ୱାନ ସମସ୍ତଙ୍କ ମନ ଭିତରେ ପୁଲକ ଖେଳାଇ ଦିଏ । ସରକାରୀ କଳରୁ ନିଜକୁ ଦୁରେଇ ଦେଇ, ପୁରୁଣା ଭୁବନେଶ୍ୱରର ଐତିହାସିକ ରାଜପଥ ଉପରେ ଚାଲିଗଲା ବେଳେ ଛାତି ଭିତରଟା ଦୁଲକି ଉଠେ ।

 

ସ୍ନେହ ଓ ବିନିତା ସାଙ୍ଗହୋଇ ପୁରୁଣା ଭୁବନେଶ୍ୱର ବୁଲି ବାହାରିଲେ । ଟିକିପୁଅ ଘରେ ଥାଏ ।

 

ଜିତେନ୍ଦ୍ରର ଭୁବନେଶ୍ୱରରୁ ବ୍ରହ୍ମପୁର ବଦଳି ଆଦେଶ ବାହାରି ଥାଏ । ବ୍ରହ୍ମପୁର ଚାଲିଯିବା ପୂର୍ବରୁ ଖଣ୍ଡଗିରି, ଉଦୟଗିରି ଅଦେଖା ରହିଯିବ ବୋଲି ବୁଲି ବାହାରି ଥାଏ ।

 

ପୋଲିସ ଷ୍ଟେସନର ସାମନା ଛକ ଉପରେ ସ୍ନେହ ଜିତେନ୍ଦ୍ରକୁ ରିକ୍‌ସାରେ ଚାଲି ଯାଉଥିବାର ଦେଖି ବିନିତାକୁ ପଚାରିଲା, ତମେ ଜିତେନ୍ଦ୍ର ଭାଇଙ୍କୁ ଦେଖି ନା ପରା ! ଡ଼ାକିବି ?

 

କାହାନ୍ତି ସେ ? ବିନିତା ଗଦ୍‌ଗଦ ହୋଇ ପଚାରିଲା । ଦେଖାହେଲେ ମୋ’ କହିବା କଥା ଯଦି ପଚାରିବ, ଏଇନେ ଡ଼ାକିଦେବି ।

 

ବିନତା ରାଜି ହେଲା ।

 

ରିକ୍‌ସା ସାମନା ସଡ଼କରେ ଚାଲି ଯାଉଛି, ସ୍ନେହା ପାଟିକରି ଡ଼ାକିଲା, ଜିତୁଭାଇ ! ଶୁଣିଯାଅ !

 

ହଠାତ୍‌ସ୍ୱପ୍ନରୁ ଉଠିଲା ପରି ଜିତେନ୍ଦ୍ର ଚମକି ଚାହିଁଲା, ସ୍ନେହା ଓ ବିନିତା ସାଙ୍ଗ ହୋଇ ତା’ରି ଆଡ଼କୁ ଆସୁଛନ୍ତି । ସେ ରିକ୍‌ସା ଅଟକାଇ ସେମାନଙ୍କ ପାଖକୁ ମୁହାଁଇଲା ।

 

ସ୍ନେହ ଓ ବିନୁ ନମସ୍କାର କଲେ । ସ୍ନେହ ଗୋଟି ଗୋଟି କରି ଗାଁ କଥା, ଚାକିରୀ କଥା ଓ ବାପାମା’ଙ୍କ କଥା ପଚାରି ନେଲା ।

 

ବିନିତା ମୁହଁରେ ଦୁଷ୍ଟାମି ହସଗୁଡ଼ିଏ ଖୁନ୍ଦି ହୋଇଛି । ତାର ଓଢଣା ଟଣା ମୁହଁଖଣ୍ଡକ ସୂର୍ଯ୍ୟ କିରଣରେ ଝଟକି ଉଠୁଛି । କପାଳର ସିନ୍ଦୁର ସଙ୍ଗରେ ଆଖିର ଲମ୍ବାଳିଆ କଜଳ ଦି’ ଧାଡ଼ି ବେଶ ମନାଉଛି । ସେ ଆକାଶୀ ରଙ୍ଗର ଶାଢ଼ୀ ଓ ଗୋଲାପି ରଙ୍ଗର ବ୍ଳାଉଜ୍‌ପିନ୍ଧିଛି । ପଚାରିବାକୁ ଅନେକ କଥା, କିନ୍ତୁ ପାରୁ ନାହିଁ ।

 

ମୋର ବ୍ରହ୍ମପୁର ବଦଳି ହୋଇଛି ସ୍ନେହ ! ସପ୍ତାହିକ ପରେ ଚାଲି ଯାଉଛି ଏଠୁ । ଜିତେନ୍ଦ୍ର ଉତ୍ତର ଦେଇ ବିନୁ ମୁହଁକୁ ଚାହିଁଲା । ବିନୁର ମୁହଁରେ ଏହି ବଦଳି କଥାର ସିଧା ସଳଖ ପ୍ରଭାବ ପଡ଼ିଥିଲା । ସେ ନିଜେ ଯେତିକି ଦୁଃଖିତ ନୁହେ, ବିନୁ ତାଠୁ ଅଧିକ ଦୁଃଖିତା ବୋଲି ମନେ ହେଲା ।

 

ତାର ପୁଅ ହୋଇଛି ଜିତୁଭାଇ ! ଦେଖିବାକୁ ଗଲନାହିଁ ? ସ୍ନେହ ବିନୁ ପକ୍ଷରୁ ପ୍ରଶ୍ନ କଲା-

 

ମୁଁ ଜାଣିନି’ତ ! ନିଶ୍ଚୟ ଯିବି ।

 

କେବେ ଆସିବ ? ବିନୁର କଣ୍ଠରେ କ୍ରନ୍ଦନ ମିଶିଛି ।

 

ସମୟ କରି ନିଶ୍ଚୟ ଆସିବ !

 

ଆଜି ଆସୁନା !

 

ମୁଁ ଏଇ ଉଦୟଗିରିଟା ଦେଖି ଆସେ । ତା’ପରେ ଯିବି । ତୁମେ ଦୁହେଁ ପୁଣି କୁଆଡ଼େ ବୁଲି ବାହାରିଛ ! ଆଉ କଣ ମୋ ସଙ୍ଗରେ ଫେରିଯିବ ?

 

ଜିତେନ୍ଦ୍ରର ଏହି ଖାପଛଡ଼ା ଉତ୍ତର ବିନିତାକୁ ଭଲ ଲାଗୁ ନ ଥାଏ । ସ୍ନେହ ନ ଥିଲେ ସେ ଜିତେନ୍ଦ୍ରକୁ ଆଦେଶ ଦେଇଥାନ୍ତି । ଅତୀତର ଅଧିକାରକୁ ଜାହିର ରଖି ତାର ହାତ ଭିଡ଼ି କହିଥାନ୍ତା, ତୁମକୁ ଯିବାକୁ ହେବ ଜିତୁ ଭାଇ ! ମୁଁ କହୁଛି । ବିନୁ କହୁଛି ।

 

ବିନିତା ସ୍ନେହ ଆଡ଼କୁ ଆଖି ବୁଲାଇ କହିଲା, ଭାଉଜ, ତମେ ଟିକିଏ ସଲିଳା ଘରେ ଅପେକ୍ଷା କରନ୍ତି ଯଦି, ମୁଁ ଜିତୁ ଭାଇ ସାଙ୍ଗରେ ଉଦୟଗିରି ବୁଲି ଆସନ୍ତି । ପାରିବ ଭାଉଜ ?

 

ସ୍ନେହ ହସିଲା । କହିଲା, ଉଦୟଗିରି ଦେଖିଛ ପରା ?

 

ଜିତୁ ଭାଇ ସାଙ୍ଗରେ କେବେ ହେଲେ ଦେଖିନି’ ଭାଉଜ ! ସେ ସୁଯୋଗ ଆଜିକି ପାଇଁ ଦିଅ !

 

ସ୍ନେହ ସଲିଳା ଫେରି ଯାଉ କହିଲା, ମୁଁ ଅପେକ୍ଷା କରିଥିବି ବିନୁ ! ଆସିଲେ ସାଙ୍ଗହୋଇ ଫେରିବା । ଜିତୁଭାଇଙ୍କୁ ସେକଥା ନିଶ୍ଚୟ ପଚାରିବ ଆଉ ଆସିଲାବେଳେ ସଙ୍ଗରେ ନେଇ ଫେରିବ ।

 

ବିନୁ ଜିତେନ୍ଦ୍ରର ହାତ ଧରି ରିକ୍‌ସା ଉପରକୁ ଉଠିଲା ।

 

ବିନ୍ଦୁସାଗର ପଟୁ ପବନ ବହୁଛି । ରାସ୍ତା ନିର୍ଜନ, ନିକାଞ୍ଚନ ।

 

ବିନୁ ଜିତୁଭାଇ ପାଖକୁ ଲାଗିହୋଇ ବସିଲା । ଜିତୁଭାଇ କାନ୍ଧରେ ମୁଣ୍ଡ ଦେଇ ଅଳସ ଭାଙ୍ଗିଲା । ବାହୁଦୁଇଟି ଟେକିଲା ବେଳେ ଦେହରେ ଘଷି ହୋଇ ଯାଉଥାଏ । ବିନିତା ଜାଣି ଶୁଣି ନିଜକୁ ଜିତୁଭାଇ ଉପରେ ଜଡ଼ାଇ ଦେବାକୁ ଚାହିଁଥାଏ ।

 

ଜିତେନ୍ଦ୍ର ଆଖିରେ ସବୁ ବିସ୍ମୟ ରହି ପାରୁନି । ଦି’ ଆଖି ପୂରି ଉଛୁଳି ଆସୁଛି ଓଠ ଉପରକୁ । ଏଇ ବିନିତାଟି କଣ ସତରେ ? ବିବାହିତ ପତ୍ନୀ ହୋଇ ଏତିକି ଟିକିଏ ସଂକୋଚ ନାହିଁ । ଅବିହାଡ଼ୀ ଝିଅ ପରି ତରଳି ତରଳି ଯାଉଛି ।

 

ସେ ବିନିତାର ଏହି ଅସଂଲଗ୍ନ ମନକୁ ତାଗିଦ୍‌କରିବାକୁ ଅନାବଶ୍ୟକ ପ୍ରଶ୍ନଟିଏ କଲା । କହିଲା, ସଲିଳା କିଏ ବିନୁ ?

 

ସେଇ ସଲିଳା ! ଯିଏ ତମକୁ ପରୀକ୍ଷା କରିବାକୁ ବାସୁଦେବପୁରରେ ମୋ’ ସଙ୍ଗରେ ଆସି ନଥିଲା ? ମନେ ନାହିଁ ? ସେତିକିବେଳେ ତୁମ ଆଉ ମୋ’ ଭିତରେ ବିବାହ ପ୍ରସଙ୍ଗ ପଡ଼ିଥାଏ-। ଏକଥା ଶୁଣି ତମ ମନ ପରଖିବାକୁ ସଳିଳା ଆସିଥିଲା । କିନ୍ତୁ ହାରି ଯାଇ ଫେରିଗଲା-। ସେଇ ଦିନଠୁ ମୋତେ ଆଉ ଚିଡ଼ାଏ ନାହିଁ । କହେ, ତୁ ସୁଖୀ ହେବୁଲୋ ବିନୁ ! ତୋ କପାଳ ଭରୀ ଉଚ୍ଚରେ । ତୋ ଜିତୁଭାଇ ଭାରି ଭଲ ।

 

ତୁମେ କଣ ଉତ୍ତର ଦିଅ ବିନୁ ? ଜିତେନ୍ଦ୍ର ଆଖି ସାମନାକୁ ଅତୀତ ପାଖେଇ ଆସିଛି ଯେମିତି ! ପୁଣି ସେ ବିବାହିତ ବିନୁର ସମ୍ମାନ ରଖି ତୁମେ କହୁଛି ।

 

ମୁଁ ତାକୁ କହେ, ଅହନ୍ତା କରୁଛୁ ? କହିଲେ ତୋ’ ହାତକୁ ବଢ଼ାଇ ଦେବିଲୋ ! ସେ ଲାଜେଇ ଯାଏ । ଆଉ କିଛି ହେଲେ କହିପାରେ ନାହିଁ । ସେ ଓ ମୁଁ ମିଶି ଅନେକ ବେଳଯାଏ ତୁମରି କଥା ହେଉ । ଆମକୁ ବେଳ ଜଣା ପଡ଼େ ନାହିଁ । କିନ୍ତୁ ଦେଖ ଜିତୁ ଭାଇ ! ମୁଁ ଅନ୍ୟର ହୋଇଗଲି । ସେଥିପାଇଁ ତୁମେ ରାଗରଖି ମୋ’ ପାଖକୁ ଆସିଲା ନାହିଁ । ମୋ’ରି ଦୋଷରୁ କଣ ଏ ସବୁ ହୋଇଛି ବୋଲି ଭାବୁଛ ?

 

ରିକ୍‌ସା ଉଦୟଗିରିରେ ପହୁଞ୍ଚି ଯାଇଥାଏ । ବେଳ ନଇଁ ଗଲାଣି । ବିନୁ ଓ ଜିତେନ୍ଦ୍ର ହାତ ଧରା ଧରି ହୋଇ ପାହାଡ଼ ଉପରକୁ ଉଠିଲେ ।

 

ଉଦୟଗିରି ପରି ତାଙ୍କରି ଅତୀତ ଥିଲା । ଏବର ନିକାଞ୍ଚନ, ପରିତ୍ୟକ୍ତ ଭଗ୍ନାବଶେଷ ଉପରେ ସେମାନେ ଛିଡ଼ା ହୋଇ ନିଜର ଅତୀତ କଥା ହେଉଥିଲେ ।

 

ଉଦୟଗିରି ଇତିହାସର ପୃଷ୍ଠା ହୋଇ ରହିଗଲା ।

 

ଜିତେନ୍ଦ୍ର ଓ ବିନିତା କାହାଣୀ ହୋଇ ରହିବେ ।

 

ସେ ଦୁହେଁ ବୃକ୍ଷର ଛାଇତଳେ ଚିକ୍‌କଣିଆ ସ୍ଥାନଟିଏ ଦେଖି ବସିଲେ । ତାଙ୍କୁ ଘୋଡ଼ାଇ ରଖିଥାଏ ଅନାମିକା ବୁଦାର ଗହଳ ଢାଳ ।

 

ବିନୁ ଆଉ ଥରେ ପଚାରିଲା,, ମୋ ଉପରେ ରାଗିଛ ଜିତୁଭାଇ !

 

ରାଗିବି ଆଉ କାହା ଉପରେ ବିନୁ ? ମୋର ଭାଗ୍ୟ ଖରାପ ! ମୋ’ ଭାଗ୍ୟଠୁ’ ବି ?

 

ତୁମେ ତ ସୁଖରେ ଅଛ ବିନୁ ! ତୁମ ସଂସାରରେ ସୁନା ଚଢ଼େଇ ଉଡ଼ୁଛି ।

 

ମୋ ସଂସାର ?

 

ତୁମ ଘର ତୁମ ପରିବାର । ସେଇତ ତୁମରି ସଂସାର ।

 

ମୋର ଗୋଟାଏ ଘର କେଉଁଠୁ ହେଲା ଜିତୁଭାଇ ! ଘର ତାଙ୍କର, ଦ୍ୱାର ତାଙ୍କର । ମୁଁ ସେ ଘରେ କିଣା ମଣିଷଟିଏ । ସେମାନଙ୍କ ଇଚ୍ଛାରେ ଚଳେ । ଆଉ ମୋର ସଂସାର ? ମୋ ସଂସାର ତ ତୁମେ ଜିତୁଭାଇ ! ସେଇ ମୋ’ କୁମାରୀ ମନର ସ୍ୱପ୍ନ ଥିଲା । ଏବେ ବି’ ରହିଛି । ତୁମକୁ ଦେଖି ମୋର ହଜିଲା ମୋର ହଜିଲା ଦିନକୁ ଫେରି ପାଇଛି ।

 

ହଜିଲା ଦିନ ଆଉ ମିଳିବ ନାହିଁ ବିନୁ !

 

ନ ମିଳୁ । ତୁମେ ମିଳିଛ, ସେଇ ଯଥେଷ୍ଟ । ତୁମକୁ କହିଲେ କଣ ସେହି ହଜିଲା ଦିନକୁ ଖୋଜି ଆଣି ଦେବ ନାହିଁ ?

 

ମୁଁ ?

 

ହଁ ହଁ, ତୁମେ ଜିତୁ ଭାଇ ! ତୁମେ ମୋର ସବୁ କିଛି । କେବେହେଲେ ତୁମରି ଅବାଧ୍ୟ ହୋଇ ନ ଥିଲି । ଭାବିଥିଲି ତୁମରି ଆହ୍ୱାନ, ତୁମରି ଆଦେଶ ଶୁଣୁ ଏ ଜୀବନକୁ ଉପଭୋଗ କରୁଥିବ । ସେ ହେଲା ନାହିଁ । ମୁଁ ବର୍ତ୍ତମାନ ନିଃସହାୟା ନାରୀ !

 

ତୁମେ ବିଜୟର ପତ୍ନୀ ବିନୁ ! ତୁମେ ପରିବାରର ବଧୂ, ଆଉ ସନ୍ତାନର ଜନନୀ ! ତୁମ ପଛକୁ ସଂସାର ଅଛି, ସୃଷ୍ଟି ଅଛି ।

 

ତା’ ପାଖକୁ ତୁମେ ବି’ ରୁହ ଜିତୁଭାଇ !

 

ମୋତେ ଆଉ କାହିଁକି ଡ଼ାକୁଛ ?

 

ତୁମକୁ.....ତୁମକୁ ମୁଁ ଭଲ ପାଏ ବୋଲି ଜିତୁଭାଇ ! ବିନିତା ଜିତେନ୍ଦ୍ରର ଛାତିରେ ମୁହଁ ଲୁଚାଇଲା । ତାର ଚିକ୍‌କଣ, ଅଳସ ହାତ ଦି’ଟାକୁ ଜିତେନ୍ଦ୍ରର ବେକ ଚାରିପଟେ ବୁଲାଇ ନେଇ ପ୍ରଶ୍ନକଲା, ତୁମେ କଣ ମୋତେ ଭଲ ପାଅନି ଜିତୁ ଭାଇ ? ମୋ ଦେହ ଛୁଇଁ ସତ କହିଲ ! ସତ କରି କହିଲ, ମୋତେ ତୁମେ ଭୁଲି ଯାଇଛ ? ମୋ’ କଥା କେବେହେଲେ ମନେ ପକାଅ ନାହିଁ ?

 

ବିନିତାର ଦେହରୁ ପଦ୍ମର ଗନ୍ଧ ବାହାରୁଛି । ତା’ ଗଭୀର ଜୁଡ଼ାର ଏହି ଗୋଲାପି ରିବନ୍‌ଟି ଥରି ଥରି ଉଠୁଛି । ବେକ ତଳର ଚୂନା ଚୂନା ବାଳ, ମାଉଁସିଆ ଗଳା ଉପରେ ଚକା ଭଉଁରୀ ଖେଳୁଛି । ଜିତେନ୍ଦ୍ରର ଆଖିରେ ନିଦ ଭରିଆସିଲା । ବାହୁର ମାଂସପେଶୀଗୁଡ଼ିକ ଟାଣୁଆ ହୋଇଗଲା । ସେ ବିନିତାକୁ କୋଳାଗ୍ରତ କରି ତାର ବହୁ ଦିନର କଳ୍ପନାକୁ ରୂପ ଦେବାକୁ ଯାଉଛି, ରିକ୍‌ସାବାଲା ପାଟିକଲା, ଅନ୍ଧାର ହେଉଛି ବାବୁ ! ଓହ୍ଳାଇ ଆସନ୍ତୁ ।

 

ସେ ବିନିତାକୁ ଦେଖିଲା, ଆଖିରେ ଅଳସ ନେଇ ତାକୁ ଡ଼ାକୁଛି । ବିଜୟର ପତ୍ନୀ ବିନିତା ତା’ ସଙ୍ଗରେ ଲୁଚକାଳି ଖେଳୁଛି ।

 

ସେ ବିନିତାକୁ ହଲାଇ ଦେଇ କହିଲା, ଉଠ, ଫେରିଯିବା ! ଏତେ ଶୀଘ୍ର ?

 

ହଁ, ଅନ୍ଧାର ହୋଇ ଆସିଲାଣି ।

 

ଅଂଧାର କଣ କରିବ ଆମର ? ଆମେ ଏଇଠି ରହିବା !

 

କଣ ସବୁଦିନ ପାଇଁ ? ଜିତେନ୍ଦ୍ର ପରୀକ୍ଷା କରୁଥିଲା ବିନୁକୁ ।

 

କ୍ଷତି କଣ ? ସବୁଦିନ ରାତିରେ ଆମେ ଏଇଠି ଏକାଠି ହେଉଥିବା ! କେହି ଦେଖିବେ ନାହିଁ କି ଜାଣିବେ ନାହିଁ ।

 

ସେ କି ସମ୍ଭବ ବିନୁ ? ସମାଜର ଜୀବ ଆମେ । ସମାଜ ଭିତରେ ଘର କରିଛେଁ । ସେମାନେ ଦେଖିଲେ କଣ କହିବେ ?

 

କହିବେ ବିବାହର ବଂଧନ ଏଡ଼ି ବିନିତା ଉଡ଼ିଗଲା ।

 

ତା ପରେ ?

 

ପରକଥା ମୁଁ ଭାବୁନି ଜିତୁଭାଇ ! ବର୍ତ୍ତମାନର ଆକର୍ଷଣହିଁ ମୋ ପକ୍ଷରେ ଯଥେଷ୍ଟ । ତୁମେ ଥିଲେ ମୋର ଅତୀତ କି ଭବିଷ୍ୟତ କିଛି କରି ପାରିବେ ନାହିଁ । ଏ ସମାଜ ଆଖିରେ ମୁଁ ଧୂଳି ଦେଇ ପାରିବି । ତୁମର ପାଇଁ ମୁଁ ସବୁକିଛି ପାରିବି ଜିତୁଭାଇ ! ସବୁକିଛି ପାରିବି ।

 

ସେମାନେ ହାତ ଛଡ଼ାଛଡ଼ା ହୋଇ ଓହ୍ଳାଇ ଆସି ରିକ୍‌ସା ଉପରେ ବସିଲେ ।

 

ବିନିତା ବିବାହିତା ପତ୍ନୀ ପରି ଜିତେନ୍ଦ୍ରର ଗୋଡ଼ ଉପରେ ହାତ ରଖି ତାର ମୁହଁ ପାଖକୁ ଝୁଙ୍କି ପଡ଼ିଥାଏ ।

 

ବାଟ ମୋଟେ ହେଲେ ଜଣା ପଡ଼ିଲା ନାହିଁ । ସମୟ ବି’ ସରିଗଲା ।

 

ଛକ ପାଖରେ ସ୍ନେହ ଅପେକ୍ଷା କରିଥାଏ ।

 

ଜିତେନ୍ଦ୍ରର ଦି’ ହାତକୁ ସ୍ନେହ ଓ ବିନିତା ଭିଡ଼ି ଧରି ବସାକୁ ନେଲେ । ବିନିତା ଏତେ ଖୁସି କେବେହେଲେ ହୋଇ ନ ଥିଲା ।

 

ବିଜୟ ବାବୁଙ୍କ ସଙ୍ଗରେ ପରିଚୟ ହେଲା ପରେ ଜିତେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଭାବିଲା, ଏମିତି ସୁନ୍ଦର ମେଳାପି ଲୋକର ହାତ ଧରି ବିନିତା ସୁଖୀ ହୋଇ ପାରୁନି କାହିଁକି ?

ରାତ୍ରି ଭୋଜନ ପରେ କାହାରି ବାଧା ନ ମାନି ଜିତେନ୍ଦ୍ର ନିଜ ମେସ୍‌କୁ ଫେରିବାକୁ ବାହାରିଲା ।

ବ୍ରହ୍ମପୁରରୁ ଚିଠି ଦେବତ ଜିତୁଭାଇ ? ଛୁଟି ନେଇ କେବେ କେବେ ଆସୁଥିବ । ପୂଜା ଛୁଟିରେ ନିଶ୍ଚୟ ଆସିବ । ମୁଁ ଅପେକ୍ଷା କରିଥିବି ।

ଜିତେନ୍ଦ୍ର ହଁ କି ନାହିଁ କିଛି ହେଲେ ସ୍ପଷ୍ଟକରି କହିଲା ନାହିଁ । ଗଲାବେଳେ ବିନିତା ଓ ବିଜୟ ବାବୁଙ୍କ ଏକାସାଙ୍ଗରେ ଛିଡ଼ା ହୋଇ ବିଦାୟ ଦେଉଥିବା ଦେଖି, ହସିଦେଇ ଫେର ଆସିଲା ।

ଜିତେନ୍ଦ୍ର ଅଦୃଶ୍ୟ ହେବାଯାଏ ବିନିତା ଅପେକ୍ଷା କରିଥିଲା କବାଟ ପାଖରେ । ତା ପରେ ବିଜୟ ବାବୁ ଆଦର କରି ଡ଼ାକି ନେଲେ । ତାର ଦୁଇ ପଟେ ଜିତୁ ଓ ବିଜୟ ବାବୁ ! ସେ ଉଭୟଙ୍କୁ ଖୁସି କରିବାକୁ ପଣ କରୁଥିଲା ।

ଚଇତର ଏକ ବୈଶିଷ୍ଟ୍ୟହୀନ ଶନିବାର ସନ୍ଧ୍ୟା ।

ବିନିତା ଉପର ମହଲାର ଛାତି ଉପରେ ଛିଡ଼ାହୋଇ ଆକାଶର ତରା ଗଣୁଥିଲା । ଅସଂଖ୍ୟ, ଅଗଣନ ତରା । ପୁଂଜା ପୁଂଜା ହୋଇ ନେସି ହୋଇଛି ଅନନ୍ତ ଆକାଶରେ ଲମ୍ବ ଓସାର ଛାତି ଉପରେ । ଗୋଟାକୁ ଗଣୁ ଗଣୁ ତା ପାଖକୁ ଲାଗି ହୋଇ ଆସୁଛି ଆହୁରି ଗୋଟାଏ ତାରା ।

ବିନିତାର ମନ ଭିତରେ ମୁଠା ମୁଠା ଭାବନା । ଠିକ୍‌ଏହି ଆକାଶର ଅଗଣନ ତାରା ପରି-। ଭୋକିଲା ମନ ଭିତରେ ଅନେକ ଅମେଣ୍ଟା ଆଶା ମୁଣ୍ଡ ଟେକି ପଚାରେ, ମୋତେ ଭୁଲିଗଲ-? ଅତୀତର ଅନେକ ସ୍ୱପ୍ନ ଭିଜା ଅନୁଭୂତି କହେ, ହେଇଟି ! ଟିକିଏ ଫେରି ଚାହୁଁନା ?

 

ବିନିତା ଅତୀତର ଆହ୍ୱାନକୁ ଏଡ଼ାଇ ଦେଇପାରେ ନାହିଁ । ସେ ଅନନ୍ତ ନୀଳାକାଶର ତରା ଗଣୁ ଗଣୁ ବିହ୍ୱଳ ଦୃଷ୍ଟିରେ ଚାହେଁ ପଛକୁ । ଯାହା ଆସି ଫୁଆରା ମିଶିଛି । ତାକୁ ଏଡ଼େଇ ଦେବା ସହଜ ନୁହେଁ କି ସମ୍ଭବ ନୁହେଁ ।

 

ଅତୀତ ଦିଶେ ଅନନ୍ତ ନୀଳାକାଶ ପରି । ଅତୀତର ଅନୁଭୂତି ଏହି ଦପ ଦପ ହୋଇ ଜଳି ଉଠୁଥିବା ତାରା ପରି । ଆଉ ସେ ନିଜେ ? ତାରା ନୁହେ କି ନୀଳିମା ନୁହେ । କେବଳ ରକ୍ତମାଂସର ବିନିତା । ଯାହାର କ୍ଷୟ ଅଛି, ବିଲୟ ଅଛି । ତାରି ପରେ ବି’ ଏ ଆକାଶରେ ତାରା ଥିବେ । ସୃଷ୍ଟିର ଏହି ଅଙ୍ଗଲିଭା ସ୍ୱପ୍ନିଳ ଅନୁଭୁତି ଥିବ । ସ୍ନେହବୋଳା ରୋମାଞ୍ଚ ଥିବ । ଆଉ ତାରି ସମଷ୍ଟିତ ଜୀବନ !

 

ଅତୀତ ହସୁଛି । ଅତୀତ ହସି ଉଠୁଛି ଠିକ୍‌ଏହି ତାରା ଭଳି । ହସୁଆ ଓଠର କଡ଼େ କଡ଼େ ଛାଇ ହୋଇ ରହିଛି ଆତ୍ମସମୀକ୍ଷାର ଭାଷା । ସେ ଭାଷା ଅସ୍ପଷ୍ଟ ଓ ଅବୋଧ୍ୟ । ଶୋଚନା–ଅନୁଶୋଚନା, ଅନୁତାପ ଆଉ ଅବଶେଷ ମିଶି ସେ ହେମ–ଉଜ୍ଜ୍ୱଳ ହସଧାଡ଼ିକ ମିଳାଇ ଯାଉଛି । କିନ୍ତୁ ତାର ଅବସ୍ଥିତ ଭିତରେ ଯାହା ଛାଡ଼ିଗଲା ତାହା ଆଶା ଓ ଆଶ୍ୱାସନାର । ଏହି ତରାପୁଂଜର ନିରୋଳ ଆହ୍ୱାନ ପରି ତାହା ସ୍ପଷ୍ଟ ଓ ବୋଧ୍ୟ ।

 

ତଳେ ପାଟିତୁଣ୍ଡ ଶୁଭୁଛି । ସ୍ୱାମୀ ହୁଏତ ଫେରି ଆସିଥିବେ । ଅଫିସ ବାହୁଡ଼ା ମୁହଁରେ ତାଙ୍କର ପରସ୍ତ ପରସ୍ତ କ୍ଳାନ୍ତି ଥିବ । ସେ ତାର ଅନୁପସ୍ଥିତିକୁ ସହ୍ୟ କରିପାରିବେ ନାହିଁ । ସେ ଖୋଜି ହେଉଥିବେ ବିବାହିତା ପତ୍ନୀ ମୁଁହରେ କିଛି ସହାନୁଭୂତିର ସଂଳାପ, ଟିକିଏ ଆଦରବୋଳା ଅଭ୍ୟର୍ଥନା ।

 

ବିନିତା ଏହି ନୀଳ ଆକାଶର ଆହ୍ୱାନକୁ ଏଡ଼େଇ ଦେବାକୁ ଇତଃସ୍ତତ ହେଲା । ଐଶାନ୍ୟ କୋଣରୁ କଳା ଝିମି ଝିମି ବାଦଲ ଆସି ତାର ଗଣା ତାରାମାନଙ୍କୁ ଘୋଡ଼ାଇ ଦେଉଛି । ବାଦଲ ଭିତରେ ମୁହଁ ଲୁଚାଇ ମଉନାବତୀ ସାଜିଛନ୍ତି ସେହି ସୁନ୍ଦର ସାହାସ୍ୟ ତାରାବିଥି । ବାଦଲ ଓ ତାରାର ଲୁଚକାଳି ଖେଳ ଲାଗିଛି । ‘ଟିକୁ’ ତାର ଥଙ୍ଗିଲା, ଥଙ୍ଗିଲା କଣ୍ଠରେ ଡାକ ଛାଡ଼ିଛି, ‘ତୁ କୁଆଲେ ମୋ ? ବାପା ଅଇଲେ ନି’ ତୁ ଆ ଏନେ !!’

 

ଏଇଟିକୁ ! ତାର ସନ୍ତାନ ! ସିନ୍ଦୁରର ଶୁଭ ସ୍ମାରକ ସନ୍ତାନ !!

 

ବିନିତା ତରତର ହୋଇ ପାହାଚରୁ ଓହ୍ଳାଇଲା । ଅତୀତର ପାହାଚରୁ ଓହ୍ଳାଇ ଆସି ବର୍ତ୍ତମାନର ବାସ୍ତବ ଚଟାଣରେ ପାଦ ଦେଲା । ଅତୀତକୁ ଜୋର କରି ଆଡ଼େଇ ଦେଇଛି । ଓଠ ଦୁଇଟିରେ ହସ ଫୁଟାଇବାକୁ ଚେଷ୍ଟା କରୁଛି ।

 

ବିନିତା ଏଇ ହସି ଉଠିଲା । ତାର ଗଦ୍‌ଗଦ କଣ୍ଠରେ ଆଉ କାରୁଣ୍ୟ ନାହିଁ କି କ୍ଳାନ୍ତି ନାହିଁ-। ବିବାହିତା ବଧୂର ନିରୋଳ ସୋହାଗ ଝିରି ଝିରି ହୋଇ ବୋହି ଆସୁଛି । ସୁନ୍ଦରୀ ବିନିତା ଅସମ୍ଭବ ଭାବେ ସୁନ୍ଦର ଦେଖାଯାଉଛି ।

 

ଆଃ, ବିନିତା କେଡ଼େ ଚମତ୍କାର ଦେଖାଯାଏ ? ତାର ଏ ହସିଲା ମୁହଁ ପୁନେଇଚନ୍ଦ୍ରଠାରୁ ବି’ ଲୋଭନୀୟ । ହସ ତ ନୁହେଁ ମୁଠାଏ ଆନନ୍ଦର ଅବିର । ଲାଲ୍‌ ଲାଲ୍‌, ନରମା ନରମା ।

 

ବିନୁ ! ଆସିଲା ଏଣେ ! ନା ନା, ଏଇଠିକି ! ପାଖକୁ......

 

ଟିକୁ ! ଗଲୁ ଦେଖିବୁ ତୋ ପୁଅ କାନ୍ଦୁଛି । ବିନୁ ଆଦେଶ ଦେଲା ।

 

ପୁଅ କାନ୍ଦୁଛି ? କିଏ କହିଲା ? ପୁଅ ତ ମୋଲ ହସୁଥିବ ଲୋ ମା, ହସୁଥିବ ।

 

ନାଇଁରେ ଟକୁ ! ସେ କାନ୍ଦୁଛି ନାଁ କଣ !

 

ତା’ ପାଇଁ ତୁ କାନ୍ଦୁନୁ ? ପୁଅ ତ ମୋଲ ହସ ହସ !

 

ହେଇ ଦେଖିଲୁ ! ଚଣାବାଲା ଫେରି ଗଲା ତ !

 

ଚନା–ଚନା ! ଟିକୁ ଚାଲିଗଲା ।

 

କଣ ଦେଖୁଥିଲ ? ବିନୁ ସ୍ୱାମୀ ପାଖକୁ ଚାଲି ଆସିଲା ।

 

ସ୍ୱାମୀ ବିଜୟବାବୁ ପରମ ସୁହାଗରେ ତାର ଆବୃତ ଓଢ଼ଣାକୁ ଭିଡ଼ି ଦେଲେ । ଲାଲ୍‌ଟୁକୁ ଟୁକୁ କଟା ଚିବୁକକୁ ଟେକି ଧରି ପଚାରିଲେ, ଟିକୁକୁ ତଡ଼ିଦେଲେ କାହିଁକି ଶୁଣେ ?

 

ବିନୁ ବିଜୟବାବୁଙ୍କ ହାତ ଅଟକାଇ ପଚାରିଲା, ଡ଼ାକିବି ?

 

ନା’ ଥାଉ । ବିଜୟବାବୁଙ୍କ ମୁହଁରେ ଦୁଷ୍ଟ ହସ ଲହଡ଼ି ଭାଙ୍ଗୁଛି । ବିନୁ ବି’ ନରମି ଗଲାଣି-। ଅଫିସବାହୁଡ଼ା କ୍ଳାନ୍ତି ମଉଳି ଗଲା ।

 

ମୁହଁ ହାତ ଧୋଇବନି ? ବିନୁ ମନେ ପକାଇ ଦେଲା ।

 

ଆରେ ରହ ! ବିଜୟ ବାବୁ କହିବାକୁ ଲାଗିଲେ, ପ୍ରଥମେ ତୁମର ସୁନ୍ଦର ମୁହଁକୁ ମନ ଭରି ଦେଖିନିଏ । ତାପରେ ଆଉ କଥା ।

 

ବିଜୟ ବାବୁଙ୍କୁ ବଙ୍କେଇ ବଙ୍କେଇ ଅନାଇଲା ବିନିତା । ଠିକ୍‌ସେହି ମନବିନ୍ଧା, ଠିକ୍ ସେହି ମନବିନ୍ଧା ଚାହାଣୀ, ଠିକ୍ ସେହି ବିଦଗ୍‌ଧ, ବିଲୋଳ ଫାଶଯୋଖା ଆଖି ଡ଼ୋଳା । ଗୋଟାପଣେ ଦେହ ଥରି ଉଠେ । ମନ ଲତାଇ ଯାଏ । ସେ ମୁହଁର ନୀରବ ଆହ୍ୱାନକୁ ଏଡ଼ାଇ ହୁଏ ନାହିଁ । ଆଦିମ ଇଂଗିତକୁ ଅସ୍ୱୀକାର କରି ହୁଏ ନାହିଁ ।

 

ଜିତୁ ଭାଇ ଏମିତି ଚାହୁଁ ଥିଲେ । ହସି ହସି ପାଖକୁ ଡ଼ାକୁଥିଲେ । କାନ ପାଖକୁ ମୁହଁ ଆଣି ଚୁପ୍‌ଚୁପ୍‌ ପଚାରୁଥିଲେ, ତୁମେ ମୋତେ ଭଲ ପାଅ ବିନୁ ? ଏକାକଥା ଅନେକ ଥର ବିଭିନ୍ନ ଭଙ୍ଗୀରେ ପଚାରିଚନ୍ତି । ତରୁଣୀ ମୁହଁରୁ ସ୍ୱୀକାରୋକ୍ତି ପାଇବାକୁ ପୁରୁଷ ଜାତିଟା ଏମିତି ବାଉଳା ହୁଏ କାହିଁକି ଭଲା ? ଥରେ କହିଲେ କଣ ହୁଏ ନାହିଁ ? ଉତ୍ତର ପାଇ ନ ଶୁଣିଲା ପରି ଆଉ ଥରେ ପଚାରେ ସେହି ଏକା କଥା । ସତେ ଯେମିତି ସେ ବାରମ୍ବାର ଶୁଣିବାକୁ ଚାହେଁ ଗୋଟିଏ ଅନୂଢ଼ା ତନ୍ୱୀର ଲାଜଲାଜୁଆ ଉତ୍ତର, ମୁଁ ତମକୁ ଭଲ ପାଏ !

 

ବିଜୁବାବୁଙ୍କ ମୁହଁରେ ଜିତୁ ଭାଇଙ୍କ ଆଖି ମିଶିଛି । ଜିତୁ ଭାଇଙ୍କର ଖଣ୍ଡିତ ଚାହାଣୀକୁ ବିଜୁବାବୁ ଛଡ଼ାଇ ଆଣିଛନ୍ତି । ଜିତୁଭାଇ ଓ ବିଜୁ ବାବୁଙ୍କର ମିଶାମିଶି ଏଇ ତାର ସ୍ୱାମୀ !!

 

ବିନିତା ହସିଦେଇ ମୁହଁ ବୁଲାଇ ନେଲା ।

 

ବିନୁ ହସିଲେ ସଜଫଟା ଗୋଲାପ ପରି ଦେଖାଯାଏ । ସେ ହସିଦେଇ ତା ଗୋଲାପ ଦେହର ସୁନ୍ଦର ପାଖୁଡ଼ାଗୁଡ଼ିକୁ ଝାଡ଼ି ଦେଲା ଯେମିତି । ସେହି ପାଖୁଡ଼ାତକ ବିଜୟ ବାବୁଙ୍କ ବିମୁଗ୍‌ଧ ଚାହାଣୀକୁ ଘୋଡ଼ାଇ ଦେଲା । ନାକ ପୁଡ଼ାରେ ନରମ ସୁବାସ ବାଜୁଛି । ଦେହ ଭିତରେ ତଡ଼ିତ୍‌ ପ୍ରବାହ ଛୁଟିଛି । ବିଜୟ ବାବୁ ବିନୁର ସୌନ୍ଦର୍ଯ୍ୟ ସ୍ନାନ କରି ନିଜକୁ ଭୁଲି ଯାଇଛନ୍ତି ।

 

ଏଇ ବିନୁ ଦେହ ଦୋହଲାଇ ଫେରିଗଲା । ତାର ଛନ୍ଦାୟିତ ପଦଯୁଗଳରେ ବନହଂସୀର ଛନ୍ଦ ପାତ ।

 

ବାପା ! ଚନାବାଲା ଫେଲିଗଲା ! ଟିକୁ ଅଭିଯୋଗ ବଢୁଛି ।

 

ସେ ଆଉ ଥରେ ଆସିବ ଯେ.....ବିଜୟ ବାବୁ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ ।

 

ବିନୁ ପାଖ ଘରେ ଥାଇ ମଠେଇ ମଠେଇ ହସୁଛି । ତାର ମିଠାଳିଆ ହସ ପବନକୁ ମତାଇ ଦେଇଛି । ବିଜୟ ବାବୁ ବିନୁର ହସିଲା ମୁହଁର କାଳ୍ପନିକ ଛବି ଦେଖୁଛନ୍ତି ।

 

ସାମନାରେ ନିର୍ବାକ ହୋଇ ଛିଡ଼ା ହୋଇଛି ଟିକା । ଆଖିରେ ତାର ଅନେକ ଅଭିଯୋଗ-

 

ବିଜୟ ବାବୁ ଗୋଡ଼ ହାତ ଧୋଇ ଟେବୁଲ ପାଖରେ ବସିଲେ । ଟେବୁଲ ଗୋଟାକ ପୋଛା ପୋଛି ହୋଇ ସଜା ଯାଇଛି । ଗୋଟିଏ କରକୁ ବହି ଓ ଖାତାପତ୍ରତକ ଥାକମରା ହୋଇଛି-। ଦୋ’ମୁହାଁ ଆଲବମଟି ସାମନାସାମନି । ଗୋଟାକରେ ତାଙ୍କ କଲେଜ ଜୀବନର ଫଟୋ-। ପାଖରେ ବିନିତାର କିଶୋରୀ ବୟସର ଛବି । ମୁଣ୍ଡରେ ଓଢ଼ଣା ନାହିଁ କି କପାଳେ ସିନ୍ଦୁର ନାହିଁ-। ସବୁ ସରଳ, ସହଜ । କିନ୍ତୁ ଫଟୋଟି କି ଚମତ୍କାର ଦେଖା ଯାଉଛି ! ନିରାଭଗଣା ବିନୁ କାହାକୁ ଦେଖି ହସୁଛି । ଓଠ କଡ଼ର ତୋଫା ଦାନ୍ତଧାଡ଼ିକ ଡ଼ାଳିମ୍ବ ମଞ୍ଜିପରି ମସୃଣ । ମୁହଁରେ ସୁରଭିତ ମଳୟର ବାର୍ତ୍ତା । ସେ ଖାଲି ଜୀବନ ଓ ଯୌବନର ଗୀତ ଗାଏ । ବିଜୟ ବାବୁ ମନ ଲଗାଇ ତାରି ମୁହଁର ସୁନ୍ଦର ସଂଗୀତକୁ ଅଧ୍ୟୟନ କରୁଥିଲେ ।

 

ବିଜୟ ବାବୁଙ୍କ ଲୋଭିଲା ଆଖିରେ ଦିଗ ଖୋଜି ଟିକୁ ବି’ ସେହି ଯୁଗ ଫଟୋଟିକୁ କଣେଇ କଣେଇ ଚାହିଁଛି ।

 

ଚା’ ନିଅ ! ବିନୁ ଟେବୁଲ ଉପରେ ଚା’ଭରା କପ୍‌ରଖିଦେଲା । କପ୍‌ରୁ ଗରମ ବାମ୍ଫ ବାହାରୁଛି । ସେ ବାମ୍ଫ ମଠେଇ ମଠେଇ ଉପରକୁ ଉଠି ଯାଇ ଚାଖଣ୍ଡେ ଉପରେ କୁଣ୍ଡଳୀ ସୃଷ୍ଟି କରୁଛି ।

 

ବିଜୟ ବାବୁ ଆଲବମ ଫଟୋରୁ ମୁହଁ ଉଠାଇ ବିନିତାକୁ ଚାହିଁଲେ ।

 

କଣ ଏତେ ଚାହିଁଛ ? ବିନୁ ପଚାରିଲା ।

 

ତୁମକୁ ।

 

ଚା’ ଥଣ୍ଡା ହୋଇଯିବ ଯେ.......ଭଲ ଲାଗିବ ନାହିଁ ।

 

ତୁମରି ହାତର ଚା’ କେବେ ଥଣ୍ଡା ହୋଇପାରେ ବିନୁ ?

 

ବାଃରେ, ପବନ ବାଜିଲେ ଗରମ ଚା’ ଥଣ୍ଡା ହେବ ନି’ !

 

ବରଫ ବାଜିଲେ ବି ନୁହେଁ । ସେ ସବୁବେଳେ ତଟ୍‌କା ଆଉ ତାଜା !

 

ସେ ପୁଣି କେମିତି ?

 

ସେ ପରା ତୁମରି ହାତର ଚା !

 

ମୋ ହାତରେ କଣ କିମିଆ ଅଛି ?

 

ଖାଲି ହାତରେ ନୁହଁ ବିନୁ, ସର୍ବାଙ୍ଗରେ ।

 

ମୁଁ ତ ଜାଣି ନାହିଁ ?

 

କେମିତି ଜାଣିବ ? ତୁମେ ଯେ କସ୍ତୁରୀ ମୃଗ ! ତୁମର କସ୍ତୁରୀକୁ ବନେ ବନେ ଖୋଜିବୁଲ ।

 

ବିନୁ ଗଦ୍‌ଗଦ ହୋଇ ହସିଲା । ତାରି ହସରୁ ମଦର ଗନ୍ଧ ଝରି ଆସୁଥାଏ । ତାର ମାଂସଳ ଛାତି ଥରି ଥରି ଯାଉଥାଏ । ଦୋହଲି ଦୋହଲି ଜୁଡ଼ାର ଓଢଣା ତଳକୁ ଖସି ପଡ଼ିଲା ।

 

ବିନୁର ମୁଣ୍ଡରେ କେତେ କେଶ ! କେଶବତୀ ବିନୁର ଗହଳ ଜୁଡ଼ାରେ ଆଷାଢୀ ମେଘ ଲୁଚିଛି । ଜୁଡ଼ାର ସର୍ପିଳ ଫାଶରେ ଫୁଲର ହସ ଭିଡ଼ି ହୋଇ ରହିଗଲା । ତାର କଅଁଳ, ସୁନ୍ଦର ବେକକୁ ସେ ଜୁଡ଼ା ଗୋଟା ପଣେ ଘୋଡ଼ାଇ ଦେଇଛି । ଜୁଡ଼ାର ଦାଢ଼ରେ କରି ସୁନାର କେତକୀଟିଏ ଲଗାଇଛି । ଅଦିନିଆ ମେଘର ବିଜୁଳୀ ପରି,କେଶର ଗହଳ ବନରେ ସେଇଟି ଜଳି ଉଠୁଛି । ଦି’ କାନର ମୂଳ ଦେଶରେ ଗଜେ କି ଦି’ଗଜ ହେବ ଗୋଲାପି ନାଇଲନ ରିବନ । ତାକୁ ଥାକ ଥାକ କରି ସଜାଇ ବିନୁ ତହିଁରେ ପଦ୍ମଫୁଲ କରିଛି । କେତେ ଚମତ୍କାର ଦିଶେ ବିନୁର ଓଢ଼ଣା ତଳର ଏହି ଅନିନ୍ଦ୍ୟ ଶୋଭା !

 

ବିଜୟ ବାବୁ ଚା’ ଖାଉ ଖାଉ ବିନୁକୁ ନିଠେଇ ନିଠେଇ ଚାହୁଁ ଥିଲେ । ପତ୍ର ଚା’ର ଗନ୍ଧ ସଙ୍ଗେ ବିନୁର ଅପୂର୍ବ ରୂପ ଯୌବନର ସୁଗନ୍ଧ ଭାସି ଆସି ନାକରେ ପିଟି ହେଉଥିଲା । ଚା’ର ପ୍ରତ୍ୟେକ ଢୋକରେ ବିନୁ ଦେହର ଲାବଣ୍ୟକୁ ବି ସେ ଯେମିତି ଢୋକି ଢୋକି ଶେଷ କରି ଦେଉଥିଲେ । ଆଃ ! କି ଆରାମପ୍ରଦ ଏଇ ଚୈତ୍ର ଆକାଶର ବର୍ଣ୍ଣାଢ଼୍ୟ ସଂଧ୍ୟା ! ଆଗାମୀ ରବିବାରର ନିରୋଳା ବିଶ୍ରାମ ତାଙ୍କ ମନ ଭିତରେ ଫୁଲର ମହକ ଛାଡ଼ି ଯାଇଥାଏ । ସେ ମୁଗ୍‌ଧ, ସେ ତୃପ୍ତ !

 

ଏ ଝିଅ ଫଟୋ କାହାଲ ବାପା ? ଟିକୁ ବିନିତାର କୁମାରୀ ବୟସର ଫଟୋକୁ ହାତ ବଢାଇ ପଚାରୁଥିଲା ।

 

ସେ ତୋ ମାଆର ଫଟୋ ଟିକୁ ! ବିଜୟ ବାବୁ ଉତ୍ତର ଦେଲେ ।

 

ମାଆଲ ଫଟୋ ? ଓଧନା କାହିଁ ? ନାଁ, ସେ ମୋଲ ମାଆଲ ନୁହେ । ଆଉ କାହାଲ !

 

ଦେଖିଲ, ଟିକୁ ତୁମକୁ ଚିହ୍ନି ପାରୁ ନାହିଁ ।

 

କେମିତି ଚିହ୍ନିବ ? ସେତ ଆଉ ତାର ମାଆର ଫଟୋ ନୁହେଁ ।

 

କାହିଁକି ? ସେ କଣ ବିନୁ ନୁହେ ? ବିଜୟ ବାବୁଙ୍କ ଆଖିରେ କୁଢ଼କୁଢ଼ ବିସ୍ମୟ । ସେ ବିନୁର ମୁହଁକୁ ସହସ୍ର ପ୍ରଶ୍ନ ନେଇ ଅନାଇଛନ୍ତି ।

 

ସେ ବିନୁ ଯେ ଆଜିର ବିନୁ ନୁହେ । ଅବିବାହିତା ବିନିତା । ତାର ସନ୍ତାନ ନ ଥିଲା, କି ସ୍ୱାମୀ ନ ଥିଲେ ।

 

ବିଜୟ ବାବୁ ନିଜ ମନର ଭ୍ରମ ବୁଝିପାରି ହସିଲେ । ଫଟୋଟିକୁ ଆଉ ଟିକିଏ ଗଭୀର ଭାବେ ଚାହିଁଲେ । ସେ ଆଉ ଗୋଟିଏ ବିନୁ । ଆଖିରେ ତାର ମନଭୁଲା ମାୟା । ଅନାଗତର ସ୍ୱପ୍ନ ଦେଖି କୁରୁଳି କୁରୁଳି ହସୁଛି । ଦେହର ମୁହଁରେ ସେହି ସ୍ୱପ୍ନର ଅଲରା ଖିଆଲ ମିଶିଛି । ନିଧକ, ନିଃସଙ୍କୋଚ ବିନୁ । ବନ ଗହନର ଅପୋଷା ପକ୍ଷୀପରି ପର ଝାଡ଼ୁଛି । ତାର ଓଠରେ ରେଶମୀ ହସର ମନଭୁଲା ପାଖୁଡ଼ା । ଅଜଣା ଉତ୍ତେଜନାରେ ଥରି ଥରି ଉଠୁଥିବା ଚିବୁକ ହଠାତ୍‌ ସ୍ଥିର ହୋଇ ଯାଇଛି ।

 

ବିନିତା ପିଲାବେଳେ ଅନେକ ସୁନ୍ଦର ଦେଖାଯାଉଥିଲା । ସେ ତାଙ୍କ ଗାଁ ଖଣ୍ଡକରେ ବଛା ଝିଅଟିଏ ଥିଲା ବୋଧହୁଏ ।

 

କଣ ଏତେ ଭାବୁଛ ? ବିନୁ ନୀରବତା ଭଙ୍ଗ କରି ପଚାରିଲା ।

 

ଏଇ ତୁମରି କଥା । ତୁମର ପିଲାଦିନର କଥା ।

 

କଣ ଭାବି ପାରୁଛ ? ମୋର ପିଲାଦିନର କଥା ଜାଣିଛ ?

 

ଆଉ ବାହାଘର କେମିତି ହେଲା ? ବିଜୟ ବାବୁ ନିଜର ଦୁର୍ବଳ ଯୁକ୍ତିକୁ ସମର୍ଥନ କରିବାକୁ କହିଲେ ।

 

ନା, ତମେ କିଛି ଜାଣିନା । ବିନୁ ଆଖି ଫେରାଇ ନେଲା । ଟିକୁ ମିଟି ମିଟି କରି ବାପା ଆଉ ମାର ମୁହଁକୁ ଏକା ସଙ୍ଗରେ ଚାହୁଁଥିଲା । ସେ କିଛି ହେଲେ ବୁଝି ପାରୁ ନ ଥାଏ ।

 

ଟିକୁର ଏହି ଅବୁଝା ମୁହଁକୁ ଚାହିଁ ବିନିତା ହସିଲା । ମନେ ମନେ ଭାବିଲା, ଏଇ ବିଜୟବାବୁ ଠିକ୍‌ ଟିକୁ ଭଳି । ଯେମିତି ଖେଳାଇବା ଖେଳିବା । ଦି’ ପଦ ମିଠା କଥା ଶୁଣିଲେ ନରମି ଯିବେ ।

 

ତଥାପି ସେ ତାର ସ୍ୱାମୀ । ଇହକାଳ ଆଉ ପରକାଳର ସାଥି । ବିବାହିତ ବଧୂର ଦେବତା । ସ୍ୱାମୀ ସନ୍ତୁଷ୍ଟ ହେଲେ ପୁଣ୍ୟ ମିଳେ ।

 

ବିଜୟବାବୁ ବେଳେବେଳେ ଅନ୍ୟମନସ୍କ ହୋଇ ପଡ଼ନ୍ତି । ବିନୁ, ଟିକୁ ଗୋଟିକ ପରେ ଗୋଟିଏ ଭଉଁରୀ ହୋଇ ତାଙ୍କ ଭାବନାକୁ ବୁଲାଇ ଦିଅନ୍ତି ।

 

ବିନୁ ଏତେ ପାଖରେ ଥାଇ ବି’ ନ ଥିଲା ପରି । ସେ ତାକୁ ନିଜ ଭିତରେ ପାଇ ବି’ ନ ପାଇଲା ପରି ଲାଗେ ।

 

ବିଜୟବାବୁଙ୍କର ମନେ ପଡ଼େ ଭୁଲା ଅତୀତର ସ୍ମୃତି । ମନ ତାଙ୍କର ଦୁଇଭାଗ ହୋଇଯାଏ । ଗୋଟିଏ ଭାଗ ତାତୁ ଥାଏ, ମାତୁ ଥାଏ । ଅନ୍ୟ ଭାଗଟି ତାଳି ମାରି ମଜା ଦେଖୁଥାଏ-। ଏହି ଦେଖିବାରେ ହିଁ ଆନନ୍ଦ ଆଉ ମଉଜ । ତାତିଗଲେ ତ ସରିଗଲା । ମାତି ଗଲେ ସେମିତି ମରିଗଲା ।

 

ଚଇତ ପବନରେ ଚଇତାଳି ଉତ୍ସବର ବାଜା ବାଜୁଥାଏ । ମୁହଁ ସଂଜର ଶୀତଳ କଳରବ କାନପାଖରେ କଉତୁକିଆ କବିତା ଶୁଣାଉଥାଏ । ଆଉ ଟିକକ ପରେ ରାତି ଆସିବ । ତାର କଳା ପଣତରେ ନୂଆ ରାଜଧାନୀ ଭୁବନେଶ୍ୱରର ମୁହଁ ଘୋଡ଼ାଇ ଦେବ, କନ୍ଧୁଣୀ ଝିଅର କଳା ମିଚି ମିଚି ଦେହ ପରି କଳାରାତି ସବଳ ହୋଇ ଉଠିବ । କାର୍ଯ୍ୟବ୍ୟସ୍ତ ନୂଆ ରାଜଧାନୀ କଅଁଳ ପିଲାଟିଏ ପରି ଶୋଇ ପଡ଼ିବ ।

 

ବିଜୟବାବୁ ବିମୁଗ୍‌ଧ ହୋଇ ଝରକା ଫାଙ୍କରୁ ଅସ୍ତଗାମୀ ସୂର୍ଯ୍ୟକୁ ଅନେଇ ଥିଲେ । ସାମନା ରାଜପଥରେ ବଡ଼ ଅଫିସରଙ୍କ ମୋଟର ଛୁଟିଛି । ବ୍ୟବସାୟ ପ୍ରତିଷ୍ଠାନ ତରଫରୁ ମାଇକ୍‌ରେ ବିଜ୍ଞାପନ କରାଯାଉଛି । ପିଚୁରାସ୍ତା ଉପରୁ ପାଖେଇ ଯାଇ ଏକମୁହାଁ ହୋଇ ଛୁଟିଛନ୍ତି ନାମ ଆଉ ପଦବୀହୀନ ପଦଯାତ୍ରୀ । କୁଲି, କିରାନୀ, କାଠ ଦୋକାନୀ ପ୍ରଭୃତି କେତେ ଜାତିର ।

 

ରିକ୍‌ସାର ଦୁଇପଟେ ଦୁଇଟି ସିନେମା ପୋଷ୍ଟର ଝୁଲାଇ ଗୋଟିଏ ବେତନଭୋଗୀ କର୍ମ୍ମଚାରୀ ଚାଲିଗଲା ।

 

ବସନ୍ତର ଏଇ ଶେଷ ସମୟଟା ଆରାମଦାୟକ ସତରେ, ଚଇତର ଚୋରାପବନ ମୁଠା ମୁଠା କରି ଶିହରଣ ବୁଣିଯାଏ । ପ୍ରତିଟି ପୁରୁଣା ଜିନିଷକୁ ନୂଆକରି ଭାବିବାକୁ ଭଲ ଲାଗେ । ଅମଡ଼ା, ଅଦେଖା ବାଟରେ ଗୋଡ଼ ବଢାଇବାକୁ ଆଗ୍ରହ ଆସେ । ଏହା ମଣିଷର ଦୋଷ ନୁହେ । ଶେଷ ବସନ୍ତର ମାୟା । ବାସନ୍ତୀ ମନୋଭାବର ବର୍ହିପ୍ରକାଶ ମାତ୍ର ।

 

କ୍ରମେ ସଂଜ ହେଲା । ଝରକା ଫାଙ୍କାରୁ କଳାବତୀ ରାତି ଉହୁଁଙ୍କି ଚାହିଁ ଘର ଭିତରେ ଅନ୍ଧାର ହାତ ବୁଲାଇ ନେଲା । ରାଜପଥର ବିଜୁଳୀ ଆଲୁଅ ସାମନାରେ ଘର ଭିତରଟା ଆହୁରି ଅସ୍ପଷ୍ଟ ଦେଖାଗଲା ।

 

ବିଜୟବାବୁଙ୍କର ‘ସୁଇଚ୍‌’ ମାରିବାକୁ ମନେ ନାହିଁ । ହଠାତ୍‌ଆଲୁଅ ହେବାରୁ ଚିନ୍ତାମଗ୍ନ ବିଜୟବାବୁ ବେଳ ଭାଙ୍ଗି ଦେଖିଲେ ବିନିତା ସୁଇଚ୍ ପାଖରେ ଛିଡ଼ା ହୋଇ ରହି ରହି ହସୁଛି । ନୀଳ ଆଲୋକର ରୁଚିର ପ୍ରବାହ ସେ ଘରେ ଜୀବନ ଭରିଦେଇଛି । ଏହି ହାଲୁକା ଆଲୁଅରେ ବିନୁର ମୁହଁ କି ଚମତ୍କାର ଦେଖାଯାଏ !

 

ସେଇ ଗୋଲାପୀ ବ୍ଳାଉଜ୍‍ଟା ତା ଦେହକୁ ଖୁବ୍ ସୁନ୍ଦର ଦେଖାଯାଏ । ହଳଦିଆ ରଙ୍ଗଦେହ ସଙ୍ଗରେ ଏକାବେଳକେ ମିଶିଯାଏ ।

 

କେତକୀ ଫୁଲର ଗନ୍ଧ ଛୁଟୁଛି । ବିଜୟ ବାବୁ ବିମୁଗ୍‌ଧ ହୋଇ ଚାହିଁଲେ ବିନୁ ବେଣୀରେ ତାର କେତକୀ ଫୁଲର ଗଭା ମାରିଛି ।

 

ପାଖକୁ ଆସ ! ବିଜୟବାବୁଙ୍କ କଣ୍ଠରେ ଅନୁନୟ ଥିଲା । ଟିକୁ କାନ୍ଦୁଛି ! ବିନୁ ହସିଲା କଣ୍ଠରେ ଉତ୍ତର ଦେଇ ଚାଲିଗଲା ।

 

ବିଜୟବାବୁଙ୍କ ପିଆସୀ ମନଟା ବିନ୍ମର ପଛେ ପଛେ ଅଧେ ବାଟକୁ ଗୋଡ଼ାଇ ଗଲା ।

 

ଅଗଣାରେ ନୂଆ ଚାକରାଣୀଟି ଟିକୁ ପାଇଁ ଫୁଲ ତୋଳି ଦେଉଛି ।

 

ବିନୁ ପୁଣିଥରେ ସେ ଘର ଭିତରକୁ ଆସି ବିଜୟ ବାବୁଙ୍କୁ ଅଳ୍ପ କଣେଇ ଚାହିଁ ଚାଲିଗଲା-

 

ବେଠକ ଘର ଭିତରେ ଏହପରି ଦାୟିତ୍ୱହୀନ ଭାବରେ ବସି ବସି ବିନୁର ବିଜୁଳୀ ଗତି ଦେଖିବାକୁ ଭଲ ଲାଗେ । ସେ ବାରମ୍ବାର ଆସି କଡ଼େଇ ଚାହିଁ ଫେରିଯାଏ ।

 

ଟିକୁ ଖାଇବାକୁ ମାଗିଲାଣି । ବିନୁ ଏଥର ଆଉ ଆସିବ ନାହିଁ । ଖୁଆଇ ପିଆଇ ତାକୁ ଶୁଣାଇ ଦେଲେ ଯାଇ ଆଉ କୋଉ କଥା ।

 

ବିଜୟବାବୁ ବହିଟିଏ ନେଇ ପଢ଼ିବାକୁ ଆରମ୍ଭ କଲେ । କହୁଣି ବାଜି ସାମନା ଆଲବମଟା ପଡ଼ି ଯାଉଥିଲା । ତାକୁ ପୋଛା ପୋଛି କରି ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ଦେଉ ଦେଉ ଛବିଟିକୁ ଆଉ ଥରେ ଦେଖି ନେଲେ । ତାଙ୍କୁ ମନର ସମସ୍ତ ଦୁର୍ବଳତାକୁ ଚିହ୍ନି ନେଲା ପରି ବିନୁ ତାରି ଭିତରେ ହସୁଥିଲା । ଆଲବମ୍‌ଟିକୁ ଆଉ ଟିକିଏ ପାଖେଇ ନେଇ ସେ ସ୍ଥିର ଦୃଷ୍ଟିରେ ଚାହିଁବାକୁ ଲାଗିଲେ ।

 

ପାଞ୍ଚବର୍ଷ ତଳର ବିନୁ ଆହୁରି ସୁନ୍ଦର ଦେଖାଗଲା । ପାଞ୍ଚ ବର୍ଷ ତଳେ ସେ ସ୍ୱାସ୍ଥ୍ୟବତୀ ଥିଲା । ଏବେ ସନ୍ତାନର ମାତା ହୋଇ ନହକା ଦେଖା ଯାଉଛି । ନହକା ତନୁରେ ନୂତନ ଛନ୍ଦ ମିଶିଛି-। ଅତୁଟ ଅବୟବରୁ ଅନିନ୍ଦ୍ୟ ସୁଷମା ଝରୁଛି । ତଥାପି ତଳେଇ ଦେଖିଲେ ମନେ ହୁଏ ଟିକିଏ କେଉଁଠି ବେଯୋଡ଼ ରହିଗଲା ।

 

ସେ ଅଭାବଟି କଣ ହୋଇପାରେ ?

 

ବିନିତାର କୁମାରୀ ବୟସ ଆଉ ନାହିଁ । ଯେଉଁ ବୟସ, ଯେଉଁ ରୂପକୁ ଦେଖି ସେ କୁରୁଳ ଉଠୁଥିଲେ, ତାହା ପଛରେ ପଡ଼ିଗଲା ।

 

ସେ ଦିନର ସୁନେଲି ସ୍ମୃତିକୁ ଆଜି ବି ମନେ ପଡ଼ିଲେ ମନ ଦୋହଲି ଉଠେ । ଶିରା ପ୍ରଶିରାରେ ଶିହରଣରେ ମଧୁର ସ୍ପର୍ଶ ବାଜେ ।

 

ବିଜୟବାବୁ ସେହି ଭୁଲା ସ୍ମୃତିକୁ ଆଡ଼େଇ ଦେଇପାରନ୍ତି ନାହିଁ । ତାକୁ ଏକାନ୍ତ ଭାବରେ ଅନୁଭବ କରି ନେବାକୁ ଆଖି ବୁଜି ଦିଅନ୍ତି । ମନ ଉଆସରେ ସ୍ମୃତିର ଯେଉଁ ହୀନପ୍ରଭ ଶୀଖା ଦିକି ଦିକି ହୋଇ ଦୁର୍ବଳ ଭାବରେ ଜଳୁଥାଏ, ବିଜୟବାବୁଙ୍କର ଆଗ୍ରହ ଦେଖି ଉଗ୍ର ହୁଏ । ବିଜୟବାବୁ ତୃଷ୍ଣାର ତୈଳଦାନ କରି ତାକୁ ସଂଜୀବିତ କରନ୍ତି । ଆନନ୍ଦ ଓ ଉଚ୍ଛ୍ୱାସ ଢାଳି ତେଜାଇ ଦିଅନ୍ତି । ଦୀର୍ଘ ଅତୀତର ମଉନ ସ୍ମୃତି ଅବଲମ୍ବନ ପାଇ ବଢ଼ିଉଠେ । ବିଜୟବାବୁଙ୍କର ପିଆସୀ ମନକୁ ଜଳାଇ ଦିଏ ।

 

ଏହି ସ୍ମୃତି ବିଭିନ୍ନ ସ୍ୱରୂପ ନେଇ ଆସେ । ବେଳ ଅବେଳ ମାନେ ନାହିଁ । ପୋଷିଲା ପଶୁ ପରି ଦେହ ସଂଗରେ ଲଗାଲଗି ଯାଏ । ମୁନିବର ମନ ବୁଝିବାକୁ ବେଳ କାହିଁ ? ଏହି ସ୍ମୃତିକୁ ବିଜୟବାବୁ ନିଜ ଉଚ୍ଛାରେ ପୋଷିଛନ୍ତି । ନିଜ ମନର ଉନ୍ମଦ ଓ ବଂସ୍ତତା ଦେଇ ବଢ଼ାଇ ରଖିଛନ୍ତି । ହେଲେ ବି’ ସେ ଯେତିକି ପୁରୁଣା ହୋଇ ଆସେ, ନିଜ ଉପସ୍ଥିତିକୁ ସୂଚେଇ ଦେବାକୁ ସେତିକି ଦାବୀ କରେ । ବିଜୟବାବୁ ଅସ୍ୱୀକାର କରି ପାରନ୍ତି ନାହିଁ ।

 

ସେ ଅନେକ ଦିନ ହୋଇ ଗଲାଣି........

 

କିନ୍ତୁ ମନେ ହୁଏ ଏଇ ହାତ ପାହାନ୍ତାରେ ତାର ଅବସ୍ଥାନ । ସମୟର ଅନତିଦୂରରେ ହାତ ବଢ଼ାଇ ଡ଼ାକୁଛି ।

 

ବି. ଏ. ଫଳ ବାହାରିବା ପରେ ମନ ହାଲୁକା ହାଲୁକା ଲାଗୁଥାଏ । ବିଜୟବାବୁଙ୍କର ମନେ ହେଉଥିଲା ଆଉ ଜୀବନଯାକ ବୋଧହୁଏ ଦାୟିତ୍ୱ ନାହିଁ । ଖାଲି ସୁଖ ସ୍ୱଚ୍ଛନ୍ଦ୍ୟଭରା ଫୁର୍ତ୍ତିର ଜୀବନ । ହାତ କଢ଼ାଇ ସୌଭାଗ୍ୟକୁ ତୋଳି ନେବାକୁ ହେବ । ସେଥି ସକାଶେ ପରିଶ୍ରମ ନାହିଁ କି ଚେଷ୍ଟା ନାହିଁ । ଏଣିକି ତାଙ୍କ ଜୀବନକୁ ହସାଇବାରେ ଦାୟିତ୍ୱ ବାହାର ଦୁନିଆର । ବିଭିନ୍ନ ପରିବେଶରେ ଅଗଣନ ସାଜସଜ୍ଜା ଖଞ୍ଜିହୋଇ ସେ ସ୍ୱାଗତ କରିବ । ଇଚ୍ଛା ହେଲେ ହାତ ବଢ଼ାଇ ଗ୍ରହଣ କରିବ । ଇଚ୍ଛା ନ ହେଲେ ମୁହଁ ବୁଲାଇ ନେଇ ନୂତନ ସୁବିଧା ଖୋଜିବେ । ସୌଭାଗ୍ୟ ଆସିବ । ସୁଯୋଗ ଆସିବ । ସେମାନେ ଉଭୟେ ଆସିବେ ସମ୍ମାନ ନେଇ, ମର୍ଯ୍ୟାଦା ନେଇ ।

 

ପରୀକ୍ଷା ଫଳ ବାହାରିବା ପରେ ପରେ ସେ ପୂର୍ବାପେକ୍ଷା ଆହୁରି ନିଧକ ହୋଇ ଉଠିଲେ । ସ୍ୱଳ୍ପ ଶିକ୍ଷିତ ଓଡ଼ିଶାର ସେ ଏକ ଡ଼ିଗ୍ରୀଧାରୀ ଯୁବକ । ଏଥର ସମାଜ ତାଙ୍କୁ ସ୍ୱୀକାର କରିବ । ବିଶ୍ୱବିଦ୍ୟାଳୟର ସ୍ୱୀକୃତି ତାଙ୍କୁ ସମସ୍ତ ଅଧିକାର ଦେଇଛି । ନାମ ପଛରେ ଡ଼ିଗ୍ରୀଟାକୁ ଯୋଡ଼ି ସେ ଥରକୁ ଥର ଲେଖିଗଲେ । ସୁନ୍ଦର ଲାଗୁଛି । ଚମତ୍କାର ଦେଖାଯାଉଛି । ବାପାମା’ଙ୍କର ଆଦର ବି ବିନା ଆୟାସରେ ଅଜାଡ଼ି ହୋଇପଡ଼ିଲା । ସେହି ଅବହେଳିତ ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ତାହାହିଁ ଆଲୋଚନାରେ ଉପକଥା ହେଲା ।

 

ବିଜୟବାବୁଙ୍କ ଅଫିସର ପାଠ ଶେଷ ହୋଇଛି ।

 

ବିଜୟବାବୁଙ୍କୁ ସରକାରୀ ଚାକିରୀ ମିଳିବ ।

 

କଣ ହେବ ସେ ? ଜଙ୍ଗଲକର୍ତ୍ତା ? ନା ତହସିଲଦାର ? ଏ ଦେଶର ଅଭାବ ଅସୁବିଧା ବୁଝିବାକୁ ଦାୟିତ୍ୱ ନେଇ ଆସିବେ । କୋଟ ପେଣ୍ଟ ତଳେ କଳା ମିଚି ମିଚି ଜୋତା । ଚାଲିଯାଉଥିଲେ ମାଟି ଦବି ଦବି ଯାଉଥିବ, ନିଜ ଅଧିକାର ସାବ୍ୟସ୍ତ କରିବାକୁ ଦଣ୍ଡ ଦେବେ । ବିନା କାରଣରେ ବି’ ଇଚ୍ଛା କଲେ ଲୋକଙ୍କୁ କୋଟ କଚେରୀକୁ ଓଟାରିବେ ।

 

ଶତ୍ରୁ ସ୍ଥାନୀୟ ଲୋକ ଭୟରେ ନମସ୍କାର କଲେ ବିଜୟର ବାପାଙ୍କୁ ।

 

ମିତ୍ରଣ୍ଡଳୀ ବିଜୟବାବୁଙ୍କ ଚର୍ଚ୍ଚା କରିବାକୁ ଅଧିକ ଆଗ୍ରହ ପ୍ରକାଶ କଲେ । ଡାକହାକ, ବୁଲାଚାଲରେ କୌଣସି ପ୍ରତିବନ୍ଧନ ରହିଲା ନାହିଁ । ସବୁଠୁ ଆଦର । ସବୁଠି ସମ୍ମାନ ।

 

ବିଜୟବାବୁଙ୍କ ମା’ ଦିନେ ଘରକୁ ବୋହୂ ଆଣିବାର ପ୍ରସ୍ତାବ କଲେ । ରାତି ରାତି ଧରି ପାତ୍ରୀ ଖୋଜି ବସିଲେ । ଶିକ୍ଷିତ ପୁଅ ପାଇଁ ଅଶିକ୍ଷିତ ଅଞ୍ଚଳରେ ଯୋଗ୍ୟ ଝିଅଟିଏ ମିଳିବା କଷ୍ଟକର ବ୍ୟାପାର । କାହାର ରୂପ ଅଛି ତ ଗୁଣ ନାହିଁ । ଗୁଣବତୀ ଝିଅ ଅପାଠୋଇ ।

 

‘ମଉନାବତୀ’ର ଗୁଣ ଭଲ ହେଲେ କଣ ହେଲା, କପାଳ ଉଚ୍ଚ । ତାର ସରୁ ବେକଟା ମୋଟା କାନ୍ଧକୁ ସୁନ୍ଦର ଦେଖାଯାଏ । କିନ୍ତୁ ସ୍ନେହ ଶ୍ରଦ୍ଧା ସବୁ ଅଛି । ମାଛିକି ମଁ କହେ ନାହିଁ । ବେକଟା ଆଉ ଟିକିଏ ସରୁଆ ହୋଇ ଥିଲେ ତା ଦେହକୁ ଠିକ୍‌ମନାଇଥାନ୍ତା ପରା !

 

‘କଳାବତୀ’ର ନାଁ ସିନା କଳାରୁ ଆରମ୍ଭ, ଦେହ ଦୁଧମିଶା ଅଳତା ପରି । ଭଅଁର କଳା କେଶ, କାଉ ରଂଗିଆ ଆଖି ଡ଼ୋଳାକୁ ଛାଡ଼ି ଦେଲେ ଦେହସାରା କଳାଜାତଟିଏ ବି’ ନାହିଁ । ସେ ଖାଲିମୁଣ୍ଡରେ ଥିଲେ ଛବିଟିଏ ପରି ଦେଖାଯାଏ । ଆଖି କଡ଼ର ସେହି ସରୁଆ, ଧାରୁଆ କଜଳ ରେଖାଯୋଡ଼ାକ ତା’ ମୁହଁକୁ ଖୁବ୍‌ ମନାଏ । କୁନ୍ଦିଲା କୁନ୍ଦିଲା ଗୋଡ଼ ହାତ । ହେଲେ କଣ ହେବ, ନାକରେ କାନ୍ଦେ । ନାଃ, ଏ ଘରେ ସେ ଚଳି ପାରିବ ନାହିଁ ।

 

ଆଉ ମାଳବିକା ? ମାଳବିକାକୁ ଅସୁନ୍ଦରୀ କହିବ କିଏ ସେ ? କଳ୍ପନା ସତେ ଯେମିତି ସାକାର ମୁର୍ତ୍ତି ଗ୍ରହଣ କରିଛି । ତା ମୁହଁରେ ମନ୍ଦ ମଳୟର ବାର୍ତ୍ତା । ଆଖିରେ ଉନ୍ମତ୍ତା ବନହରିଣୀର ଚଞ୍ଚଳତା, ଗୋଲାପୀ ଗାଲରେ ରକ୍ତ ଓ ମାସଂ ଜୁଆର ତୋଳେ । କଟା ଚିବୁକର ଦାଢ଼େ ଦାଢ଼େ ସବୁଜ ଜୀବନ–ପ୍ରବାହରେ ତରଙ୍ଗ ଛୁଟେ । ଆଃ, ସେ ଯାହାର ହାତ ଧରିବ ତା’ଘରେ ସୁଖ ଓ ସନ୍ତୋଷର ଦିହୁଡ଼ି ଜଳି ଉଠିବ । ତା’ ପାଇଁ ବିଜୟର ପ୍ରସ୍ତାବ କଲେ ମନ୍ଦ ହୁଅନ୍ତା ନି’ ତ ! କିନ୍ତୁ ନାଁ, ତା ହେବ ନାହିଁ । ମାଳବିକାର ମା‘ ସେ ଦିନ ବିଜୟାକୁ ଖୁଣୁଥିଲା । ମାଳବିକା ସଙ୍ଗେ ବିଜୟାକୁ ତଉଲ କରି ବଡ଼ ସାନ ବାଛୁଥିଲା । ଝିଅର ବିଜୟା ଆଗରେ ଏହି ଅନାଗତ ପ୍ରସ୍ତାବ ବଡ଼ ନୁହେ । ବିଜୟାର ଖୁଡ଼ି ହୋଇ ସେ ମାଳବିକାକୁ ଘରର ବୋହୂ କରି ଆଣି ପାରିବେନି’ ।

 

କିନ୍ତୁ ଏଇ ପାଖେ ଗାଁର ଗୌରୀତ ମାଳବିକା ଅପେକ୍ଷା କମ୍‌ସୁନ୍ଦରୀ ନୁହେ ? ଗୌରୀର କୋଉ ନଖକୋଣକୁ ମାଳ ସରି ହେବ ଯେ ? ଗୌରୀର ମୁଗ୍‌ଧ ବିଭୋର ଅପାଙ୍ଗରେ ମନ ବାନ୍ଧ ହୋଇଯାଏ । ତାର କଅଁଳ, ସସେ କଣ୍ଠରେ ସ୍ନେହ ଓ ସୁହାଗର ଫଲ୍‌ଗୁ ବହେ । ସୌମ୍ୟ, ସୁନ୍ଦର ସ୍ୱାସ୍ଥ୍ୟ । କିନ୍ତୁ ସବୁ କାମରେ ଅଳସ । ଅଳସ ଯେମିତି ଘର କରିଛି ତା ପାଦରେ । ନ ହେଲେ ଏଡ଼େ ସୁନ୍ଦର ଝିଅ ହୋଇ ଏ ଯାଏ ଅବିହାଡ଼ୀ ରହିଥାନ୍ତି ନା ?

 

ବିଜୟବାବୁଙ୍କ ମା’ ନିଜ ଅଜାଣତରେ ଚିହ୍ନା ଅଚିହ୍ନା ଆହୁରି ପାଁ ଜଣକ ଉପରେ ଆଖି ବୁଲାଇ ନିଅନ୍ତି । ଖୋଜି, ଖୋଜି ଏମିତି ବୋହୂଟିଏ ଆଣିବେ ଯିଏ ପଢ଼ାଶୁଣା କରି ଶିକ୍ଷିତା ହୋଇଥିବ ସରସ୍ୱତୀ ପରି । ରୂପ ଆଉ ସ୍ୱାସ୍ଥ୍ୟରେ ସୁନ୍ଦରୀ ହୋଇଥିବ ରତି ପରି । ପୁଣି କାମ ଧାମ ଓ ସେବାଗୁଣରେ ଠିକ୍‌ସୀତା ପରି । ଗୋଟିଏ ଝିଅ ଆଣିବେ ନାହିଁ ତ, ଆଣିବେ ଗୋଟାକ ସଙ୍ଗରେ ତ୍ରିଭୁବନମୋହିନୀ ସରସ୍ୱତୀ, ରତି ଓ ସୀତା ଦେବୀଙ୍କର ମିଶାମିଶି ବିଗ୍ରହ ! ବିଗ୍ରହ ! ତାଙ୍କ ଘରର ଏକ ମାତ୍ର କୁଳବଧୂ !! ବିଜୟର ସ୍ତ୍ରୀ !

 

ବିସ୍ମୟ ବାବୁ ବିସ୍ମୟ ହୋଇ ଚାହାନ୍ତି ମା‘ଙ୍କର ବାଉଳା ମୁହଁକୁ । କେତେ ସ୍ନେହ କେତେ ଶ୍ରଦ୍ଧା ଭରି ରହିଛି ଏହି ମା’ ମୁହଁରେ । ଦେଖିଲେ ସରେ ନାହିଁ । ଖୋଜୁଥିଲେ ବାହାରୁ ଥାଏ । ଶ୍ରଦ୍ଧା ଓ ଭକ୍ତିରେ ସେ ମସ୍ତକ ଅବନତ କରନ୍ତି । କିନ୍ତୁ ବାପାଙ୍କୁ ଦେଖିଲେ ଆଡ଼େଇ ଆଡ଼େଇ ଚାଲନ୍ତି । ସତେ ଯେମିତି ଦୁଷ୍ଟ ବାଳକଟିଏ ଗାଁ ଅବଧାନଙ୍କ ହାବୁଡ଼ରେ ପଡ଼ିଗଲା । ବାପା ହସି ଦେଇ ବାହାରି ଯାଆନ୍ତି । ପିଲାବେଳର କଡ଼ା ଶାସନକୁ ମନେ ପକାନ୍ତି । ବିଜୟ ବାବୁ ଏବେ ଆଉ ପିଲା ନୁହନ୍ତି । କିନ୍ତୁ ବାପାଙ୍କ ସାମନାରେ ଏହି ଭୀତଗ୍ରସ୍ତ ବିଜୁକୁ ଦେଖିଲେ ମନେ ହୁଏ, ସେ କଦାପି ବଡ଼ ହୋଇଯାଇନାହାନ୍ତି । ପିଲାବେଳର ସେହି ଅବାଧ୍ୟ, ଦୃଷ୍ଟ ବିଜୁ । ବାପାଙ୍କର କଡ଼ା ଶାସନ ଦରକାର-। ନ ହେଲେ ସବୁ ଦିନକୁ ସେମିତି ଚପଳ ହୋଇ ରହିଯିବେ । ମଣିଷ ହୋଇ ପାରିବେ ନାହିଁ ।

 

ମା‘ ପରିବାରର କୁଶଳ ପାଇଁ ସବୁବେଳେ ଭାବେ । ସମସ୍ତଙ୍କର ଆନନ୍ଦ ଦେଖିବାହିଁ ତାର ସ୍ୱପ୍ନ । କିନ୍ତୁ ସବୁ ପରିବାର ମା‘ର ମନରେ ଚଳେ ନାହିଁ । ମା’ର ଉଦ୍‌ବିଗ୍ନ ମନ ନଇଁଯାଏ କାମ ହାସଲ କରିବାକୁ ସେ ବୁଲାଣି ରାସ୍ତା ଧରେ । ବାପ ଉପରେ ପ୍ରଭାବ ପକାଏ । ନ ହେଲେ ଅଭିମାନ କରି କାନ୍ଦେ ।

 

ଦିନେ ବିଜୟର ବାପା ବିଜୟକୁ ପାତ୍ରୀ ଦେଖିବା ସକାଶେ ବାସୁଦେବପୁରକୁ ପଠାଇଲେ । ବାସୁଦେବପୁର ଭୁବନେଶ୍ୱରରୁ ଅନେକ ବାଟ । ସଡ଼କ ନାହିଁ କି ସିଧାରାସ୍ତା ନାହିଁ । ଶଗଡ଼ ଚାଲିବା ବାଟରେ ବଙ୍କେଇ ବଙ୍କେଇ ଯିବାକୁ ହୁଏ । ଅନେକ ପରିଶ୍ରମ ପରେ ବାସୁଦେବପୁର ପେଖେଇ ଆସିଲା ।

 

ସେ ଦୁହେଁ ଦିନକ ପାଇଁ ଅତିଥି ହେଲେ ବିନୁ ଘରେ ।

 

ବିଜୟବାବୁଙ୍କୁ ଦେଖି ବିନୁର ମା ତରଳି ଯାଇଥାନ୍ତି । ମା’ ମନ ତାଙ୍କର କୁରୁଳି ଉଠୁଥାଏ-। ଏତେ ପାଠ, ଏତେ ବଡ଼ ଆଭିଜାତ୍ୟ ଆଗରେ ମନ ତାଙ୍କର ନଇଁ ପଡ଼ିଥାଏ । ସେ ମନେ ମନେ ଜିତେନ୍ଦ୍ର ସଙ୍ଗରେ ବିଜୟବାବୁଙ୍କୁ ତୁଳନା କରୁଥିଲେ । ଜିତେନ୍ଦ୍ର ପ୍ରତି ଆଗରୁ ଯେଉଁ ଧାରଣା ଥିଲା ତା’ ଭଉଣୀକୁ ଘରର ବୋହୂ କରି ଆଣିବା ପରେ ସେତକ ବଦଳି ଯାଇଛି । ପାତ୍ର ନ ମିଳିଲେ ସିନା ବଦଳ କନ୍ୟା । ଏହି ବିଜୟ ଆଖି ଆଗରେ ଥାଉ ଥାଉ ସେ ଆଉ ଝିଅ ବଦଳ କରିବାକୁ ଇଚ୍ଛା କଲେ ନାହିଁ ।

 

ଜିତେନ୍ଦ୍ରର ସବୁ ଭଲ ଗୁଣତକ ଏବେ ପବନରେ ମିଳାଇ ଯାଇଛି । ଯେତେକ ଯାକଛୋଟ ବଡ଼ ବିଭ୍ରାଟ ଏହା ଭିତରେ ବୋହି–ଯାଇଛି । ସେ ସବୁତକ ଆଖି ଆଗରେ ଆସି ଛିଡ଼ା ହେଲା ।

 

ଜିତେନ୍ଦ୍ର ଭଉଣୀ ପଟ ନେଇ କଜିଆ କରେ । ନିଜ କଥାକୁ ସାବ୍ୟସ୍ତ କରିବାକୁ ସବୁବେଳେ ଉଦ୍ୟମ କରେ । ବଢ଼ିଲା ଝିଅ ବିନିତା ସଙ୍ଗେ ସେ ଯେଉଁ ଥଟ୍ଟ, ପରିହାସ କରେ ତାହା ନିଶ୍ଚୟ ଦୋଷାବହ । ତାର ଯେମିତି ଢଙ୍ଗ, ବିନିତାକୁ ଅଧାବାଟରେ ପେଲି ଦେଇ ପରହାତ ଧରିବା ବିଚିତ୍ର ନୁହେଁ ।

 

ମା‘ର କଥାରଖି ବିନିତା ଅତିଥିମାନଙ୍କ ସାମନାକୁ ଆସିବାକୁ ବାଧ୍ୟ ହେଲା । ତାକୁ ସୁନ୍ଦର କଣ୍ଢେଇଟିଏ ପରି ସଜାଦେଇଥାନ୍ତି ବିନିତାର ମା । ବେଶଭୂଷଣରେ ସୁସଜ୍ଜିତା ହୋଇ ରୂପକଥାର ଅଲିଅଳି ରାଜଜେମା ପରି ଦେଖା ଯାଉଥିଏ । ମୁଣ୍ଡତଳକୁ ପୋତି ଜଳଖିଆ ଥାଳି ରଖିଦେଇ ମୁହୂର୍ତ୍ତକ ଭିତରେ ବାହୁଡ଼ି ଗଲା ।

 

ସେ ମୁହୂର୍ତ୍ତକ ବିଜୟବାବୁ ରୂପସ୍ନାନ କରୁଥିଲେ । ଛାତି ଭିତରଟା ଆଉଟି ହୋଇଯାଉଥିଲା । ତାଙ୍କର ତନ୍ମୟ ଚାହାଣୀରେ ଅସଂଖ୍ୟ ଆବେଗର ଭାଷା ଥିଲା ।

 

ବିନିତା ମୁହଁ ଉଠାଇ ଦେଖିଲା, ଆଗରେ ସୌମ୍ୟ ସୁନ୍ଦର ଯୁବକଟିଏ । ଚାହାଣୀରୁ ପ୍ରଶଂସାର ଭାଷା ଝରୁଛି । ସତେ ଯେମିତି ସେ ସୂଚାଇ ଦେବାକୁ ଚାହାନ୍ତି, ତୁମର ରୂପ ଯୌବନରେ ମୁଁ ମୁଗ୍‌ଧ ବିନିତା ! ମୋତେ ଅନୁଗୃହୀତ କର !

 

ମୁହୂର୍ତ୍ତକର ଦର୍ଶନ, କ୍ଷଣିକର ଦୃଷ୍ଟି ବିନିମୟ, ଥରକର ଅନୁଭବ, ଦୁଇଟି ଅନୁଭବୀ ପ୍ରାଣରେ ଚମକ ବୁଣିଗଲା ।

 

ବିନିତା ମୁହଁ ବୁଲାଇ ଫେରିଗଲାବେଳେ ତାର ନଗ୍ନପାଦର ସଫେଦ ସୁସ୍ଥ ଲାବଣ୍ୟକୁ ବିଜୟବାବୁ ନିରୀକ୍ଷଣ କରୁଥିଲେ । ବିନିତା ସମ୍ବଲପୁରୀ ପରଦା ଶାଢ଼ୀଟିଏ ପିନ୍ଧିଥାଏ । ଶାଢ଼ୀର ଚିତ୍ରିତ ପଣତ ବେକତଳେ ଲତାଇ ଯାଇଥାଏ । ଯେତକ ଅନାବୃତ ରହିଥାଏ, କେବଳ ସେହି ଅଂଶତଳ ଗୋଟିଏ ଖିଆଲୀ ଯୁବକକୁ ଉଦ୍‌ବେଳିତ କରିବାରେ ଯଥେଷ୍ଟ ହେବ । ବିନିତାର ସର୍ପଛନ୍ଦା ବେଣୀର ଲାଳିତ୍ୟ ବିଜୟବାବୁଙ୍କ ମନଗହନରେ ଆକର୍ଷଣ ଓ ଆତ୍ମସମର୍ପଣର ବୀଜ ବପନ କରିଗଲା ।

 

ଏହି କେଶବତୀ, ପୁଷ୍ପବତୀ ବିନିତା ବିଜୟବାବୁଙ୍କ ହୃଦୟ ଭିତରେ କଳ୍ପନାର ସୁନ୍ଦର ଫୁଲଟିଏ ହୋଇରହିଗଲା ।

 

ପାଖରେ ବସିଥିବା କକେଇ ବିଜୟକୁ ପରୀକ୍ଷକ ଦୃଷ୍ଟିରେ ଅନାଇ ରହିଥାନ୍ତି । ବିଜୟର ସ୍ୱୀକାରୋକ୍ତିସୂଚକ ହସ ଦେଖି ସେ ହସିଲେ । ଆଉ ବିନିତା ? ସେ ଜିତେନ୍ଦ୍ରର ଅତିପ୍ରିୟ ବିନୁଠାରୁ ଦୂରେଇ ଦୂରେଇ ଯାଉଥିଲା । ବିନୁ ପାଖରୁ ଅଲଗା ହେବାକୁ ଦାବୀ କରୁଥିଲା ।

 

ଜିତେନ୍ଦ୍ରବାବୁଙ୍କୁ ଠକିଦେଲୁ ବିନିତା ? ତୁ’ଟା ଏମିତି ସ୍ୱାର୍ଥପର ? ବିନୁ ପଚାରୁଥିଲା ।

 

କିଏ କହିଲା ? ଜିତେନ୍ଦ୍ରବାବୁ ଚାହିଁଲେ ମୁଁ ବି’ ତାଙ୍କର ହୋଇପାରିବି ।

 

କେମିତି ? ବିନୁ ପଚାରିଲା ।

 

ତାଙ୍କୁ ସ୍ନେହ ଦେବି, ସୁହାଗ ଦେବି । ପଚାରିଲେ ଉତ୍ତର ଦେବି ଅଧର୍ମ ହେବ ଅନ୍ୟାୟ ହେବ ।

 

ମୁଁ ସେ ଧର୍ମ ଅଧର୍ମକୁ ମାନେ ନାହିଁ । ନ୍ୟାୟ ଅନ୍ୟାୟ ଏହି ସୁବିଧାବାଦୀ ମଣିଷର ସୃଷ୍ଟି-। ମୁଁ ତାର ସୁଯୋଗ ନେଉଛି ମାତ୍ର ।

 

ବିଜୟବାବୁ ଫେରି ଆସିବାରେ ମାସକ ପରେ ବିବାହ ମହୁରି ବାଜି ଉଠିଲା ।

 

ସେହି ଦିନଠୁ ବିନିତା ଘରର ବଧୂ ହୋଇ ରହିଛି ।

 

ବିଜୟବାବୁ ଗଲାଦିନର ଅଧାଭୁଲା କଥାକୁ ମନେ ପକାଉଥିଲେ । ପୁରୁଣା କଥା ନୂଆ କରି ଭାବିଲା ବେଳେ ଆଉ ପ୍ରକାରେ ଜଣାର ପଡ଼ୁଥିଲା ।

 

ବିନିତା ଶାଶୁଘରେ ମାୟାର ବ୍ୟୁହ ରଚନା କରିଛି । ଟିକୁର ମା ରୂପରେ, ବିଜୟବାବୁଙ୍କର ପ୍ରାଣାଧିକ ପତ୍ନୀ ରୂପରେ ସେ ଏଘରେ ନିଜର କୁହୁକ ହାତ ମେଲାଇ ଦେଇଛି ।

 

ବିନିତା ପାଦ ଚିପି ଚିପି ଆସି ବିଜୟବାବୁଙ୍କ ଚୌକିର ପଛପଟେ ଛିଡ଼ା ହେଲା । ବିଜୟବାବୁ ଏକାଗ୍ର ମନରେ ଭାବି ଚାଲିଥାନ୍ତି । ବିନିତା ବିଜୟବାବୁଙ୍କର ଭାବନାଭରା ମୁହଁକୁ ଲକ୍ଷ୍ୟ କରିଥାଏ । ମନେ ମନେ ଭାବୁଥାଏ ଏଇ ତାର ସ୍ୱାମୀ । ସରଳ, ସୁନ୍ଦର, ଉଦାର । ମନ ଭତରେ ଏତେ କଥା ଭାବୁଥିଲେହେଁ ମୁହଁ ଫିଟାଇ କହି ପାରନ୍ତି ନାହିଁ । ସେ ମୁହଁଫଟାଇ ଖାଲି ସ୍ନେହ ମାଗନ୍ତି । ସୋହାଗ ମାଗନ୍ତି ।

 

ଅନେକ ରାତି ହେଲାଣି । ଖାଇବ ଆସ । ବିନିତା ବିଜୟମାବୁଙ୍କ ହାତ ଧରି ଉଠାଇବାକୁ ଚେଷ୍ଟାକଲା ।

 

ମାୟାବୀ ବିନିତାକୁ ଦେଖି ବିଜୟ ବାବୁ ତାଙ୍କ ଭାବନାକୁ ଭୁଲିଗଲେ । ସେ ପୁଣି ଥରେ ବିନିତାକୁ ଚାହିଁଲେ ।

 

ବିନିତା ଅଳ୍ପ ହସିଲା । କହିଲା, ରାତି ହେଉଛି ଯେ ?

 

ହଁ ବିନିତା ରାତି ହୋଇ ଯାଇଛି, ବିଜୟ ବାବୁ ବିନିତାର ପଛେ ପଛେ ଚାଲିବାକୁ ଲାଗିଲା । ବିନିତା ଦମ୍ଭିଲା ପାଦରେ ବାଟ କଢ଼ାଉ ଥାଏ । ଆଉ ଏହି ବିଜୟବାବୁ ବିନିତାର ପାଦ ସଙ୍ଗରେ ପାଦ ମିଳାଇ ପଛରେ ଚାଲିବାକୁ ଗର୍ବିତ ମନେ କରୁଥାନ୍ତି ।

 

ଲୋକାରଣ୍ୟ ବ୍ରହ୍ମପୁର ଜିତେନ୍ଦ୍ରର ବିକ୍ଷିପ୍ତ ମନକୁ ସଜାଡ଼ି ଦେବାରେ ସାହାଯ୍ୟ କଲା ।

 

ଚୈତ୍ରର ଶେଷ ସପ୍ତାହରେ ଠାକୁରାଣୀ ଯାତ୍ରା ପଡ଼ୁଥାଏ । ଠାକୁରାଣୀ ଯାତ୍ରା ସକାଶେ ସମଗ୍ର ସହର ପ୍ରସ୍ତୁତ ହେଉଥାଏ । ଦୋକାନ ବଜାର ସୁସଜ୍ଜିତ ହୋଇ ଅତି ସୁନ୍ଦର ଦେଖା ଯାଉଥାଏ । ଲୋକମାନଙ୍କ ମୁହଁରେ ଯାତ୍ରାର ଆଲୋଚନା ମୁଖ୍ୟ ଅଶଂ ଗ୍ରହଣ କରିଥାଏ ।

 

ବ୍ରହ୍ମପୁର ଓ ଆଖପାଖର ଶହ ଶହ ପଲ୍ଲୀ ଠାକୁରାଣୀଯାତ୍ରାକୁ ଅପେକ୍ଷା କରିଥାନ୍ତି । ସହରର ବଡ଼ ଯାତ୍ରା । ଦୁଇବର୍ଷର ବ୍ୟବଧାନରେ ସେ ସୁଖର ସମ୍ଭାର ସଙ୍ଗରେ ନେଇ ଆସେ । ସମୁଦାୟ ଅଂଚଳବାସୀ କାର୍ଯ୍ୟବ୍ୟସ୍ତ ଜୀବନକୁ ଭୁଲି ଯାଆନ୍ତି । ଅତିଥି ଅଭ୍ୟାଗତମାନଙ୍କ ସମାବେଶରେ ଜନସଂଖ୍ୟା ଠାକୁରାଣୀ ଯାତ୍ରାର ଶେଷଦିନ ପର୍ଯ୍ୟନ୍ତ ବଢ଼ିଚାଲେ । ଖର୍ଚ୍ଚପାଇଁ ଭାବନା ନ ଥାଏ । ଚାକିରୀ କରୁଥିବା ପାରିଲାପୁଅ ଛୁଟି ନେଇ ସହରକୁ ଫେରେ । ଝିଅ ବୋହୂମାନେ ଏକତ୍ରିତ ହୋଇ ସୁଖ ଦୁଃଖ ହୁଅନ୍ତି । ସମସ୍ତଙ୍କ ମୁହଁରେ ହସ ଫୁଟି ଉଠେ ।

 

ଜିତେନ୍ଦ୍ର ବ୍ରହ୍ମପୁରର ଏହି ଅଭିନବ ପ୍ରସ୍ତୁତିକୁ ଆଗ୍ରହୀ ଆଖିରେ ଅନାଇଥିଲା । କେତେ ଦିନର ସଂସ୍କୃତି ପ୍ରତିବର୍ଷ ନୂଆ ରୂପ ନେଇ ଆତ୍ମପ୍ରକାଶ କରୁଛି । କିଏ ଆରମ୍ଭ କରିଥିଲା ଜଣା ନାହିଁ । ଏହି ଯାତ୍ରାର ମାତି କେତେ ଲୋକ ବିଦାୟ ନେଲେଣି । ସେମାନଙ୍କ ସ୍ଥାନରେ ନୂଆ ଲୋକ ନୂଆ ମନ ନେଇ ଆଗେଇ ଆସୁଛନ୍ତି । ସାହୀ ସାହୀରେ ମେଢ଼ ତିଆରି ଚାଲିଛି । ଅଜସ୍ର ଅର୍ଥ ସାରି ସେମାନେ ରଥ ସଜାଉଛନ୍ତି । ସେମାନଙ୍କ ଉତ୍ସାହ ଦେଖିଲେ ମନେ ହେଉଛି; ମଣିଷ ଇଚ୍ଛାକଲେ ସବୁ ପାରିବ । ଖାଲି ଟିକିଏ ଆଶ୍ୱାସନା ଆବଶ୍ୟକ । ପ୍ରେରଣା ଦରକାର ।

 

ନୂଆଲୋକଟିଏ ନୂଆ ହୋଇ ସହରକୁ ଆସି କିଛି ଦିନ ରହିଗଲେ ଅନେକ ବନ୍ଧୁ ଜୁଟନ୍ତି-। ମେଳାପୀ ସ୍ୱଭାବ ଥିଲେ, ଦ୍ୱୀପାନ୍ତରରେ ରହି ମଧ୍ୟ ଲୋକ ନିଃସଙ୍ଗ ହୁଏ ନାହିଁ । ଜିତେନ୍ଦ୍ରର ମେଳାପୀ ସ୍ୱଭାବ ଅନେକ ନୂତନ ବନ୍ଧୁଙ୍କୁ ଆକର୍ଷଣ କଲା । ସେମାନଙ୍କ ସଙ୍ଗ ମିଳି ମିଶି ଅଫିସରେ କାମ କରି ଓ ଅଫିସ ବାହାରେ ବୁଲାଚଲା କରି ଜିତେନ୍ଦ୍ରର ସଙ୍କୋଚ ଭାବ କଟିଗଲା । ବ୍ରହ୍ମପୁର ଆସିବା ପୂର୍ବରୁ ଯେଉଁ ଆଶଙ୍କା ଦେଖାଯାଉଥିଲା ସେତକ ଆଉ ନାହିଁ ।

 

ଠାକୁରାଣୀ ଯାତ୍ରା ବ୍ୟତୀତ ବ୍ରହ୍ମପୁରର ଅନେକ ଆକର୍ଷଣ ରହିଛି । କର୍ମବ୍ୟସ୍ତ ବ୍ରହ୍ମପୁରର ପରିଷ୍କାର ପରିଚ୍ଛନ୍ନ ରାସ୍ତା ଉପରେ ନଜର ଦେଲେ ମନେ ହୁଏ ଏ ସହରର ଜୀବନ ଅଛି-। ନିଶ୍ଚେଷ୍ଟ ଭୁବନେଶ୍ୱର ପରି ଏହା ନିର୍ଜନ ନୁହେ । ପ୍ରତ୍ୟେକ ନରନାରୀ କର୍ମଠ । କର୍ମ ହିଁ ତାଙ୍କର ପ୍ରାଣ । ଆଳସ୍ୟକୁ ଭଲ ପାଆନ୍ତି ନାହିଁ । ଅଯଥା ବିଳାସକୁ ଘୃଣା କରନ୍ତି, ସକାଳର ପହିଲି ଖରା ପଡ଼ିବା ପୂର୍ବରୁ ବିଛଣାରୁ ଉଠି କାମରେ ଲାଗି ପଡ଼ନ୍ତି । ଦିନେ ତମାମ ଖଟି ରାତି ହେଲେ ବସାକୁ ଫେରି ରୋଜଗାରର ହିସାବ କରନ୍ତି ।

 

ବ୍ରହ୍ମପୁରର ତରୁଣୀ ଓଢ଼ଣା ଭିତରେ ଲୁଚି ରହିବାକୁ ଭଲପାଏ ନାହିଁ । ନିଜ ହାତରେ ଘରର ଯାବତୀୟ ଦରକାରୀ ଜିନିଷ ଯୋଗାଡ଼ କରେ । ଆଖି ପଲକରେ ଆରଟ ପରି ବୁଲି ଆସି ସମସ୍ତ ଚର୍ଚ୍ଚା ବୁଝେ । ତାର ଆଖିରେ ବିଜୁଳି କଥା କହେ । ସେ ଚାଲେ ନାହିଁ ଯେ ନାଚେ । କହେ ନାହିଁ ଯେ ଗାଏ । ତାରି କଣ୍ଠର ମିଠାକଥା ଶୁଣିବାକୁ ଖୁବ୍‌ଭଲ ଲାଗେ । ଗାଢ଼ ରଙ୍ଗର ଶାଢ଼ୀ ପିନ୍ଧିବାକୁ ଭଲପାଏ । ଲମ୍ବା ବେଣୀ ରଚ କେତକୀଫୁଲ ମାରେ । ତାର ଅତୁଳନୀୟ ସ୍ୱାସ୍ଥ୍ୟ ବ୍ରହ୍ମପୁର ଛାତିରେ ଜୁଆର ତୋଳେ ।

 

ଜିତେନ୍ଦ୍ର ଏହି ସୁସଂଯତ ସହରରେ ଘେରାଏ ବୁଲିଆସି ନିଜ ଗାଁ କଥା ମନେ ପକାଏ । ସେଇଠି ସଡ଼କ ନାହିଁ କି ମୋଟର ନାହିଁ । ପଞ୍ଚବାର୍ଷିକ ଯୋଜନା, ବିଜୁଳି ଆଲୁଅଟିଏ ବି’ ଯୋଗାଡ଼ି ଦେଇନାହିଁ । ଗ୍ରାମଗୋଷ୍ଠୀ ଯୋଜନାର ପ୍ରଧାନ କର୍ମପୀଠ ହେଲେ ବି’ ଚାରି ମାଇଲ ଚାଲିଗଲେ ଯାଇ ମୋଟର ମିଳେ ।

 

ବ୍ରହ୍ମପୁରରେ ଚାକିରୀ ପାଇ ନିଜକୁ ସେ ଭାଗ୍ୟବାନ ମନେ କରୁଥିଲା । ତା’ ଜାଣିବାରେ ଓଡ଼ିଶାର ପ୍ରତ୍ୟେକ ସହର ଅପେକ୍ଷା ଏହି ସହରଟିରେ ଅନେକ ସୁବିଧା । କେପିଟାଲ ମାର୍କେଟ ପରି ଜିନିଷ ପତ୍ର ଏତେ ମହରଗ ନୁହେ । ପ୍ରଚୁର ଉତ୍ପାଦନ ଓ ବହୁଳ ଯୋଗାଣ ଏ ସହରକୁ ସୁସ୍ଥ ସବଳ କରି ରଖିଛି ।

 

ଜିତେନ୍ଦ୍ର ସବୁଦିନ ପରି ଦିନ ଦଶଟାରେ ଅଫିସ ପହଞ୍ଚି ନିଜ ଡାକତକ ତନଖି ନେଲା । ବିଦେଶରେ ରହିଲେ ଚିଠି ପତ୍ରର ଆବଶ୍ୟକତା ବଢ଼ି ଉଠେ । ଚିଠିଟା ଯେତେ ସାମାନ୍ୟ ହୋଇଥାଉ ପଛକେ, ପାଇଲେ ମନେ ହୁଏ ପୁଣିଥରେ ଗଲାଦିନ ସବୁ ପାଖେଇ ଆସିଛି । ଗାଁର ଭଲମନ୍ଦ ଖବର ପାଇଲେ ମନ ହାଲୁକା ଲାଗେ କୌଣସି ଆଡ଼ୁ କିଛି ନ ଆସିଲେ ବିରକ୍ତ ଲାଗେ ।

 

ଜିତେନ୍ଦ୍ରର ସେଦିନ ଅନେକ ଚିଠି । କିନ୍ତୁ ତାରି ଭିତରୁ ଗୋଟିଏ ଲଫାପାର ହସ୍ତାକ୍ଷର ଦେଖି ସେ ଚମକି ଉଠୁଥିଲା । ଲଫାପାଟା ଖୋଲିଲା ବେଳେ ହାତଗୁଡ଼ିକ ଥରି ଉଠୁଥିଲା ।

 

ଅନେକ ଦିନ ପରେ ବିନିତା ପୁଣି ଥରେ ଚିଠି ଦେଇଛି । କଣ ଲେଖିଥିବ ଚିଠିରେ ?

ହୁଏତ ଚିଠିର ଭାଷା ତା’ ଜୀବନର ଗତି ପରି ବଦଳି ଯାଇଥିବ । ପ୍ରତି ପଦରେ ଶୃଙ୍ଖଳା ଥିବ, ଲଗାମ ଥିବ । କୁମାରୀ ଜୀବନର ଚିନ୍ତାହୀନ ଯାତ୍ରୀ ତ’ ନୁହେ । ଗୋନରେ ବେଢୀ ଅଛି । ବେକରେ ଫାଶ ଅଛି । ପରିବାର ଓ ସ୍ୱାମୀ ନୁହ ଆଗରେ ସେ ନରମି ଯାଉଥିବ । ଏ ଚିଠିଟି ଆଗ ଚିଠିମାନଙ୍କ ପରି ଉଚ୍ଛୃଙ୍ଖଳ କେବେ ହେବ ନାହିଁ ।

ତଥାପି ପୂର୍ବ ଚିଠି ପରି ଆଜି ବି’ ବିନିତାର ଚିଠିକୁ ସଙ୍ଗେ ସଙ୍ଗେ ସେ ପଢ଼ି ପାରିଲା ନାହିଁ । ଚାରିଆଡ଼କୁ ଚାହିଁ ନେଇ ନିର୍ଜନରେ ଚୁପ୍‌ଚାପ୍ ଚିଠି ଖୋଲି ପଢ଼ିଲା ।

ଭୁବନେଶ୍ୱରରୁ ଲେଖୁଛି ।

ରାତି ବାରଟା

ତାରିଖ ମନେ ନାହିଁ ।

ପ୍ରିୟ ଜିତୁଭାଇ !

ଚିଠି ଲେଖିବି ବୋଲି ଲେଖୁନାହିଁ । ସେମିତି ଇଚ୍ଛାଥିଲେ ଆଗରୁ ଚିଠି ପାଇଥାନ୍ତ । ଆଜି କାହିଁକି ତୁମ ଆଗରେ ଅନେକ କଥା ରହିବାକୁ ମନେ ହେଉଛି । ତୁମେ ଯଦି ଭୁବନେଶ୍ୱରରେ ଥାଆନ୍ତା ଜିତୁଭାଇ, ଉଦୟଗିରିରେ ରାତ୍ରି ଯାପନ କରିଥାନ୍ତେ । ରାତିସାରା ତୁମକୁ ଉଜାଗର ରଖି ମନର ସବୁକଥା ଶୁଣାଇ ଥାଆନ୍ତି । ଗୋଟିଏ ରାତି କଣ ଅଣ୍ଟି ଥାଆନ୍ତା ? ଅନେକ କଥା ଅଛି କହିବାକୁ । ଏ ଚିଠିରେ କଣ ସବୁତକ ଧରିବ ?

ତୁମ ଅଫିସରେ ଦଶହରା ପୂଜା ଛୁଟି କେବେ ପଡ଼େ ଜିତୁଭାଇ, କହିଥିଲେ ଦଶହରା ଆସିବ ବୋଲି । ଆଶ୍ୱିନ ମାସ ସାରା ଅପେକ୍ଷା କଲି । ଭୁବନେଶ୍ୱରର ପୂଜାଛୁଟି ସରିଲା । ଅପେକ୍ଷା କରି କରି ଆଖିରୁ ପାଣି ମଲା । ତଥାପି ତୁମେ ଆସିଲ ନାହିଁ । କେବେ ଆସୁଛି ଲେଖିବ-?

ଏ ଚିଠିଟି ଲେଖିଲା ବେଳେ ମନେ ପଡ଼ୁଛି ତୁମର ସ୍ନେହ ବୋଳା ହସ ହସ ମୁହଁ । ଏଇ ରାତି ଅଧରେ ହୁଏତ କେଉଁ କଅଁଳ ଖଟ ଉପରେ ଶୋଇ ଯାଇଥିବ । ନରମ, ନରମ ସ୍ୱପ୍ନ ତୁମ ନିଦ୍ରିତ ଡୋଳାରେ ଭଉଁରୀ ରଚିଥିବ । ତଥାପି ଜିତୁଭାଇ, ଦୂର ଭୁବନେଶ୍ୱରରେ ରାତିଅଧରେ ଚେଇଁ ବସି ତୁମର ପ୍ରତୀକ୍ଷା କରିଛି । ମୋ ଭାବନା ତୁମରି ଦେହ ଓ ମୁହଁ ଚଉପଟେ ଚକର ମାରୁଛି-। ମୁଁ ଭଲ ପାରିନି’ ଜିତୁଭାଇ, କିଛିହେଲେ ଭୁଲି ନାହିଁ । ଆଗେ କେତେ ଚିଠି ଦେଉଥିଲ । ବେଳ ଅବେଳ ନ ମାନି ଦେଖାଦେଇ ଭଲ ମନ୍ଦ ପଚାରି ଯାଉଥିଲ । ଚାରିଦିନକୁ ଖଣ୍ଡେ ଖଣ୍ଡେ ଚିଠି-। ଏବେ ଭାବୁଛ, ବିନୁ ବଦଳିଗଲା । ପୂର୍ବର ବିନୁ ଆଉ ନାହିଁ । ତୁମେ ଏଡ଼େ ନିଷ୍ଠୁର ହୋଇ ପାର ଜିତୁଭାଇ ? କିନ୍ତୁ ଏକଥା ସ୍ପଷ୍ଟ ସୂଚାଇ ଦେବାକୁ ଚାହେଁ ଯେ, ମୁଁ ଯେଉଁଠି ରହିଲେ ବି’ ଗୋଟାପଣେ ତୁମର । ଏ ଘର, ଏ ପରିବାରର ଆକର୍ଷଣ ମୋ’ ପକ୍ଷରେ କିଛି ନୁହେଁ । ତୁମେହିଁ ମୋର ଏ ପୃଥିବୀରେ ସର୍ବଶ୍ରେଷ୍ଠ ଆକର୍ଷଣ-। ସବୁଦିନ ସେଇଆ ଥିଲା । ଏବେବି’ ରହିଛି । ପୃଥିବୀର ଯେ କୌଣସି ଉପାନ୍ତରେ ଥିଲେ ବି’ ମୁଁ ତୁମକୁ ଆଗର ବିନୁ ବ୍ୟତୀତ ଆଉ କିଛି ନୁହେଁ । ଯେତେବେଳେ ତୁମେ ସେଇ ନାଆଁରେ ଡ଼ାକିବି, ଯେତେ ଦୁରରେ ଥିଲେ ବି’ ପାଖକୁ ଯାଇ ଉତ୍ତର ଦେବି । ବୁଝିଲ ତ ?

ପ୍ରତିଦିନ ତୁମର ହାତ ଲେଖା ପତ୍ରକୁ ଅପେକ୍ଷା କରେ । କିନ୍ତୁ ହତାଶ ହେବାକୁ ପଡ଼େ । ପାଖ ମଣିଷ ଦୁରରେ ରହିଲେ ସେ କଣ ଚିହ୍ନା ଲୋକଙ୍କୁ ଭୁଲିଯାଏ ଜିତୁଭାଇ ? ଆଶାୟୀ ଚାତକଟିଏ ମୁଁ । ମେଘ ଦେଖି ମନ ଭିତରେ ମାୟା ଖେଳୁଛି । ଟୋପାଏ ପାଣି ପରି ଖଣ୍ଡିଏ ଚିଠି ମୋର ଦରକାର ଜିତୁଭାଇ ! ନିରାଶ କରିବ ନାହିଁ । ଜୀଇ ଥିଲାଯାଏ ଅତୀତର ଅଧିକାରକୁ ଜାହିର୍‌ ରଖି ଅଳି କରୁଥିବ । ମରିଗଲେ କଣ ଆଉ ଲେଖି ପାରିବି ?

ଶୁଣିଲେ ତୁମେ କୁଆଡ଼େ ହେବାକୁ ମନାକରି ଦେଉଛ । ବିଜୟବାବୁ ବି’ ବିସ୍ମୟ ପ୍ରକାଶ କଲେ । ମୁଁ କାରଣଟା ଜାଣିଥିଲେ ବି’ ବିଜୟବାବୁଙ୍କ ଆଗରେ କେମିତି କହିଥାନ୍ତି କହିଲ ? ତୁମେ ବାହାକର ଜିତୁଭାଇ ! ବାପାମା’ଙ୍କ ମନରେ କଷ୍ଟ ଦେବା ଉଚିତ ନୁହେଁ । କେଉଁ ଦୁର୍ଦ୍ଦାନ୍ତ ଦେବତାର ଅଭିଶାପ ଆମେ ଭୋଗୁଛେ । କିନ୍ତୁ ଜିତୁଭାଇ ! ସମାଜର ବାଧ୍ୟବାଧକତା ଆମକୁ ସାମୟିକ ବିଚ୍ଛେଦର ଦୁଃଖ ଦେଇ ଥିଲେ ବି’ ଆମ ମନର ମହାମିଳନ ହୋଇଛି । ଆମେ ଦୂରରେ ଥାଇବି’ ପାଖରେ । ମୁଁ ତୁମଠୁ ଅନେକ ସାନ ଜିତୁଭାଇ ! ତୁମକୁ ଉପଦେଶ ଦେବାର ଶକ୍ତି ମୋର ନାହିଁ । ତଥାପି ସାନ ହେଲେ ସୁଦ୍ଧା, ତୁମରି ଅଧିକାରରୁ ଲେଖିଛି । ମୋ ରାଣ ! କିଛି ଭାବିବ ନାହିଁ !

ଏ ବର୍ଷ ପୂଜାଛୁଟିରେ ବା ତତ୍‌ପୂର୍ବରୁ ନିଶ୍ଚୟ ଆସ ଜିତୁଭାଇ । ଆସିଲେ ଅନେକ କଥା ଅଛି । ସତେ ତୁମେ ଆସିବ ? କେବେ ?

ତୁମର ସ୍ନେହର

‘ବିନୁ’

 

ବିନିତାର ଏହି ରାତି ବାରଟାର ଚିଠି ଖଣ୍ଡିକ ଜିତେନ୍ଦ୍ରର ଛାତିକୁ ଥରାଇ ଦେଲା । ମନ ଭିତରେ ଉତ୍ତେଜନାର ତଡ଼ିତ୍‌ ପ୍ରବାହ ହେଉଛି । ଭାବନା ସବୁ ଗୋଳମାଳ ହୋଇ ଯାଉଛି ।

 

ବିନୁ ବିବାହିତା । ପାଖରେ ତାର ସ୍ୱାମୀ ଓ ସନ୍ତାନର ପରିବାର । ସେମାନଙ୍କୁ ପାଖେଇ ଦେଇ ରାତି ଅଧରେ ଉଠିବସି ସେ ଚିଠି ଲେଖି ପାରିଲା ?କେଉଁ ଆଶାରେ ? କେଉଁ ସାହସରେ-?

 

ଏହି ଅଦ୍ଭୁତ ବିନିତାକୁ ପରିକଳ୍ପନା ବି’ କରି ହେଉନାହିଁ । ଅତୀତର ଅଧିକାର ନେଇ ସେ ଦାବୀ କରୁଛି । କିନ୍ତୁ ତାର ମନେ ନାହିଁ ଯେ ସେ ଅତୀତ ଆଉ ପାଖରେ ନାହିଁ । ବାହା ହେବାକୁ ଉପଦେଶ ଦେଉଛି । କାହାକୁ ସେ ବାହା ହେବ ? କାହା ସଙ୍ଗରେ ସେ ସାଲିସ କରିବ ଭବିଷ୍ୟତ ପାଇଁ ? ଏକ ଅପରିଚିତା ତରୁଣୀ, ଗୋଟିଏ ଅବହେଳିତ ଯୁବକକୁ କେଉଁ ଆଶା ନେଇ ନିର୍ଭର କରି ପାରିବ ? ଯାହାକୁ ଭଲ ପାଇ ବିବାହ ହେବାର ସ୍ୱପ୍ନ ଦେଖୁଥିଲେ ସେ ଭାଙ୍ଗିଗଲା । ପୁଣି ଭଲ ପାଇବ ବୋଲି କାହାର ହାତ ଯାଇ ଧରିବ ?

 

ନା, ନା, ଏ ସବୁ ଅସମ୍ଭବ । ବିନୁ ଭୁଲ କହୁଛି । ଏ ସମାଜରେ ସେ ଆଉ ଗୋଟିଏ ‘ବିନୁ’ର ସୃଷ୍ଟି କରିବ ଉଚିତ ହେବ ନାହିଁ । ବିନୁର ପ୍ରସ୍ତାବର କୌଣସି ମାନେ ହୁଏ ନା ।

 

ସେ ଆଉ କାମ କରି ପାରିଲା ନାହିଁ । ମନ ଚଞ୍ଚଳ ହୋଇ ଉଠଛି ।

 

ଅତୀତ ! ଆଃ, ସେ ଅତୀତ ନ ଥାଆନ୍ତି କି ? ଅନାବଶ୍ୟକ ମାନସିକ ଦ୍ୱନ୍ଦ୍ୱରୁ ରକ୍ଷା ମିଳନ୍ତା । ହସି ହସି ଆଉ ଗୋଟିଏ ସୁନ୍ଦରୀ ତରୁଣୀର ହାତ ଧରି ସେ ସଂସାର କରନ୍ତା । ଚୈତ୍ରର ଏହି ଶେଷ ସପ୍ତାହଟା ଏତେ ସୁଦୀର୍ଘ ଜଣା ପଡ଼ନ୍ତା ନାହିଁ । ବାପ ମା’ ବି ଖୁସି ହୁଅନ୍ତେ । ତା’ ସଂସାରରେ ହସଖୁସିର ନଦୀ ବହୁଥାନ୍ତା । ତହିଁରେ ଅବଗାହନ କରି ଉଲ୍ଲସି ଉଠୁଥାନ୍ତା ଦେହ ଆଉ ପ୍ରାଣ । ଏ ଯୌବନକୁ ଏକାନ୍ତ ଭାବରେ ଉପଭୋଗ କରି ହୁଅନ୍ତା ।

 

ବିବାହ କଥା ମନେ ପକାଇଲେ ଆଖି ଆଗକୁ ଯେଉଁ ତରୁଣୀର ଚିତ୍ରପଟଟା ଆଗେଇ ଆସେ, ସେ ବିନିତାର । ନାରୀ ମନର ଅନ୍ତର୍ଦ୍ୱନ୍ଦ୍ୱ ଦେଖିବାବୁ ଯେମିତି ସେ ବାରମ୍ବାର ଆସି ବ୍ୟସ୍ତ କରେ । ଛାତି ପୋଡ଼ି ଜଳି ଯାଉଥିଲା ବେଳେ ତାଳିମାରି ମଜା ଦେଖେ । ଚୁପ୍‌ଚୁପ୍‌କହେ ମୁଁ ଅଛି ବିଜୁଭାଇ ! ମୁଁ ଥାଉ ଥାଉ ଆଉ ଗୋଟାକୁ ବାହା କରିବ ? ମୁଁ କଣ ମରି ଯାଇଛି ?

 

ବିନିତାର ଆଖିରେ ଅଳସ ଥାଏ । ତାର ଅଭିମାନଭରା ଡ଼ୋଳା ଦୁଇଟି ତାକୁ ଦୟା ମାଗୁଥାଏ ।

 

ଜିତେନ୍ଦ୍ର ଏହି ଅଭିମାନିନୀ ବିନିତାକୁ ନିଜର ଅଜାଣତରେ ଭାବି ବସେ । ମନର ତନ୍ଦ୍ରା ଭାଙ୍ଗିଗଲେ ସେ ପୁଣି କହେ, ‘ମୁଁ ଭୁଲ୍‍ କରୁଛି । ବିନିତା ପରର ହୋଇ ଯିବା ପରେ ତା କଥା ଭାବିବା ଏକ ଭ୍ରାନ୍ତ ମଣିଷର ପ୍ରଳାପ ମାତ୍ର ।’

 

ବୋଧହୁଏ ଅଦେଖା ଦେବତାର ଏହାହିଁ ଇଚ୍ଛା ଥିଲା । ଦୁଇଟି ମୁଗ୍‌ଧ, ପ୍ରଲୁବ୍‌ଧ ଯୁବକ ଯୁବତୀଙ୍କ ଭିତରେ ମିଳନର ମହାକ୍ଷୁଧାକୁ ଜାଗ୍ରତ କରି ଓଠ ପାଖରୁ ଆଉ ଗୋଟିଏ ଓଠକୁ ଛଡ଼ାଇ ନେଲା । ଦେହ ଭିତରେ ଛାଡ଼ି ଦେଇଗଲା ସ୍ମୃତିର ଶିଖା, ମିଳନର ଅସ୍ପଷ୍ଟ ରେଖା । ତାକୁ ସମ୍ବଳ କରି କେତେ ଦିନ ବା ପ୍ରତୀକ୍ଷା କରାଯାଇ ପାରେ ? ଜିତେନ୍ଦ୍ରର ସେ ପ୍ରତୀକ୍ଷା ନିଶା ଫିକା ପଡ଼ିଆସେ ।

 

ପର ପଞ୍ଜୁରୀରେ ଆବଦ୍ଧ ହୋଇ ବିରହୀ ପକ୍ଷୀ ପକ୍ଷ ଝାଡ଼େ । ଇଚ୍ଛାକରେ ସବୁ ସ୍ମୃତି, ସବୁ ଅନୁଭୂତି କି ଝାଡ଼ି ସଫାକରିଦେବ । କିନ୍ତୁ ତା’ ଓଠରୁ ଅତୀତର ସଂଗୀତ ହିଁ ବାହାରେ । ସେ ପାରେ ନାହିଁ । ସେହି ବିରହିଣୀ ହେଉଛି ହତଭାଗିନୀ ବିନିତା । ବିନିତାର ଆଖିରେ ଦିନ ଆସେ ନାହିଁ । ଅଜୟର ଓସାରିଆ ଛାତିତଳେ ଶୋଇ ଶୋଇ ଜିତୁଭାଇକୁ ଅପେକ୍ଷା କରେ ।

 

ଜିତେନ୍ଦ୍ରର ଆଜି ସବୁ ଗୋଳମାଳ ହୋଇ ଯାଉଛି । ପରିଷ୍କାର ସହର ବ୍ରହ୍ମପୁର ତା’ ମନ ଭିତରଟାକୁ ସଫା କରି ପାରୁନାହିଁ । ସହରର ସମସ୍ତ ରୂପସଜ୍ଜା ତାର ବିଦ୍ରୋହୀ ମନକୁ ଆୟତ୍ତ କରି ପାରୁ ନାହାନ୍ତି । ମନେ ହେଉଛି, ସବୁ କିଛି ଭୁଲ । ଏ ସହରେ, ସହରର ଲୋକବାଜ ସବୁକିଛି ଭୁଲ । ଆଉ ତା’ ସାଥିରେ ଏ ଜୀବନାଟି ବି..... ।

 

ବିନିତା ବିବାହିତ ତରୁଣୀ ହେଲେ ବି’ ଅବିବାହିତ ଜିତେନ୍ଦ୍ର ପ୍ରତି ଆସକ୍ତ ଥିଲା । ଜିତେନ୍ଦ୍ର ନିଜର ବିବେକକୁ ମନ ଆଗରେ ବଳିଦାନ କରିଥିଲା । ସେ ଜାଣିଥିଲା, ବିନିତା କେବେ ଦିନେ ତାର ନିଜର ହୋଇଥିଲା । ସେ ଜାଣିଥିଲା, ବିନିତା କେବେ ଦିନେ ତାର ନିଜର ହୋଇଥିଲା ସିନା, ଏବେ ସେ କଥା ଆଉ ନାହିଁ । ଭାବି ବସିଲେ ହେଇ କାଲିପରି ଲାଗେ । ବିନିତାକୁ ସେ ପ୍ରାଣ ପରି ଭଲ ପାଉଥିଲା । ବିନିତା ବି ପଣ କରିଥିଲା ତା’ ଜୀବନଯାତ୍ରାର ସାଥି ହେବ ବୋଲି ।

 

ମଣିଷର ସବୁଇଚ୍ଛା ପୁରଣ ହୁଏ ନାହିଁ । ପିଣ୍ଡଧାରୀ ମାନବ ଚାହେଁ ନିଜର ସୁଖ ଆଉ ସୁବିଧା କଥା । କିନ୍ତୁ ସେ ସୁଖ ସୁବିଧା ହାତ ପାଖକୁ ଆସୁ ଆସୁ ବି’ ଉଭାନ ହୋଇଯାଏ । ପ୍ରାପ୍ତିର ପରମ ତୃପ୍ତିରେ ସେ ହାତ ମୁଠା ଖୋଲି ଚାହେଁ, ତା’ ଭିତରେ କିଛି ନାହିଁ । ତାରି ହାତର ଶିରା ପ୍ରଶିରା ବି’ ତାକୁ ସ୍ପର୍ଶର ଆନନ୍ଦ ଦେଇ ଠକି ଦିଅନ୍ତି ।

 

ଜିତେନ୍ଦ୍ରର ଅବ୍ୟବସ୍ଥିତ ମନ ଉପରେ ବିନିତା ମାୟା ଜାଲଟିଏ ପକାଇ ଦେଇ ଅଲଗା ହୋଇ ଛିଡ଼ା ହୋଇଥିଲା । ସେ ଜାଲକୁ ବିନିତା ନିଜ ହାତରେ ଫିଟାଇ ଦେଇନାହିଁ । ଅନ୍ୟ ପାଖରେ ସ୍ୱାମୀର ଚକ୍ଷୁର କନା ବାନ୍ଧି କହୁଥିଲା, ମୋତେ ଖୋଜ । ପାଇଲେ ମୁଁ ତୁମର ହେବି । ଦୁହେଁ ଖୋଜୁଥିଲେ ଆଶାୟୀ ହୋଇ । କିନ୍ତୁ ଭାବିପାରୁ ନଥିଲେ ଯେ ନୈରାଶ୍ୟହିଁ ତାଙ୍କର ପ୍ରାପ୍ତି ।

 

ପୁରୁଷ ପିଲାର ମନର ଟାଣକୁ ତରୁଣୀ ବିନିତା ଠିକ୍ ଚିହ୍ନିଥିଲା । ଟିକିଏ ଆଦର, ଟିକିଏ ସ୍ପର୍ଶ ପାଇଲେ ଏ ଜାତିଟା ପାଗଳ ହୋଇଯାଏ । ଭାବେ, ସେ ସରଗର ଚନ୍ଦ୍ର ପାଇଛି । ତାଠୁ ଦୂରେଇ ଯାଉଥିଲେ ପୁରୁଷ ବ୍ୟାକୁଳ ହୋଇ ପଛରେ ଗୋଡ଼ାଏ । ଛୋଟ ଛେଳି ଛୁଆ ପରି ଆକୁଳ କଣ୍ଠରେ ଦୟା ମାଗେ ।

 

ବିଜୟବାବୁ ଓ ଜିତେନ୍ଦ୍ରକୁ ଅଲଗା ଅଲଗା କରି ଛିଡ଼ା କରି ସେ ଖେଳ ଦେଖୁଥିଲା । ମଝିରେ ଛିଡ଼ା ହୋଇ କେହି କାହାରିକୁ ଯେମିତି ଚାହିଁ ନ ପାରିବେ ସେଥିପାଇଁ ଚେଷ୍ଟା କରୁଥିଲା । ଆକସ୍ମାତ ସେମାନଙ୍କ ଦୂରତ୍ୱର ବ୍ୟବଧାନ କମି ଆସିଲେ ନିଜ ଦେହର କଳା ପଣତଟିକୁ ମେଲାଇ ଦେଉଥିଲା । ତାହାରି ଦେହର ମହୁଆ ଗନ୍ଧମିଶା ପଣତକୁ ସେମାନେ ଆଘ୍ରାଣ କରୁଥିଲେ । ଜଣକୁ ଗୋଟାଏ ହାତରେ ପାଖକୁ ଡ଼ାକି ଆରଜଣକୁ ଅନ୍ୟ ହାତରେ ମୁଠାଇ ରଖିଥିଲା । ସେ ଦୁହେଁ ବିନୁକୁ ଖୋଜୁ ଖୋଜୁ ପାଉଥିଲେ ବିନୁର ଛାଇକୁ । ଛାଇକୁ ବିନୁ ଭାବି ସେମାନେ କୃତ କୃତ୍ୟ ହେଉଥିଲେ । ବିନିତାର ଏହା ଏକାନ୍ତ ନିଜସ୍ୱ ଖେଳ । ତାର ପରିକଳ୍ପିତ ଲୁଚକାଳି ଖେଳ !

 

ଜିତେନ୍ଦ୍ର ନିର୍ଜନ ରାତିରେ ଉଜାଗର ରହି ବିନିତାର କଥା ଭାବି ହେଉଥିଲା । ବିନିତା ଦିନେ ତାର ସ୍ୱପ୍ନ ଥିଲା । କଳ୍ପନାର ବେଳାଭୂମି ଉପରେ ତାକୁ ବସାଇ ଶେଷ ପର୍ଯ୍ୟନ୍ତ ସେ ନିଜର ଭବିଷ୍ୟତକୁ ରୂପ ଦେଇଛି । ଆଜି ବିନିତା ନାହିଁ । ତଥାପି ତାର ଦରଦବେଳା ଚିଠି ଖଣ୍ଡିକ ରହିଛି ଛାତି ପକେଟରେ । ସେହି ହୁଏତ ଛାତିର ସ୍ପନ୍ଦନକୁ ଅନୁଭବ କରୁଥିବ ।

 

ବାପା ସୁନ୍ଦର ଗାଁରୁ ଆଉ ଖଣ୍ଡେ ଚିଠି ଦେଇଛନ୍ତି । ଲେଖିଛନ୍ତି ପୂଜା ଛୁଟିରେ ତାର ବିବାହ କରିବେ ।

 

ଜିତେନ୍ଦ୍ର ମନରେ ଚିନ୍ତାର ଉଜାଣି ବହୁଛି । ଆଜିଯାଏ ବିନୁ ବ୍ୟତୀତ ଆଉ କାହାର କଥା ସେ ଭାବିନାହିଁ । ବିନିକୁ ହଜାଇ ସେ କଣ ଆଉ କାହାକୁ ଭଲ ପାଇ ପାରିବ ?

 

ଗୋଟିଏ ପାଖେ ବିନୁର ଚିଠି—ଆର ପାଖରେ ବାପାଙ୍କର ଆଦେଶ ମିଶା ଅନୁରୋଧ-!

 

ଆଃ,ଏ ପୂଜା ଛୁଟିଟା କେବେ ହେଲେ ନ ପଡ଼ନ୍ତା କି ?

 

କିନ୍ତୁ ପୂଜାଛୁଟି ଘୁରି ଫେରି ପାଖେଇ ଆସିଲା ।

 

ଅଫିସ ସାଙ୍ଗତକ ନିଜ ନିଜ ଗାଁକୁ ଚାଲିଗଲେ । ଜିତେନ୍ଦ୍ର ବାଧ୍ୟ ହୋଇ ବ୍ରହ୍ମପୁର ଛାଡ଼ିଲା-। ଗାଡ଼ି ଭିତରେ ବାପାଙ୍କର ଚିଠି ଓ ବିନୁର ଚିଠିକି ମେଲାଇ ବାରମ୍ବାର ପଢ଼ୁଥିଲା ।

 

ବିନୁ କେତେକରି ଲେଖିଛି, ପୂଜାଛୁଟିରେ ଭୁବନେଶ୍ୱର ଆସିବାକୁ । ବାପା ଇଚ୍ଛା କରନ୍ତି, ତାର ବିବାହ କାମଟା ଶେଷ କରି ଦେବାକୁ । ବିନିତାର ଆଖିରେ ଲୁହ–ବାପାଙ୍କର ଆଖିରେ ଆଦେଶ ।

 

ଗୋଟିଏ ବିବାହିତା ତରୁଣୀର ଖିଆଲୀ ମନ ଉପରେ ଭରା ଦେଇ ବାଟ ଚାଲିବା ବିରାଟ ଭୁଲ । ତାର ସୌଖୀନ ପ୍ରେମର ଖେଳନା ହୋଇ ରହିବା ନିହାତି ଅସଙ୍ଗତ କଥା । ଏଥର ସେ ବାପାଙ୍କର କଥା ଅନୁସାରେ ବିବାହ କରିବ । ତାର ଭବିଷ୍ୟତକୁ ସମ୍ଭାଳିବ । ସବୁ ଝିଅ ସମାନ-। ମନ ମାନିଲେ ଆପଣାର ହୋଇଯାଆନ୍ତି । ତାଙ୍କର ସ୍ନେହରଙ୍କୁଣୀ ପ୍ରାଣରେ ପୁରୁଷ ଜାତି ପାଇଁ ଅସୀମ ଶ୍ରଦ୍ଧା ରହିଛି । ସମାଜକୁ ଆଉ ଗୋଟିଏ କନ୍ୟା ଖୋଜି ବାହାର କରି ତାକୁ ବିନିତା କରି ମଜାଇବା କଷ୍ଟ ନୁହେଁ ।

 

ବିନିତା ଘଟଣାବହୁଳ ଜୀବନରେ ଗୋଟିଏ ଘଟଣା ହୋଇରହିଥାଉ । ଜୀବନର ଚଲାବାଟରେ ଲୋକଙ୍କର କେତେ କଣ ଘଟି ଯାଉଛି । ସେମାନେ ତ ପୁଣି ସବୁ ପାଶୋରି ପକାଇ ନୀଡ଼ ବାନ୍ଧୁଛନ୍ତି ! ସେ ବି’ ସେମାନଙ୍କ ପରି ହେବ ।

 

କିନ୍ତୁ ବିନୁ ! ତାର ସ୍ନେହର ବିନୁ । ସେହି ସହଜ ଢଳ ଢଳ ଦୁଇଟି ନୀଳ ଆଖିର ଆଶ୍ଚର୍ଯ୍ୟ ମିଶା ଭାଷା ! ତରଙ୍ଗାୟିତ ଦେହର ଆଳସ୍ୟ ! ଥରିଲା ଓଠର ଅଭିବାଦନ ! !

 

ଆଃ, ସେ କଣ ଭାବି ଯାଉଛି ? ବିନୁ ! ଦୟାକରି ତୁମେ ଲୁଚି ଯାଅ ! ଦୟାକରି ମୋ’ ସଂସାରରେ ଅଶାନ୍ତିର ନିଆଁ ଜାଳନା–ତୁମର ଯାଦୁକରୀ ହାତରେ ଅର୍ଥବୋଳା ଆହ୍ୱାନ ଜଣାଅନା ! ମୁଁ ତୁମକୁ ଭୁଲିଯିବି ବିନୁ, ତୁମକୁ ଭୁଲିବାକୁ ଚାହେ ! ଜିତେନ୍ଦ୍ରର ପ୍ରାଣ ନିଜକୁ ସ୍ୱାଭାବିକ ଭାବରେ ପ୍ରକାଶ କରୁଥିଲା ଯେମିତି !

 

ଭୁଲିଯିବ ଜିତୁଭାଇ ! ତୁମର ଆଦରର ବିନୁକୁ ଭୁଲିଯିବ ?

 

ମୁଁ ଉପାୟହୀନ !

 

ଉପାୟ ମୁଁ ଦେବି । ଏଇଥିକି ଏତେ ଡରିଯାଉଛି ନା ? ଗୋଟା ଜୀବନ ପଡ଼ିଛି, କେତେ ଜଞ୍ଜାଳ, କେତେ ଜ୍ୱାଳା । ସବୁକୁ ମୁହାଁଇ ଚାଲିଯିବାକୁ ହେବ । ପଛେଇ ଗଲେ ଚଳିବ ନାହିଁ । ମୁଁ ତୁମର ପଛେ ପଛେ ଛାଇ ପରି ଚାଲିଥିବି ।

 

ତୁମେ ଯେ ବିବାହିତା ବିନୁ ! ପରର ପତ୍ନୀ ତୁମେ । ସ୍ୱାମୀଙ୍କୁ ଛାଡ଼ି ମୋରି ପଛରେ ଛିଡ଼ା ହେବ ? ଲୋକେ କଣ କହିବେ ?

 

ବିବାହ କଲେ କଣ ସ୍ତ୍ରୀ ସ୍ୱାମୀର ହୋଇଯାଏ, ନାଁ ସ୍ୱାମୀ ସ୍ତ୍ରୀର ହୋଇଯାଏ ? ତାଙ୍କର କଣ ବ୍ୟକ୍ତିଗତ ରୁଚି ନାହିଁ ? ବ୍ୟକ୍ତିଗତ ଅଭିଳାଷ ନାହିଁ ?

 

ବ୍ୟକ୍ତିଗତ ପ୍ରଶ୍ନର ଅବକାଶ କାହିଁ ବିନୁ ? ବିବାହ ପରା ଦୁଇଟି ଜୀବନର ସାଲିସ୍‌ପତ୍ର-? ଦୁଇଟି ହୃଦୟର ଚୁକ୍ତିନାମା । ବ୍ୟକ୍ତିଗତ ଅଭିଳାଷକୁ ପରସ୍ପରର ସୁଖ ପାଇଁ, ପରିବାରର ଆନନ୍ଦ ପାଇଁ ନିୟୋଜିତ କରିବା ସଂକଳ୍ପ ? ସବୁ ଇଚ୍ଛା, ସବୁ ଅଭିଳାଷ ବିବାହ ବେଦୀରେ ଆହୁତି ପଡ଼େ । ହାତଗଣ୍ତି ପରେ ଦୁଇଟି ପୁରୁଷ ଓ ସ୍ତ୍ରୀ ଏକ ହୋଇ ଯାଅନ୍ତି । ଦୁଇଟି ଦେହ, ଅଥଚ ଗୋଟିଏ ପ୍ରାଣ-! ଦୁଇଟି ମନ, ଅଥଚ ଏକମାତ୍ର ଅଭିଳାଷ । ତାହାକୁ ସମାଜ କହେ ବିବାହ ! ସମାଜର ସର୍ବବୃହତ୍‌ଓ ସର୍ବଶ୍ରେଷ୍ଠ ଆନୁଷ୍ଠାନିକ ପର୍ବ । ପୃଥିବୀରେ ପୁରୁଷ ଓ ସ୍ତ୍ରୀ ଜାତିର ଏଇ ମହାନ୍‌କ୍ଷମତାସମ୍ପନ୍ନ ସନ୍ଧି ଏହି ବିବାହ ।

 

ଏତେ ବଡ଼ ବନ୍ଧିପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ ସଂପୃକ୍ତ ନାରୀ ଓ ପୁରୁଷ ସେହି ସନ୍ଧିର ବିଭିନ୍ନ ସର୍ତ୍ତକୁ ଅଧ୍ୟୟନ କରିବାର ଅବକାଶ ପାଇଥାନ୍ତି ଜିତୁଭାଇ ! ଦୁହେଁ ଦୁହିଁଙ୍କର ପ୍ରସ୍ତାବ ଦେଇ ପରସ୍ପରକୁ ଚିହ୍ନି ନେବାର ସୁବିଧା ପାଆନ୍ତି । ବିନା ସମ୍ମତିରେ ସନ୍ଧି ହୁଏ ନାହିଁ । ତୁମେ ଏ ଯୁକ୍ତିକୁ ଅସ୍ୱୀକାର କରି ପାରିବ ? ଖଣ୍ତନ କରି ପାରିବ ?

 

ଜିତେନ୍ଦ୍ର ନୀରବ ରହିଲା ।

 

ମୁଁ ଜାଣେ ଜିତୁଭାଇ ! ତୁମେ ନିଶ୍ଚୟ ନୀରବ ରହିବ । ଏହାକୁ ଖଣ୍ତନ କରିବାର ଯୁକ୍ତି ତୁମ ପାଖରେ ନାହିଁ । ଯେଉଁ ଆଦର୍ଶ ପ୍ରଶ୍ନର ସମ୍ମୁଖୀନ ହୋଇ ପାରେନାହିଁ, ତାହା ଆଦର୍ଶ ନୁହେଁ ଶୃଙ୍ଖଳା ।

 

ମୁଁ ସେ ଶୃଙ୍ଖଳାକୁ ଘୃଣା କରେ ।

 

କଣ ତୁମେ କହିବାକୁ ଚାହ ବିନୁ ?

 

ମୁଁ କହିବାକୁ ଚାହେ ଜିତୁ ଭାଇ, ଆମର ବିବାହ ହୋଇନି ଯେ ମସ୍ତବଡ଼ ଭୁଲଟିଏ ହୋଇଯାଇଛି । ମୋରି ମାଆଙ୍କର ଖିଆଲୀ ମନ ଏ ସମସ୍ୟା ବୁଝିଲା ନାହିଁ ।

 

ବର୍ତ୍ତମାନ ତୁମେ ଏ ପ୍ରଶ୍ନ ଉଠାଅ ନାହିଁ ବିନୁ ! ବିବାହ ପୂର୍ବରୁ ଏ ସବୁ କରିବାର ଥିଲା ।

 

ମୋତେ ସୁଯୋଗ ଦିଆଗଲା ନାହିଁ । ମୁଁ ଆତ୍ମସମର୍ଥନର ଯୁକ୍ତି ବାଢ଼ିବା ପୂର୍ବରୁ ମୋତେ ଶୃଙ୍ଖଳିତ କରାଗଲା ।

 

ତୁମେ ବର୍ତ୍ତମାନ ଆବଦ୍ଧା !

 

ବିନୁ ସତେ ଯେମିତି ହସି ହସି ଉତ୍ତର ଦେଉଥିଲା, ହଁ ଜିତୁଭାଇ, ସମସ୍ତେ କହୁଛନ୍ତି । ଆଜି ତୁମେ ବି’ କହିଲ । କିନ୍ତୁ ମୋର ଉତ୍ତର କଣ ଶୁଣିବ ?

 

କଅଣ ?

 

ମୋର ଏ ଶରୀର ଶୃଙ୍ଖଳାବଦ୍ଧ । କିନ୍ତୁ ମନକୁ ବାନ୍ଧି ରଖିବ କିଏ ? ସେତ ଆଉ ଶରୀର ପରି ସ୍ଥୂଳ ନୁହେ ? ଏ ଦେହ ବାନ୍ଧି ହୋଇ ମରିଗଲେ ବି ମୋ ମନ ସ୍ୱାଧୀନ ରହିବ । ମୁଁ ନିଜ ଇଚ୍ଛାରେ ହସିବି, ଖେଳିବି, ଗାଇବି । ଯାହାକୁ ଇଚ୍ଛା ତାକୁ ମନେ ପକାଇ କଥା ହେବି । ସମାଜ ଶୋଇଥିବ, ରାତି ଅଧରେ ଆସି ମନର ମଣିଷ ଆଗରେ ଛିଡ଼ା ହେବି । କେହି ମୋତେ ଆୟତ୍ତ କରିପାରିବେ ନାହିଁ । ମୁଁ ମୋର ବାଟ ଖୋଜି ପାଇଛି ଜିତୁ ଭାଇ ! ଛାଇ ପରି ଚାଳିବି । ଯାହା କହିବ ମନ ଦେଇ କରିବି । ତୁମେ ଖାଲି ରାଜି ହୁଅ ।

 

ବିପ୍ଳବିଣୀ ବିନୁ ଦମ୍ଭିଲା ପାଦରେ ଛିଡ଼ା ହୋଇଛି । ଆତ୍ମସମର୍ଥନ କରିବାକୁ ବିଚକ୍ଷଣ ଓକୀଲ ପରି ଯୁକ୍ତି ବାଢୁଛି ।

 

ବିନୁର ସେ ଲାଜକୁଳି ମୁହଁ କୁଆଡ଼େ ଗଲା ?

 

ରେଳଗାଡ଼ି କେତେବେଳୁ ଆସି ଭୁବନେଶ୍ୱରରେ ଛିଡ଼ା ହୋଇଥିଲା । ଜିତେନ୍ଦ୍ରର ରହସ୍ୟ ଘେରା ଭାବନା ବି ଭାଙ୍ଗିଗଲା ।

 

ଜିତେନ୍ଦ୍ର କଣ କରିବ କିଛି ବୁଝି ନପାରି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ପଡ଼ିଲା ।

 

ଏଇ ବିନିତା......

 

ଅଗଣା ପାଖରେ ଛିଡ଼ା ହୋଇ ଉଷାବାଦଲକୁ ଚାହିଁ ରହିଛି ।

 

ବିନିତା ! କୋଡ଼ିଏ ବର୍ଷର ବିନିତା ! କୋଡ଼ିଏଟି ବସନ୍ତ ଆସି ତାକୁ ନିଜର ସ୍ନେହ, ସୋହାଗ ପରଶି ଦେଇଯାଇଛି । କୋଡ଼ିଏଟି ଶରତର ଶୁଭ୍ର ସ୍ୱଚ୍ଛଳ ସ୍ପର୍ଶ ସେ ପାଇଛି । ଆଷାଢ଼ର ଘମନ୍ତ ମେଘ ପରି ତାର ଯୌବନ, ଶ୍ରାବଣର ଭରାନଈ ପରି ତାର ମନ ।

 

ବିନିତା ରକ୍ତମାଂସର ନାରୀ ନୁହେ ଯେ, ପ୍ରକୃତିରାଣୀର ବିନିତା ! ତା’ ଦେହରେ ଅନେକ ଲାବଣ୍ୟ । ଶରୀରର କୌଣସି ଅଂଶ ଖାଲି ନାହିଁ । ସବୁଟାରେ ରକ୍ତର ତରଙ୍ଗ, ମାଂସର ମହୋତ୍ସବ । ତା ବେକ ପାଖରେ ଏହି ଭାଙ୍ଗ ପଡ଼ିଥିବା ମାଂସ ଖେଜାକ ସୁନ୍ଦର ମନାଏ । ଗଳା ପାଖଟା ଶଂଖ ପରି ଦେଖାଯାଏ । ସତେ ଯେମିତି କାମ ଦେବତା ତା’ ବେକକୁ ଶଙ୍ଖ ଭାବି ବଜାଏ-। ସେ କଥା କହେ ନାହିଁ ଯେ ଗୀତ ଗାଏ । ତା’ କଅଳ କଣ୍ଠରେ ମୁଠା ମୁଠା ଅଳସ । ତା’ ତରଳ ଚାହାଣୀରେ ମନବିନ୍ଧା ଆହ୍ୱାନ ।

 

ବିନିତାକୁ ଦେଖିଲେ ମନେହୁଏ ସେ ଆର ଜନ୍ମରେ ଅପ୍‌ସରୀ ଥିଲା । ଭୁଲରେ ଭୁଲ୍‌ରେ ବାଟ ଚିହ୍ନି ନପାରି ପୃଥିବୀକୁ ଆସି ଅଟକି ଯାଇଛି । ନ ହେଲେ ଏତେ ରୂପ, ଏତେ ଯୌବନ ସାଦା ମଣିଷ ଦେହରେ କଣ ସମ୍ଭବ ?

 

ଜିତେନ୍ଦ୍ର ମୋହମୁଗ୍‌ଧ ହୋଇ ଦୁଆର ପାଖରେ ଅଟକି ଗଲା । ଏମିତି ସୁନ୍ଦର ତରୁଣୀଟିଏ ସତେ ଯେମିତି ଜନମାବଧି ଦେଖିନାହିଁ । ଏଇ ପ୍ରଥମ କରି ଦେଖି ବାଉଳା ଖାଇ ଯାଇଛି ।

 

ଏଇ ବିନିତା ! ତାକୁ ସେ ସ୍ୱପ୍ନ ଦେଖେ । ଅଲକ୍ଷ୍ୟରେ ଆସି ଆଖିରେ କୁହୁକ ବୋଳିଦିଏ । ବାଟ ଘାଟରେ ଚାଲି ଯାଉଥିବା ବେଳେ ତାର କଥା ଭାବି ମନ ବୁଡ଼ାଇ ରଖିଲେ ଭୟ ପଶେ ନାହିଁ । ନିର୍ଜନ ରାତିରେ ବିନିତା ମନେ ପଡ଼ିଲେ ମଧୁରିଆ ମଧୁରିଆ ନିଦ ଆସେ ।

 

ବିନିତାର ଜୁଆରିଆ ସ୍ମୃତି ତାକୁ ଭୁବନେଶ୍ୱର ଭିଡ଼ି ଆଣିଛି ।

 

ବନିତାର ଦେହର ଗନ୍ଧକୁ ଏ ପବନ ପାଖକୁ ବୋହି ନେଇ ଆସୁଛି । କି ଫାଜିଲାମି ? ଆଃ, ଏ ପବନଟାକୁ କି ଚମତ୍କାର ଲାଗିଛି ସତରେ ? ଆଉ ଏ ମୁହଁ ସଞ୍ଜଟା ବି’ କମ୍‌ ଆରାମପ୍ରଦ ନୁହେ । ବିଛଣା ଧରିଲେ ନିଦ ଆସିବ । ନା, ଏଭଳି ଗୋଟିଏ ରାତିକୁ ଶୋଇ ଶୋଇ କଟାଇ ଦେବା ଭଲ ଭଲ ହେବନି । ଚେଇଁ ଚେଇଁ ବିନିତାକୁ ଆଉ ତାର ମୁକୁଳା ଯୌବନକୁ ଚାହିଁବା । ତା’ ଚାହାଣିରୁ ସବୁତକ ମଦ ନିଃଶେଷ କରିଦେବ । ସେ ଶିହରଣର ନୂତନ ଗଳ୍ପ ଲେଖିବ ମୌନାବତୀ ରାତ୍ରିର ଚଉଡ଼ା ଛାତି ଉପରେ । ଉତ୍ତେଜନାର ଉପନ୍ୟାସ ଲେଖିବ ଉନ୍ନିଦ୍ର ରାତ୍ରିର ଚପଳ ପବନ ଦେହରେ ।

 

ବିନିତା ହସୁଛି । ସେ ହସ ଲହଡ଼ା ଭାଙ୍ଗୁଛି ଦେହରେ । ଛାତିଟା ଫୁଲି ଫୁଲି ନାଚୁଛି । କାନ୍ଧ ଉପରର ଗୋଲାପି–ବେଣୀଟା ବାରମ୍ବାର ଥରିଉଠି ମାଂସଳ କାନ୍ଧରେ ନାଚୁଛି ଖାଲି । ତା’ ବହଳ ମୁହଁର ପାତଳ ଓଠକୁ ସେ ହସଧାଡ଼ିକ ଖୁବ୍‌ମନାଉଛି ।

 

ବିମୁଗ୍‌ଧ ଜିତେନ୍ଦର ଗୋଡ଼ହାତ ଅଜଣା ଉତ୍ତେଜନାରେ ଥରି ଉଠୁଛି । ଘର ଭିତରକୁ ଉଠି ନ ଯାଇ ବାହାରଟାରେ ଚାହିଁଛି । ତାର ଆଉ ବିନିତାର ମଝିରେ କିଛି ବ୍ୟବଧାନ ନାହିଁ । ଅଥଚ ବିନିତା ଜାଣେନି ଯେ, ସେ ଆସିଛି ବୋଲି । ଜାଣି ସାରିଲା ପରେ ସେ କ’ଣ ଏହି ଖୋଲା ହସ ପରି ଆଉ ଧାଡ଼ିଏ ହସ ହସି ପାରିବ ?

 

ଚୋରା ଚାହାଣି ଆରାମପ୍ରଦ । କୁଶଳୀ କବିର ଶୃଙ୍ଗାରକବିତା ପରି ରୋମାଞ୍ଚକର । ଏ ଚାହାଣିରେ ବିଲାତୀ ମଦର ନିଶା ଅଛି । ମହୁଲ ଫୁଲର ଗନ୍ଧ ଅଛି । ମନକୁ ତତାଇ ଦିଏ–ଶରୀରକୁ ମତାଇ ଦିଏ । ପ୍ରତି ଲୋମକୃପରେ ଫୁଲଶର ବାଜେ ।

 

ବିନତା ଚାଲିଗଲା । ତା’ ସାଙ୍ଗରେ ଜିତେନ୍ଦ୍ର ମନର ସହସ୍ର ସରାଗ ଚାଲିଗଲା ।

 

ସ୍ନେହ ଦାଣ୍ତକୁ ଆସୁଥିଲା । ଦୁଅର ପାଖରେ ଜିତେନ୍ଦ୍ରକୁ ଦେଖି ସ୍ତମ୍ଭିଭୂତ ହୋଇଗଲା । ବାପାଙ୍କ ପାଖରୁ ଦୁଇଦିନ ତଳେ ଚିଠି ଆସିଥିଲା ଯେ ଜିତୁଭାଇର ବାହାଘର ଠିକଣା ହୋଇଯାଇଛି-। ମୁଣ୍ତ ଉପରେ ଲଗ୍ନ । ବାପା ଏକୁଟିଆ ଲୋକ । ଘରେ କେତେ କାମ । କେଉଁଠି କଣ କରିବେ ? ଅଥଚ ଜିତୁଭାଇ ଆସି ଭୁବନେଶ୍ୱରରେ ?

 

ବିନିତା ଓ ଜିତେନ୍ଦ୍ରର ସମ୍ୱନ୍ଧ ତା’ ଆଖିରେ ଅଜଣା ନୁହେଁ । ସେମାନେ ପରସ୍ପରକୁ ଭଲ ପାଆନ୍ତି ଜୀବନ ଦେଇ । ସମ୍ବନ୍ଧ ପଡ଼ିଥିଲା । ଦୁର୍ଯୋଗରୁ ସବୁ ଖିନ୍‌ଭିନ୍‌ହୋଇଗଲା । ସ୍ୱାମୀ ସ୍ତ୍ରୀ ଭାବରେ ଘରେ ଭାଉଜ ହୋଇଥାନ୍ତା । କିନ୍ତୁ ସେ ସମ୍ୱନ୍ଧ ଭାଙ୍ଗିଗଲା । ଶାଶୁଙ୍କର ଅସତର୍କ ମନର ପରିଣତି ଇଏ । ଏଯାଏ ଭାଇ ଓ ବିନୁର ମନର ସମ୍ବନ୍ଧ ଭାଙ୍ଗିନାହିଁ । କିନ୍ତୁ ଏହାର ପରିଣାମ ।

 

ନା, ନା, ଇଏ କଣ ଭାବୁଛି ? ହୁଏତ ଭାଇ ତାକୁ ଘରକୁ ନେବାକୁ ଡାଳି ଆସିଥିବେ । ଭାଇ ବାହାହେବେ ଆଉ ସେ ଯିବନି ?

 

ଜିତେନ୍ଦ୍ର ସ୍ନେହକୁ ଦେଖି ନରମି ଗଲାଣି ।

 

ଭାଇ ! କେତେବେଳେ ଆସିଲ ? ସ୍ନେହ ପଚାରିଲା ।

 

ଏଇ ତ ପାଦ ଦେଲି–ଆଉ ତୁ ଆସିଛୁ ।

 

ଘରେ ସବୁ ଭଲ ତ ଭାଇ ? ବାପା ମା କେମିତି ଅଛନ୍ତି ?

 

ମୁଁ ବ୍ରହ୍ମପୁରରୁ ଆସିଲି । ଘରେ ସମସ୍ତେ ଭଲ ବୋଲି ଚିଠି ପାଇଥିଲି ।

 

ଚିଠି ପାଇଥିଲ ? ଆଉ କଣ ଲେଖାଥିଲା ଭାଇ ?

 

ନଁ, ବିଶେଷ କିଛି ସେମିତି ନୁହେଁ.........

 

ବାହାଘର କଥା ?

 

ଓଃ, ବାହାଘର କଥା ପଚାରୁଛୁ ? କାହାର ?

 

ତୁମର ।

 

ହଁ ଆରେ ସେ ବି’ ଗୋଟା ଖବର ! ମୋର କୁଆଡ଼େ ବାହାଘର ଠିକଣା କରିଛନ୍ତି ।

 

କେବେ ହେଉଛି ଜାଣିଛ ?

 

ଏହି ସପ୍ତାହରେ ବୋଲିତ ଲେଖିଥିଲେ ।

 

ଏବିବାହରେ କଣ ତୁମର ସ୍ୱୀକୃତି ନାହିଁ ? ସ୍ନେହ କଣ୍ଠରେ ବିସ୍ମୟ ଥିଲା ।

 

ସେ କଥା ତ ମୁଁ କହୁନାହିଁ ସ୍ନେହ ! ମୁଁ କଣ କହୁଥିଲି କି, ବାହାଘରଟା ସହଳ ପଡ଼ି ଯାଉଛି । ଏତେ ସହଳ ନ କରି ଟିକିଏ ଘୁଞ୍ଚାଇ ଦେଇଥିଲେ ଚଳିଥାନ୍ତି ।

 

ଏ କଣ କହୁଛ ଭାଇ ? ଏଇ ବିନୁ ସଙ୍ଗରେ ବାହାଘର ଠିକଣା ହୋଇଥିଲେ କେବେଠୁ ତ ତୁଟି ସାରନ୍ତାଣି । ବିନୁର ପୁଅ ହୋଇଛି । ତୁମର ବି’ ହୋଇଥାନ୍ତି । ଟିକୁ ଏବେ ଟ୍‌କୁ ଟୁକୁ ହୋଇ ଚାଲିଛି, ରାଇଜ ଯାକର କଥା କହୁଛି, ତୁମରି ପୁଅ ହୋଇ ବି’ ଏମିତି ହୁଅନ୍ତାଣି । ସ୍ନେହ ଆଘାତ ଦେବାକୁ ପ୍ରତିଜ୍ଞାବନ୍ଧ ଯେମିତି ।

 

ସ୍ନେହ ! ଜିତେନ୍ଦ୍ରର କଣ୍ଠରେ ବିଃସହାୟତା ଫୁଟି ଉଠୁଥିଲା । କହିଲୁ, ବିନା ସଙ୍ଗରେ ମୋର ବାହାଘର ହୋଇ ପାରିଲାନି । ସେ ମୋର ଭାଗ୍ୟର ଦୋଷ ।

 

ୟା’ ବୋଲି କଣ ଆଉ କାହା ସଙ୍ଗରେ ବାହାଘର ହବନି ? ବିନୁତ ପୁଣି ସଂସାର କଲା-?

 

ମୁଁ ବୁଝିଛି ସ୍ନେହ !

 

ବୁଝି ମଧ୍ୟ ଅବୁଝା ହେଉଛି ଯେ ? ବିନୁ ମଧ୍ୟ ତୁମକୁ ମନେ ପକାଏ । କିନ୍ତୁ ସେ ତ ତୁମରି ପାଖକୁ କେବେ ଯାଇନି ? ତାର ସ୍ୱାମୀ ଅଛନ୍ତି, ସନ୍ତାନ ବି ଅଛି । ଏ ପରିବାରର ବେଢ଼ିକୁ ପରିତ୍ୟାଗ କରିବା ତା’ ପକ୍ଷରେ ସମ୍ଭବ ନୁହେ । କାରଣ ସେ ପରର ହୋଇ ଯାଇଛି । ତୁମେ ବିବାହ ପରେ ଏ କଥା ବୁଝିବ ଭାଇ ! ମୁଁ ତୁମର ସାନ ଭଉଣୀ ! ତୁମକୁ ଉପଦେଶ ଦେବାକୁ ସଂପୂର୍ଣ୍ଣ ଅନୁପଯୁକ୍ତା । କିନ୍ତୁ ମୁଁ ବିବାହ କରିଛି ଭାଇ ! ଆଉ ତୁମେ କରି ନାହିଁ । ସେତିକି କେବଳ ଅଧିକ । ମୋତେ କ୍ଷମା ଦେବ । ସ୍ନେହକୁ ଭୁଲ୍‌ବୁଝିବନି’ ଭାଇ ! ଏହାହିଁ ମୋର ଶେଷ ଅନୁରୋଧ ।

 

ସ୍ନେହ ଶିଶୁଟିଏ ପରି କାନ୍ଦୁଥିଲା ।

 

ଜିତେନ୍ଦ୍ରର ଛାତି ଭିତରେ ଲାଭା ବୋହୁଥିଲା । ଅନୁପାତ, ଅନୁଶୋଚନାରେ ଆଉଟି ହେଉଥିଲା ମନ ।

 

ସ୍ନେହକୁ ନିଜ ଛାତି ଉପରକୁ ଆଉଜାଇ ଆଣି, ତାରି ମୁଣ୍ତ ଉପରେ ଶ୍ରଦ୍ଧା ଓ ସ୍ନେହର ହାତ ବୁଲାଉ ବୁଲାଉ ଉତ୍ତର ଦେଲା, ତୁ ଠିକ୍‌କହିଛୁ ଲୋ ସ୍ନେହ ! ବାଟ ଭୁଲି ଅବାଟରେ ପଶୁଥିଲି-। ବାଟ ଦେଖାଇ ଦେଇ ଅସୁବିଧାକୁ ପାଖେଇ ଦେଲୁ । ଆହୁରି କ୍ଷମା ମାଗୁଛୁ ? ତୁ ଥା ସ୍ନେହ ! ମୁଁ ଯାଏଁ ।

 

ଜିତେନ୍ଦ୍ର ଆଗକୁ ଗୋଡ଼ ବଢ଼ାଇଲା ।

 

ବାହାରେ ଅଣଚାଶ ପବନ ବହୁଛି । ବିଜୁଳି ବି ମାରୁଛି ।

 

ବିନୁ ସଙ୍ଗରେ ଦେଖା କରିବନି’ ଭାଇ ?

 

ଜିତେନ୍ଦ୍ର ଉତ୍ତର ଦେବା ପୂର୍ବରୁ ବିନୁ ଆସି କହିଲା, କିଏ କି ଭାଉଜ ?

 

କେହି ନୁହେ । ସ୍ନେହ ଉତ୍ତର ଦେଲା ।

 

ବର୍ଷା ଆସୁଛି । ଘଡ଼ଘଡ଼ି, ଚଡ଼ଚଡ଼ିରେ ବସୁଧା ଦୁଲୁକି ଉଠୁଛି । କେଉଁଠିକି ଯିବେ ଜିତୁ ଭାଇ ? ସ୍ନେହର ନାରୀ ମନରେ ଚମକ ଲାଗିଲା । କହିଲା, ଜିତୁ ଭାଇଙ୍କୁ ଅଟକାଅ ବିନୁ ! ଏଇ ମେଘ ବର୍ଷାରେ ହେଇ ଚାଲିଗଲେ ।

 

ଜିତେନ୍ଦ୍ରକୁ ବିନୁ ଆଉ ସ୍ନେହ ଯାଇ ଫେରାଇ ଆଣିଲେ ।

 

ଦିନେ ଦିନେ ଅଦିନିଆ ମେଘ ଆସେ । ପ୍ରକୃତିର ପ୍ରକୃତ ସ୍ୱରୂପ ବଦଳି ଯାଏ । ଚିରାଚରିତ ରୀତି ବାଧାପ୍ରାପ୍ତ ହୁଏ । କିନ୍ତୁ ସେ ମେଘ କିଛି ସମୟ ପରେ ଚାଲିଯାଏ । ମେଘ ଫଟଇ କିରଣ ହସେ । ପ୍ରକୃତି ହାରେ ନାହିଁ । ତାକୁ ହରାଇବାକୁ ଦେଖା ଦେଇଥିବା ଅସଂଲଗ୍ନ ବ୍ୟତିକ୍ରମ ଆପେ ହାର ମାନେ ।

 

ତଥାପି କିଛି ସମୟ ପାଇ ଅଘଟନ ଘଟେ । କିଛି ସମୟ ପାଇଁ ସେହି ଅଘଟନକୁ ପ୍ରଶ୍ରୟ ଦିଏ ପ୍ରକୃତି । ପୁରୁଣା ଭିତରେ କିଛିଟା ନୂଆ, କିଛିଟା କମି ଯିବାର ସମ୍ଭାବନା ରହିଛି ।

 

ଅଦିନିଆ ମେଘ ନୂଆ ରାଜଧାନୀକୁ ନୂଆରୂପ ଦେଇଥାଏ । ନୂଆ ରାଜଧାନୀ ଆଉ ଗୋଟାଏ ଅପରିଚିତ ସହର ପରି ଦେଖା ଯାଉଥାଏ । ପିଚ୍‌ଢଳା ରାଜପଥ ପାଣି ଭିତରେ ଅସମ୍ଭାଳି ହୋଇ ଉଠୁଥାଏ । ସହରର ସମସ୍ତ ଆବର୍ଜନାକୁ ଧୋଇଧାଇ ପରିଷ୍କାର କରି ନେବାକୁ ସତେ ଯେମିତି ସେ ଆସିଛି ।

 

ସ୍ନେହ ଭାଇ ପାଇଁ ଚା’ କରିବାକୁ ଚାଲିଗଲା ।

 

ଜିତେନ୍ଦ୍ର ପାଣି ଭିଜା ପୋଷାକ ବଦଳାଇ ନେଉଥିଲା ।

 

ଟିକୁ ଶୋଇ ଯାଇଛି ।

 

ମୁଁ ଜାଣିଥିଲା, ତୁମେ ଆସିବ ବୋଲି । ବିନିତା ରହି ରହି କହିଲା । ଚପା ଉତ୍ତେଜନାରେ କଣ୍ଠ ତାର ଥରି ଥରି ଉଠୁଛି । କିନ୍ତୁ ମୁଖମଣ୍ତଳରେ ଅମାନିଆ ଆନନ୍ଦର ସଙ୍କେତ ସୁସ୍ପଷ୍ଟ । ତାର ଏହି ଆନନ୍ଦ ଓ ଉତ୍ତେଜନାକୁ ଅକ୍ଷତ ରୂପ ଦେବାକୁ ଓଠ ଉପରେ ଧାରେ ଦୁଷ୍ଟାମୀ ହସ ନେଶି ହୋଇଗଲା ।

 

କେମିତି ଜାଣିଲ ? ଜିତେନ୍ଦ୍ରର ଭାଷାରେ ବିସ୍ମୟ ଥିଲା ।

 

ମୁଁ ଜାଣିବିନି ? ତୁମକୁ କଣ ଚିହ୍ନିନି

 

ମୋତେ ତୁମେ ଚିହ୍ନିଛ ବିନିତା ? ଜିତେନ୍ଦ୍ର ବିନିତାକୁ ଚାହିଁ ହସି ଦେଲା । ସେ ହସ ଉପହାସର ।

 

ମୁଁ ବିନୁ–ବିନିତା ନୁହେ । ତୁମର ବିନୁ ଖାଲି ।

 

ଜିତେନ୍ଦ୍ର ନୀରବ ରହିଲା ।

 

ତୁମେ ନୀରବ ରହିଲେ ବି ମୁଁ ତୁମର ମନର କଥା ବୁଝୁଛି । ବିନିତା ରହସ୍ୟ କରି କହିଲା ।

 

କଣ ବୁଝୁଛ ?

 

ଏଇ ତୁମେ ମୋ ଆଗରେ ଅଭିମାନ କରୁଛ ବୋଲି ।

 

ତୁମରି ଆଗରେ ଅଭିମାନ ?

 

ମୋରି ଆଗରେ ତ ତୁମେ ସବୁଠୁ ବେଶୀ ଅଭିମାନ କର । ଆଜି କଣ ନୂଆ ?

 

ଏ ସବୁ ଯେ ତୁମେ କଣ କୁହ ବିନିତା ?

 

କହିଲି ପରା, ମୁଁ ତୁମରି ବିନୁ ବୋଲି ?

 

ମୋ ବିନୁ ମରିଗଲା । ତୁମେ ବିନିତା......

 

ବିନୁ ମରିନି ଜିତୁଭାଇ ! ବିନିତା ଭିତରେ ବଞ୍ଚି ରହିଛି । ଅସମ୍ଭବ !

 

ମୁଁ କହୁଛି ଜିତୁଭାଇ ! ତୁମେ ବିଶ୍ୱାସ କର । ବିନୁ ଓ ବିନିତା ଉଭୟଙ୍କୁ ମୁଁ ଧରି ରଖିଛି । ମୋରି ଭିତରେ ଦୁହେଁ ବଞ୍ଚିଛନ୍ତି । ତୁମେ ଥିଲାଯାଏ ବିନୁ ଥିବ । ତାକୁ କେହିହେଲେ ମାରିପାରିବେନି ।

 

ଜିତେନ୍ଦ୍ର ପ୍ରଗଲ୍‌ଭା ବିନିତାକୁ ଚାହିଁଲା ।

 

ସ୍ନେହ ଚା’ ନେଇ ଫେରିଲା । ଚା’ରୁ ଗରମ ବାଷ୍ପ ବାହାରୁଛି ।

 

ବିନିତାର ଦୀର୍ଘ ନିଃଶ୍ୱାସରେ ତାରି ମନଗହନର ଚପା ଉଷ୍ଣତା ଭଉଁରୀ କାଟି ଛୁଟି ଯାଉଛି ।

 

ଭାଉଜ ! ମୁଁ କଣ କହୁ ନଥିଲି ଜିତୁଭାଇ ଆସିବେ ବୋଲି ? କାଲି ଅଗଣାରେ ତୁମେ ଓ ମୁଁ ବସି ଚାଉଳ ବୁଣୁଥିଲେ । ଅଥଚ ଠକି ଦେଇ ଶୁଭ କାଉ ଆସି ମୋରି ଚାଉଳ ଖାଇଲା । ମୁଁ ଜାଣିଥିଲି ଜିତୁଭାଇ ଆସିବେ ବୋଲି ! କଣ ମିଛ କହିଲି ?

 

ମୋ’ ପାଇଁ ମିଛ–ତୁମେ ଭାବୁଛ ସତ ! ସ୍ନେହ ଉତ୍ତର ଦେଲା ।

 

ତୁମେ ଠକିଗଲ, ମୁଁ ଠକିନାହିଁ । ବିନିତା ଆଉଥରେ ଆବୃତ୍ତି କଲା ।

 

କେଜାଣି ? ସ୍ନେହ ନିର୍ଲିପ୍ତ ହୋଇ ଉତ୍ତର ଦେଉ ଦେଉ ବିନୁ ଆଉ ଜିତୁଭାଇ ମୁହଁକୁ ଚାହିଁଲା । ଜିତୁଭାଇ ମୁଣ୍ତ ପୋତି ଦେଇଛନ୍ତି । ବିନିତା ତାଙ୍କରି ଆଖିକୁ ସହସ୍ର ଯୁଗର ଉଲ୍ଲାସ ନେଇ ଚାହିଁ ରହିଛି ।

 

ବିନୁ ଆଉ ଜିତୁ । ସେମାନେ ଦିନେ ପ୍ରତିଜ୍ଞା କରିଥିଲେ ପରସ୍ପରକୁ ବିବାହ କରିବେ ବୋଲି । ସେମାନଙ୍କ କୁମାର କୁମାରୀ ମନ ସେ ବିବାହର ସୁଖ ସ୍ୱପ୍ନ ଦେଖୁଥିଲା । ଶିରାରେ ଶିରାରେ ମୌସୁମୀ ସୃଷ୍ଟି କରୁଥିଲା ‘ଭଲ’ ପାଇବାର ନିଶା’ । ଜୀବନର ସର୍ବବୃହତ ସତ୍ୟ ସିଏ ! ଜୀବନ ଇତିହାସର ସର୍ବଶ୍ରେଷ୍ଠ ଆକର୍ଷଣ !

 

ଜୀବନ ନଈ ଅନେକ ଉତ୍‌ଥାନ ପତନର ପଥ ଦେଇ ଆଗେଇ ଆସିଛି । ଛାତି ଉପରେ ଅନେକ ତରଙ୍ଗ ଉଠିଛି, ଅନେକ ଭଉଁରୀ ମାତିଛି । ସେ ସବୁ କୁଆଡ଼େ ମିଶି ଛିନ୍‌ଛତର ହୋଇ ଗଲା । ଆଉ ମନେ ପଡ଼େନା । କିନ୍ତୁ ଜୀବନ–ନଈର ଚଲାପଥରେ ଯେଉଁ ବିରାଟ ପାହାଡ଼ଟି ଛିଡ଼ା ହୋଇ ଗତି ପଥକୁ ନିଜ ହାତରେ ମୋଡ଼ି ରାସ୍ତା ଭୁଲାଇ ଦେଲା, ସେଇଟା ଏବେ ବି ପାଶୋର ଯାଇ ନାହିଁ । ନଈ ବୋହୁଥିଲା । ସେ ସେମିତି ବୋହିଥାନ୍ତା । କିନ୍ତୁ ସେଇ ପାହାଡ଼ଟି ? କୁମାରୀ ଜୀବନର ସର୍ବବୃହତ ସମସ୍ୟା ! କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଜିତୁ ଭାଇ ଆସି ବିନିତାକୁ ବିମୁଗ୍‌ଧ କଲେ । ତାରି ନିର୍ଦ୍ୱନ୍ଦ୍ୱ ଜୀବନ ଆଗରେ ଛିଡ଼ା ହୋଇ କହିଲେ, ସେଇଠ ଟିକିଏ ଅପେକ୍ଷା କର ବିନୁ-। ଆଗକୁ ଭୀଷଣ ଅନ୍ଧକାର । ଅଗମ୍ୟ ପଥରେ ପାଦ ଖସିଯିବ । ତୁ, ମୁଁ ହାତ ଧରାଧରି ହୋଇ ଚାଲିବା । ବିପଦ ଆପଦ ଆଡ଼େଇ ଆଗେଇ ଯିବା ।

 

କେଉଁଠିକି ? ବିନିତା ପଚାରିଥିଲା ।

 

ସବୁ ଝିଅଙ୍କର ପ୍ରଥମ ପ୍ରଶ୍ନ । ସେଇ ଏକା ପ୍ରଶ୍ନ । ଅନିଶ୍ଚିତ ଭବିଶ୍ୟତ ପ୍ରତି ଆଗ୍ରହ ନ ଥାଏ କି ଚିନ୍ତାନ ଥାଏ । କିଏ ଆସି ପଚାରି ଦେଲେ ଭୟ ଲାଗେ । ବିନିତା ବ୍ୟତିକ୍ରମ ନୁହେ ।

 

ଯେଉଁଠିକି ସମସ୍ତେ ଯାଆନ୍ତି ବିନୁ ! ଆମେ ବି’ ସେଇଠିକି ଯିବା ! ସାଙ୍ଗ ହୋଇ ଯିବା ।

 

ଅଗମ୍ୟ ଅନ୍ଧକାର ରାସ୍ତା ! ସାଥି ଆବଶ୍ୟକ-ସୌଖୀନ ବିଳାସ ନୁହେଁ ।

 

ବିନୁ ହସୁଥିଲା । ସମ୍ମତିର ହସ । ପରିପୂର୍ଣ୍ଣତାର ହସାଏ ଜୀବନର ପ୍ରୟୋଜନ ଅଛି । ସାଥି ହେବାକୁ ପୁରୁଷ ବନ୍ଧୁ ଆଗ୍ରହୀ ହେଉଛି । ସେଇଟିଏ ଜୀବନ-ଇତିହାସର ବଡ଼ କଥା, ବଡ଼ ଅଧ୍ୟାୟ । ନିଜ ପ୍ରତି ସହାନୁଭୂତି ଆସୁଛି । ପୁଣି ଗର୍ବ ଆସୁଛି । ଏ ଜୀବନ ବୃଥା ନୁହେଁ !

 

ପୁରାତନ ପୃଥିବୀର ନିତ୍ୟ ନୂତନ କଥା ।

 

ଜୀବନ ବେଳାଭୂମିରେ ସୁଖର କିରଣ ପଡ଼ିଛି । ସନ୍ତୋଷର ପବନ ବହୁଛି । ସାଗରର ତରଙ୍ଗରେ ଅନେକ ସ୍ୱପ୍ନ, ନୀଳିମାରେ ଅନେକ କଳ୍ପନା ! ତା ଭିତରୁ କିଛିଟା ସତ୍ୟ, କିଛିଟା ମିଥ୍ୟା । ସତ୍ୟ ଆଉ ମିଥ୍ୟା ମିଶା ମିଶି ଏ ସଂସାର । କେତେ ସୁନ୍ଦର, କେଡ଼େ ଲୋଭନୀୟ । ଜୀଇବାକୁ ଭଲ ଲାଗେ ଏ ସଂସାରରେ ।

 

ଜିତୁଭାଇ ଆଉ ବିନିତାର ଜୀବନ ଇତିହାସ ଆଜି ଉପନ୍ୟାସ ହୋଇ ଯାଇଛି । ଇତିହାସ ପରି ସତ୍ୟତା ନାହିଁ । ସବୁଜ ମିଥ୍ୟା, ସବୁ କିଛି ଅକାରଣ ।

 

ତଥାପି ସେମାନେ କଣ ସେ ଦିନର ପାହାଡ଼କଥା ଭୁଲିଥିବେ ? ଜୀବନ-ନଈର ଧରକୁ ସେଇତ ବଦଳାଇ ଦେଇଥିଲେ !

 

ଟିକିଏ ନିଦ ଭାଙ୍ଗିଛି । ସେ ବିକଳ ହୋଇ କାନ୍ଦୁଛି । ତା’ ପାନ୍ଦରେ ଘର ଫାଟି ପଡ଼ୁଛି । ମା’କୁ ନ ଦେଖି ବ୍ୟସ୍ତ ହେଉଛି ।

 

ଟିକୁ କାନ୍ଦଛି ବିନିତା ! ସ୍ନେହ ଚେତାଇ ଦେଲା ।

 

କେଡ଼େ ଜୋର୍‌ରେ କାନ୍ଦୁଛି ସତେ ! ଜିତେନ୍ଦ୍ର ମନ୍ତବ୍ୟ ଦେଲା ।

 

ତୁମକୁ ନ ଦେଖିଲେ ସେ ତୁନି ପଡ଼ିବନି ବିନୁ ! ସ୍ନେହ ଆଉ ଥରେ କହିଲା ।

 

ତୁମେ ଯାଅ ! ଜିତେନ୍ଦ୍ର ଅନୁରୋଧ କଲା ।

 

ନାଁ, ମୁଁ ଯିବିନି । ବିନିତା ଉତ୍ତର ଦେଲା ।

 

ତେବେ ? ଜିତେନ୍ଦ୍ର ପଚାରିଲା ।

 

ଭାଉଜ ! ତମେ ଟିକିଏ ତାକୁ ତୁନିକର !

 

ସ୍ନେହ ହସିଦେଇ ଚାଲିଗଲା । ମା’ ସନ୍ତାନ କଥା ଭୁଲି ଯାଉଛି । ଦାୟିତ୍ୱ କଥା ଭୁଲି ଯାଉଛି ।

 

ମୁଁ କାହିଁକି ଗଲିନି ବୁଝିଲ ? ସ୍ନେହ କହିଲା ।

 

ତୁମ ଯିବାର ଉଚିତ ଥିଲା ।

 

ଉଚିତ ଅନୁଚିତ କଥା ମୁଁ ବିଚାର କରୁନାହିଁ ଜିତୁଭାଇ ! ମୁଁ ବିଚାର କରିବାର ଅବସ୍ଥାରେ ନାହିଁ । ସେ କଥା ବୁଝିବାକୁ ଅନ୍ୟଲୋକ ଅଛନ୍ତି । ମୁଁ ଚାହେଁ....

 

ଯିଏ ଯାହା ଚାହେଁ କଣ ସେକଥା ପାଏ ବୋଲି ଭାବୁଛ ? ଜିତେନ୍ଦ୍ର ପ୍ରଶ୍ନ କଲା ।

 

ମୁଁ ଚାହୁଁଛି ଖାଲି । ପାଇବା କଥା ଭାବୁ ନାହିଁ । ଦିନେ ଭାବୁଥିଲି । କିନ୍ତୁ ପାଇଲି ନାହିଁ । ଆଜି ନ ଭାବି ନ ସୁଝି ଚାହୁଛି । ତମେ କଣ ଦେବନି ଜିତୁଭାଇ ?

 

କଣ ମାଗୁଛୁ ? ଜିତେନ୍ଦ୍ର ପଚାରିଲା ।

 

ମୋର ସ୍ୱପ୍ନ ! ମୋର କଳ୍ପନା ! ମୋର ସାଧନାର ଫଳ ।

 

ମୋର ସ୍ୱପ୍ନ ହୋଇ ରହିଥାଉ ବିନିତା ! ବାସ୍ତବର ସ୍ପର୍ଶ ବଡ଼ ନିଷ୍ଠୁର । ସ୍ୱପ୍ନ ମରିଯିବ । କଳ୍ପନା ରକ୍ତାକ୍ତ ହୋଇଯିବ । ଏତେ ବଡ଼ ସାଧନା ବ୍ୟର୍ଥ ହେବ ।

 

ସେ ନିଷ୍ଠୁର ସ୍ପର୍ଶକୁ ହସି ହସି ଅନୁଭବ କରିବି, ସେହି କଳ୍ପନାର ରକ୍ତକୁ ନିର୍ବିକଳ୍ପ ଭାବରେ ଅବଗାହନ କରିବି । ଖାଲି ତୁମେ ଆଉ ଥରେ କୁହ ବିନୁ ! ତୁ ପାଇବୁ ।

 

ସ୍ନେହ ବିନତାର ସନ୍ତାନକୁ କାନ୍ଧରେ ଧରି ବୁଲାଉଛି ।

 

ସ୍ନେହର ଅନୁରୋଧ କଥା ମନେ ପଡ଼ିଛି ।

 

ବିନୁ ଆଶାୟୀ ଆଖିରେ ଚାହିଁ ରହିଛି ଜିତେନ୍ଦ୍ରର ମୁହଁକୁ । ମନେ ମନେ ଭାବିଯାଉଛି, ଜିତୁଭାଇ ଆଜିଯାଏ ବିବାହ କଲେନାହିଁ । ସେ କଣ ଚିରକୁମାର ରହିଯିବେ ? ଅତୀତ କଥାକୁ ଝୁରି ଝୁରି ଗଡ଼ନ୍ତା ବୟସ–ସୁଅକୁ ଅନାଇ ଥିବେ ?

 

ମୁଁ କ୍ଳାନ୍ତ ବିନୁ ! ଅତ୍ୟନ୍ତ କ୍ଳାନ୍ତ ! ଜିତେନ୍ଦ୍ର ନିଃସହାୟ ଶିଶୁ ପରି ଗୁହାରି କଲା ।

 

ଶେଯ ପକାଇ ଦେବି ? ଶୋଇ ପଡ଼କି ! ପାଖରେ ବସି ମୁଣ୍ତ ଟିପି ଦେବି । ଭଲ ଲାଗିବ ।

 

ବିନୁ, ବିଜୟବାବୁ ଆସିଲେଣି । ସ୍ନେହ ବାହାରେ ଥାଇ ପାଟିକଲା ।

 

ଆଃ ! ଏହି ସମୟରେ ତ ସମସ୍ତେ ଆସିବେ ।

 

ତୁମେ ଯା’ ବିନୁ !

 

ଯଦି ତାହାହିଁ ତୁମର ଇଚ୍ଛା, ଯାଉଛି । ବିନୁ ଅଭିଯୋଗ କରି ଚାଲିଗଲା ।

 

ତୁମେ କେବେ ଏଇଠୁ ଯିବ ଭାଇ ? ସ୍ନେହ ସହସା ପ୍ରଶ୍ନ କଲା ।

 

ଜିତେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ସ୍ନେହ ମୁହଁକୁ ଚାହିଁଲା । ସେ ଭୁବନେଶ୍ୱରରୁ ବାହାରି ଯିବା କଥା କହୁଛି । ଅକସ୍ମାତ୍‌କେବେ ଦେଖା ଦେଲେ ପାଖରୁ ଛାଡ଼େନାହିଁ । ବଳେଇ ବଳେଇ ରହିବାକୁ କହେ । କିନ୍ତୁ ଆଜି ପ୍ରଶ୍ନ କରୁଛି ତାର ଏ ରହିବା କଥା ଦେଖି ! ସ୍ନେହ କଠୋର ହେଉଛି । ସେ ବଦଳି ଯାଉଛି ।

 

କାହିଁକି ସ୍ନେହ ? ହଠାତ୍‌ ଏ ପ୍ରଶ୍ନ ଯେ !

 

ବାହାଘରଟା ପରା ମୁଣ୍ତ ଉପରେ....

 

ତୋ ଭାଉଜକୁ ଦେଖିଛୁ ସ୍ନେହ ?

 

ଦେଖି ନାହିଁ । ତଥାପି ଭାଇ, ମୋର ଅନୁମାନ ହୁଏ, ସେ ଦିବ୍ୟସୁନ୍ଦର ହୋଇଥିବେ । ରୂପ ଗୁଣରେ ଦେବୀ ଭଳି ଦେଖା ଯାଉଥିବେ । କଥାରେ ମିଠାଥିବ, ମନ ସରଳ ଥିବ । ସେଇ ଏଇ....

 

ଅଟକି ଗଲୁ ଯେ ସ୍ନେହ !

 

କଣ କହୁଥିଲି କି, ସେ ଏଇ ବିନିତାଠୁ ବି’ ସୁନ୍ଦର ଥିବେ ଭାଇ ! ନିଶ୍ଚୟ ସୁନ୍ଦର ଥିବେ ।

 

ଜିତେନ୍ଦ୍ର ଏ କଥାର ଅର୍ଥ ବି ବୁଝିପାରିଲା ।

 

ଉତ୍ତର ଦେଉନା ଯେ ଭାଇ ?

 

କଅଣ ?

 

କେବେ ଯାଉଛ ?

 

ଆରେ, ଘରେ ଗୋଡ଼ ଦେଇଛନ୍ତି କି ନାହିଁ ଚାଲିଯିବେ ? ବାହାରେ ବର୍ଷା ପବନର ଆସର । ଆପଣ ତାଙ୍କୁ ଚାଲି ଯିବାକୁ ଉପଦେଶ ଦେଉଛନ୍ତି ? ବିଜୟବାବୁ ସ୍ନେହ ଉଦ୍ଦେଶ୍ୟରେ ପଚାରିଲେ ।

 

ସ୍ନେହ ଉତ୍ତର ଦେଇ ନପାରି ଫେରିଗଲା ।

 

ବିଜୟବାବୁ ଓ ଜିତେନ୍ଦ୍ର ବସି ବସି ଅନେକ କଥାବାର୍ତ୍ତା ହେଲେ । ବିଜୟବାବୁ କହୁଥିଲେ ପରିବାର କଥା, ସଂଗ୍ରାମ କଥା । କିନ୍ତୁ ଜିତେନ୍ଦ୍ର ତାର ଏକାନ୍ତ ଜୀବନର ରଙ୍ଗହୀନ କଥା କହିବାକୁ ଇଚ୍ଛୁକ ନଥିଲା । ସେ ଖାଲି ଶୁଣି ଯାଉଥିଲା ।

 

ବିଜୟବାବୁ ଚମତ୍କାର ଲୋକ । ଅପରିଚିତ ମଣିଷକୁ ମିନିଟ କେଇଟାରେ ଆପଣାର କରିନେବେ । ବିନୁ ତଥାପି ସନ୍ତୁଷ୍ଟ ନୁହେଁ । ବିଜୟବାବୁଙ୍କୁ ଦେଖିଲେ ବିନୁ ପ୍ରତି ଦୟା ଆସେ । ଆଲୋକର ପାଖରେ ଥାଇ ବି’ ସେ କିରଣ ପାଇନାହିଁ । ପ୍ରାପ୍ତିର ପ୍ରାଚୁର୍ଯ୍ୟ ଭିତରେ ବ୍ୟସ୍ତ ରହିବ ସେ ଗରିବ । ଜୀବନକୁ ମୃତ୍ୟୁ ପରି ବିଚାର କରୁଛି । ସେ ତାର ମନର ଭ୍ରମ ।

 

ଆଚ୍ଛା, ଏ ଭ୍ରମର କଣ ସଂଶୋଧନ ନାହିଁ ?

 

ବିଜୟବାବୁଙ୍କ ମୁଣ୍ତ ଧରିଛି । ଅଦିନିଆ ବର୍ଷାରେ ତିନ୍ତି ସେ ଅସୁସ୍ଥି ଭୋଗୁଛନ୍ତି । କ୍ଷମା ମାଗି ଶୋଇବା ଘରକୁ ଉଠି ଚାଲିଗଲେ ।

 

ସେଦିନ ରାତିରେ ଅନେକ ବର୍ଷା ହେଲା । ଖଣ୍ତଗିରି ଉଦୟଗିରି ପଟୁ ଝୁମୁ ଝୁମିଆ କାକର ପବନ ବହୁଛି । ଅନ୍ଧାରୁଆ ରାତିର ଏହି ଅଦିନିଆ ବର୍ଷା ଦେହରେ କେମିତି ଏକ ଦେହ ଉଲୁସିଆ ସ୍ମୃତି ମିଶିଛି ।

 

ଏମିତି ବର୍ଷା, ଏମିତି ଶୀତ ଋତୁରେ ସ୍ମୃତିର ପାଛୁଡ଼ା ଘୋଡ଼ି ହୋଇ ଶୋଇଯିବାକୁ ଇଚ୍ଛା ହୁଏ । କାନକୁ ଶୁଭେ କେତେ ଦୂରର ସଂଗୀତ । ସେ ସଂଗୀତର ମଧୁର ମୂର୍ଚ୍ଛନା ଶରୀରର ଶିରାରେ ଶିରାରେ ସ୍ୱପ୍ନ ଭରେ । ଶୋଇଲା ମନ ଚେତି ଉଠେ । ନିଦୁଆ ମନ ମାତି ଉଠେ ।

 

ଜିତେନ୍ଦ୍ର ବାହାରେ ଶୀତ ଆଉ ବର୍ଷାକୁ ପ୍ରାଣ ଭରି ଉପଭୋଗ କରିବାକୁ କବାଟ ଫିଟାଇଦେଲା ।

 

କବାଟ ସେପାଖେ ଛିଡ଼ା ହୋଇଛି ବିନିତା ! ତାର ସନ୍ତାନ, ତାର ସ୍ୱାମୀକୁ ଛାଡ଼ି ଏକୁଟିଆ ଆସି ବର୍ଷାର ଏହି ଦରଦଭରା ମୂର୍ଚ୍ଛନାକୁ ଉପଭୋଗ କରୁଛି ।

 

ଅସୁସ୍ଥ ସ୍ୱାମୀଙ୍କ ପାଖରେ ସେ ରହିନାହିଁ କି କୋଡ଼ର ପିଲା ପାଖରେ ଶୋଇନାହିଁ । ଏ ବର୍ଷ, ଏ ପବନକୁ ଉପଭୋଗ କରିବ ବୋଲି ବାହାର ବାରଣ୍ତାରେ ଅପେକ୍ଷା କରିଛି ।

 

ବିଜୟର କବାଟ ଫାଟିବା ଦେଖି ସେ ଘରର ମୁହଁକୁ ପାଦ ବଢ଼ାଇଲା । ବର୍ଷଣ ମେଘର ବିଜୁଳି ଆଲୋକ ତାର ଥରିଲା ଦେହକୁ ଧରାପକାଇ ଦେଲା ।

 

କିଏ ? ଜିତେନ୍ଦ୍ର ଜାଣିଶୁଣି ପ୍ରଶ୍ନ କଲା ।

 

ଚିହ୍ନି ପାରୁନା ? ବିନିତା ହସିବାକୁ ଚେଷ୍ଟାକଲା । କହିଲା, ମୁଁ ବିନିତା ! ତୁମର ବିନୁ !

 

ତୁମର ସ୍ୱାମୀ ଅସୁସ୍ଥ !

 

ଜାଣିଛି ।

 

ଟିକୁ ଏଇନେ ଉଠିଲେ ଖୋଜିବ ।

 

ତାକୁ ଶୁଆଇ ଦେଇଛି ।

 

କାହିଁକି ଆସିଛ ?

 

କିଛି କଳ୍ପନା କରି ପାରୁଛ ?

 

ନାଁ ତ !

 

ତୁମେ ଛୁଟିନେଇ ଏଠାକୁ କାହିଁକି ଆସିଥିଲ କହି ପାରିବ ?

 

ଜିତେନ୍ଦ୍ର ନୀରବ ରହିଲା ।

 

ମୁଁ ଜାଣେ, ତୁମ ପାଖରେ ଏହାର ଉତ୍ତର ନାହିଁ ।

 

କଣ ଚାହଁ ତୁମେ ?

 

ଯାହା ତୁମେ ଚାହଁ ।

 

ମୁଁ କିଛି ଚାହେଁନା ।

 

ତୁମେ ମିଛ କହୁଛ ।

 

ତୁମେ ମୂର୍ଖ ବୋଲି ଭାବିବି । ଯେତେବେଳେ ମୋର ସଂସାରକୁ ନିଜ ହାତରେ ଅଲଗାକରି ତୁମରି ପାଖକୁ ଧାଇଁ ଆସିଛି, ସେ ସବୁ କଥା ସମ୍ଭାଳିବା ଦାୟିତ୍ୱ ମୋର । ତା’ ଛଡ଼ା ବିଜୟବାବୁଙ୍କ ମୁଁ ଚିହ୍ନେ । ମୋର ହସ ଦେଖିଲେ ସେ ଖୁସି ହୁଅନ୍ତା । ମୋରି ଦୁଃଖରେ ସେ ସବୁବେଳେ ଦୁଃଖୀ । ସେ ମୋତେ ବିବାହ କରିଛନ୍ତି । ତାଙ୍କୁ ହତାଶ କରିବି ନାହିଁ । ତୁମକୁ ଭଲ ପାଇଛି, ଆଶା କରେ ହତାଶ କରିବ ନାହିଁ । ତାଙ୍କୁ ମୋର ଏ ଦୁଇହାତ ବଢାଇ ଗ୍ରହଣ କରିବି । ଆଉ ତୁମକୁ ? ମୋରି ମନର ସହସ୍ର ହାତ ସ୍ୱାଗତ କରିବ ।

 

ଏ ପ୍ରେମ ନୁହେ ବିନୁ, ଖେଳ ! ଲୁଚୁକାଳି ଖେଳ ! ମୁଁ ସେ ଖେଳ ଖେଳିବାକୁ ଆଉ ଚାହେ ନାହିଁ । ଜଣକ ଆଖିରେ ପୁଟୁଳି ବାନ୍ଧି ଆଉ ଜଣକ ସାଙ୍ଗରେ ଅସାମାଜିକ ଭାବେ ଘୁରି ବୁଲିବା ପାପ !

 

ପାପପୁଣ୍ୟର ବିଚାର ମୁଁ କରୁନାହିଁ । ପାପ ହେଉ କି ପୁଣ୍ୟ ହେଉ, ତୁମେ ମୋତେ ଫେରାଇ ଦିଅନା ଜିତୁଭାଇ ! ମୋ କଥା ଶୁଣ !

 

ମୋ କଥା ଶୁଣିବଟି ?

 

ଶୁଣିବିନି’ ? ତୁମର ସହସ୍ର କଥା ଶୁଣିବାର ଧୈର୍ଯ୍ୟ ଅଛି । ସେଇତ ମୋର କାମନା ! ଦିନରାତି ବସି ବସି ଏହି ସୌଭାଗ୍ୟକୁ ମୁଁ ଅପେକ୍ଷା କରୁଥିଲି । ମୁଁ କାନ ପାତି ସବୁ ଶୁଣିବି । ତା’ ପରେ ମୁଁ କହିବି, ତୁମେ ଶୁଣିବ । ଏହି ନିର୍ଜନ, ନିରାପଦ ରାତିରେ ଆମେ ସବୁକିଛି କୁହାକୁହି ହେବା । ଆମ ମନ ତଳର ଅକୁହା କଥା ସବୁ ଜୀବନ ପାଇ ଚେଇଁ ଉଠିବ । ମୁଁ ଯାହା କାହାରି ଆଗରେ କହିନାହିଁ, ତୁମରି କାନମୂଳେ କହିଯିବି । ତୁମ ବି’ ସେମିତି

 

ମୁଁ ପାରିବିନି ବିନିତା ! ମୋତେ କ୍ଷମାକର !

 

ମୁଁ ଶୁଣିବିନି ଜିତୁଭାଇ ! ମୁଁ ଦୟା ମାଗୁଛି ।

 

ଦୟା କାହାକୁ ମାଗୁଛ ବିନିତା ? ଯେ ଦୟା କାହାଠୁ ପାଇନାହିଁ, କି ଦୟା କଣ ଜାଣିନାହିଁ, ସେ କି ଦୟା ଦେବ ? ବିବାହ ବେଳେ ପ୍ରତିବାଦ କଲନି ?

 

ମା ଶୁଣିଲା ନାହିଁ । ମୁଁ ଡ଼ରିଗଲି ।

 

ଡରୁଥିଲ କାହିଁକି ?

 

ଲୋକେ ତୁମ ନାଆଁରେ ମିଥ୍ୟା ପ୍ରଚାର କରୁଥିଲେ–

 

ତୁମେ ସ୍ୱାର୍ଥପର ବିନିତା !

 

 

ବିନିତା ନିରୁତ୍ତର । କିଛି ସମୟ ପରେ ପଚାରିଲା, ମୋର ଭଲପାଇବାର କଣ କୌଣସି ମୂଲ୍ୟ ନାହିଁ ଜିତୁଭାଇ ? ମୁଁ କଣ ବୃଥାରେ ଅପେକ୍ଷା କରିଥିଲି ? ମୋର ସ୍ନେହ, ପ୍ରେମ......

 

ଭଲପାଇବାର ମୂଲ୍ୟ ନାହିଁ ବିନିତା ! ସେ ଦୁର୍ମୂଲ୍ୟ ! ତୁମେ ଭଲ ପାଇବା ନାଆଁରେ ଯେଉଁ ସ୍ନେହ କରୁଥିଲ, ତହିଁରେ କାମନା ଥିଲା । ପ୍ରେମ ନିଷ୍କାମ । ତାକୁ ଖାଲି ଦାନକରି ହୁଏ ବିନିତା, ତାରି ବିନିମୟରେ କେହି କିଛି ଗ୍ରହଣ କରି ପାରନ୍ତି ନାହିଁ । ଭଲ ପାଇଲେ ବୁଝିବ, ଭଲପାଇବାଟା ପ୍ରକୃତରେ କଣ ? ବିଜୟବାବୁଙ୍କ ପାଖକୁ ଚାଲିଯାଅ ବିନିତା ! ସେହିଁ ତୁମକୁ ମନଭରି ଉପଭୋଗ ଦେବେ ।

 

ତୁମେ ଡରୁଛ ଜିତୁଭାଇ ?

 

କାହାକୁ ?

 

ବିଜୟବାବୁଙ୍କୁ ?

 

ଯଦି ହଁ କରେ–

 

ଆମର ସେ ଦାନ, ଦାନ ହେବନି ବିନିତା ! ସେ ହେବ ବିଡ଼ମ୍ବନା । ଆମ ଜୀବନର ସେହି କଳଙ୍କ ଦାଗ, କୃଷ୍ଣପକ୍ଷର ଚନ୍ଦ୍ର ପରି ଆମକୁ ତିଳେ ତିଳେ ବିନଷ୍ଟ କରିବ । ହିସାବ କରି ଦେଖିଲେ ଏଥିରେ ଲାଭ ଅପେକ୍ଷା କ୍ଷତିର ମାତ୍ରା ଅଧିକ ।

 

ଲାଭକ୍ଷତିର ହିସାବ କରୁଛ ଜିତୁଭାଇ ? ସୌଦାଗରୀ ମନକୁ ନେଇ ବିନିତା ପାଖରେ ପ୍ରେମର ହିସାବ କରୁଛ ? କିନ୍ତୁ ମୁଁ ଚାହେଁ କଣ ଜାଣ ? ମୁଁ ଚାହେଁ ହିସାବର ନିକାଶ ! ମୋର ଏତେଦିନ ଧରି ଭଲପାଇବାର ମୂଲ୍ୟ !

 

ବିନୁ ଅସଂଯତ ହୋଇ ଜିତେନ୍ଦ୍ର ପାଖକୁ ମାଡ଼ି ମାଡ଼ି ଆସୁଥିଲା । ବେଶବାସ ପ୍ରତିଖିଆଲ ନାହିଁ । ତାର ବର୍ତ୍ତୁଳ ଛାତି ଶିହରଣରେ ଫାଟି ପଡ଼ୁଛି । ଆଖିରେ ଅନେକ ଅସାର ଭାବନାର ଭେଳା । କାମାସକ୍ତ ଅବୟବର ପ୍ରତିଟି ଲୋମକୂପରେ ବାସନାର ସର୍ବଗ୍ରାସୀ ଶିଖା ଜଳି ଉଠୁଛି । ବିନିତା ନିଜ ଦେହର ମନର ଭାରସାମ୍ୟ ହରାଇଛି । ସେ ଅସମ୍ଭାଳି ହୋଇ ଉଠିଛି ।

 

କୁମାର ଜିତେନ୍ଦ୍ର ଭିତରେ ପଶୁମନ ଚେଇଁ ଉଠିଲା । ସେ ଏହି ଅସଂଯତ ବିନିତାକୁ ଆଖିପୂରାଇ ଦେଖି ନେଉ ନେଉ ଦୀର୍ଘ ନିଃଶ୍ୱାସ ତ୍ୟାଗକଲା । ଓଠ ଦୁଇଟି ରହି ରହି ଥରି ଉଠିଲା-

 

ଜିତୁଭାଇ ! ତୁମେ ହସ ଜିତୁଭାଇ ! ଏହି ନିଃଶଦ୍ଦ ରାତ୍ରିର ନିର୍ଜନତା ତୁମରି ହସରେ ହସି ଉଠୁ । ଏହି କୋଠରୀ ବାହାରେ ସମାଜ ଶୋଇଛି । ସଂସାର ଶୋଇ ଯାଇଛି । ସେ ପାଟି ଫିଟାଇ ପ୍ରତିବାଦ କରି ପାରିବନି’ । ଆମେ ଖାଲି ଜାଣିବା.......

 

ଜିତେନ୍ଦ୍ରର ବିବେକ ଆଖିମଳି ଉଠିଲା । ସେ ଦଂଶନ କଲା ଜିତେନ୍ଦ୍ରର ଦୁର୍ବଳ ମନକୁ । ମନ ଅସତର୍କ ଆକ୍ରମଣରେ ପରାଜୟ ସ୍ୱୀକାର କଲା ।

 

ତୁମର ଏହି ପରିବାରକୁ ଚାହଁ ବିନିତା ! ତୁମର ହସଖୁସିର ସଂସାରକୁ ଚାହଁ । ମୁଁ ଆସି ଭୁଲ କରିଛି । ମୋତେ କ୍ଷମାକର ବିନିତା, କ୍ଷମାକର । ଆଉ କେବେ ଭୁଲରେ ସୁଦ୍ଧା ଏ ଘର ମୁହଁ ଦେଖିବି ନାହିଁ ।

 

କାହିଁକି ?

 

ତୁମ ସଂସାରକୁ ବିନଷ୍ଟ କରିବାକୁ ଚାହେଁନା ।

 

ଏସବୁ କଥା କାହିଁକି ଜିତୁ ଭାଇ ? ଜାଣିଛ, ଦିନ ରାତି ବସି ବସି ତୁମରି କଥା କେତେ ଭାବି ହୁଏ । ଏମିତି ଅନ୍ଧାର, ଆଉ ବରଷା ରାତିରେ ତୁମେ ଆପେ ଆପେ ମନେପଡ଼ ଜିତୁଭାଇ ! ତୁମେ ମୋର ନିଦୁଆ ଆଖିରୁ ସବୁ ନିଦତକ ଛଡ଼ାଇ ଦିଅ । ସେ ଭାବନା, ସେ କଳ୍ପନାକୁ ଜୀବନ୍ତ ରୂପ ଦେଇ ତୁମେ ଫେରି ଆସିଛ ଜିତୁ ଭାଇ ! ଆଜି ମୁଁ ସବୁ ପାଇଛି । ନ ପାଇଥିଲେ ବି’ ବସୁ ପାଇଲି । ଆସ ଜିତୁ ଭାଇ ! ପୁଣି ଥରେ ଆମେ ଅତୀତକୁ ଫେରିଯିବା ।

 

ତାହାକି ସମ୍ଭବ ବିନିତା ? ପାହାଡ଼ ଝର ତଳକୁ ସିନା ଖସେ, ଖସିବା ଥାନକୁ ଫେରି ଯାଇପାରେ ନାହିଁ । ଯାହା ଯାଇଛି, ସେ ଆଉ ଫେରିବ ନାହିଁ । ଯାହା ପାଇଛ ସେତିକିରେ ସନ୍ତୋଷ ହୁଅ । ସବୁ ଭୁଲିଯାଅ ।

 

ଭୁଲିଯିବି ? ତାକୁ ଭୁଲିଯିବା କଣ ସମ୍ଭବ ଜିତୁଭାଇ ? ମୋର କୁମାରୀ ମନର ଜୁଆର ଥିଲା ସିଏ । ଏବେ ବିବାହିତା ଜୀବନରେ ଆଗ୍ନେୟ ହୋଇ ଛିଡ଼ା ହୋଇଛି । ତୁମେ ରାଜି ହୁଅ ଜିତୁଭାଇ ! ଆମ ଜୀବନର ଆଗଣିତ ଦିନ ଭିତରୁ କେଇଟି ମୁହୂର୍ତ୍ତ ଆମେ ପରସ୍ପରକୁ ଦାନ କରିବା-। ସେତିକି ମାତ୍ର ଅଭିଳାଷ ଜିତୁଭାଇ ! ତା ପରେ ନ ପାଇଲି ବୋଲି କାହାକୁ କିଛି କହିବି ନାହିଁ । କିଛି ହେଲେ କପଟ କରି ରଖିବ ନାହିଁ ଜିତୁଭାଇ ! ତା ପୂର୍ବରୁ ତୁମେ ଥରେ ଖାଲି କୁହ, ଆଜିବି ତୁମକୁ ଭଲପାଏ ବିନୁ, ପୂର୍ବପରି ତୁମକୁ ପ୍ରାଣଦେଇ ଭଲ ପାଏଁ ।

 

ପାଖ ଘର କବାଟ ଖୋଲିବାର ଶଦ୍ଦ ହେଲା । କିଏ ଉଠିଛି ବୋଧହୁଏ । ବିନିତା ଭୀତତ୍ରସ୍ତା । ତା’ ଆଖିରେ ମରଣର ଆଶଙ୍କା ।

 

ଜିତେନ୍ଦ୍ର କିଛି ହେଲେ ପ୍ରକାଶ ନକଲେ ବି’ ଖୁସି ଥିଲା । ବୋଧହୁଏ ବିଧାତାର ବିଧାନ ଇଏ । ତାକୁ ଏହି ସଂକଟ ବହୁଳ ପରିସ୍ଥିତିରୁ ଉଦ୍ଧାର କରିବାକୁ ଏହି ଜାଗ୍ରତ ମଣିଷର ମନ ଭିତରେ ପଶିଯାଇଛି ।

 

ମୁଁ ଆସୁଛି । ତୁମେ ଦୁଆର ଦେଇ ପକା ! ବିନିତା ଚାପା ଗଳାରେ କହି ବିଦାୟ ନେଲା-

 

ବିନିତା ଚାଲିଗଲା ପରେ ଜିତେନ୍ଦ୍ର କବାଟ କିଳି ଶାନ୍ତିର ନିଃଶ୍ୱାସ ମାରିଲା । ମୁଣ୍ତ ଉପରୁ ପାହାଡ଼ ଓହ୍ଲାଇ ଗଲା ଯେମିତି । ସେ ମନେ ମନେ ନିଜକୁ ଦୋଷ ଦେଇ ତାର ପ୍ରତିକାର ଖୋଜୁଥିଲା । ବ୍ରହ୍ମପୁରରୁ ସିଧା ସଳଖ ଗାଁକୁ ଚାଲି ଯାଇଥିଲେ ଏହି ଅଭାବନୀୟ ପରିସ୍ଥିତିରେ ବୋଧହୁଏ ପଡ଼ିବାକୁ ହୋଇନଥାନ୍ତା । କି ବିରାଟ ଭୁଲ କରି ବସିଛି ସେ ? ବିନିତାକୁ ଭୁଲି ଯିବାକୁ ହିଁ ହେବ ! ଆଉ ତାର ଏକମାତ୍ର ସମାଧାନ ବିବାହ । ବିବାହ ବେଦୀର ପବିତ୍ର ହୋମାନଳ ଭିତରେ ନିଜର ସମସ୍ତ ଦୋଷ ଦୋଷ ଦୁର୍ବଳତାକୁ ଆହୂତି ଦେବ । ସେ ହାତଯୋଡ଼ି ମାଗିବ, ‘‘ହେ ଦେବତା-! ତୁମେ ମୋତେ କ୍ଷମାଦିଅ ! ବିନିତାକୁ ଉପାୟ ଦିଅ, ଯେମିତି ସେ ମୋତେ ଚିରକାଳ ପାଇଁ ଭୁଲିଯାଉ ।’’

 

ଟିକକ ପରେ କବାଟରେ ଆହୁରି ଥରେ କରାଘାତ ହେଲା ।

 

ଜିତେନ୍ଦ ଅନୁମାନ କଲା, ବିନିତା ଆହୁରି ଥରେ ଆସିଛ ବୋଧହୁଏ !

 

ନାରୀର ଚପଳ ଭିତରେ ଥରେ ଝଡ଼ ଉଠିଲେ ସେ ପ୍ରଳୟ ସୃଷ୍ଟିକରେ । ବିନିତା ଦୁଇଟା ପରିବାରର ଶାନ୍ତି ଶୃଙ୍ଖଳାକୁ ବିପଦଗ୍ରସ୍ତ କରିବାକୁ ପୁଣିଥରେ ଆସିଛି । ନା, ସେ ଫେରିଯାଉ । ତାର ଲୁଚୁକାଳ ଖେଳକୁ ପ୍ରଶୟ ଦେବାକୁ ସେ ଆଗେଇ ଯିବ ନାହିଁ । ସେ ଖେଳ ଭାଙ୍ଗିଯାଉ ! ସେ ନୀରବ ହୋଇ ବିଛଣାରେ ପଡ଼ି ରହିଲା । ବିନିତା ସଙ୍ଗେ ପ୍ରଥମ ସାକ୍ଷାତଠାରୁ ଆଜି ପର୍ଯ୍ୟନ୍ତ ସବୁ କଥା ଗୋଟି ଗୋଟି କରି ମନେ ପଡ଼ିଲା ।

 

ବିନିତା ସହଜ ଆଉ ସରଳ ଥିଲା । ତାକୁ ଅସୁନ୍ଦର କଲା ତାରି ମାଆର ଆଦେଶ ! ମାଆା ହୋଇ ଝିଅର ମନର କଥା ନ ବୁଝି ନିଜ ମୀମାଂସାରେ ସେ ଅଟଳ ରହିଲେ । ଲୋକଙ୍କ କଥାକୁ ଧରି ବସି ଗୋଟିଏ ଜୀବନକୁ ଝଡ଼ ଆଗକୁ ପେଲି ଦେଲେ । ସେ ହୁଏତ ସାମୟିକ ଆନନ୍ଦ ପାଇ ପାରିଥାନ୍ତି, କିନ୍ତୁ ନିରୀହା ବିନିତା ଜୀବନ ସାରା ଦହଗଞ୍ଜ ହେଲା । କୁମାରୀ ମନ ଯାହା ଖୋଜିଥିଲା, ଯାହାକୁ ଭଲ ପାଉଥିଲା, ସେ ହାତ ଛଡ଼ା ହୋଇଯିବାରୁ ବିପ୍ଳବ କରୁଛି । ନିଜ ଭାବନାରେ ସେ ତିଳେ ପୋଡ଼ି ମରୁଛି । କିନ୍ତୁ ଯଦି ତାରି ବିବାହ କରିଥାନ୍ତା, ତେବେ ଏ ଅଶାନ୍ତିର ନିଆଁ ଜଳି ନଥାନ୍ତା । ପରିବାରର ଅଶାନ୍ତି ପରିବର୍ତ୍ତେ ଆଶୀର୍ବାଦ ହୋଇ ସଂସାର ସମ୍ଭାଳି ଥାନ୍ତା ।

 

ଏ ସମାଜ ଅନ୍ଧ ! ପରମ୍ପରା ଦୋଷପୂର୍ଣ୍ଣ । ସମାଜର କେତେ ବିନିତା ଯେ ବାପାମାଆର ନିଷ୍ପତ୍ତିକୁ ମୁଣ୍ତ ପୋତି ସହି ନେଇ ଡହଳ ବିକଳ ହେଉଛନ୍ତି ତାହାର କଳନା କରୁଛି କିଏ ? ପ୍ରକୃତ କଥା ବୁଝି ନପାରି, ଶୁଣି କଥାରେ କେତେ ଯେ ବାପମାଆ ଠକି ଯାଉଛନ୍ତି ତାର ବି’ ହିସାବ ନାହିଁ ।

 

ବିନିତା ଶେଷଥର ପାଇଁ ବଡ଼ ଜୋରରେ କବାଟରେ ଆଘାତ କରି ଫେରିଗଲା । ବାହାର ବାରଣ୍ତାରେ ଦୁମ୍‌ଦୁମ୍‌ହୋଇ ପାଦଶଦ୍ଦ ଶୁଭୁଛି । ବିନିତାର ଅଭିମାନ ଆଉ କ୍ରୋଧକୁ ସେ ଶଦ୍ଦ ସାବ୍ୟସ୍ତ କରୁଛି ।

ଛାତି ଉପରେ କୁଆତରା ନିଠେଇ ନିଠେଇ ହସୁଛି । ସେ ରାତ୍ରିର ଘନ ଅନ୍ଧାରକୁ ଡାକି ନେବାକୁ ଆସିଛି । କୁଆଁତରା ଲୁଚିଗଲେ ସକାଳ ହେବ । ସଂସାର ମୁହଁରେ କିରଣ ବାଜିବ ।

ଜିତେନ୍ଦ୍ର ଚିଠି ଖଣ୍ତେ ଲେଖି ଟେବୁଲ ଉପରେ ରଖି ଅନ୍ଧାର ଭିତରେ ଚାଲିଗଲା । କାହାକୁ କିଛି କହି ନାହିଁ ।

ବିନିତା ଉଠିବାର ବିଳମ୍ବ କଲା ସେ ଦିନ । ରାତି ସାରା ଶୋଇ ନାହିଁ । ପାହାନ୍ତା ପହରକୁ ନିଦ ଆସିଗଲା ।

ସ୍ନେହ ପ୍ରଥମେ ଉଠି ଦେଖିଲା ଜିତେନ୍ଦ୍ରର ଶୋଇବା ଘର ଶୂନ୍‌ଶାନ୍‌ । ଟେବୁଲ ଉପର ଚିଠିଟିକୁ ପଢ଼ି ପୁଣିଥରେ ଭାଙ୍ଗ ପକାଇ ଯେମିତି ଥିଲା ସେମିତି ରଖିଦେଲା । ତା ମୁହଁରେ ଆନନ୍ଦ ଓ ତୃପ୍ତିର ହସ ! ଚପା ଚପି ହୋଇ ସେ ଆଉଠାଏ ଚାଲିଗଲା । ମନ ପୂରାଇ ହସିବାକୁ ନିକାଞ୍ଚନ ଥାନ ଖୋଜୁଥିଲା ।

ବିନିତା ଡେରିରେ ଉଠି ସଙ୍ଗେ ସଙ୍ଗେ ଜିତେନ୍ଦ୍ରର ଶୋଇବା ଘରକୁ ଗଲା । ଦେଖିଲା କେହି ନାହାନ୍ତି ସେ ଘରେ । ଜିତୁ ଭାଇର ସାମାନପତ୍ର ବି କିଛି ନାହିଁ । ମନ ଭିତରଟା ଆଉଟି ହୋଇଗଲା । ଚାରିଆଡ଼କୁ ନିଜର ପକାଇ ଦେଖିଲା ଟେବୁଲ ଉପର ତାରି ପାଇଁ ଖଣ୍ତେ ଛୋଟ ଚିଠି ! ପଢ଼ିଲା–

ସ୍ନେହର ବିନୁ,

ମୁଁ ଚାଲିଗଲି ବୋଲି ଦୁଃଖ କରିବୁନି । ଆଉଥରେ ଅଳ୍ପ ଦିନରେ ଫେରି ଆସି ତୋତେ ମୋ’ ବାହାଘରକୁ ନେଇ ଯିବି । ସ୍ନେହକୁ କହିବୁ ସେ ବି ପ୍ରସ୍ତୁତ ହୋଇ ରହିଥିବ । ବିଜୟ ବାବୁଙ୍କ ସଙ୍ଗରେ ସାକ୍ଷାତ କରି ପାରି ନଥିବାରୁ ମୁଁ ଦୁଃଖିତ ।

ଜୀବନରେ ଭୁଲକୁ ଭୁଲରେ ସଂଶୋଧନ କରି ହୁଏ ନାହିଁ ବିନୁ ! ଭୁଲ ସଂଶୋଧନ ହୁଏ ଭଲରେ । ନିଷ୍ଠା ଓ ତ୍ୟାଗହିଁ ସେହି ପଥର ଏକମାତ୍ର ପାଥେୟ । ଆମର ଜୀବନ କାଳ ଅତି ଛୋଟ, ସୀମିତ । ସବୁ ଆଶା ଗୋଟିଏ ଛୋଟ ଜୀବନରେ ଉପଲବ୍‌ଧ କରି ହୁଏ ନାହିଁ । ସଂଯତ ଜୀବନ ଯାପନ କଲେ ସୁଖ ମିଳେ, ସନ୍ତୋଷ ମିଳେ । ନାରୀ ନିଜର ସମସ୍ତ ଅଭିଳାଷକୁ ପରିବାର ପାଇଁ ଆହୂତି ଦେଇଆସିଛି । ଆଶାକରେ ତୁ ତୋର ତ୍ୟାଗ ଓ ନିଷ୍ଠାବଳରେ ମନର ସବୁ ଅସମ୍ଭବ କଳ୍ପନାକୁ ପରିତ୍ୟାଗ କରିବୁ ।

ତୁ ସ୍ନେହ ପରି ମୋର ଆଉ ଏକ ଛୋଟ ଭଉଣୀଟିଏ । ଆଶାକରେ ସୁନା ଭଉଣୀ ପରି ତୁ ତୋର ଜିତୁଭାଇକୁ ବୁଝିବାକୁ ଚେଷ୍ଟା କରିବୁ । ତୋର ଅବୁଝା ମନକୁ ସଜାଡ଼ି ପାରିଲେ ଭାବିବି, ଏ ଜୀବନରେ ଗୋଟିଏ ମସ୍ତବଡ଼ ଦାୟିତ୍ୱ ତୁଲାଇଲି ।

ତୋର

–ଜିତୁଭାଇ–

ବିନିତା ସେହି ଗୋଟିଏ ଚିଠିକୁ ଅନେକଥର ପଢ଼ିଲା । ପ୍ରଥମେ ପ୍ରଥମେ ଜିତୁଭାଇର ଦାର୍ଶନିକ ତଥ୍ୟକୁ କିଛି ବୁଝିପାରୁ ନଥିଲା । ଯେତିକି ପଢ଼ିଲା କ୍ରମେ ସବୁ ସ୍ପଷ୍ଟ ଜଣାଗଲା । ସେ ଆଶ୍ଚର୍ଯ୍ୟହୋଇ ଚଉଦିଗକୁ ଚାହିଁଲା । ସତେ ଯେମିତି ମନେ ମନେ ଗୋଟିଏ ହଠାତ୍‌ ହଜି ଯାଇଥିବା ଜିନିଷକୁ ଖୋଜି ଲାଗିଥିଲା ।

ବିନିତାର ଆଖିରେ କୁଢ଼କୁଢ଼ ବିସ୍ମୟ ଥିଲା । ସେ ବିଶ୍ୱାସ କରି ବି କରିପାରୁ ନଥିଲା । ଏଡ଼େ କଷ୍ଟରେ ସାଇତି ଥିବା ମନର ସମ୍ପଦକୁ ସତେ ଯେମିତି କିଏ ହଠାତ୍‌ଆସି ଚୋରାଇ ନେଲା । ସେ କାନ୍ଦିବାକୁ ଚେଷ୍ଟାକରୁ କରୁ ଅଟକି ଗଲା ।

ବିନିତାର ମା’ ପାଖରେ ଥିଲେ ବୁଝିଥାନ୍ତେ ନିଜ ପେଟର ଝିଅ ପ୍ରତି କେଡ଼େବଡ଼ ଅବିଚାର କରିଛନ୍ତି । ନିଜ ମତରେ ଅଟଳ ରହି ବିନିତାର ଜୀବନ ସଙ୍ଗେ କେମିତି ଖେଳ ଖେଳିଛନ୍ତି-!

ହୁଏତ ସେ ନିଜଭୁଲ ବୁଝି ପାରିଥାନ୍ତେ । ଅବିଚାର କଥା ମନେ ପକାଇ ନିଜକୁ ନିଜେ ଅଭିଶାପ ଦେଇଥାନ୍ତେ । ସେ ଦୁଃଖ କରିଥାନ୍ତେ ।

ସତରେ କଣ ବିନିତାର ମା’ ଦୁଃଖ କରିଥାନ୍ତେ ? ଝିଅପୁଅର ମତ ନ ନେଇ ବିବାହ ଯୋଗାଡ଼ କରିବା ଅନ୍ୟାୟ ବୋଲି ଭାବିଥାନ୍ତେ ? କେଜାଣି !

ସ୍ନେହ ସେହି ଘରକୁ ଜାଣି ଶୁଣି ଆଉଥରେ ଆସିଲା ।

ଶୁଣୁଛ ଭାଉଜ ! ଜିତୁଭାଇ ଚାଲିଗଲେ । ବିନିତା କହୁଥିଲା ।

ସତେ ? ସ୍ନେହ ସତେ ଯେମିତି କିଛି ଜାଣେନା !

ସତରେ ଭାଉଜ ! ସେ କେତେବେଳୁ ଚାଲି ଯାଇଛନ୍ତି ।

ଆଉ କଣ ଆସିବେ ନାହିଁ ?

ଆସିବେ ନାହିଁ ? ନିଶ୍ଚୟ ଆସିବେ । ବାହାଘରକୁ ଆମକୁ ସବୁ ନେବାକୁ ଆସିବେ । ତୁମେ ପ୍ରସ୍ତୁତ ହୋଇଥା ଭାଇଜ ! ଆମେ ଜିତୁଭାଇ ବାହାଘରକୁ ନିଶ୍ଚୟ ଯିବା ।

କିନ୍ତୁ କହିଦେଇ ଗଲେ ନାହିଁ ? କି ଯେ ଲୋକ ତାଙ୍କୁ କେହି ହେଲେ ଚିହ୍ନି ପାରିଲେ ନାହିଁ । ତୁମେ କେଜାଣି ଚିହ୍ନିଥିବ !

ନିଜକୁ ମୁଁ ଚିହ୍ନି ପାରିନି’ ଭାଉଜ । ସେ ଆସି ମୋତେ ମୋରି ସଙ୍ଗରେ ପ୍ରଥମକରି ପରିଚୟ କରାଇ ଦେଲେ । ତାଙ୍କୁ ଚିହ୍ନିବାର ଅବକାଶ ଆଉ ପାଇନାହିଁ ।

କି ଯେ କଥା କହ ବିନୁ ? ସ୍ନେହ ବିନିତାର ହାତ ଧରି ପରିହାସ କରୁ କରୁ କହିଲା, ନିଜକୁ ନିଜେ ଚିହ୍ନିବା କଷ୍ଟ ନୁହେ ବିନୁ । କଷ୍ଟଲାଗେ ଆଉଜଣକୁ ଚିହ୍ନିବାରେ । ଚେଷ୍ଟାକଲେ ସେ ବି ହୁଏ । ବିନିତା ସବୁ ବୁଝି ସାରିଲା ପରେ ବି ଅବୁଝା ଆଖିରେ ଅନାଇଥିଲା ସ୍ନେହର ଅର୍ଥଭରା ହସ ଆଉ ଚାହାଣିକି ।

କଅଁଳିଆ ରେଶମୀ ଖରା ବିଚ୍ଛେଇହୋଇ ପଡ଼ିଥାଏ ଅଗଣାରେ ।

Image